ଆଜି ‘ମିସାଇଲ ମ୍ୟାନ୍’ଙ୍କ ଜନ୍ମଦିନ : ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବ୍ଦୁଲ୍ କଲାମଙ୍କୁ ମନେ ପକାଉଛି ଦେଶ

ନୂଆଦିଲ୍ଲୀ:  ଆଜି ଭାରତର ‘ମିସାଇଲ୍ ମ୍ୟାନ୍’ ଭାବେ ପରିଚିତ ପୂର୍ବତନ ରାଷ୍ଟ୍ରପତି ଏପି‌ଜେ ଅବ୍ଦୁଲ କଲାମଙ୍କ ଜନ୍ମଦିନ।  ତାମିଲନାଡୁ ରାମେଶ୍ୱରମରେ ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ଏକ ଗରିବ ମୁସଲିମ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଅବୁଲ ପକିର ଜୈନାଲୁବ୍ଦିନ୍ ଅବଦୁଲ କଲାମ । ପରିବାରର ୫ ସନ୍ତାନଙ୍କ ମଧ୍ୟରେ କଲାମ ଥିଲେ ସବୁଠୁ ସାନ । ବାପା ଡଙ୍ଗା ଚଳାଇ ପରିବାର ପୋଷୁଥିଲେ । ତେଣୁ ପରିବାର ପାଇଁ ଖୁବ କମ ବୟସରୁ କଲାମ ମଧ୍ୟ ଡଙ୍ଗା ଚଳାଇବା ସହ ଖବରକଗଜ ବିକ୍ରି  କରୁଥିଲେ । ହେଲେ ଏସବୁ ପ୍ରତିବନ୍ଧକ ତାଙ୍କ ସ୍ୱପ୍ନକୁ ସାକାର କରିବାରେ ପଥରୋଧ କରିପାରି ନଥିଲା । କଲାମ ସବୁବେଳେ କହୁଥିଲେ- ‘‘ସ୍ୱପ୍ନ ଏପରି ଦେଖନି ଯାହା ଶୋଇ କରି ଦେଖାଯାଏ ବରଂ ଏପରି ସ୍ୱପ୍ନ ଦେଖ ଯାହାପାଇଁ ନିଦ ହଜିଯିବ।’’ ସ୍ୱପ୍ନ କେତେ ଯେ ଶକ୍ତିଶାଳୀ ତାହା କଲାମଙ୍କ ଜୀବନରୁ ସ୍ପଷ୍ଟ ହୁଏ ।

ରାମେଶ୍ୱରମରେ ସ୍କୁଲ ପଢା ଶେଷ ହେବା ପରେ ତିରୁଚିରାପଲିର ସେଣ୍ଟ ଜୋସେଫ୍ କଲେଜରେ ଉଚ୍ଚଶିକ୍ଷା ଶେଷ କରିଥିଲେ । ଏହାପରେ ମାଡ୍ରାସର ଇନଷ୍ଟିଚ୍ୟୁଟ୍ ଅଫ୍ ଏରୋନେଟିକାଲ ଇଞ୍ଜିନିୟରିଂରେ ପଢିଥିଲେ । ପରେ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ୍ (ଡିଆରଡିଓ)ରେ ସିନିୟର ସାଇଣ୍ଟିଫିକ୍ ଆସିଷ୍ଟାଣ୍ଟଣ୍ଟ ଭାବେ ୧୯୫୮ରେ ଯୋଗ ଦେଇଥିଲେ । ଏହି କ୍ରମରେ ୧୯୬୯ରେ ଯୋଡି ହୋଇଥିଲେ ମହାକାଶ ବିଜ୍ଞାନ ଗବେଷଣା କେନ୍ଦ୍ର ଇସ୍ରୋ ସହ । ସେବେଠୁ ରଚି ଚାଲିଲେ ଗୋଟିଏ ପରେ ଗୋଟିଏ ମାଇଲ ଖୁଣ୍ଟ ।୧୯୯୮ ଐତିହାସିକ ପୋଖରାନ୍ ଆଣବିକ ବୋମା ପରୀକ୍ଷଣର ସେଥିଲେ ମୁଖ୍ୟ ପୁରୋଧା । ତାଙ୍କ ତତ୍ତ୍ବାବଧାନରେ ନିର୍ମାଣ ହେଲା ଭାରତର ପ୍ରଥମ ମହାକାଶଯାନ ଏସଏଲଭି -୩ ସ୍ପେସ୍ ଭେଇକିଲ । ଦେଶକୁ ଭେଟିଦେଲେ ଅଗ୍ନି, ତ୍ରିଶୂଳ, ପୃଥ୍ୱୀ, ବ୍ରହ୍ମୋସ୍ ପରି କ୍ଷେପଣାସ୍ତ୍ର । ସେ ହୋଇଗଲେ ଭାରତର ମିସାଇଲ ମ୍ୟାନ୍ । ଏହା ପରେ ୨୦୦୨ରୁ ୨୦୦୭ରୁ ସେ ହେଲେ ଭାରତର ୧୧ତମ ରାଷ୍ଟ୍ରପତି । ସବୁଠୁ ବଡ କଥା ହେଲେ କ୍ଷମତା ତାଙ୍କ ସରଳ ଜୀବନକୁ ପ୍ରଭାବିତ କରିପାରିନଥିଲା ।କାର୍ୟ୍ୟକାଳ ଶେଷ ପରେ ରାଷ୍ଟ୍ରପତି ଭବନ ଛାଡିବା ବେଳକୁ ତାଙ୍କ ସାଙ୍ଗରେ ବଡ ଟିଣ ବାକ୍ସଟେ ବ୍ୟତୀତ ଆଉ କିଛି ନଥିଲା, ଯାହା ସମସ୍ତଙ୍କୁ ଏକ ଶିକ୍ଷା ଦେଇଥିଲା ।

ତାଙ୍କର ଅତୁଳନୀୟ କାର୍ୟ୍ୟ ପାଇଁ ତାଙ୍କୁ ୧୯୯୭ରେ ଦେଶର ସର୍ବୋଚ୍ଚ ଉପାଧି ‘ଭାରତ ରତ୍ନ’ରେ ସମ୍ମାନିତ କରାଗଲା । ଏହା ପୂର୍ବରୁ ୧୯୮୧ ତାଙ୍କୁ ପଦ୍ମଭୂଷଣ ଓ ୧୯୯୦ରେ ପଦ୍ମବିଭୂଷଣ ଉପାଧି ଓ ଆହୁରି ଅନେକ ସମ୍ମାନ ମିଳିଥିଲା  । ୨୦୧୫ ଜୁଲାଇ ୨୭ ତରିଖରେ ସିଲଂର ଆଇଆଇଏମ ଇନଷ୍ଟିଚ୍ୟୁଟରେ ଭାଷଣ ଦେଉଥିବାବେଳେ ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ କଲାମ । ଆଜି ସେ ସଶରୀରେ ନାହାନ୍ତି ସତ ହେଲେ ତାଙ୍କର କର୍ମ ଓ ଆଦର୍ଶ ଚିରକାଳ ସ୍ମୃତିପଟରେ ଜୀବନ୍ତ ରଖିବ ।

ସମ୍ବନ୍ଧିତ ଖବର