ଲକ୍ଷଣ ନ ଥାଇ ବି ହେଉଛି କରୋନା ସଂକ୍ରମଣ; ଜାଣନ୍ତୁ କେମିତି ହୁଏ ସ୍ବାବ୍ ଓ ଆଣ୍ଟିବଡି ପରୀକ୍ଷା

ଭୁବନେଶ୍ବର : କରୋନାକୁ ନେଇ ଲୋକମାନଙ୍କ ମନରେ ଆତଙ୍କ ଖେଳି ଯାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମଧ୍ୟ‌ କରୋନାକୁ ଏକ ମହାମାରୀ ଭାବେ ଘୋଷଣା କରିସାରିଛି। ତେବେ କରୋନାର କ’ଣ ଲକ୍ଷଣ ରହିଛି, କରୋନା ସଂପର୍କିତ ପରୀକ୍ଷା ଓ ଏହାକୁ ନିୟନ୍ତ୍ରଣ କରିବା ଲାଗି ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ଜାଣିବା ଲାଗି ଲୋକମାନଙ୍କ ମନରେ ଅଧିକ ଆଗ୍ରହ ରହିଛି। ଏ ସଂପର୍କରେ ‘ସମ୍ବାଦ’ ପକ୍ଷରୁ ଏକ ସବିଶେଷ ରିପୋର୍ଟ

କରୋନା ସଂକ୍ରମିତଙ୍କ ଲକ୍ଷଣ
ସାଧାରଣ ଋତୁକାଳୀନ ଜ୍ବର ଓ ଥଣ୍ଡାଠାରୁ କରୋନା ଭିନ୍ନ। ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଥିଲେ ତାଙ୍କ ଶରୀରରେ ଜ୍ବର, ଶୁଖିଲା କାଶ, ମାଂସ‌‌ପେଶୀରେ ଯନ୍ତ୍ରଣା, ମୁଣ୍ଡ ବ୍ୟଥା, କାଶରେ ରକ୍ତ ପଡ଼ିବା ଓ ପତଳା ଝାଡ଼ା ହୋଇଥାଏ। ୧-୧୪ ଦିନ ଭିତରେ ସଂକ୍ରମଣର ଲକ୍ଷଣ ପ୍ରାୟତଃ ଜଣାପଡ଼ିଥାଏ। ତେବେ ଅନେକ ଘଟଣାରେ ୧୪ ଦିନ ଭିତରେ ଲକ୍ଷଣ ପରିପ୍ରକାଶ ହେଉ ନଥିବାରୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏବେ ସ୍ଥଳବିଶେଷରେ ଏହାକୁ ୨୮ଦିନ ଘୋଷଣା କରାଯାଇଛି। ମାତ୍ର ୫ପ୍ରତିଶତ ସଂକ୍ରମିତଙ୍କ କ୍ଷେତ୍ରରେ ଏହା ଜଟିଳ ମାମଲା ହୋଇଥାଏ। ଅନ୍ୟ ସଂକ୍ରମିତ ବ୍ୟକ୍ତିମାନେ ୨-୬ ସପ୍ତାହ ଭିତରେ ଏଥିରୁ ମୁକ୍ତ ହୋଇପାରୁଛନ୍ତି। କରୋନା ଭୂତାଣୁ ପାଇଁ କୌଣସି ଔଷଧ କିମ୍ବା ଟିକା ନାହିଁ।

ଲକ୍ଷଣ ନ ଥାଇ ମଧ୍ୟ ସଂକ୍ରମଣ କେମିତି
ଅନେକ ବ୍ୟକ୍ତି କରୋନା ଭୂତାଣୁରେ ସଂକ୍ରମିତ ହୋଇଥିଲେ ହେଁ ସେମାନଙ୍କ ନିକଟରେ କୌଣସି ଲକ୍ଷଣ ଦେଖିବାକୁ ମିଳି ନ ଥାଏ। ସେମାନଙ୍କୁ ଆସିମ୍ପ‌ଟୋମାଟିକ୍ ବୋଲି କୁହାଯାଏ। ଫଳରେ ସେମାନଙ୍କର କେବଳ କୋଭିଡ୍‌ ନମୁନା ପରୀକ୍ଷା ହେବା ପରେ ହିଁ ସେମାନେ କୋରାନା ସଂକ୍ରମିତ ଅଛନ୍ତି ବୋଲି ସ୍ପଷ୍ଟ ହୋଇଥାଏ। ରାଜ୍ୟରେ ଯେତେ ସଂଖ୍ୟକ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ୮୦ %ଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ନାହିଁ। ତେଣୁ ଏଭଳି ବ୍ୟକ୍ତିଙ୍କୁ ଚିହ୍ନଟ କରିବା ସମସ୍ତଙ୍କ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ପୂର୍ବରୁ ୧୪ ଦିନ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏହାକୁ ୨୮ ଦିନକୁ ବୃଦ୍ଧି କରିବା ଲାଗି ଏକ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ ଯେଉଁ ବ୍ୟକ୍ତିମାନେ ସୁସ୍ଥ ହେଉଛନ୍ତି, ସେମାନଙ୍କୁ ଘରେ ଅତିରିକ୍ତ ୧୪ ଦିନ ପର୍ଯ୍ୟନ୍ତ ପୃଥକବାସ ବା ଆଇସୋଲେସନ୍‌ରେ ରହିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଉଛି। ଏହି ସମୟ ଭିତରେ ସେହି ବ୍ୟକ୍ତିଜଣକ ଜନସମୂହ ଥିବା ସ୍ଥାନ କିମ୍ବା ସର୍ବସାଧାରଣ ସ୍ଥାନକୁ ଯିବା, ଘରେ ଏକାଠି ଖାଇବା ଓ ଲୁଗାପଟା ନ ମିଶାଇବା ଲାଗି ବାରଣ କରାଯାଉଛି।

ଗୋଷ୍ଠୀ ସଂକ୍ରମଣ ଓ କ୍ଲଷ୍ଟର୍‌ ଜୋନ୍‌ ସଂକ୍ରମଣ
ଯଦି କୌଣସି ବ୍ୟକ୍ତିଙ୍କର କିଛି ଯାତ୍ରା ଇତିହାସ ନାହିଁ କିମ୍ବା ‌ସେ କୌଣସି ସଂକ୍ରମିତ ବ୍ୟକ୍ତି ସଂସ୍ପର୍ଶରେ ଆସି ନାହାନ୍ତି, ଏହାସହ କୌଣସି ସଂକ୍ରମିତ ବ୍ୟକ୍ତିଙ୍କ ପ୍ରାଥମିକ ବା ପ୍ରାଇମେରି ଓ ସେକେଣ୍ଡାରି ବା ଦ୍ବିତୀୟରେ ସାମିଲ ‌ଥିବା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ନ ଆସି ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି, ତା’ ହେଲେ ଏହାକୁ ଗୋଷ୍ଠୀ ସଂକ୍ରମଣ ବୋଲି କୁହାଯାଏ। ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ଅଜିତ ମହାନ୍ତିଙ୍କ କହିବାନୁଯାୟୀ, ଗୋଷ୍ଠୀ ସଂକ୍ରମଣ‌ରେ ସଂକ୍ରମଣର ଉତ୍ସ ବା ସୋର୍ସ ଅଫ୍ ଇନଫେକ୍ସନ୍‌ ସ୍ପଷ୍ଟ ହୋଇପାରିନାହିଁ। ସେତେବେଳେ ସଂକ୍ରମଣ ସ୍ଥାନୀୟ ଅଞ୍ଚଳରରୁ ବ୍ୟାପିଥାଏ। କରୋନାର ମୁଖ୍ୟତଃ ୪ଟି ଷ୍ଟେଜ୍ ବା ପର୍ଯ୍ୟାୟ ରହିଛି। ଗୋଷ୍ଠୀ ସଂକ୍ରମଣ ତୃତୀୟ ପର୍ଯ୍ୟାୟ‌ର ଅନ୍ତଭୁର୍କ୍ତ। ଭୁବନେଶ୍ବର କିମ୍ବା ଓଡ଼ିଶାରେ ଏ ପର୍ଯ୍ୟନ୍ତ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି ଡା. ମହାନ୍ତି କହିଛନ୍ତି।

କ୍ଲଷ୍ଟର ଜୋନ୍ : ଯଦି କୌଣସି ଅଞ୍ଚଳରେ ଏକାଧିକ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୁଅନ୍ତି, ତେବେ ପ୍ରାରମ୍ଭରେ ସେହି ବ୍ୟକ୍ତିଙ୍କର ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଅନୁସନ୍ଧାନ ବା କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରାଯାଏ। ସଂପୃକ୍ତ ବ୍ୟକ୍ତିଙ୍କ ପିତାମାତା, ପୁଅ/ଝିଅ, ସ୍ତ୍ରୀ ଓ ପରିବାର ଲୋକ ପ୍ରାଇମେରି ବା ପ୍ରାଥମିକ କଣ୍ଟାକ୍ଟର ଅଂଶବିଶେଷ। ମାତ୍ର ‌ସେହି ସଂକ୍ରମିତ ବ୍ୟକ୍ତି ଯେଉଁ ଦୋକାନରେ ଚା’ ପିଉଛନ୍ତି କିମ୍ବା ତାଙ୍କ ଘରକୁ କାମ କରିବାକୁ ଆସୁଥିବା ବ୍ୟକ୍ତି କିମ୍ବା ବାହାର ବ୍ୟକ୍ତିମାନଙ୍କୁ ସେକେଣ୍ଡାରି କଣ୍ଟାକ୍ଟ କୁହାଯାଏ। ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବା ପରେ ସେମାନଙ୍କ ନମୁନା ପରୀକ୍ଷା କରାଯାଏ। ସେହି ଅଞ୍ଚଳରୁ ଚିହ୍ନଟ ହୋଇଥିବା କରୋନା ପଜିଟିଭ୍‌ଗୁଡ଼ିକୁ ଏକ କ୍ଲଷ୍ଟର ବୋଲି କୁହାଯାଏ। ପରବର୍ତୀ ସମୟରେ ସେହି ଅଞ୍ଚଳକୁ ସଂକ୍ରମଣ ଅବରୋଧ ଅଞ୍ଚଳ ଭାବେ ସିଲ୍ କରାଯାଏ। ଜନସ୍ବାସ୍ଥ୍ୟ ନିର୍ଦେଶକ ଡା. ଅଜିତ ମହାନ୍ତିଙ୍କ ଅନୁସାରେ, ଏହି କ୍ଲଷ୍ଟର୍‌କୁ କେହି ପ୍ରବେଶ କରିପାରିବେ ନାହିଁ କିମ୍ବା ସେଠାରୁ କୌଣସି ବ୍ୟକ୍ତି ଅନ୍ୟତ୍ର ଯାଇ ପାରିବେ ନାହିଁ। ପୂର୍ବରୁ ଏହା ୧୪ ଦିନ ରଖାଯାଇଥିଲା। ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏହାକୁ ୨୮ ଦିନ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଯଦି ଏହି ସମୟ ଭିତ‌ରେ କୌଣସି ବ୍ୟକ୍ତିଙ୍କ ନିକଟରେ ଭୂତାଣୁ ସଂକ୍ରମଣ ଦେଖାଯିବ ନାହିଁ, ତେବେ ସେହି ଅଞ୍ଚଳକୁ ବିପଦମୁକ୍ତ ବୋଲି କୁହାଯାଇ ପାରିବ। ଏହି ପ୍ରକିୟାକୁ କ୍ଲଷ୍ଟର କଣ୍ଟେନମେଣ୍ଟ ବୋଲି କୁହାଯାଏ।

ସ୍ବାବ୍ ଓ ଆଣ୍ଟିବଡି ପରୀକ୍ଷା
କରୋନା ଭୂତାଣୁରୁ ଜଣେ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି କି ନାହିଁ, ତାହା ଜାଣିବା ଲାଗି ସ୍ବାବ୍ ପରୀକ୍ଷା କରାଯାଇଥାଏ। ଏହା ଏକ ଜଟିଳ ପ୍ରକ୍ରିୟା। ଏଥିରେ ସିଧାସଳଖ ନାସୋଫ୍ରାଇଞ୍ଜଲ ବା ନାକ ଓ ଓରୋଫ୍ରାଇଞ୍ଜଲ ବା ପାଟିରୁ ସ୍ବାବ୍ ସଂଗ୍ରହ କରାଯାଏ। ପରେ ଆର୍‌ଟିପିସିଆର୍‌ ପରୀକ୍ଷ ହୋଇଥାଏ। ତହିଁରୁ ଜଣେ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇଥାଏ। କରୋନା ଭୂତାଣୁ ଚିହ୍ନଟ ପାଇଁ ସ୍ବାବ୍ ପରୀକ୍ଷାକୁ ବିଶେଷ ଗୁରୁତ୍ବ ଦିଆଯାଉଛି।

ଆଣ୍ଟିବଡି ପରୀକ୍ଷା : ଏହି ପରୀକ୍ଷାରେ ‌ଜଣେ ବ୍ୟକ୍ତିଙ୍କ ଶରୀରରୁ ରକ୍ତ ନମୁନା ସଂଗ୍ରହ କରାଯାଇ ତାଙ୍କ ନିକଟରେ ଆଣ୍ଟିବଡି ରହିଛି କି ନାହିଁ ତାହା ଜଣାପଡ଼ିଥାଏ। ଡା. ମହାନ୍ତିଙ୍କ ସୂଚନା ଅନୁସାରେ, କୌଣସି ବ୍ୟକ୍ତି ଯଦି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥାନ୍ତି, ଏହି ସମୟ ଭିତରେ ଶରୀର ରୋଗ ପ୍ରତିରୋଧକ ଶକ୍ତି ଆଣ୍ଟିବଡି ସୃଷ୍ଟି କରିଥାଏ। ଫଳରେ କୌଣସି ବ୍ୟକ୍ତି ପୂର୍ବରୁ ସଂକ୍ରମିତ ହୋଇଛନ୍ତି କି ନାହିଁ, ତାହା ଆଣ୍ଟିବଡି ପରୀକ୍ଷାରେ ପରୋକ୍ଷ ଭାବେ ଜଣାପଡ଼ିଥାଏ ବୋଲି ଡା. ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର