ସ୍ମାର୍ଟ ଓ ସୁନ୍ଦର ଦିଶିବା ପାଇଁ ମହିଳାମାନଙ୍କ ପୋଷାକକୁ ନେଇ ସବୁବେଳେ ପରୀକ୍ଷାନିରୀକ୍ଷା ଚାଲିଆସିଛି। ଫ୍ୟାସନ୍ରେ ଏବେ ବେଶ୍ ପୁରୁଣା ‘କର୍ଡସେଟ୍’ର ଚାହିଦା ବଢ଼ିବାରେ ଲାଗିଛି। ଏହାର କେତୋଟି କାରଣ ରହିଛି। ପ୍ରଥମତଃ ଏହା ପିନ୍ଧିବାକୁ ଆରାମଦାୟକ, ଦେଖିବାକୁ ମଧ୍ୟ ଷ୍ଟାଇଲିସ୍। ତା’ପରେ ଏହା ପିନ୍ଧୁଥିବା ମହିଳାଙ୍କୁ ଉପର କୁର୍ତ୍ତୀ ବା ସାର୍ଟ ତଳେ ଜିନ୍ସ, ପ୍ଲାଜୋ ବା ସ୍କର୍ଟ କ’ଣ ପିନ୍ଧିବେ ଚିନ୍ତା କରିବାକୁ ପଡ଼ିନଥାଏ। କାରଣ ଗୋଟିଏ ରଙ୍ଗ, ଡିଜାଇନ୍ ବା ମ୍ୟାଚିଂ କପଡ଼ାରେ ଏକାଧିକ ବା ଉପର ଓ ତଳ ଦୁଇଟି ପୋଷାକର ସେଟ୍କୁ ‘କର୍ଡସେଟ୍’ କୁହାଯାଏ। ପୁଣି ଏହାକୁ ଅଧିକ ଆକର୍ଷଣୀୟ କରିବାକୁ ବେଳେବେଳେ ମ୍ୟାଚିଂ ଜ୍ୟାକେଟ୍ ମଧ୍ୟ ଥାଏ। ବିଭିନ୍ନ ରାଜ୍ୟର ହ୍ୟାଣ୍ଡଲୁମ୍ କପଡ଼ାରେ ତିଆରି କର୍ଡସେଟ୍ଗୁଡ଼ିକ ଆଧୁନିକା ଅଫିସ ଯାଉଥିବା ମହିଳାମାନେ ବେଶ୍ ପସନ୍ଦ କରିଥାନ୍ତି। ଏବେ ବଜାରରେ ଲିନେନ୍, କ୍ରେପ୍, ସୂତା, ସିଲ୍କ ଓ ବିଭିନ୍ନ ପ୍ରକାର ସିନ୍ଥେଟିକ୍ କପଡ଼ାରୁ ତିଆରି ପୋଷାକ ମିଳୁଛି। ଉଭୟ ନିଅନ୍ ଓ ପେଷ୍ଟାଲ୍ ସେଡ୍ର ଡ୍ରେସ୍ ଟ୍ରେଣ୍ଡ୍ରେ ଅଛି। ତେବେ କର୍ଡସେଟ୍ର ବିଶେଷତ୍ବ ହେଉଛି ଏହା ମହିଳାମାନଙ୍କ ଶାରୀରିକ ଆକାର, ଉଚ୍ଚତା ଓ ରୁଚିକୁ ନେଇ ତିଆରି ହୋଇଥାଏ। ଯେମିତି ଜଣେ ଅଧିକ ଉଚ୍ଚତାର ମହିଳାଙ୍କ ପାଇଁ ଉପର ଓ ତଳ ପୋଷାକ ଲମ୍ବା ସମାନ ହେଲେ ମଧ୍ୟ ଚଳିବ। କିନ୍ତୁ ଜଣେ ସ୍ବାସ୍ଥ୍ୟବତୀ ମହିଳାଙ୍କୁ ଉପର ପୋଷାକ ଟିକେ ଲମ୍ବା ହେଲେ ମାନିବ। ସେମିତି କାଜୁଆଲ୍ ଲୁକ୍ରେ ସ୍ନିକର୍, ସମୁଦ୍ର କୂଳରେ ସାଣ୍ଡାଲ୍, ପାର୍ଟି ବା ଅଫିସ୍ରେ ହିଲ୍/ ଷ୍ଟିଲେଟୋ ସହିତ କର୍ଡସେଟ୍ ମ୍ୟାଚ୍ କରିଥାଏ।
ଫ୍ୟାସନ୍ରେ ‘କର୍ଡସେଟ୍’
/sambad/media/post_attachments/wp-content/uploads/2024/06/sfhsfhhsffh.jpg)