କରୋନା ବଢ଼ାଇଦେଲା ଦୂରତା, ଭାଇ ବାଟକୁ ଅନାଇବସିଛି ଭଉଣୀ

କେବେ ଫ୍ଲାଇଟ ତ ପୁଣି କେବେ ସଂକ୍ରମଣର ଚିନ୍ତା, ଦୁଇ ବର୍ଷ ହେଲାଣି ଭଉଣୀ ବାନ୍ଧିପାରିନି ରାକ୍ଷୀ

ଭାଇ ତୁ କେବେ ଆସିବୁ, କେବେ ତୋ ହାତରେ ମୁଁ ରାକ୍ଷୀ ବାନ୍ଧିବି | କେବେ ତତେ ମିଠା ଖୁଆଇ ଅଳି କରି ଉପହାର ମାଗିବି | ତୁ ଉପହାର ନ ଦେବାକୁ ବାହାନା କରିବୁ ସତ କିନ୍ତୁ ମତେ ସୁରକ୍ଷାର ପ୍ରତିଶୃତିଟିଏ ଦେବୁ’ | ଭଉଣୀ ଲୋ ମୋର କଣ ଇଚ୍ଛା ନାହିଁ, ମୁଁ ବି ଯାଆନ୍ତି, ତୁ ମୋ ହାତରେ ସେହି ଭାଇ-ଭଉଣୀଙ୍କର ଅତୁଟ ପ୍ରେମ ସମ୍ପର୍କର ସୁତା ଖିଅ ଟିକକ ବାନ୍ଧିଦିଅନ୍ତୁ | ଆଉ ମୁଁ ଗର୍ବରେ କହିଦିଅନ୍ତି ମୋ ଭଉଣୀ ପରି କିଏ ହେବ’ ? କିଛି ଏମିତି ଚିନ୍ତା ଏବେ ସେହି ଭାଇ ଭଉଣୀଙ୍କୁ ବେଶୀ ଅନୁଭବ ହେଉଥିବ, ଯେଉଁମାନେ କରୋନା କଟକଣା ପାଇଁ ପରସ୍ପରକୁ ଦୀର୍ଘ ଦୁଇ ବର୍ଷ ଧରି ଭେଟିପାରିନାହାନ୍ତି | ନା ଭାଇ ଆସିପାରିଛି ନା ଭଉଣୀ ଭାଇ ପାଖକୁ ଯାଇପାରିଛି | କେବେ କରୋନା ସଂକ୍ରମଣର ଭୟ, କେବେ ପୁଣି ସରକାରଙ୍କ କଟକଣା, ଏହାରି ଭିତରେ ଛନ୍ଦି ହୋଇଛନ୍ତି ଦୁଇ ଭାଇ ଭଉଣୀ |

ଏଇ ଦେଖୁନାହାନ୍ତି ଭୁବନେଶ୍ୱରର ପ୍ରିୟଙ୍କାଙ୍କ କଥା | ତାଙ୍କ ଭାଇ ରାଜସ୍ଥାନର ଏକ ଡାକ୍ତରଖାନାରେ ଡାକ୍ତର ଅଛନ୍ତି, ୨୦୧୯ ଡିସେମ୍ବରରୁ ଯାଇଥିଲେ | ଭାବିଥିଲେ ୨୦୨୦ ରାକ୍ଷୀ ପୂର୍ଣ୍ଣିମା ବେଳକୁ ଆସିବେ ଆଉ ଭଉଣୀ ହାତରୁ ରାକ୍ଷୀ ପିନ୍ଧିବେ | କିନ୍ତୁ କରୋନା ଯୋଗୁଁ ଅଟକି ରହିଲେ | ରୋଗୀଙ୍କ ସେବାରେ ନିଜକୁ ବ୍ୟସ୍ତ ରଖିଲେ | ମନକୁ ମାରି ଭାବିଥିଲେ ଯେ କରୋନା ସରିଯାଉ ତା ପରେ ଯିବେ | କିନ୍ତୁ କରୋନା ସରିଲା ନାହିଁ ବରଂ ଦ୍ଵିତୀୟ ଲହରୀ ନେଇ ଆସିଲା ଆଉ ଏବେ ବି ମେଡିକାଲକୁ ରୋଗୀ ଆସୁଛନ୍ତି | ତେଣୁ ସେ ବି ଏଥର ଆସିପାରିନାହାନ୍ତି |

ସେହିପରି ଲଣ୍ଡନରେ ରହୁଥିବା ଜୟଶ୍ରୀ ନନ୍ଦଙ୍କ କହିବା କଥା ଯେ ଦୂରରେ ରହିଲେ ବି ଭାଇ କଥା ସବୁବେଳେ ମନେପଡେ | ରାକ୍ଷୀ ପୂର୍ଣ୍ଣିମାରେ ଭାଇ ହାତରେ ରାକ୍ଷୀ ବାନ୍ଧିବାରେ ଯେଉଁ ଖୁସି ଥାଏ, କହିଲାବେଳକୁ ଆଖିରେ ଲୁହ ଆସିଯାଏ | ଭାଇକୁ ବହୁତ ମିସ କରୁଛି | ମତେ ଲାଗେ ଲଣ୍ଡନର ଦୂରତା ଏତେ ବି ନଥିଲା, ଯେତିକି ଦୂରତା କରୋନା ବିଭିନ୍ନ କଟକଣା ମାଧ୍ୟମରେ ଦେଇଗଲା | ବର୍ତ୍ତମାନ ଲଣ୍ଡନରେ ଛୁଟି ଥିଲେ ବି କଟକଣା ଯୋଗୁଁ ଯାଇହେଉନି ଆଉ ଏହି ବର୍ଷ ରାକ୍ଷୀ ପୂର୍ଣ୍ଣିମା କଥା ମୋର ବେଶୀ ମନେପଡିବ |

ସେହିପରି ବିଦେଶରେ ରହୁଥିବା ଶ୍ରଦ୍ଧାଞ୍ଜଳି ପଣ୍ଡା ଓ ସୁନିତା ସାହୁଙ୍କ କହିବା କଥା ଯେ ରାକ୍ଷୀ ପୂର୍ଣ୍ଣିମାରେ ଘରକୁ ଯାଇ ଭାଇ ହାତରେ ରାକ୍ଷୀଟିଏ ବାନ୍ଧିବା କଥା | କିନ୍ତୁ ଦୁଇ ବର୍ଷ ହେଲା ଯାଇପାରିନୁ | ଏଠାରେ ଥିବା ଅନ୍ୟ ଓଡିଆମାନଙ୍କୁ ରାକ୍ଷୀ ବାନ୍ଧିଦେଉଛୁ | ରକ୍ତର ସମ୍ପର୍କ ନ ହେଲେ ବି ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛୁ |

ସେହିପରି ଡାକ୍ତର ଭାଗ୍ୟଶ୍ରୀଙ୍କ କହିବା କଥା ମୋ ଜୀବନର ସଫଳତା ପଛରେ ମୋ ଭାଇଙ୍କର ବଡ ହାତ ରହିଛି | ଜଣଙ୍କ ପାଇଁ ରାକ୍ଷୀ ସୂତା ଖିଅ ଯେତିକି ମନେ ନଥାଏ ବେଶୀ ମନେପଡିଥାଏ ମିଠା ଅନୁଭୂତି, ଯେତେ ଝଗଡା ହେଲେ ବି ଭଲ ପାଇବା ଅପୂରଣୀୟ | ଏଥର କୋଭିଡ ପାଇଁ ଯିବା ସମ୍ଭବ ନ ହେଉଥିଲେ ବି ଇଣ୍ଟରନେଟ ଯୁଗରେ ଅନଲାଇନ ସପିଙ୍ଗ ମାଧ୍ୟମରେ ଭାଇଙ୍କ ପାଖକୁ ରାକ୍ଷୀ ପଠାଇଛି |

 

ସମ୍ବନ୍ଧିତ ଖବର