ହେଲଥ୍ କନ୍କ୍ଲେଭ୍ର ତୃତୀୟ ଅଧିବେଶନରେ ‘ସୌନ୍ଦର୍ଯ୍ୟବୋଧର ଊର୍ଦ୍ଧ୍ବରେ ପ୍ଲାଷ୍ଟିକ୍ ସର୍ଜରି’ ଉପରେ ଦୁଇ ଅଭିଜ୍ଞ ଚିକିତ୍ସକ ଆଲୋଚନା କରିଥିଲେ। ଡା. ଅକ୍ଷୟ ରାଉତ କହିଲେ, ପ୍ଲାଷ୍ଟିକ୍ ସର୍ଜରି ଆଜି କାଲିର ନୁହେଁ, ଏହା ୬ ଶହରୁ ୮ଶହ ବର୍ଷ ପୁରୁଣା। ପୂର୍ବରୁ ସେଲିବ୍ରେଟିମାନେ ସୁନ୍ଦରତା ବଢ଼ାଇବା ପାଇଁ ପ୍ଲାଷ୍ଟିକ୍ ସର୍ଜରି କରୁଥିଲେ ଓ ନିଜ ନାମକୁ ଗୋପନ ରଖୁଥିଲେ। କିନ୍ତୁ ଏବେ ପ୍ଲାଷ୍ଟିକ୍ ସର୍ଜରି କରିବା ପାଇଁ ମାନସିକତା ପ୍ରୋତ୍ସାହିତ କରୁଛି। ପ୍ଲାଷ୍ଟିକ୍ ସର୍ଜରି କରିବା ସମୟର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର କରିବା ଟ୍ରେଣ୍ଡ୍ ପାଲଟିଛି। ଆଶ୍ଚର୍ଯ୍ୟର କଥା ଦୃଷ୍ଟିହୀନ ବ୍ୟକ୍ତି ମଧ୍ୟ ଅନ୍ୟକୁ ସୁନ୍ଦର ଦେଖାଯିବା ପାଇଁ ପ୍ଲାଷ୍ଟିକ୍ ସର୍ଜରି କରୁଛନ୍ତି। ଯେମିତି କି ସୁନ୍ଦର ଦେଖାଯିବା ଅତି ଜରୁରି। ସବୁ ସର୍ଜରିର ପାର୍ଶ୍ବ ପ୍ରତିକ୍ରିୟା ଅଛି। ପ୍ଲାଷ୍ଟିକ୍ ସର୍ଜରିରେ ବି ରହିଛି। କିନ୍ତୁ କେତେ ଅଭିଜ୍ଞ ଡାକ୍ତର ସର୍ଜରି କରୁଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ।
ଡା. ଉନ୍ମେଷ କୁମାର ଜେନା କହିଲେ, ପ୍ଲାଷ୍ଟିକ୍ ସର୍ଜରି କଥା ଉଠିଲେ କେବଳ କସ୍ମେଟିକ୍ ସର୍ଜରିକୁ ଲୋକେ ବୁଝନ୍ତି। କିନ୍ତୁ ଏହାବାଦ୍ ଗ୍ରହଣ ଖଣ୍ଡିଆ, ଦୁର୍ଘଟଣା ଜନିତ ସର୍ଜରି ମଧ୍ୟ କରାଯାଏ। ଏବେ କସ୍ମେଟିକ୍ ସର୍ଜରି ଟ୍ରେଣ୍ଡ୍ ପାଲଟିଛି। ଆଶ୍ଚର୍ଯ୍ୟର କଥା ୩ ପିଢ଼ିର ମହିଳା (ଶାଶୂ, ବୋହୂ ଓ ଝିଅ) ନିଜକୁ ସୁନ୍ଦର ଦେଖାଇବା ପାଇଁ କସ୍ମେଟିକ୍ ସର୍ଜରି କରୁଛନ୍ତି। ଓଡ଼ିଶାରେ ପ୍ଲାଷ୍ଟିକ୍ ସର୍ଜରି ଚାହିଦା ବଢ଼ିଛି। ତେବେ ଆଗକୁ ପ୍ଲାଷ୍ଟିକ୍ ସର୍ଜରିରେ ଏଆଇର ବଡ଼ ଭୂମିକା ରହିବ। ସର୍ଜରି କରିବା ପାଇଁ ଆସୁଥିବା ବ୍ୟକ୍ତିମାନେ ଯଥାଶୀଘ୍ର ଏହି କାର୍ଯ୍ୟ କରିବା ଲାଗି ଦାବି କରୁଛନ୍ତି। ମାତ୍ର ସର୍ଜରି କରିବା ପୂର୍ବରୁ ଯେଉଁ ନୀତି ନିୟମ ରହିଛି ତାହାକୁ ପାଳନ କରିବା ଅତ୍ୟନ୍ତ ଜରୁରି। ଏହି ଅଧିବେଶନକୁ ସୁପ୍ରିୟା ପରିଚାଳନା କରିଥିଲେ।