ଗୁଣପୁର : କରୋନାରେ ଯୁବ ଇଞ୍ଜିନିୟର ମୃତ, ଶ୍ମଶାନରେ ୬ ଘଣ୍ଟା ପଡ଼ିରହିଲା ଶବ

ଜଳେଶ୍ବର : ଆମ୍ବୁଲାନ୍ସରେ ପଡ଼ିରହିଲେ ହୃଦ୍‌ରୋଗୀ

ଗୁଣପୁର ଅଞ୍ଚଳର ଜଣେ ଯୁବ ଇଞ୍ଜିନିୟର ଆଜି କରୋନାରେ ପ୍ରାଣ ହରାଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ କୋଭିଡ୍ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ବିଡ଼ମ୍ବନା ହେଲା ସଂକ୍ରମଣ ଭୟରେଶବ ଦାହ ପାଇଁ କେହି ୟଶ୍ମଶାନକୁ ଯାଉନାହାନ୍ତି। ଯାହାଫଳରେ ୬ଘଣ୍ଟା ଧରି ଶ୍ମଶାନରେ ପଡ଼ିରହିଛି ଶବ। ପରିବାର ଲୋକ କାକୁତିମିନତି ହେବା ସତ୍ତ୍ବେ ସାହି ପଡ଼ିଶାରୁ କେହି ବାହାରି ନଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ଜଣେ ଯୁବ ସଫ୍ଟୱେର ଇଞ୍ଜିନିରୟ ଚେନ୍ନାଇ ସ୍ଥିତ ଗୋଟିଏ ଘରୋଇ କଂପାନିରେ କାର୍ଯ୍ୟରତ ଥିଲେ। କରୋନା ଜନିତ କଟକଣା ଯୋଗୁଁ ସେ ପ୍ରାୟ ୩ମାସ ତଳେ ନିଜ ଘରକୁ ଚାଲି ଆସିଥିଲେ। ଏହାରି ମଧ୍ୟରେ ଗଜପତି ଜିଲ୍ଲାକୁ ନିଜ ଶ୍ବଶୁରଙ୍କ ଘରକୁ ଯାଇଥିଲେ। ସେଠାରୁ ଫେରିବା ପରେ ହଠାତ୍ ଅସୁସ୍ଥ ହେବାରୁ ଚିକିତ୍ସା ସହ ସ୍ବାବ୍ ପରୀକ୍ଷା ହୋଇଥିଲା। ରିପୋର୍ଟ ପଜିଟିଭ୍ ଆସିବାରୁ ପ୍ରଶାସନ ପକ୍ଷରୁ ପ୍ରଥମେ ସ୍ଥାନୀୟ ବିକ୍ରମପୁର ସ୍ଥିତ କୋଭିଡ୍‌ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ଜେକେପୁର କୋଭିଡ‌୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

ଆଜି ମଧ୍ୟାହ୍ନରେ ଶବ ଏକ ସ୍ବତନ୍ତ୍ର ଆମ୍ବୁଲେନ୍ସ ଯୋଗେ ଗୁଣପୁର ବଂଶଧାରା ଶ୍ମଶାନ ଘାଟକୁ ଅଣାଯାଇଥିଲା। ପରିବାର ଲୋକ ଖବର ପାଇ ଶ୍ମଶାନରେ ପହଞ୍ଚିଥିଲେ। କିନ୍ତୁ ଅନ୍ୟ କେହି ଶ୍ମଶାନକୁ ଯାଇ ନଥିବାରୁ ୬ଘଣ୍ଟା ଧରି ଦାହ କାର୍ଯ୍ୟ ହୋଇପାରି ନଥିଲା। ଶବ ଦାହ ପାଇଁ କେହି ଲୋକ ମିଳୁ ନଥିବାରୁ ପରିବାର ଲୋକ ଚିନ୍ତାରେ ରହିଛନ୍ତି। ଏପରିକି ସଫେଇ କର୍ମଚାରୀ ଏବଂ ଜଣେ ଧୋବାକୁ ଯୋଗାଯୋଗ କରିବାରୁ ସେମାନେ କରୋନା ସଂକ୍ରମିତ ବୋଲି ଶୁଣିବା ପରେ ଆସିବାକୁ ରାଜି ହେଉନାହାନ୍ତି। ଏମିତି ସ୍ଥିତିରେ ପ୍ରଶାସନ ପକ୍ଷରୁ ମଧ୍ୟ ଶେଷକୃତ୍ୟ ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଜଣାପଡ଼ିଛି। ଯାହାଫଳରେ ରିପୋର୍ଟ ଲେଖାଯିବା ସୁଦ୍ଧା ଶବ ଶ୍ମଶାନରେ ପଡ଼ି ରହିଛି।

ଗୋଟିଏ ପଟେ ପୁଅକୁ ହରାଇବାର ଦୁଃଖ ପୂରା ପରିବାରକୁ ଗଭୀର ଆଘାତ ଦେଇଥିବା ବେଳେ ଶେଷକୃତ୍ୟ ପାଇଁ ଲୋକ ନ ମିଳିବା ମାନସିକ ଯନ୍ତ୍ରଣାକୁ ଦ୍ବିଗୁଣିତ କରିଛି। ଶବକୁ ଜଗି ସହାୟତା ଅପେକ୍ଷାରେ ପରିବାର ଲୋକ ଶ୍ମଶାନରେ ରହିଛନ୍ତି। ଏନେଇ ରାୟଗଡ଼ା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ପଚାରିବାରୁ କୋଭିଡ୍‌ ମେଡିକାଲରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପରିବାରଙ୍କ ଅନୁରୋଧକ୍ରମେ ନିୟମ ଅନୁଯାୟୀ ପାର୍ଥିବ ଶରୀରକୁ ପରିବାରକୁ ହସ୍ଥାନ୍ତର କରାଯାଇଛି ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଗୁଣପୁର ସହରରେ ଆଜି ମଧ୍ୟ ୪ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ତ ନିକଟସ୍ଥ ତେଜରାତି ବ୍ୟବସାୟୀ ସୀମାଦ୍ରି ନାଗେଶ୍ବର ରାଓ (୭୨) ରହିଛନ୍ତି। ସେହିପରି ବେବର୍ତ୍ତାଢ଼େପର କୃଷ୍ଣ ଗୌଡ଼ (୬୦), ଲକ୍ଷ୍ମଣଢ଼େପ ସାହିର ପ୍ରମିଳା ପାତ୍ର (୫୩), ଆଦର୍ଶନଗର କମଳା କୁମାର ପଟ୍ଟନାୟକ (୬୬)ଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସହରରେ ଏଭଳି ମୃତକଙ୍କ ସଂଖ୍ୟା ବଢ଼ିବାକୁ ନେଇ ନାନା ଚର୍ଚ୍ଚା ହେଉଥିବା ବେଳେ ଲୋକଙ୍କୁ ମଧ୍ୟ ଆତଙ୍କିତ କରିଛି।
– ଗୁଣପୁରରୁ ଦେବୀପ୍ରସାଦ ମିଶ୍ର

ଆମ୍ବୁଲାନ୍ସରେ ପଡ଼ିରହିଲେ ହୃଦ୍‌ରୋଗୀ
ଜଳେଶ୍ବର ବ୍ଲକ ଶିଖରପୁର ଗାଁରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଜଣେ ହୃଦରୋଗୀ ବୃଦ୍ଧା ଅସ୍ତ୍ରୋପଚାର ପରେ ଗତକାଲି ଘରକୁ ଆମ୍ବୁଲାନ୍ସରେ ଫେରିଥିଲେ। ହେଲେ ତାଙ୍କୁ କାଳେ କରୋନା ହୋଇଥିବ ଏ ସନ୍ଦେହରେ ଗାଁଲୋକେ ଘରକୁ ଯିବାକୁ ଅନୁମତି ଦେଲେନି। ୪ ଘଣ୍ଟା ଧରି ଗାଁ ଦାଣ୍ଡରେ ଆମ୍ବୁଲାନ୍ସରେ ପଡ଼ିରହିଲେ ଶିଖରପୁର ଗାଁର ସଂଗୀତା ଗିରିଙ୍କ ମାଆ ଚମ୍ପାବତୀ। ସରପଞ୍ଚ ହସ୍ତକ୍ଷେପ କରିବା ପରେ ବି ଗାଁ ଲୋକେ ରାଜି ହୋଇ ନ ଥିଲେ। ପାଖ ଗାଁରେ ରହୁଥିବା ତାଙ୍କ ଭାଇଙ୍କ ଘରକୁ ଯିବାକୁ ବାଧ୍ୟହେଲେ ସେ। ଚମ୍ପାବତୀଙ୍କର ପୁଅ ନ ଥିବାରୁ ଏହି ଗାଁରେ ତାଙ୍କ ଝିଅ ସଂଗୀତାଙ୍କ ପାଖରେ ରହୁଥିଲେ। ଆଜି ଜଳେଶ୍ବର ଥାନାରେ ଏ ନେଇ ସଂଗୀତା ଏକ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ସମସ୍ୟା ହେଉଛି ଯେ, ସେ ଲୋକମାନେ ମାନବିକତାକୁ ଭୁଲି ସାରିଛନ୍ତି। ବିପଦରେ ପଡ଼ିଥିବା ସ୍ଥାନରେ ନିଜକୁ ରଖି ସ୍ଥିତିର ସମୀକ୍ଷା କରିବାର ଶକ୍ତି ହରାଇସାରିଛନ୍ତି। ଏହି ଦୁଇଟି ଘଟଣା ଏହାର ଜ୍ବଳନ୍ତ ଉଦାହରଣ। କିନ୍ତୁ, ଆହୁରି ଅନେକ ଘଟଣା ଏବେ ଘଟିଚାଲିଛି।
– ଜଳେଶ୍ବରରୁ ସତ୍ୟବ୍ରତ ପ୍ରଧାନ

ସମ୍ବନ୍ଧିତ ଖବର