କାହାଣୀର ନାଁ କରୋନା

ଏକବିଂଶ ଶତାବ୍ଦୀର ସବୁଠୁ ବଡ଼ ବିପଦ ସାଜିଛି କରୋନା ମହାମାରୀ। ଯାହା ଲୋକ କେବେ ଶୁଣିନଥିଲେ, ଯେଉଁ ଦୃଶ୍ୟ କେବେ ଦେଖିନଥିଲେ, ଏପରିକି ଯାହା କେବେ ସ୍ବପ୍ନର ଦୁନିଆଁରେ ଦେଖିନଥିଲେ ତାହା ସବୁ ଦେଖିଲେ। ରାସ୍ତାଘାଟ ଶୁନଶାନ୍‌ ହୋଇଗଲା। ରାତି କ’ଣ ଦିନରେ ବି ଚତୁର୍ଦ୍ଦିଗ ଖାଲି ଖାଁ ଖାଁ ଲାଗିଲା। ଲାଗୁଥିଲା ଆଉ ଅଳ୍ପ ଦିନରେ କରୋନା ପ୍ରକୋପ କମିଯିବ। କିନ୍ତୁ ଏହା କ୍ୟାନସର୍‌ ଭଳି ଦିନକୁ ଦିନ ମାଡ଼ି ମାଡ଼ି ଚାଲିଲା। ଦିନ ସରି ଯାଉଥିଲା, ହେଲେ କରୋନା କମୁନଥିଲା। ରାତି ପାହିଲା ବେଳକୁ କାହାକୁ କରୋନା ହୋଇଗଲାଣି ଖବର ଆସୁଥିଲା। ସମସ୍ତଙ୍କ ଚିହ୍ନା ପରିଚିତରେ କେହି ନା କେହି କରୋନାରେ ମରିଚାଲି‌ଛନ୍ତି। ଏପରିକି ଗୋଟିଏ ଗୋଟିଏ ପରିବାର କୂଳଶୂନ୍ୟ ହୋଇଯାଇଛି। ରାଜ୍ୟରେ କରୋନା ପ୍ରକୋପ ଏବେ କିଛି ମାତ୍ରାରେ କମିଛି। କଟକଣା ଭିତରେ ସବୁ ସ୍ବାଭାବିକ ହେବାରେ ଲାଗିଛି। କିନ୍ତୁ କରୋନା ଯେଉଁ କ୍ଷତ ସୃଷ୍ଟି କରିଛି ତାହା କେବେ ଭରଣା ହେବ ସେ ଉତ୍ତର କାହା ପାଖରେ ନାହିଁ। କରୋନାର କାହାଣୀ ମଣିଷ ଠାରୁ ଆରମ୍ଭ କରି ଜୀବଜନ୍ତୁଙ୍କ ପର୍ଯ୍ୟନ୍ତ ଜୀବନକୁ ଏମିତି କ୍ଷତବିକ୍ଷତ କରିଦେଇଛି ଯେ, ଯିଏ ଅନୁଭବ କରିଛି ସେ ଜାଣିଛି। ଭବିଷ୍ୟତରେ ଯଦି କେହି ଇତିହାସର ପୃଷ୍ଠାରେ ଓଲଟାଇବ ଏବଂ କରୋନାର କାହାଣୀ ପଢ଼ିବ ସେ ବିଶ୍ବାସ କରିପାରିବନି ଯେ, କରୋନା ଭଳିଆ ଏକ ମହାମାରୀ ହୋଇଥିଲା। ଏବେ ଆନାକୋଣ୍ଡା ଓ ଡାଏନାସୋର୍‌ର ଫିଲ୍ମ ଦେଖିଲେ ଯେମିତି ଆମେ ଅନୁଭବ କରୁଛେ ବୋଧହୁଏ ଆଗାମୀ ପିଢ଼ି ସେମିତି ଅନୁଭବ କରିବେ।

ମାର୍ଚ୍ଚ ୧୬ରୁ କରୋନା ଆଁରେ ଓଡ଼ିଶା
ରାଜ୍ୟର ପ୍ରଥମ କରୋନା ଆକ୍ରାନ୍ତ ଭୁବନେଶ୍ବରରେ ଚିହ୍ନଟ ହେଲେ। ଇଟାଲି ଫେରନ୍ତା ଭୁବନେଶ୍ବରର ବଡଗଡ଼ର ଜଣେ ଯୁବକ ମାର୍ଚ୍ଚ ୧୫ରେ କରୋନା ଆକ୍ରାନ୍ତ ଚିହ୍ନଟ ହେଲେ। କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହୋଇ ସୁସ୍ଥ ହେଲେ। ସରକାରୀ ହିସାବରେ ମାର୍ଚ୍ଚ ୧୬ରୁ ଓଡ଼ିଶାରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରେ ପ୍ରାୟ ୮ମାସ ମଧ୍ୟରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୯୭, ୨୩୪ରେ ପହଞ୍ଚିଛି। ଆଜିକା ଦିନରେ ୧୩୭୭୦ଜଣ କରୋନା ଆକ୍ରାନ୍ତ ସକ୍ରିୟ ଥିବାବେଳେ ୧୩୭୮ଜଣଙ୍କର କରୋନାରେ ମୃତ୍ୟୁ ହୋଇସାରିଲାଣି। ମାର୍ଚ୍ଚ ୧୬ରେ ଖୋର୍ଦ୍ଧା ଜିଲ୍ଲାରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମାର୍ଚ୍ଚ ୨୬ରେ ଭଦ୍ରକରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ୪ଜଣ ଆକ୍ରାନ୍ତ ଥିବାବେଳେ ଏପ୍ରିଲ ୧ରେ କଟକ, ପୁରୀ , ଯାଜପୁର ଜିଲ୍ଲାକୁ କରୋନା ଗ୍ରାସିଥିଲା। ଗୋଟିଏ ଦିନରେ ଏହି ତିନିଟି ଜିଲ୍ଲାରେ ଜଣେ ଲେଖାଏ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏପ୍ରିଲ ୩ରେ କଳାହାଣ୍ଡିରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏପ୍ରିଲ ୫ତାରିଖ ବେଳକୁ ଖୋର୍ଦ୍ଧା ଜିଲ୍ଲାରେ ବିଶେଷକରି ଭୁବନେଶ୍ବରରେ କରୋନା ବ୍ୟାପିବାରେ ଲାଗିଥିଲା। ଏହି ସମୟରେ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ ଛୁଇଁଥିବାବେ‌େଳ କେବଳ ଖୋର୍ଦ୍ଧା ଜିଲ୍ଲାରୁ ୩୨ଜଣ ଥିଲେ। ଏହାପରେ ସବୁ ଜିଲ୍ଲାକୁ କରୋନା ଗ୍ରାସିବାରେ ଲାଗିଥିଲା। ଦିନ ଯେତିକି ବଢ଼ିଲା ଆକ୍ରାନ୍ତଙ୍କ ସଂଖ୍ୟା ସେହି ଅନୁସାରେ ବଢ଼ିଚାଲିଲା।

ମଶାଣି ନିଆଁ ଲିଭିଲାନି
କରୋନା କେତେ ଭୟଙ୍କର, ଏହା କାହାକୁ କିପରି ମୃତ୍ୟୁ ଦେଇପାରେ, ମୃତ୍ୟୁ ପରର ସ୍ଥିତି କିପରି ହେଉଛି ତାହା ଯଦି କେହି ଜାଣିବାର ଥିବ ତେବେ ସେ ଥରେ ସତ୍ୟନଗର ଶ୍ମଶାନ ଯାଇ ବୁଲି ଆସିଲେ ଜାଣିପାରିବ। ଏହା ଏମିତି ଏକ ଶ୍ମଶାନ ଯେଉଁଠି ରାଜ୍ୟର ସବୁଠୁ ଅଧିକ କରୋନା ଆକ୍ରାନ୍ତଙ୍କର ଶବଦାହ ହୋଇଛି। ମାସ ମାସ ଧରି ମଶାଣିରୁ ନିଆଁ ଲିଭିନି। ସାଢେ ୩ମାସରେ ଅଢେଇ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କର ଏଠାରେ ଶବଦାହ ହେଲାଣି। କରୋନାର ମଶାଣି ତ ସତ୍ୟନଗର ପାଲଟି ଯାଇଥିଲା।

ବିଏମ୍‌ସିରୁ ମିଳିଥିବା ସୂଚନା ଅନୁଯାୟୀ, ଏପ୍ରିଲ ମାସରେ ଦିନକୁ ଦୁଇ ତିନିଟି କରୋନା ଆକ୍ରାନ୍ତଙ୍କ ଶବଦାହ ହେଉଥିଲା। କିନ୍ତୁ ଜୁନ୍‌, ଜୁଲାଇରୁ ଯେମିତି କରୋନା ପ୍ରକୋପ ବଢ଼ିଲା, ସତ୍ୟନଗର ଶ୍ମଶାନରେ ଭିଡ଼ ସେମିତି ବଢ଼ିଲା। ଅଗ‌ଷ୍ଟ, ସେପ୍ଟେମ୍ବର, ଅକ୍ଟୋବର ମାସରେ ତ ସ୍ଥିତି ଅଣାୟତ୍ତ ହେଲା। ଦିନକୁ ପ୍ରାୟ ୨୦ରୁ ୩୦ଜଣଙ୍କର ଶବଦାହ ହେଲା। ଏପରିକି ଗୋଟିଏ ଗୋଟିଏ ଦିନରେ ୪୦ରୁ ଅଧିକ ଲୋକଙ୍କର ଜୁଇ ଜଳିଲା। କିନ୍ତୁ ଏବେ ଏହା ୧୦/୧୨କୁ ଖସି ଆସିଛି। ପ୍ରକୃତରେ କରୋନା କେତେ ଭୟଙ୍କର ତାହା ଯିଏ ସତ୍ୟନଗର ଶ୍ମଶାନ ଯାଇଛି ସେ ଜାଣିଛି।

ସଙ୍ଗରୋଧ ରହିଲେ, ‌ନେଲେ ୧୩୫ କୋଟି
ଦେଶବ୍ୟାପୀ ଲକ୍‌ଡାଉନ୍‌ ପରେ ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ଘରକୁ ଫେରିଥିଲେ। ସେମାନେ ଟ୍ରେନ୍, ବସି ଓ ଗାଡ଼ି ଜରିଆରେ ଓଡ଼ିଶାକୁ ଆସିଥିଲେ। ତେବେ ସେମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ଭୟ ରହିଥିବାରୁ ରାଜ୍ୟ ସରକାର ସେମାନଙ୍କୁ ସରକାରଙ୍କ ଦ୍ବାରା ପ୍ରସ୍ତୁତ ଅସ୍ଥାୟୀ ମେଡିକାଲ କ୍ୟାମ୍ପ୍ ବା ଟିଏମ୍‌ସିରେ ସଙ୍ଗରୋଧ ବ୍ୟବସ୍ଥା କରାଯାଇଥିଲା। ତେବେ ଲୋକମାନଙ୍କୁ ସଙ୍ଗରୋଧରେ ରହିବା ‌ଲାଗି ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ସରକାର ୨ହଜାର ଟଙ୍କା ପ୍ରୋତ୍ସାହନ ରାଶି ଘୋଷଣା କରିଥିଲେ। ସଙ୍ଗରୋଧର ସମୟ ୧୪ ଦିନ ରହିଥିବା ବେଳେ ପରବର୍ତୀ ସମୟରେ ଏହାକୁ ୨୮ଦିନ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା। ହେଲେ ପୁଣିଥରେ ସରକାର ଏହାକୁ ୧୪ଦିନକୁ ଖସାଇ ଦିଆଯାଇଥିଲା। ତେବେ ଅକ୍ଟେବାର ୫ ସୁଦ୍ଧା ୧୩୫ କୋଟି ୫ଲକ୍ଷ ୩୬ହଜାର ଟଙ୍କା ଦିଆଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଯଦି ଏହି ସଂଖ୍ୟାକୁ ହିସାବକୁ ନିଆଯାଏ ତାହାଲେ ରାଜ୍ୟକୁ ୬ଲକ୍ଷ ୭୫ହଜାର ୨୬୮ଜଣ ପ୍ରବାସୀ ଫେରିଛନ୍ତି। ତେବେ ପ୍ରବାସୀମାନେ ଫେରିବା ପୂର୍ବରୁ ବିଦେଶରୁ ଫେରୁଥିବା ଲୋକମାନଙ୍କୁ ସଙ୍ଗରୋଧରେ ରହିବା ଲାଗି ‌୧୫ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଏ ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ବାବଦ ଅର୍ଥ ମିଳି ନାହିଁ।

ପ୍ରସ୍ତୁତି: ବିଶ୍ବଜିତ ଦାଶ, କ୍ଷିତୀଶ ରାୟ

ସମ୍ବନ୍ଧିତ ଖବର