କରୋନାଭାଇରସ୍‌ ଭୟ: ସେଲୁନ୍‌ କର୍ମଚାରୀ ୪ଫୁଟ ଦୂରରେ ରହିଛି ଗ୍ରାହକଙ୍କ କାଟୁଛନ୍ତି କେଶ ଓ ଦାଢ଼ି

ବେଜିଂ: ମାରାତ୍ମକ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବା ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ତେଣୁ ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ସେଲୁନ୍‌ କର୍ମଚାରୀ ତାଙ୍କ ଗ୍ରାହକଙ୍କ ଠାରୁ ୪ ଫୁଟ ଦୂରରୁ ରହି କେଶ କାଟୁଥିବାର ଏକ ଭିଡିଓ ଓ ଫଟୋ ଏବେ ସୋସିଆଲ୍‌ ମିଡିଆରେ ଘୁରି ବୁଲୁଛି।

ଚାଇନାର ହେନାନରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। କରୋନାଭାଇରସ୍‌ ସଂକ୍ରମଣ ଭୟରେ ଏଠାରେ ସେଲୁନ୍‌କୁ କେଶ ଓ ଦାଢ଼ି କାଟିବାକୁ ଆସୁଥିବା ଲୋକଙ୍କୁ ସେଲୁନ୍‌ କର୍ମଚାରୀ ସ୍ପର୍ଶ କରୁ ନାହାନ୍ତି। ୪ଫୁଟ ଦୂରରେ ରହି ଏକ ଲମ୍ବା କଇଁଚି ଓ ଟୁଲ୍ସ ସାହାଯ୍ୟ ଲୋକଙ୍କ ଦାଢ଼ି ଓ କେଶ କାଟୁଛନ୍ତି।

ଉହାନ ପ୍ରଦେଶ କରୋନା ସଂକ୍ରମଣ ଯୋଗୁଁ ଅଧିକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଏଠାରେ ଲୋକଙ୍କୁ ବାହାରକୁ ନଯିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ତେବେ କରୋନା ସଂକ୍ରମଣ ଭୟରେ ଅନ୍ୟ ପ୍ରଦେଶରେ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି। ଚୀନରେ ଏହି ମାରାତ୍ମକ କରୋନାଭାଇରସ୍‌ ହେତୁ ଆହୁରି ୩୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୩୦୦୦କୁ ଛୁଇଁଛି।

ଚୀନର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ଗତ ବୁଧବାର କହିଥିଲେ କି, କରୋନାଭାଇରସ୍‌ ପ୍ରଭାବିତ ହୋଇଥିବା ୧୩୯ଟି ନୂଆ ଘଟଣା ସାମ୍ନାକୁ ଆସିଛି। ଏଥିରେ ଆହୁରି ୩୧ଜଣଙ୍କ ଜୀବନ ଚାଲିଯାଇଛି। ଏମାନେ ସମସ୍ତେ ଅଧିକ ପ୍ରଭାବିତ ହୋଇଥିବା ହୁବେଇ ଓ ତାହାର ରାଜଧାନୀ ଉହାନ୍‌ରେ ବସବାସ କରୁଥିଲେ। ଏବେ ୫୨୨ଜଣ ଏହି ଘାତକ ସଂକ୍ରମଣର ଶିକାର ଥିବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର