୪୦ ବର୍ଷ ପରେ ପ୍ରେମିକଙ୍କୁ ହସ୍ପିଟାଲ୍‌ ବେଡ୍‌ରେ ଦେଖି ଭାବୁକ ହେଲେ ପ୍ରେମିକା, ଘରକୁ ଆଣି କଲେ ବିବାହ

ନୂଆଦିଲ୍ଳୀ: କୁହାଯାଏ ପ୍ରେମ ଅମର ଓ ପ୍ରେମ ଶାଶ୍ବତ। ବାସ୍ତବ ପ୍ରେମ କେବେ ସରେନା, ଶେଷ ନିଶ୍ବାସ ଯାଏ ବଞ୍ଚିରହେ। ନିକଟରେ ସୋସିଆଲ୍‌ ମିଡିଆରେ ଜଣେ ପ୍ରେମୀଯୁଗଳଙ୍କ ପ୍ରେମ କାହାଣୀ ଖୁବ୍‌ ‌ଜୋର୍‌ରେ ଭାଇରାଲ୍‌ ହୋଇଛି। ୪୦ ବର୍ଷ ତଳେ ପରସ୍ପରଠାରୁ ଅଲଗା ହୋଇ ଯାଇଥିବା ପ୍ରେମୀଯୁଗଳଙ୍କୁ ସେମାନଙ୍କ ଭାଗ୍ୟ ପୁଣି ଥରେ କିପରି ମିଳାଇଛି ତାହା ଜାଣିବା ପରେ ଆପଣ ଚକିତ ‌ହେବେ ନିଶ୍ଚୟ।

ସେମାନଙ୍କ ପ୍ରଥମ ସାକ୍ଷାତ୍‌ ୧୯୭୧ ମସିହାରେ କଲେଜ୍‌ରେ ପଢ଼ିବା ସମୟରେ ହୋଇଥିଲା। ବିବାହ ପୂର୍ବରୁ ସେମାନେ ପରସ୍ପରକୁ ୭ ବର୍ଷ ପର୍ଯ୍ୟନ୍ତ ଡେଟ୍‌ କରିଥିଲେ।

ଆମେରିକୀୟ ପତ୍ରିକା ‘ପିପଲ୍‌’ ମୁତାବକ, ଏହି ଦମ୍ପତି ହେଉଛନ୍ତି ଷ୍ଟିଫନ୍‌ ବାଟ୍‌ସ ଏବଂ ଜିନ୍‌ ବାଟ୍‌ସ। ସେ ଦୁଇ ଜଣ ଯାକ ହେଉଛନ୍ତି ଆମେରିକାର ବାସିନ୍ଦା। ଜିନ୍‌ ଏବେ ୬୯ ବର୍ଷୀୟା ହୋଇ ସାରିଛନ୍ତି। ତେବେ ଷ୍ଟିଫନ୍‌ଙ୍କ ବୟସ ୭୩ ବର୍ଷ। କଲେଜରେ ପଢ଼ିବା ବେଳେ ଦୁହେଁ ଦୁହିଁଙ୍କୁ ପ୍ରଥମେ ଚିହ୍ନିଥିବା ବେଳେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ବି ଗଢ଼ି ଉଠିଥିଲା।

ଜିନ୍‌ ଷ୍ଟିଫେନ୍‌ଙ୍କୁ ନିଜର ପ୍ରଥମ ଓ ବାସ୍ତବ ପ୍ରେମ ବୋଲି ମାନିଥିବା ବେଳେ ଭାଗ୍ୟ କିନ୍ତୁ ଦାଉ ସାଧିଥିଲା। ବିବାହ ପାଇଁ କୌଣସି  ମତେ ଜିନ୍‌ଙ୍କ ପରିବାର ଲୋକ ରାଜି ହୋଇନଥିଲେ ଓ ବାଧ୍ୟ ହୋଇ ଉଭୟ ପ୍ରେମିକ-ପ୍ରେମିକା ଅଲଗା ହେବାର ନିଷ୍ପତ୍ତି ନେଇଥିଲେ।

ପରବର୍ତ୍ତୀ ମୁହୂର୍ତ୍ତରେ ଦୁହିଁଙ୍କର ବିବାହ ହୋଇ ଯାଇଥିଲା। ୨୦୨୧ର କଥା, ଅଚ‌ାନକ ଷ୍ଟିଫେନ୍‌ଙ୍କୁ ହସ୍ପିଟାଲ୍‌ ବେଡ୍‌ରେ ଦେଖି ଭାବୁକ ହୋଇଗଲେ ଜିନ୍‌। ସେତେବେଳକୁ ସେ ନିଜ ସ୍ବାମୀଙ୍କଠାରୁ ବି ଛାଡ଼ପତ୍ର ନେଇ ସାରିଥିଲେ। ଷ୍ଟିଫେନ୍‌ଙ୍କର ବି କେହି ପିଲାଛୁଆ ନଥିଲେ। ଜିନ୍‌ ଷ୍ଟିଫେନ୍‌ଙ୍କୁ ନିଜ ଘରକୁ ନେଇ ତାଙ୍କ ସହ ବିବାହ କରିଛନ୍ତି। ହ୍ବିଲ୍‌ ଚେୟାରରେ ଦିନ କାଟୁଥିବା ଷ୍ଟିଫେନ୍‌ଙ୍କର ଜିନ୍‌ ବେଶ୍‌ ଭଲ ଯତ୍ନ ନେଇ ନିଜ ପ୍ରେମର ପ୍ରମାଣ ବି ଦେଇ ଚାଲିଛନ୍ତି।

ସମ୍ବନ୍ଧିତ ଖବର