ବସ୍‌ ଷ୍ଟାଣ୍ଡ, ଷ୍ଟେସନ, ସର୍ବସାଧାରଣ ସ୍ଥାନରେ ସ୍ବଚ୍ଛତାକୁ ଗୁରୁତ୍ବ
ଘରୋଇ ବସ୍ ମାଲିକ ସଂଘ ସହ ଖୁବ୍ ଶୀଘ୍ର ବୈଠକ
ଚାଞ୍ଚଲ୍ୟ, ରହସ୍ୟ, ଗୁଜବଠାରୁ ଦୂରରେ ରହିବାକୁ ପରାମର୍ଶ
ଟୋଲଫ୍ରି ନଂ-୧୦୪କୁ ‌େଫାନ୍‌ କରି ଦେଇପାରିବେ ସୂଚନା

Advertisment

ଭୁବନେଶ୍ବର : ସପ୍ତାହ କି ଦୁଇ ସପ୍ତାହ ନୁହେଁ, ମାସେ କି ଦୁଇ ମାସ ନୁହେଁ। ପୂରା ୬ ମାସର ପ୍ରସ୍ତୁତି କରାଯାଇଛି। ସମଗ୍ର ବିଶ୍ବରେ ଆତଙ୍କ ଖେଳାଇଥିବା କରୋନା ଭାଇରସକୁ ମିଳିମିଶି ମୁକାବିଲା କରିବାକୁ ପଡ଼ିବ। ଜାତି, ଧର୍ମ, ବର୍ଣ୍ଣ, ରାଜନୀତି ଠାରୁ ଉର୍ଦ୍ଧ୍ବରେ ରହି ସବୁ ବର୍ଗର ଲୋକଙ୍କୁ ମିଳିମିଶି ମୁକାବିଲା କରିବାକୁ ପଡ଼ିବ ବୋଲି ରାଜ୍ୟ ସରକାର ଆହ୍ବାନ ଦେଇଥିବା ମୁଖ୍ୟ ପ୍ରବକ୍ତା ସୁବ୍ରତ ବାଗଚୀ ଆଜି ଗୀତଗୋବିନ୍ଦ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଯେଉଁ ବିପର୍ଯ୍ୟୟ ଦେଖାଦେଇଛି ତାହା କେବଳ ସରକାର ଏକୁଟିଆ ଲଢିବେ ବୋଲି ଛାଡିଦେଲେ ହେବ ନାହିଁ। ବରଂ ପ୍ରତି ବ୍ୟକ୍ତି ସଚେତନ ହେବା ଦରକାର। ନିଜ ଘରୁ ହିଁ ପ୍ରଥମେ ସଚେତନତା ଆରମ୍ଭ କରିବାକୁ ପଡ଼ିବ। ସବୁ ଜିଲ୍ଲା ସ୍ତରରେ ପ୍ରସ୍ତୁତ ରହିବା ପାଇଁ ଜିଲ୍ଲାପାଳ, ଏସପି, ବିଡିଓ, ବିଇଓ, ଜନସମ୍ପର୍କ ଅଧିକାରୀଙ୍କ ସହ ମୁଖ୍ୟ ଶାସନ ସଚିବ ଭିଡ଼ିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି। ବିପର୍ଯ୍ୟୟ ଆଇନ ଓ ମହାମାରି ଆଇନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଯଥେଷ୍ଟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ଖିଲାପ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଉଚ୍ଚସ୍ତରୀୟ ମେଡ଼ିକାଲ କମିଟି ଗଠନ କରା ଯାଇଥିବା ବେଳେ କେନ୍ଦ୍ର ସରକାରଙ୍କ ସହ ନିୟମିତ ଯୋଗାଯୋଗ କରାଯାଇଛି। ବସଷ୍ଟାଣ୍ଡ, ରେଳ ଷ୍ଟେସନ, ହସ୍ପିଟାଲ୍ ଭଳି ସର୍ବସାଧାରଣ ସ୍ଥାନକୁ ସ୍ବଚ୍ଛ ରଖିବା ପାଇଁ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ମୋ ବସରେ ସ୍ବଚ୍ଛତା ପ୍ରକ୍ରିୟ ଆରମ୍ଭ ହୋଇଥିବା ବେଳେ ଖୁବଶୀଘ୍ର ଘରୋଇ ବସ ମାଲିକ ସଂଘ ସହ ବୈଠକ ବସିବ ବୋଲି ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି। ମୁକାବିଲା ଲାଗି କେବଳ ସତର୍କ ରହିବାକୁ ପଡ଼ିବ ଛାନିଆ ହେବାର କୌଣସି ଆବଶ୍ୟକତା ନାହିଁ। ସେହିପରି ଯଦି କେହି ଥଣ୍ଡା, କାଶ ଓ ଜ୍ବରରେ ଆକ୍ରାନ୍ତ ହୁଅନ୍ତି ତାହାଲେ ନ ଲୁଚାଇ ତୁରନ୍ତ ଏ ବିଷୟରେ ଟୋଲ୍ ଫ୍ରି ନମ୍ବର ୧୦୪କୁ କଲ୍‌ କରି ସୂଚନା ଦେଇପାରିବେ କିମ୍ବା ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ର ସହ ଯୋଗାଯୋଗ କରିପାରିବେ। ବିଶେଷ କରି ଯେଉଁମାନେ ରାଜ୍ୟ ବାହାରୁ କିମ୍ବା ବିଦେଶରୁ ଫେରିଥିବେ ଓ ସେମାନଙ୍କଠାରେ ଏଭଳି ଲକ୍ଷଣ ଦେଖାଯିବ ସେମାନେ ତୁରନ୍ତ ସୂଚନା ଦେବାକୁ କୁହାଯାଇଛି। ମନ୍ଦିର, ଧର୍ମାନୁଷ୍ଠାନ, ସଭା ସମିତି, ସାମାଜିକ କାର୍ଯ୍ୟଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଚାଞ୍ଚଲ୍ୟ, ଗୁଜବ ଓ ରହସ୍ୟଠାରୁ ଯଥେଷ୍ଟ ଦୂରରେ ରହିବାକୁ ପରାମର୍ଶ ଦିଆଯାଇଛି। ପ୍ରତି ୨୪ ଘଣ୍ଟା ଭିତରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି, ପଦକ୍ଷେପ ଓ ଯଦି ନୂଆ ତଥ୍ୟ ଆସିଥିବା ତାହାକୁ ନେଇ ସବୁଦିନ ଅପରାହ୍ନ ୪ଟାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ଶ୍ରୀ ବାଗଚୀ ସୂଚନା ଦେଇଛନ୍ତି।

ଆଜି ୮ଜଣ ନୂଆ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ଲାଗି ଆରଏମଆରସି ପଠାଯାଇଛି। ଏବେ ସୁଦ୍ଧା ୧୪୨ ଜଣ ସନ୍ଦିଗ୍ଧଙ୍କ ମଧ୍ୟରୁ ଏବେ ମାତ୍ର ୨୫ ଜଣ ନିଜ ଘରେ ସ୍ବାସ୍ଥ୍ୟ ବିଭାଗ ନଜରରେ ରହିଛନ୍ତି। ସେମାନଙ୍କ ଭିତରୁ ୧୦୦ ଜଣ ସୁସ୍ଥ ହୋଇ ସାରିଛନ୍ତି। ୧୭ ଜଣ ବିଭିନ୍ନ ହସ୍ପିଟାଲର ସ୍ବତନ୍ତ୍ର ଵାର୍ଡ଼ରେ ଭର୍ତ୍ତି ହୋଇଥିବା ବେଳେ ସେମାନଙ୍କ ଭିତରୁ ୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନୂଆ ୮ଟି ନମୁନାକୁ ଛାଡ଼ି ପରୀକ୍ଷା ହୋଇଥିବା ସମସ୍ତ ୨୨ଟି ସାମ୍ପୁଲ ନେଗେଟିଭ୍ ଆସିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ସଚିବ ତଥା ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ଆଇଟି ସଚିବ ମନୋଜ ମିଶ୍ର, ଡିଏମଇଟି ପ୍ରଫେସର ଡାକ୍ତର ସି.ବି.କେ ମହାନ୍ତି, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ନିର୍ଦ୍ଦେଶକ(ବୈଷୟିକ) ନିରଞ୍ଜନ ସେଠୀ ଉପସ୍ଥିତ ଥିଲେ।

୪ ଆଇଏଏସ୍‌ଙ୍କୁ ସ୍ବତନ୍ତ୍ର ଦାୟିତ୍ବ
ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତିର ମୁକାବିଲା ପାଇଁ ୪ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ସ୍ବତନ୍ତ୍ର ଭାବେ ସରକାର ନିଯୁକ୍ତ କରିଛନ୍ତି। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ୨୦୧୭ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ତଥା ଓମ୍‌ଫେଡ୍‌ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଏବଂ ହକି ପ୍ରମୋସନ୍‌ କାଉନ୍‌ସିଲ୍‌ର ସିଇଓ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଥିବା ସୋମେଶ କୁମାର ଉପାଧ୍ୟାୟଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ପଦାଧିକାରୀ ଭାବେ ଅତିରିକ୍ତ ନିଯୁକ୍ତି ଦିଆଯାଇଛି। ସେହିପରି ୨୦୧୭ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ତଥା ଓଡ଼ିଶା ଖଣି ନିଗମ ଲିମିଟେଡ୍‌ ଏବଂ ଓଏମ୍‌ଇସିଏଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ପି.ଅନ୍ବେଷା ରେଡ୍ଡି, ୨୦୧୭ ବ୍ୟାଚ୍‌ ଆଇଏଏସ୍‌ ତଥା ଗ୍ରିଡକୋ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଥିବା ପାଟିଲ୍‌ ଆଶିଷ ଈଶ୍ବର ଓ ୨୦୧୭ ବ୍ୟାଚ୍‌ ଆଇଏଏସ୍‌ ତଥା ଓକାକ୍‌ର ଓଏସ୍‌ଡି ଭାବେ କାର୍ଯ୍ୟରତ ଟି.ଏସ୍‌. ଦିବାକରଙ୍କୁ ସ୍ବତନ୍ତ୍ର ଅଧିକାରୀ ଭାବେ ନିଯୁକ୍ତି ମିଳିଛି। ଏହି ଅଧିକାରୀମାନେ ଆସନ୍ତା ଜୁନ୍‌ ମାସ ୩୦ ତାରିଖ ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।