ଦଶ ହଜାର କୋଟି ଟଙ୍କାର ମାଲିକ ଦିନେ ପାଉଥିଲେ ୬୦ ଟଙ୍କା ଷ୍ଟାଇପେଣ୍ଡ୍‌, ରିସ୍କ ନେବାର କ୍ଷମତା ପାଇଁ ସେ ଆଜି ସଫଳ!

ରାକେଶ ଝୁନଝୁନୱାଲା ଆଜି ସେୟାର୍‌ ମାର୍କେଟରେ ଚହଳ ସୃଷ୍ଟି କରୁଥିବା ପରି ଏକ ନାମ। ମାତ୍ର ଏହି ବ୍ୟକ୍ତି ଜଣଙ୍କ ସେୟାର ମାର୍କେଟର ଟ୍ରିକ୍‌ ସେତେବେଳେ ଶିଖିଥିଲେ ଯେତେବେଳେ ତାଙ୍କ ବାପା ସଂନ୍ଧ୍ୟା ସମୟରେ ତାଙ୍କର କିଛି ବନ୍ଧୁମାନଙ୍କ ସହ ମିଶି ଏସଂପର୍କରେ ଆଲୋଚନା କରୁଥିଲେ। ଆଉ ଏହି ସମୟରେ ହିଁ ସେୟାର ବଜାର କଣ ଜାଣି ନଥିଲେ ବି ଏଥିପ୍ରତି ତାଙ୍କର ଗଭୀର ଉତ୍କଣ୍ଠା ଦେଖାଦେଇଥିଲା। ଏହାକୁ ଦୃଷ୍ଟିରେ ରଖି ତାଙ୍କ ବାପା ତାଙ୍କୁ ନିଜ ବ୍ୟବସାୟରେ ସାମିଲ କରିଥିଲେ। ଆଉ ଆଜିକା ଦିନରେ ସେ ଜଣେ ସଫଳ ବ୍ୟବସାୟୀ ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ସୂଚନା ମୁତାବକ, ରାକେଶ ଝୁନଝୁନୱାଲା ଆଜିର ସେୟାର ବଜାରର ବିଗ ବୁଲ ଏବଂ ଦିଗ୍‌ଗଜ ନିବେଶକ ଭାବେ ଜଣାଶୁଣା। ଆଜିକା ଦିନରେ ରାକେଶଙ୍କ ପୋର୍ଟଫୋଲିଓରେ ୧୦ ହଜାର କୋଟି ଟଙ୍କାର ସେୟାର ରହିଛି। ସେ ଯେଉଁ କଂପାନିର ସେୟାରରେ ଟଙ୍କା ଲଗାଉଛନ୍ତି ସେ ସେହି କଂପାନିକୁ ବିଶ୍ୱାସର ପ୍ରତୀକ ମାନନ୍ତି ଏବଂ ମୁନାଫାର ଆଶାରେ ନିଜର ଟଙ୍କା ଲଗାଇଥାନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ତାଙ୍କର ପ୍ରଥମ ଷ୍ଟାଇପେଣ୍ଡ ତଥା ରୋଜଗାର ମାତ୍ର ୬୦ ଟଙ୍କା ରହିଥିଲା। ଗତ ସପ୍ତାହରେ ଏକ ଘରୋଇ ଚ୍ୟାନେଲର ଏକ ସାକ୍ଷାତକାରରେ ସାମିଲ ହୋଇ ରାକେଶ ନିଜର ବ୍ୟବସାୟୀକ ଯାତ୍ରାର ଖୁଲାସା କରିଥିଲେ।

ରାକେଶ କହିଥିଲେ କି, ପ୍ରଥମ ବର୍ଷ ସେ ମାତ୍ର ୬୦ ଟଙ୍କାର ଷ୍ଟାଇପେଣ୍ଡ ବା ରୋଜଗାର କରିଥିଲେ। ଦ୍ୱିତୀୟ ବର୍ଷରେ ଏହା ୮୦ ଟଙ୍କା ଏବଂ ତା ପରେ ଏହା ୯୦ ଟଙ୍କାରେ ପହଂଚିଥିଲା। ରାକେଶ ସେୟାର ବଜାରରେ ସେହି ସମୟରେ ଟଙ୍କା ନିବେଶ କରିଥିଲେ ଯେତେବେଳେ କି ବଜାରରେ ସେନସେକ୍ସର ମୂଲ୍ୟ ୧୫୦ରେ ରହୁଥିଲା। ତେବେ ୧୩ ଅକ୍ଟୋବରରେ ଏହା ରହିଥିଲା ୩୨ ହଜାର ୪୩୨ ଟଙ୍କା। ରାକେଶଙ୍କ ମତରେ ସେ ପ୍ରଥମ ଥର ପାଇଁ ଯେଉଁ କଂପାନିର ସେୟାର କିଣିଥିଲେ ସେ ଥିଲା ‘ଟାଟା ଟି’। ଟାଟା ଟିର ସେୟାର ବିକ୍ରି କରି ହିଁ ସେ ପ୍ରଥମ ଥର ପାଇଁ ବଡ଼ ଧରଣର ରୋଜଗାର କରିଥିଲେ। ରାକେଶଙ୍କ କହିବା ମୁତାବକ, ସେ ଟାଟା ଟି’ ର ହଜାର ସେୟାର ୪୩ ଟଙ୍କା ପ୍ରତି ସେୟାର ହିସାବରେ କିଣିଥିଲେ। ୩ ମାସ ପରେ ସେ ଏହି ସେୟାରକୁ ୧୪୩ ଟଙ୍କା ପ୍ରତି ସେୟାର ହିସାବରେ ବିକ୍ରି କରିଥିଲେ। ଏବଂ ପାଖାପାଖି ୫ ଲକ୍ଷ ଟଙ୍କା ରୋଜଗାର କରିଥିଲେ। ଏହାପରେ ରାକେଶ ଆଉ କେବେ ପଛକୁ ଫେରି ଚାହିଁ ନଥିଲେ। ସେ ଏହି ଟଙ୍କାକୁ ୧୯୮୫ରେ ଟାଟା ଟିରେ ହିଁ ଲଗାଇ ଦେଇଥିଲେ। ଆଜିକା ଦିନରେ ଏହି ଟଙ୍କାର ମୂଲ୍ୟ ୫୦ କୋଟିରେ ପହଂଚିଛି।

ସେହିପରି ରାକେଶ ଝୁନଝୁନୱାଲାଙ୍କର ସଫଳତାର ଆଉ ଏକ କାହାଣୀଟି ହେଉଛି ‘ଟାଇଟନ’ରେ ନିବେଶ ଉପରେ ଆଧାରିତ। ସେ ୨୦୦୨-୦୩ରେ ଟାଇଟନର ୬ କୋଟି ,ସେୟାର ୩ ଟଙ୍କା ମୂଲ୍ୟରେ ହିସାବରେ କିଣିଥିଲେ। ତେବେ ୧୩ ଅକ୍ଟୋବରରେ ଟାଇଟନର ଏକ ସେୟାରର ମୂଲ୍ୟ ରହିଥିଲା ୬୨୩ ଟଙ୍କା। ଆଜିକା ଦିନରେ ଟାଇଟନ ଲିମିଟେଡରେ ରାକେଶଙ୍କର ୮.୩ ପ୍ରତିଶତ ସେୟାର ରହିଛି। ଆକଳନ ମୁତାବକ, ଏହି ସେୟାର ୮୦୪ ଲକ୍ଷରେ ପହଂଚିଛି ଏବଂ ବର୍ତ୍ତମାନରେ ଏହାର ମୂଲ୍ୟ ରହିଛି ୩ ହଜାର ୬୪୪ କୋଟି ଟଙ୍କା। ଟାଇଟନ ଦେଶର ଏକ ନାମୀଦାମୀ କଂପାନି ଅଟେ। ମାତ୍ର ରାକେଶଙ୍କୁ ଯେତେବେଳେ ତାଙ୍କ ସଫଳତାର ରହସ୍ୟ ନେଇ ପ୍ରଶ୍ନ କରାଯାଇଥିଲା ସେତେବେଳେ ସେ କହିଥିଲେ କି, ସେହି କଥା ଯାହା ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥାଏ ଆଉ ସେ ହେଲା ରିକ୍ସ ନେବାର କ୍ଷମତା।

ସମ୍ବନ୍ଧିତ ଖବର