କରୋନା ପରୀକ୍ଷା ଓ ଭାଇରସ୍‌ ଲୋଡ୍‌

କରୋନା ପରୀକ୍ଷା ଓ ଭାଇରସ୍‌ ଲୋଡ୍‌
ନିକଟରେ ମହାରାଷ୍ଟ୍ର ସରକାର ଆର୍‌ଟି-ପିସିଆର୍‌ ପରୀକ୍ଷାରେ ସାଇକଲ୍ ଥ୍ରେସ୍‌ହୋଲ୍‌ଡ (ସିଟି) ‌ଭାଲ୍ୟୁ କଟ୍‌-ଅଫ୍ ୩୫ରୁ ୨୪କୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ମହାରାଷ୍ଟ୍ରରେ କରୋନା ପଜିଟିଭ୍‌ ମାମଲା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଉଥିବାରୁ ଉକ୍ତ ସଂଖ୍ୟାକୁ କମ୍ କରି ଦେଖାଇବା ପାଇଁ ମହାରାଷ୍ଟ୍ର ସରକାର ଏଭଳି ଅନୁରୋଧ କରିଥିଲେ। କିନ୍ତୁ ଭାରତୀୟ ଆୟୁର୍ବିଜ୍ଞାନ ଗବେଷଣା ପରିଷଦ (ଆଇସିଏମ୍‌ଆର୍‌) ମହାରାଷ୍ଟ୍ର ସରକାରଙ୍କ ଏହି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦେଇଛି। ଏହାର ଉତ୍ତରରେ ଆଇସିଏମ୍‌ଆର୍‌ କହିଛି ଯେ ସିଟି ଭାଲ୍ୟୁ କଟ୍‌-ଅଫ୍‌ ୨୪କୁ ହ୍ରାସ କରିବା ଆଦୌ ଉଚିତ ନୁହେଁ। ଏହାଦ୍ବାରା କମ୍ ସଂକ୍ରମିତ ବହୁ ରୋଗୀ ଚିହ୍ନଟ ହୋଇପାରିବେ ନାହିଁ। ଫଳରେ ସେମାନେ ଏକାନ୍ତବାସ ବା ସଂଗରୋଧରେ ରହିବେ ନାହିଁ ଓ ସେମାନଙ୍କ ଜରିଆରେ ସଂକ୍ରମଣ ଆହୁରି ଜୋର୍‌ରେ ବଢ଼ିବ। ସିଟି ‌ଭାଲ୍ୟୁ ଜରିଆରେ ଜଣେ ବ୍ୟକ୍ତି କୋଭିଡ୍ ପଜିଟିଭ୍ ନା ନୁହେଁ ତାହା ଚିହ୍ନଟ ହୁଏ। ତେଣୁ ସିଟି ଭାଲ୍ୟୁ କଟ୍‌-ଅଫ୍‌ ହ୍ରାସ କରି କୋଭିଡ୍ ପଜିଟିଭ୍ ସଂଖ୍ୟା ହ୍ରାସ କରିବା ଆଦୌ ଗ୍ରହଣଯୋଗ୍ୟ ନୁହେଁ।

ଆର୍‌ଟି-ପିସିଆର୍‌
କରୋନା ଭାଇରସ୍ ଏକ ଆର୍‌ଏନ୍‌ଏ ଭାଇରସ୍ ହୋଇଥିଲା ବେଳେ ମଣିଷ ଶରୀରରେ ଡିଏନ୍‌ଏ ରହିଛି। ଡିଏନ୍‌ଏ ଜନ୍ମଗତ ହୋଇଥିଲା‌ ବେଳେ ଏହା ଡବଲ୍‌ ହେଲିକ୍ସ ବା ଏଥିରେ ଦୋହରା ସୂତ୍ର ଥାଏ। ଆର୍‌ଏନ୍‌ଏ କିନ୍ତୁ ସିଙ୍ଗଲ୍‌ ହେଲିକ୍ସ ବା ଡିଏନ୍‌ଏର ଅଧା ଥାଏ। ଆର୍‌ଏନ୍‌ଏକୁ ଯାଞ୍ଚ କରିବାର ଜ୍ଞାନକୌଶଳ ଏଯାଏଁ ବିକଶିତ ହୋଇ ନାହିଁ। ଆମେ ବର୍ତ୍ତମାନ ଯାଏ ଡିଏନ୍‌ଏକୁ ଚିହ୍ନଟ ବା ଯାଞ୍ଚ କରିବାରେ ସକ୍ଷମ। ତେଣୁ କରୋନା ଭାଇରସ୍‌କୁ ଚିହ୍ନଟ କରିବା ପାଇଁ ପ୍ରଥମେ ଦୁଇଟି ଲେଖାଏଁ ଆର୍‌ଏନ୍‌ଏକୁ ଯୋଡ଼ି ଡିଏନ୍‌ଏ ତିଆରି କରା ଯାଇଥାଏ। ଯାହାକୁ ରିଭର୍ସ ଟ୍ରାନ୍‌ସମିସନ୍‌ ବା (ଆର୍‌ଟି) କହାଯାଏ। ସେହିପରି ପରୀକ୍ଷାଗାରରେ ଏହି ଡିଏନ୍‌ଏ ଗୁଡ଼ିକୁ ଯୋଡ଼ି ଶୃଂଖଳ ବା ଚେନ୍‌ ପ୍ରସ୍ତୁତ କରାଯାଏ ଯାହା ହେଉଛି ପଲିମରାଇଜ୍ ଚେନ୍‌ ରିଆକ୍‌ସନ (ପିସିଆର୍‌)। ଡିଏନ୍‌ଏର କଳେବର ବୃଦ୍ଧି ପାଇଲା ପରେ ସେଥିରୁ ସହଜରେ ଭୂତାଣୁ ଚିହ୍ନଟ କରାଯାଇ ପାରିଥାଏ। ଏହି ପରୀକ୍ଷା ଜରିଆରେ କରୋନା ଭାଇରସ୍‌କୁ ଚିହ୍ନଟ କରିବା ପ୍ରକ୍ରିୟା ହେଉଛି ଆର୍‌ଟି-ପିସିଆର୍‌।

ସିଟି ଭାଲ୍ୟୁ
ଆମେରିକାନ୍ ଆସୋସିଏସନ୍ ଅଫ୍ କ୍ଲିନିକାଲ୍‌ କେମିଷ୍ଟ୍ରି (ଏଏସିସି) ଅନୁଯାୟୀ, କରୋନା ଭୂତାଣୁକୁ ଚିହ୍ନଟ କରିବା ଭଳି ସ୍ତରକୁ ପହଞ୍ଚାଇବା ପାଇଁ ଯେତୋଟି ସାଇକଲ୍‌ର ଆବଶ୍ୟକତା ପଡ଼ିଥାଏ ତାହା ହେଉଛି ସାଇକଲ୍‌ ଥ୍ରେସ୍‌ହୋଲ୍‌ଡ (ସିଟି) ଭାଲ୍ୟୁ। ଆର୍‌ଟି-ପିସିଆର୍‌ ପରୀକ୍ଷାରେ ଗୋଟିଏ ନମୁନାର ୩୫ଟି ସାଇକଲ୍ ପର୍ଯ୍ୟନ୍ତ ଭୁତାଣୁକୁ ଚିହ୍ନଟ କରିବାର ପ୍ରକ୍ରିୟା ଜାରି ରହିଥାଏ। ଯଦି ୩୫ଟି ସାଇକଲ୍ ପର୍ଯ୍ୟନ୍ତ କୌଣସି ବ୍ୟକ୍ତିର ନମୁନାରେ ଭୂତାଣୁ ନ ମିଳିଲା ବା ଚିହ୍ନଟ ନହେଲା ତା‌’ହେଲେ ତାଙ୍କର ସିଟି ଭାଲ୍ୟୁ ୩୫ ବୋଲି କହାଯାଏ ଓ ତାଙ୍କୁ କରୋନା ନେଗେଟିଭ୍ ଘୋଷଣା କରାଯାଏ। କିନ୍ତୁ ସିଟି ଭାଲ୍ୟୁ ୩୫ରୁ ତଳକୁ ରହିଲେ ବା ୩୫ରୁ କମ୍ ସାଇକଲ୍‌ରେ ଯଦି ଜଣେ ବ୍ୟକ୍ତି ନିକଟରେ କରୋନା ଭୂତାଣୁ ଚିହ୍ନଟ ହୁଏ ତାହେଲେ ତାଙ୍କୁ କୋଭିଡ୍ ପଜିଟିଭ୍‌ ବୋଲି ଧରାଯାଏ। ଫ୍ଲୁରୋସେଣ୍ଟ ଡାଏ ସିଗ୍‌ନାଲ୍‌ ଜରିଆରେ ପ୍ରକୃତ ସମୟ ପିସିଆର୍‌ ଜରିଆରେ ଡିଏନ୍‌ଏ ପ୍ରସ୍ତୁତ କରାଯାଏ ଯାହା ସାହାଯ୍ୟରେ ସିଟି ଭାଲ୍ୟୁ ନିର୍ଧାରିତ କରାଯାଏ। ସବୁବେଳେ ମନେ ରଖନ୍ତୁ ଯେ କମ୍ ସିଟି ଭାଲ୍ୟୁ ଅର୍ଥାତ୍‌ ଅଧିକ ଭାଇରସ୍‌ ଲୋଡ୍‌। ଉଚ୍ଚ ସିଟି ଭାଲ୍ୟୁ ଅର୍ଥାତ୍ କମ୍ ଭାଇରସଲ୍ ଲୋଡ୍‌। ତେଣୁ ଯାହାର ସିଟି ଭାଲ୍ୟୁ ଯେତେ ଅଧିକ ସେ ସେତିକି କମ୍ ସଂକ୍ରମିତ ଓ ନିରାପଦ ବୋଲି ଧରାଯାଏ।

ସମ୍ବନ୍ଧିତ ଖବର