କରୋନା ସତର୍କତା : କାହା ପାଇଁ କେମିତି, ନିର୍ଦ୍ଦେଶାବଳୀ ଜାରି କଲେ ସରକାର

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଶେଷଜ୍ଞ କମିଟି ଗଠନ କରିଛନ୍ତି। କୃଷି ଉତ୍ପାଦନ କମିସନର ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୬ ଜଣିଆ କମିଟିରେ ଜନସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡା. ଅଜିତ୍‌ ମହାନ୍ତି, ଆଇଏଏସ୍‌ ଆଶିଷ ପାଟିଲ, ବିଶ୍ବସ୍ବାସ୍ଥ୍ୟ ସଂଗଠନର ଡା.ନିହାର ରଞ୍ଜନ ରାୟ, ୟୁନିସେଫର ଗଣଯୋଗାଯୋଗ ଅଧିକାରୀ ଲୋପା ତ୍ରିପାଠୀ ଓ ଏସ୍‌ଆଇଏଚ୍‌ ଏଫ୍‌ଡବ୍ଲ୍ୟୁର ଡା. ପି.କେ ପାଢ଼ୀ ସଦସ୍ୟ ଅଛନ୍ତି। ସାମାଜିକ ଦୂରତ୍ବ ରକ୍ଷା ପାଇଁ ଏହି କମିଟି ଗଠନ ହୋଇଛି। କମିଟି ତତ୍କାଳ ତାଙ୍କର ନିର୍ଦେଶାବଳୀ ଜାରି କରିଛନ୍ତି। ସମସ୍ତ ଜିଲ୍ଲାପାଳଙ୍କୁ ଏହି ନିର୍ଦେଶାବଳୀ ଆଜି ପଠାଇ ଦିଆଯାଇଛି। ସମସ୍ତେ ଏହାକୁ ମାନିବାକୁ ମଧ୍ୟ ସରକାର ସ୍ପଷ୍ଟ କରିଦେଇଛନ୍ତି। କୌଣସି ପରିସ୍ଥିତିରେ ଏଥିରେ ଯେମିତି ସାମାନ୍ୟତମ ଉଲ୍ଲଂଘନ ହେବ ନାହିଁ, ସେ ନେଇ ଜିଲ୍ଲାପାଳମାନଙ୍କୁ ସରକାର ଉତ୍ତରଦାୟୀ କରିଛନ୍ତି।

କରୋନା ସନ୍ଦିଗ୍ଧ କିଏ?
ଯଦି ଜଣେ ବ୍ୟକ୍ତି ବିଗତ ଦିନରେ ବିଦେଶ କିମ୍ବା ବାହାର ଅଞ୍ଚଳରୁ ଫେରିବା ପରେ ଜ୍ବର ସହିତ କାଶ ଓ ନିଶ୍ବାଃସ ପ୍ରଶ୍ବାସ ନେବାରେ ଅସୁବିଧା ଅନୁଭୁତ କରୁଥିଲେ, ତାଙ୍କୁ ସନ୍ଦିଗ୍ଧ ବୋଲି କୁହାଯାଇପାରିବ।
ସନ୍ଦିଗ୍ଧ ବ୍ୟକ୍ତି ଜଣକ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ନିଜର ସ୍ବାବ୍‌ ଓ ରକ୍ତ ନମୁନା ପରୀକ୍ଷା କରାଇବେ।
ପରୀକ୍ଷାରେ ପଜିଟିଭ୍‌ ଲକ୍ଷଣ ବାହାରିଲେ କରୋନା ଆକ୍ରାନ୍ତ ବୋଲି ସୁନିଶ୍ଚିତ କରାଯିବ।

କଣ କରିବେ
ପରସ୍ପର ଅଭିନନ୍ଦନ ବେଳେ ଅନ୍ୟୂନ ୧ ମିଟର ଦୂରତା ରକ୍ଷା କରିବେ।
ବାରମ୍ବାର ସାବୁନରେ ହାତ ଧୋଇବେ।
ଅନ୍ୟୂନ ୩ ଫୁଟ ଦୂରରେ ଅନ୍ୟଠାରୁ ନିଜ ଗୋଡ଼ ରଖିବେ।
କାଶ କିମ୍ବା ଛିଙ୍କ ଆସିଲେ ନିଜ କହୁଣୀରେ ମୁହଁକୁ ଘୋଡ଼ାଇ ରଖିବେ।
ଜ୍ବର ଓ କାଶ ହେଲେ ହେଲ୍‌ପ୍‌ ଲାଇନ ନମ୍ବର ୧୦୪ ସହ ତୁରନ୍ତ ଯୋଗାଯୋଗ କରିବେ।
ନିଜ ଘରର ଚଟାଣକୁ ସଫା ସୁତରା ରଖିବାକୁ ହେବ।
ଅସୁସ୍ଥତା ଅନୁଭବ କଲେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟ ହେଲ୍‌ପ୍‌ ଲାଇନ୍‌ ନମ୍ବରର ସାହାଯ୍ୟ ନେବେ।
ଅସୁସ୍ଥ ବ୍ୟକ୍ତି ନିଜକୁ ଗୃହରେ ସଙ୍ଗରୋଧ କରି ରଖିବା ଉଚିତ୍‌।
ବିଦେଶରୁ ଫେରିଥିଲେ ହେଲ୍‌ପ୍‌ ଲାଇନ୍‌ ନମ୍ବରରେ ସୂଚନା ପ୍ରଦାନ କରିବେ।
ଦୁରାରୋଗ୍ୟରେ ପୀଡ଼ିତ ବୟୋଜ୍ୟଷ୍ଠଙ୍କର ପର୍ଯ୍ୟାପ୍ତ ଯତ୍ନ ନିଆଯିବା ଦରକାର।
ବାହାଘର, ବ୍ରତ ଘର ଭୋଜିଭାତରେ ଅତିଥିଙ୍କ ସଂଖ୍ୟା ୫୦ ଭିତରେ ରଖିବା ଉପରେ ଗୁରୁତ୍ବ।
କାର୍ଯ୍ୟସ୍ଥଳରେ ଯଥାସମ୍ଭବ ଭିଡିଓ କନଫରେନ୍‌ସିଂ ଜରିଆରେ କର୍ମଚାରୀଙ୍କ ସହ ଆଲୋଚନା କରିବାକୁ ହେବ।
ଘରୋଇ କ୍ଷେତ୍ରରେ କାମ କରୁଥିବା କର୍ମଚାରୀମାନେ ନିଜ ଘରେ ରହି ଦାୟିତ୍ବ ସମ୍ପାଦନ କରିବା ପାଇଁ ପରାମର୍ଶ।
କରୋନା ସମ୍ପର୍କିତ ସଚେତନ ଫଳକ କାର୍ଯ୍ୟାଳୟରେ ଟାଙ୍ଗିବାକୁ ହେବ।
କୌଣସି ଫ୍ଲୁ ଲକ୍ଷଣ ଦେଖାଦେଉଥିବା ବ୍ୟକ୍ତିଙ୍କୁ ଅଫିସକୁ ଆସିବାକୁ ବାରଣ କରାଯିବା ଉଚିତ୍।
ସଂପୃକ୍ତ କର୍ମଚାରୀ ସୁସ୍ଥ ନ ହେବା ପର୍ଯ୍ୟନ୍ତ ତାଙ୍କୁ ଛୁଟି ପ୍ରଦାନ କରିବାକୁ ହେବ।
ଅଫିସରେ କର୍ମଚାରୀଙ୍କ ମଧ୍ୟରେ ଦୂରତା ବୃଦ୍ଧି ପାଇଁ ବସିବା ବ୍ୟବସ୍ଥାରେ ପରିବର୍ତ୍ତନ କରିବା ବାଞ୍ଝନୀୟ।

କଣ କରିବେ ନାହିଁ
କାହା ସହିତ ହାତ ମିଳାଇବେ ନାହିଁ କିମ୍ବା ଚଟାଣରେ ହାତ ଲଗାଇବେ ନାହିଁ।
ନିଜ ମୁହଁକୁ ମଧ୍ୟ ଛୁଇଁବା ଉଚିତ ନୁହେଁ।
ଆବଶ୍ୟକତା ନ ଥିଲେ ବାହାରକୁ ଯାଆନ୍ତୁ ନାହିଁ, ବରଂ ନିଜ ଘରେ ରୁହନ୍ତୁ।
ସର୍ବସାଧାରଣ ପରିବହନ ଯାନ (ବସ୍‌ ଓ ଟ୍ରେନ୍‌)ରେ ଯାଆସ କରନ୍ତୁ ନାହିଁ।
ପାରିବାରିକ ମେଳା ଓ ଉତ୍ସବ ଆୟୋଜନ କରନ୍ତୁ ନାହିଁ।
କୌଣସି ମିଥ୍ୟା ଗୁଜବ ପ୍ରଚାର କରନ୍ତୁ ନାହିଁ।
କୌଣସି ବି ପରିସ୍ଥିତିରେ ଆବଶ୍ୟକତା ନଥିଲେ ଡାକ୍ତରଖାନା ଯାଆନ୍ତୁ ନାହିଁ।
ନିଜ ଅସୁସ୍ଥ ସମ୍ପର୍କରେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ କୌଣସି ବି ତଥ୍ୟ ଲୁଚାନ୍ତୁ ନାହିଁ।
ଅସୁସ୍ଥ ବ୍ୟକ୍ତିଙ୍କ ପୋଷାକ ଛୁଅନ୍ତୁ ନାହିଁ, ଧାର୍ମିକ ସ୍ଥଳ ପରିଦର୍ଶନରେ ଯାଆନ୍ତୁ ନାହିଁ।
କୌଣସି ପାର୍କ, ଜିମ୍‌, ସିନେମା ହଲ୍‌ ଓ ସାମାଜିକ ଅନୁଷ୍ଠାନକୁ ଯିବା ମନା।
୫୦ରୁ ଅଧିକ ଲୋକଙ୍କୁ ଏକାଠି ସମାଗମ ହେବାକୁ ଦିଆଯିବନି।
ମନ୍ଦିର, ମସଜିଦ୍‌, ଚର୍ଚ୍ଚ ଓ ଗୁରୁଦ୍ବାରଗୁଡ଼ିକରେ ଲୋକଙ୍କୁ ଏକାଠି ହେବାକୁ ଦିଆଯିବନି।
ସ୍ଥାନୀୟ ସ୍ତରରେ ହେବାକୁ ଖେଳ ଓ କ୍ରୀଡ଼ା ପ୍ରତିଯୋଗିତାକୁ ସ୍ଥଗିତ ରଖାଯିବ।
କାର୍ଯ୍ୟସ୍ଥଳୀରେ ଥଣ୍ଡା, ଜ୍ବର ଓ କାଶ ହେଉଥିବା ସହକର୍ମୀଙ୍କଠାରୁ ଦୂରରେ ରୁହନ୍ତୁ।
କର୍ମଚାରୀ ଓ ଅଧିକାରୀଙ୍କ ସହ ମୁହାଁମୁହିଁ ଆଲୋଚନା କରନ୍ତୁ ନାହିଁ।

ସମ୍ବନ୍ଧିତ ଖବର