ମାତୃତ୍ୱର ଭିନ୍ନ ରୂପ : ସେବିକା ନୁହେଁ, କରୋନା ଆକ୍ରାନ୍ତଙ୍କ ମା’

ଭୁବନେଶ୍ବର : ‘‘ସକାଳ ହେବା କ୍ଷଣି ମା’ ଫୋନ୍‌ କରି ପଚାରୁଛି, ଖାଇଲୁଣି? ଦେହ ପା’ ଖରାପ ଲାଗୁନି ତ? ସେପଟେ ମୋ’ ଝିଅ ଭିଡିଓ କଲ୍‌ କରି ପଚାରୁଛି, ମାମା ତୁ କେବେ ଆସିବୁ? ତତେ କେତେଦିନ ହେଲା ଦେଖିନି। ଜମାରୁ ଭଲ ଲାଗୁନି। ଝିଅ ସିନା ମତେ ଅନେକ ଦିନ ହେଲା ଦେଖିନି ବୋଲି କାନ୍ଦୁଛି, ହେଲେ ମାତୃତ୍ବର କୋହକୁ ଚାପି ତା’ ଆଗରେ ନିଜକୁ ଦୃଢ଼ କରିବାକୁ ପଡ଼ୁଛି। ଝିଅକୁ ବୁଝାଇ କହୁଛି, ଆଉ ଦିନ କେଇଟା ପରେ ଫେରିଯିବି…। ହେଲେ ସତରେ କ’ଣ ଏ କରୋନ ଏବେ ଫେରିବାକୁ ଦେବ?’’ କେଉଁଠି ଜଣେ କରୋନା’ ଆକ୍ରାନ୍ତ ବାହାରିବା କଥା ଶୁଣିଲେ, ଅଞ୍ଚଳ ସାରା ଲୋକେ ଆତଙ୍କିତ ହୋଇ ଉଠୁଛନ୍ତି, ସେଠି ପ୍ରତିଦିନ ୩୦ ଜଣ କରୋନା ଆକ୍ରାନ୍ତଙ୍କ ସହ ସାମ୍ନାସାମ୍ନି ହେଉଥିବା ଅଶ୍ବିନୀ କୋଭିଡ୍‌ ହସ୍ପିଟାଲ୍‌ର ସ୍ବାସ୍ଥ୍ୟକର୍ମୀ (ଅପରେସନ) ତିଳୋତ୍ତମା ଶୁକ୍ଳା ବଖାଣିଛନ୍ତି ନିଜର ଏହି ଅନ୍ତରର ବ୍ୟଥା। ତଥାପି ସେ ବ୍ୟଥାରେ ଯେ ଆନନ୍ଦର ଉପଲବ୍ଧି ଅଛି, ତାହା ବି କହିବାକୁ ଭୁଲିନାହାନ୍ତି ତିଳୋତ୍ତମା।

ଏମିତି ଅନେକ ତିଳୋତ୍ତମା ଦୁନିଆ ଆଖିରେ ଆଗଧାଡ଼ିର ଯୋଦ୍ଧା। ସରକାରଙ୍କ ଏହି ଘୋଷଣାନାମା ହୁଏତ ସେମାନଙ୍କୁ କିଛିଟା ଆଶ୍ବସ୍ତ କରୁଥିବ। ହେଲେ ନିଜ ମା’କୁ ଛାଡ଼ି କିମ୍ବା ଛୁଆକୁ ଛାଡ଼ି ସବୁଦିନ କରୋନା ଭଳି ଅଜାତଶତ୍ରୁକୁ ସାମ୍ନା କରୁଥିବା ନାରୀର ବାସ୍ତବ ଜୀବନ ଯେ କେମିତି ବିତୁଥିବ ତାହା କେବଳ ସେ ହିଁ ବ୍ୟକ୍ତ କରିପାରିବେ। ଏ ସବୁ ସତ୍ତ୍ବେ ନିଜ ମାତୃତ୍ବକୁ ପଛରେ ପକାଇ ତିଳୋତ୍ତମା କୋଭିଡ୍‌ ହସ୍ପିଟାଲ୍‌ରେ ରହି କରୋନା ଆକ୍ରାନ୍ତଙ୍କ ଚିକିତ୍ସାରେ ଲାଗି ପଡ଼ିଛନ୍ତି। ଏଠି ଚିକିତ୍ସିତ ପ୍ରତ୍ୟେକ କରୋନା ଆକ୍ରାନ୍ତଙ୍କ ଭିତରେ ମୁଁ ବଞ୍ଚିବାର ବ୍ୟଗ୍ରତା ଲକ୍ଷ୍ୟ କରିଛି। ସେମାନଙ୍କ ପରିବାର ଯେ ତାଙ୍କୁ ସୁସ୍ଥ ହୋଇ ଫେରିଯିବାକୁ ଚାହିଁ ବସିଛି, ତାହା ବି ଆଖି ଆଗରେ ଜଳଜଳ ଦିଶିଯାଉଛି। ସେମାନେ ସୁସ୍ଥ ହୋଇ ଫେରୁଥିବା ବେଳେ ତାଙ୍କ ଆଖିରେ ଆନନ୍ଦର ଅଶ୍ରୁ ଦେଖିବା ବେଳେ ଯେଉଁ ଆତ୍ମୀୟ ଶାନ୍ତି ମିଳେ ତାହା ଭାଷାରେ ବ୍ୟକ୍ତ କରିହେବ ନାହିଁ ବୋଲି କହିଛନ୍ତି ତିଳୋତ୍ତମା। ବୋଧେ ଏହା ହିଁ ତ ମାତୃତ୍ବର ସାର୍ଥକତା।

ରବିବାର ମାତୃ ଦିବସ ପାଳନ ହେବାକୁ ଯାଉଥିବା ବେଳେ କରୋନା ସହ ‌ପ୍ରତିଦିନ ଭେଟାଭେଟି ହେଉଥିବା ସେଇଭଳି ମା’ ଓ ଝିଅମାନଙ୍କୁ ଖୋଜି ସାଉଁଟିଥିଲୁ ସେମାନଙ୍କ ମନର କଥା। ତିଳୋତ୍ତମା କୁହନ୍ତି, ମୋ ଝିଅ ଶୀତଲ ବେଳେବେଳେ କାନ୍ଦୁଛି। ମାତ୍ର ଇଚ୍ଛା ହେଲେ ବି ଘରକୁ ଯାଇପାରୁନାହିଁ। ଏଣେ ମିସନ ମୁଡ୍‌ରେ ରହି କାମ କରିବାକୁ ପଡ଼ୁଛି। ମୋ ସ୍ବାମୀ, ପରିବାର ସମସ୍ତଙ୍କର ସହଯୋଗ ରହିଛି। ଏତେଦିନର ଚାକିରି କାଳ ଭିତରେ ଏବେ ମୋ ପରିବାର ଲୋକେ କହୁଛନ୍ତି, ଆମେ ତମ ପାଇଁ ଗର୍ବିତ। ଏହା ମନରେ ଅଦମ୍ୟ ଉତ୍ସାହ ଓ ଶକ୍ତି ଭରିଦେଉଛି।

ଅଶ୍ବିନୀ କୋଭିଡ୍‌ ହସ୍ପିଟାଲ୍‌ରେ ବରିଷ୍ଠ ଷ୍ଟାଫ ନର୍ସ ଭାବେ କାର୍ଯ୍ୟରତ ଦୀପିକା ପ୍ରଧାନ କହିଛନ୍ତି, କରୋନାର ଭୟାବହତା ଜାଣିବା ପରେ ମୋ ମା’ ମତେ ହସ୍ପିଟାଲ୍‌ ଯିବାକୁ ମନା କରୁଥିଲେ। ମାତ୍ର ତାଙ୍କୁ ବହୁତ ବୁଝେଇବା ପରେ ସେ ରାଜି ହେଲେ। ରାଜି ସିନା ହେଇଗଲେ, ମା’ଙ୍କ ମନ ବୁଝୁନାହିଁ। ପ୍ରତିଦିନ ଭିଡିଓ କଲ୍‌ରେ କଥା ହେଲେ ‌ଯାଇ ଶାନ୍ତ ପଡ଼ୁଛନ୍ତି। ଦୁଃଖ ଏତିକି ଯେ, ମୋ’ ମା’ଙ୍କ ଦେହ ବି ଖରାପ। କିନ୍ତୁ ଏ ସମୟରେ ‌ମୁଁ ତାଙ୍କ ପାଖରେ ନାହିଁ। ଭାଇ ଛୋଟ ହେଇଥିବାରୁ ମତେ ହିଁ ମା’ଙ୍କୁ ମେଡିକାଲ ନେବାକୁ ପଡ଼େ। ହେଲେ ତାହା ସମ୍ଭବ ହେଉନାହିଁ। ଏଠି ଅନେକ ମା’ଙ୍କ ଯନ୍ତ୍ରଣା ଦେଖି ମୋ’ ମାଙ୍କ ଦେହ ଖରାପ କଥା ମନେ ପଡ଼ୁଛି, କିନ୍ତୁ ଉପାୟ ନାହିଁ। ଏଠାରେ ଚିକିତ୍ସିତ ହେଉଥିବା ଅନେକ ମା’ଙ୍କ ଯନ୍ତ୍ରଣା ଦେଖିବା ପରେ ସେମାନଙ୍କୁ କେମିତି ଶୀଘ୍ର ସୁସ୍ଥ କରାଯିବ ସେଇ ଚିନ୍ତା ଘାରୁଛି। ଦୀପିକା କୁହନ୍ତି, ମୋ ମା’ଙ୍କର ଦେହ ଖରାପ ଥିଲେ ହେଁ ସେ ପ୍ରତିଦିନ ମୋ ଦେହ ଭଲ ଅଛି ନା ନାଇଁ ପଚାରି ବୁଝୁଛନ୍ତି। ନିଜର ଯନ୍ତ୍ରଣା ଜଣାଇବାକୁ ସୁଯୋଗ ଦେଉନାହାନ୍ତି। ଏବେ ତାଙ୍କର ଏହି ମନୋବୃତ୍ତି ମୋ ଭିତରେ ଶକ୍ତି ଓ ସାହସ ଭରୁଛି।

ସେଇ ହସ୍ପିଟାଲ୍‌ରେ ନର୍ସିଂ ଦାୟିତ୍ବରେ ଥିବା ସୋନାଲି ଭୂୟାଁ ସିନା କରୋନା ଆକ୍ରାନ୍ତଙ୍କର ଚିକିତ୍ସା କରୁନାହାନ୍ତି, କିନ୍ତୁ ତାଙ୍କ ସ୍ବାମୀ କରୋନା ଆକ୍ରାନ୍ତଙ୍କ ସେବା କରୁଥିଲେ ମଧ୍ୟ କେବେ ଏ ନେଇ ପ୍ରତିବାଦ କରିନାହାନ୍ତି। ବରଂ ସବୁବେଳେ ଘରକୁ ଫେରି ନିଜ ଶାଶୂ ମା’ଙ୍କୁ ବୁଝାଉଛନ୍ତି। ଏହି ସ୍ବାସ୍ଥ୍ୟକର୍ମୀମାନେ ଯେ କରୋନା ଆସିଛି ବୋଲି ଏମିତି ଚିକିତ୍ସାରେ ବ୍ରତୀ ଅଛନ୍ତି ତାହା ନୁହେଁ। ବରଂ କରୋନା ଭୂତାଣୁ ଆସି ସେମାନଙ୍କ ସେବାର ଗୁରୁତ୍ବକୁ ଜନମାନସରେ ଉପଲବ୍ଧି କରାଇ ଦେଇଛି। ମାତୃଦିବସ ଆସିଲେ ସେଲିବ୍ରିଟି ଓ ସେମାନଙ୍କ ମାତୃତ୍ବର ଅବଦାନ ଆଡ଼କୁ ମନ ଆକର୍ଷିତ ହୁଏ। ମାତ୍ର ହସ୍ପିଟାଲ୍‌ରେ ଯେ ଏହି ଅଘୋଷିତ ସେଲିବ୍ରିଟିମାନେ ଅଜାଣତରେ ଅନେକଙ୍କୁ ପ୍ରେରଣା ଦେଇ ଚାଲିଛନ୍ତି ତା’ର ହିସାବ କାହା ପାଖେ ଅଛି?

ସମ୍ବନ୍ଧିତ ଖବର