ମହାମାରୀ କୋଭିଡ୍–୧୯ର ନିଦାନ ଖୋଜିବା ବେଳେ ଗବେଷକମାନେ ଏହି ରୋଗର କାରଣ ସାଜୁଥିବା ସାର୍ସ–ସିଓଭି୨ ନାମକ ଅଭିନବ କରୋନା ଭୂତାଣୁର ଶାରୀରିକ ଗଠନ ଜାଣିବା ଜରୁରୀ। ସେଥିରୁ ଏହା କିପରି ମନୁଷ୍ୟ ଶରୀରକୁ ସଂକ୍ରମିତ ହେଉଛି ତାହା ଜଣାପଡି଼ବା ସହ ତାହାର ପ୍ରତିକାର ମଧ୍ୟ ବାହାର କରିବା ସହଜ ହେବ। ଏକ ମିଲିମିଟରର ଏକ ଲକ୍ଷ ଭାଗରୁ ୮ ଭାଗ ପରିମିତ ଦୈର୍ଘ୍ୟ ବିଶିଷ୍ଟ ଏହି ଭୂତାଣୁର ବାହ୍ୟ ଭାଗ ଏକ ବହଳ ଗୋଲାରାର ଝିଲ୍ଲୀ ଦ୍ବାରା ପରିବେଷ୍ଟିତ, ଯାହା ଉପରେ ଅସଂଖ୍ୟ ପ୍ରୋଟିନରେ ତିଆରି କୀଳା ବା ଗୋଜ ଭଳି ଉପାଦାନ ମୁକୁଟରେ ଖଞ୍ଜାଯାଇଥିବା କାଠି ପରି ବାହାରକୁ ବାହାରିଥାଏ। ଅପରପକ୍ଷେ, ମନୁଷ୍ୟ ଜୀବକୋଷର ଉପରିଭାଗରେ ଏସିଇ–୨ ନାମକ ପ୍ରୋଟିନ୍ର କିଣ୍ବକ ବା ଏଞ୍ଜାଇମ୍ ରହିଥାଏ ଯାହା କି ପ୍ରାପକ ବା ରିସିପ୍ଟର ହିସାବରେ କରୋନା ଭୂତାଣୁକୁ ଆକ୍ରମଣ କରିବାରେ ସକ୍ଷମ କରିଥାଏ। କରୋନା ଭୂତାଣୁର ଏହି ପ୍ରୋଟିନ୍ କୀଳାଗୁଡି଼଼କ ଉକ୍ତ କିଣ୍ବନ ସହ ବାନ୍ଧି ହୋଇ ମନୁଷ୍ୟ ଜୀବକୋଷ ଭିତରକୁ ପଶି ଆର୍ଏନ୍ଏ ନାମକ ନିଜର ଜୈବିକ ଉପାଦାନକୁ ଛାଡି଼ଦେଇଥାଏ। ସେଠାରେ ମନୁଷ୍ୟ ଜୀବକୋଷର ଆଣବିକ ତନ୍ତ୍ର(ମଲିକ୍ୟୁଲାର ମେକାନିଜମ୍)କୁ ପାଥେୟ କରି ଏହି ଭୂତାଣୁ ନିଜକୁ ବହୁଗୁଣିତ କରିଚାଲୋ ବିଭିନ୍ନ ସ୍ତରରେ ସଂଘଟିତ ଏହି ଜଟିଳ ପ୍ରକ୍ରିୟାରେ ଭୂତାଣୁର ପ୍ରୋଟିନ୍ ଓ ମନୁଷ୍ୟ ପ୍ରୋଟିନ୍ ମଧ୍ୟରେ ଅନେକ ଅନ୍ତଃପ୍ରତିକ୍ରିୟା ହୋଇଥାଏ। ଏହାର ବିଶ୍ଳେଷଣ ହିଁ କୋଭିଡ୍–୧୯ର ପ୍ରତିକାର ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି। ଗୋଟିଏ ପ୍ରଜାତିର ବାଦୁଡି଼ଙ୍କ ଶରୀରରେ ଠାବ କରାଯାଇଥିବା କରୋନା ଭୂତାଣୁର ୯୬ ପ୍ରତିଶତ ଜୈବିକ ଉପାଦାନ ଏବଂ ବଜ୍ରକାପ୍ତା ଶରୀରରେ ମିଳୁଥିବା କରୋନା ଭୂତାଣୁର ୮୮ରୁ ୯୨ ପ୍ରତିଶତ ଜୈବିକ ଉପାଦାନ ସହ ସାମଞ୍ଜସ୍ୟ ଥିବା ଏହି ନୂତନ ସାର୍ସ–ସିଓଭି୨ ଭୂତାଣୁର ସମ୍ପୂର୍ଣ୍ଣ ଶାରୀରିକ ଗଠନ ପ୍ରଣାଳୀ ଜାଣିବା ଦ୍ବାରା ହିଁ ଏହାର ସଂକ୍ରମଣ ରୋକିବା ଦିଗରେ ଭେଷଜ ବିଜ୍ଞାନୀମାନେ ଆବଶ୍ୟକ ଉପଶମ ନିର୍ଦ୍ଧାରଣ କରିପାରିବେ।
କରୋନା ଭୂତାଣୁର ଗଠନ ଓ ସଂକ୍ରମଣ
/sambad/media/post_attachments/wp-content/uploads/2020/04/corona-8-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)