ବ୍ରହ୍ମପୁର : କରୋନାର ଦ୍ବିତୀୟ ଲହରରେ ନୂଆ ନୂଆ ଲକ୍ଷଣ ସାମ୍ନାକୁ ଆସୁଛି। କିଛି ନିର୍ଦ୍ଦିଷ୍ଟ ଭୂତାଣୁଜନିତ ରୋଗରେ ରୋଗୀ ଆକ୍ରାନ୍ତ ହେଲେ ରୋଗୀଙ୍କ ପ୍ଲେଟ୍ଲେଟ୍ କମିଯାଏ। ପ୍ଲେଟ୍ଲେଟ୍ ହେଉଛି ରକ୍ତ କଣିକା(ଉପାଦାନ)।
Sambad is now on WhatsApp
Join and get latest news updates delivered to you via WhatsApp
ଲୋହିତ ରକ୍ତ କଣିକା(ଆର୍ବିସି), ଧବଳ ରକ୍ତ କଣିବା(ଡବ୍ଲୁବିସି) ଓ ପ୍ଲେଟ୍ଲେଟ୍ ହେଉଛି ରକ୍ତର ଉପାଦାନ। ପ୍ଲାଜ୍ମା ଓ ଏହି ୩ଟି ଉପାଦାନ ମିଶି ରକ୍ତ ତିଆରି ହୋଇଥାଏ। କରୋନାରେ ଆକ୍ରାନ୍ତ କେତେକ ରୋଗୀଙ୍କ ପ୍ଲେଟ୍ଲେଟ୍ ହ୍ରାସ ପାଉଥିବା ଦେଖିବାକୁ ମିଳୁଛି। ପ୍ଲେଟ୍ଲେଟ୍ ରକ୍ତ ଜମାଟ ବାନ୍ଧିବାରେ ସହାୟକ ହୋଇଥାଏ। ଶରୀରର ଯଦି କୌଣସି ସ୍ଥାନରେ କଟି ଯାଉଛି ତାକୁ ଚାପି କିଛି ସମୟ ଧରିଲେ ରକ୍ତ ଜମାଟ ବାନ୍ଧି ରକ୍ତସ୍ରାବ ବନ୍ଦ ହୋଇଥାଏ। ପ୍ଲାଜ୍ମା ଓ ପ୍ଲେଟ୍ଲେଟ୍ ମିଶି ରକ୍ତ ଜମାଟ ବାନ୍ଧିଥାଏ। ପ୍ଲେଟ୍ଲେଟ୍ କମିଗଲେ ଅଧିକ ରକ୍ତସ୍ରାବ ବନ୍ଦ ହୋଇ ନଥାଏ। ଯଦି ଏହା ୧୦ହଜାରରୁ ତଳକୁ ଖସି ଆସିବ, ତେବେ ଶରୀରର ଆଭ୍ୟନ୍ତରୀଣ ଅଙ୍ଗରେ ହଠାତ୍ ରକ୍ତସ୍ରାବ ହେବାର ଆଶଙ୍କା ରହିଛି। ବ୍ରେନ୍ ହାମରେଜ୍ ହେବାର ଭୟ ମଧ୍ୟ ରହିଛି। ପ୍ଲେଟ୍ଲେଟ୍ କାଉଣ୍ଟ୍ର ସାଧାରଣ ସ୍ତର ୧.୫ଲକ୍ଷରୁ ୪.୫ଲକ୍ଷ ମଧ୍ୟରେ ରହିଥାଏ। ପ୍ଲେଟ୍ଲେଟ୍କୁ ସ୍ବାଭାବିକ ସ୍ତରରେ ରଖିବା ଜଣେ ରୋଗୀଙ୍କ କ୍ଷେତ୍ରରେ ସେତେଟା ସମ୍ଭବ ନୁହଁ। କରୋନାରୁ ସୁସ୍ଥ ହେଲେ ଧୀରେ ଧୀରେ ଏହା କିଛିଦିନ ପରେ ସ୍ବାଭାବିକ ସ୍ତରକୁ ଫେରି ଆସିଥାଏ।
ଯଦି କୌଣସି କୋଭିଡ୍ ରୋଗୀଙ୍କ କ୍ଷେତ୍ରରେ ଅଧିକ ମାତ୍ରାରେ ପ୍ଲେଟ୍ଲେଟ୍ କମିଯାଉଛି ତେବେ ତାଙ୍କୁ ପ୍ଲେଟ୍ଲେଟ୍ ଦିଆଯାଉଛି। ଗୋଟିଏ ରକ୍ତ ୟୁନିଟ୍କୁ ସେଣ୍ଟ୍ରିଫ୍ୟୁଜ୍ କରି ଉପାଦାନଗୁଡ଼ିକ ଅଲଗା କରା ଯାଇଥାଏ। ତା’ ମଧ୍ୟରୁ ଆର୍ବିସି, ପ୍ଲାଜମା ଓ ପ୍ଲେଟ୍ଲେଟ୍ ବାହାର କରି ରୋଗୀଙ୍କୁ ଦିଆ ଯାଇଥାଏ। ଏବେ ଡବଲ୍ ମ୍ୟୁଟାଣ୍ଟ୍, ଟ୍ରିପଲ୍ ମ୍ୟୁଟାଣ୍ଟ୍ ଯୋଗୁଁ ଭୂତାଣୁର ସଂକ୍ରମଣ କ୍ଷମତା ବଢ଼ି ଯାଇଛି। ପ୍ରଥମ ଲହର୍ରେ ଅଧିକାଂଶ କ୍ଷେତ୍ରରେ ବୟସ୍କ ଲୋକ ଆକ୍ରାନ୍ତ ହେଉଥିଲେ। କିନ୍ତୁ ଏଥର ବହୁ ଯୁବବର୍ଗ ଓ ଶିଶୁମାନେ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଠିକ୍ ସେହିପରି କରୋନା ରୋଗୀଙ୍କ ପ୍ଲେଟ୍ଲେଟ୍ ମଧ୍ୟ କମୁଛି। ପ୍ଲେଟ୍ଲେଟ୍ କାହାର କମିବ ସେମିତି କିଛି ନିର୍ଦ୍ଦିଷ୍ଟ ଭାବେ କୁହାଯାଇ ପାରିବ ନାହିଁ। ଭୂତାଣୁର ସଂକ୍ରମଣ ସ୍ଥିତିକୁ ଦେଖି ଶରୀରରେ ତା’ର ପ୍ରଭାବ ଦେଖିବାକୁ ମିଳିଥାଏ। କିନ୍ତୁ ରୋଗୀ ଏଥିରେ ଗୁରୁତର ହେଉ ନାହାନ୍ତି।
କରୋନା ରୋଗୀଙ୍କ ପ୍ଲେଟ୍ଲେଟ୍ କମିବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିବ ବୋଲି କୁହାଯାଇ ପାରିବନାହିଁ। ଯଦି ରୋଗୀ ମୃତ୍ୟୁବରଣ କରୁଛନ୍ତି, ଏହାପଛରେ ଅନ୍ୟ କିଛି କାରଣ ରହିଥିବ। କରୋନା ପ୍ରଥମେ ଫୁସ୍ଫୁସ୍କୁ ସଂକ୍ରମିତ କରିବା ପରେ କେତେକ ଲୋକଙ୍କ କ୍ଷେତ୍ରରେ ଅନ୍ୟାନ୍ୟ ଅଙ୍ଗ ସହିତ ବୋନ୍ମେରୋକୁ ମଧ୍ୟ ଆକ୍ରାନ୍ତ କରି ପ୍ଲେଟ୍ଲେଟ୍ ଗଠନ କ୍ଷମତାକୁ ହ୍ରାସ କରିଥାଏ। କିନ୍ତୁ କରୋନାରୁ ସୁସ୍ଥ ହେବା ପରେ ଧୀରେ ଧୀରେ ଏହା ପୁଣିଥରେ ସ୍ବାଭାବିକ ହୋଇଯାଏ।
ଆସିଷ୍ଟାଣ୍ଟ୍ ପ୍ରଫେସର,
ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗ
ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍, ବ୍ରହ୍ମପୁର