ନୂଆଦିଲ୍ଲୀ: ଆପଣ ତ ଘରେ ଅନେକ ସମୟରେ ଚା ପିଉଥିବେ | କେବଳ ଆପଣ ନୁହଁନ୍ତି ବରଂ ଭାରତର ସବୁଠାରୁ ଅଧିକ ଲୋକ ପାନୀୟ ଭାବେ ଚା ପିଇଥାନ୍ତି | ଅଧିକାଂଶ ଲୋକ ଚା ’ପିଇବା ସହିତ ସକାଳ ଆରମ୍ଭ କରନ୍ତି | ଦେଶରେ ବିଭିନ୍ନ ଢଙ୍ଗରେ ଚା ପ୍ରସ୍ତୁତ କରାଯାଏ | ଯେମିତିକି ମସାଲା ଚା, ଗୁଜୁରାତି ଚା, ଅଦା ଚା କୁ ଅଧିକାଂଶ ଲୋକ ପସନ୍ଦ କରୁଥିବାବେଳେ ଅତିଥିମାନଙ୍କୁ ଚା ’ଦେବାବେଳେ ପ୍ରାୟ ଲୋକ ଚା କପ ସହ ଚାମଚ ଏବଂ ପ୍ଲେଟ ବ୍ୟବହାର କରିଥାନ୍ତି | ତେବେ ଆମେ ଯଦି ଆପଣଙ୍କୁ କହିବୁ ବିଶ୍ୱର ସବୁଠାରୁ ଦାମୀ ଚା ପାତ୍ର ବାବଦରେ ଆପଣ ଜାଣିଛନ୍ତି କି? ତେବେ ଆପଣ ବୋଧେ ଜାଣିନଥିବେ | ଆଜି ଆମେ ଆପଣଙ୍କୁ ବିଶ୍ୱର ସବୁଠାରୁ ଦାମୀ ଚା ପାତ୍ର ବାବଦରେ କହିବୁ, ଯାହାର ମୂଲ୍ୟ ଶୁଣିବା ପରେ ଆପଣଙ୍କ ହୋସ ଉଡିଯିବ | ଗିନିଜ ୱାର୍ଲ୍ଡ ରେକର୍ଡ ଇନଷ୍ଟାଗ୍ରାମରେ ଦୁନିଆର ସବୁଠୁ ଦାମୀ ଚା ପାତ୍ରର ଫଟୋ ସେୟାର କରିଛି। ଏହି ଚା ପାତ୍ରର ମୂଲ୍ୟ ପ୍ରାୟ ୩ ମିଲିୟନ ଡଲାର ହୋଇଥିବାବେଳେ ଏହାକୁ ଇଟାଲୀର ଜଣେ ଅଳଙ୍କାର ନିର୍ମାତା ଫ୍ଲୁବିଓ ସ୍କୋବିଆ ତିଆରି କରିଥିଲେ | ତେବେ ଆପଣ ପଚାରିବେ ଏହାର ମୂଲ୍ୟ ଏତେ ଅଧିକ କାହିଁକି ?
ବାସ୍ତବରେ ଏହି ଚା ପାତ୍ରରେ ସୁନା ଓ ରୂପା ବ୍ୟବହୃତ ହୋଇଥିବାବେଳେ ଏଥିରେ ୧୬୫୮ଟି ହୀରା ଲାଗିଛି | ଏହାର ହ୍ୟାଣ୍ଡେଲ ପାଇଁ ହାତୀ ଦାନ୍ତ ବ୍ୟବହାର କରାଯାଇଥିବାବେଳେ ଚା ପାତ୍ରର ଢାଙ୍କୁଣୀରେ ଥାଇଲାଣ୍ଡର ୩୮୬ଟି ରୁବି ରତ୍ନ ଲାଗିଛି | ସୁନା, ରୂପା, ହୀରା, ରୁବି ଏବଂ ହାତୀ ଦାନ୍ତରେ ନିର୍ମିତ ଏହି ସୁନ୍ଦର ଚା ପାତ୍ର ଦର୍ଶକଙ୍କୁ ସ୍ତବ୍ଧ କରିଦିଏ | ଏହି ଦାମୀ ଚା ପାତ୍ରକୁ ସେପ୍ଟେମ୍ବର ୬, ୨୦୧୬ରେ ଗିନିଜ୍ ୱାର୍ଲ୍ଡ ରେକର୍ଡ ସବୁଠାରୁ ମହଙ୍ଗା ଚା ପାତ୍ର ଭାବରେ ମାନ୍ୟତା ଦେଇଛି | ଗିନିଜ ୱାର୍ଲ୍ଡ ରେକର୍ଡ ଅନୁଯାୟୀ ଏହି ଚା ପାତ୍ରର ମାଲିକାନା ଏନ ସେଟିଆ ଫାଉଣ୍ଡେସନ ପାଖରେ ଥିବାବେଳେ ଏହି ଫାଉଣ୍ଡେସନ ହେଉଛି ଏକ ଦାନକାରୀ ସଂସ୍ଥା ଯାହାକି ଲଣ୍ଡନରେ ଶିକ୍ଷା, ଆଧ୍ୟାତ୍ମିକ କାର୍ଯ୍ୟକଳାପ ଏବଂ ଚିକିତ୍ସା ଅନୁସନ୍ଧାନରେ ନିୟୋଜିତ ରହିଛି | ଦାନକାରୀ ସଂସ୍ଥାର ପ୍ରତିଷ୍ଠାତା ତଥା ନ୍ୟୁବି ଚା’ର ଅଧ୍ୟକ୍ଷ ନିର୍ମଳ ସେଟିଆ ଚା'କୁ ସମ୍ମାନ ଦେବା ପାଇଁ ଏକ ଅମୂଲ୍ୟ ଚା ପାତ୍ର ତିଆରି କରିବାକୁ ଚାହୁଁଥିଲେ ଏବଂ ଏହାର ନିର୍ମାଣ କରାଇଥିଲେ |