ଲକ୍ଷ୍ନୌ: ବିନ୍ଦି ବା ଟିକିଲି ପିନ୍ଧିବାକୁ ଝିଅମାନେ ଭାରୀ ଭଲପାଆନ୍ତି । ନାରୀ ମୁହଁର ସୌନ୍ଦର୍ୟ୍ୟ ବଢାଇଥାଏ ମଥାର ଟିକିଲି, ନଥିଲେ ଲାଗେ ଖାଲିଖାଲି । କିଏ ରଙ୍ଗବେରଙ୍ଗର ଟିକିଲି ପିନ୍ଧେ ତ କି ଚୁମକି ଲଗା । ଟିକିଲିକୁ ନେଇ ଅନେକ କଥା ଅନେକ କାହାଣୀ । ନାରୀମାନେ ସିନା ଟିକିଲି ପିନ୍ଧନ୍ତି କିନ୍ତୁ ଟିକିଲିକୁ ନେଇ ବୋଧେ ଅଧିକ କାହାଣୀ ଲେଖେ ପୁରୁଷଟିଏ । 

Advertisment

ଟିକିଲିକୁ ନେଇ ଅନେକ ସମୟରେ ଆପଣ ଭଲ ଖବର କିମ୍ବା ଭଲ କାହାଣୀ ଶୁଣିଥିବେ ହେଲେ ଟିକିଲିକୁ ନେଇ ୟୁପିରୁ ଏମିତି ଏକ ଖବର ଆସିଛି ଯାହା ଚିନ୍ତାଜନକ । ଯେଉଁଠି ଟିକିଲିକୁ ନେଇ ହୋଇଛି ତୁମୁଳକାଣ୍ଡ । ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଝଗଡା ବଢିଛି, କଳି ଏତେ ମାତ୍ରାରେ ଅଧିକ ହୋଇଛି ଯେ କଥା ଛାଡପତ୍ର ଯାଏଁ ବି ଯାଇଛି । ଖାଲି କଣ ସେତିକି ଟିକିଲି ପାଇଁ ଝଗଡା ଥାନାରେ ପହଞ୍ଚିଛି । ୟୁପି ଆଗ୍ରାରୁ ଆସିଛି ଏମିତି ଖବର । ଯାହା ଶୁଣି ପୋଲିସ ବି ମଥାରେ ହାତ ଦେଇଛି । ଆଉ ମାମଲାକୁ ପରିବାର ପରାମର୍ଶ କେନ୍ଦ୍ରକୁ ପଠାଇ ଦେଇଛି ଯେଉଁଠି କାଉନସିଲର ସ୍ବାମୀସ୍ତ୍ରୀ ଦୁହିଁଙ୍କୁ ଟିକିଲି ପଛର ଝଗଡା ବାବଦରେ ପଚାରିଛନ୍ତି 

୨୦୨୩ରେ ହିନ୍ଦୁ ରୀତିନୀତି ଅନୁସାରେ ଦୁହିଁଙ୍କ ବିବାହ ହୋଇଥିଲା । ବାହାଘର ପରେ ସ୍ବାମୀ-ସ୍ତ୍ରୀ ଦୁହେଁ ଭଲରେ ଚଳୁଥିଲେ । ନୂଆ ନୂଆ ବାହାଘର ହୋଇଥିବାରୁ ମହିଳା ଜଣଙ୍କ ସଜ ହେବାକୁ ବହୁତ କରୁଥିଲେ ଏବଂ କିଛି ସମୟର ବ୍ୟବଧାନରେ ନିଜ ମଥାର ବିନ୍ଦି ପରିବର୍ତ୍ତନ କରୁଥିଲେ । ଯାହା ତାଙ୍କ ସ୍ବାମୀଙ୍କୁ ପ୍ରଥମେ ପ୍ରଥମେ ଭଲ ଲାଗୁଥିଲେ ବି ପରବର୍ତ୍ତୀ ମୁହୂର୍ତ୍ତରେ ଏହି ଅଭ୍ୟାସ ବିରକ୍ତି ଆଣିଦେଲା । 

bindi
Photograph: (SAMBAD.IN)

 

ପତ୍ନୀ ଜଣଙ୍କ ପତିଙ୍କୁ ବାରମ୍ବାର ଟିକିଲି ଆଣିବାକୁ କହୁଥିଲେ । ଦୁଇ ଦିନରେ ଥରେ ଟିକିଲି ସରିଯାଇଛି କହି ନୂଆ ଆଣିବାକୁ ଅଳି କରୁଥିଲେ । ଦିନେ ସ୍ବାମୀ ବଜାରରୁ ଟିକିଲି ଆଣିବାକୁ ହଁ ମାରି ଭୁଲିଯାଇଥିଲେ, ବାସ୍ ସଦିନ ହିଁ ହୋଇଥିଲା ଟିକିଲି ପାଇଁ ମହାଭାରତ । ସ୍ବାମୀଙ୍କୁ ମୁହଁମୁହେଁ ଶୁଣେଇଦେଲେ ସ୍ତ୍ରୀ । ଦୁହିଁଙ୍କ ଭିତରେ ଝଗଡା ବଢିଲା, କଥା ଛାଡପତ୍ର ଯାଏଁ ଗଲା ଆଉ ଶେଷରେ ମହିଳା ଜଣଙ୍କ ସ୍ବାମୀଙ୍କୁ ଛାଡି ନିଜ ବାପଘରେ ଆସି ରହିଲେ ।

ଟିକିଲି କଳି ଥାନାରେ ପହଞ୍ଚିବା ପରେ କାଉନସିଲରଙ୍କୁ ସ୍ବାମୀ କହିଛନ୍ତି, ମହିଳା ଜଣେ ସପ୍ତାହକୁ ୭ଟି ଟିକିଲି ପିନ୍ଧୁ, ହଉ ହେଲା ନହେଲେ ୧୦ଟା ପିନ୍ଧୁ... କିନ୍ତୁ ୭ ଦିନରେ ୩୫ଟା ଟିକିଲି ସିଏ ସରେଇ ଦେଉଛନ୍ତି... ମୋର ଅଧା ଟଙ୍କା ଟିକିଲି କିଣାରେ ପଳାଉଛି ।

ସ୍ବାମୀଙ୍କୁ ଚେକ୍ ଦେଇ ସ୍ତ୍ରୀ କହିଥିଲେ, ମୁଁ ଶୋଇଥିବା ବେଳେ ଟିକିଲି ମଥାରୁ ଖସିଯାଏ ଏବଂ ମୁହଁ ଧୋଇଲେ କିମ୍ବା ଝାଳ କାରଣରୁ ଟିକିଲି ମଥାରେ ରୁହେନି ତେଣୁ ନୂଆ ଟିକିଲି ପିନ୍ଧି ଦିଏ ଯାହା ମୋ ସ୍ବାମୀଙ୍କୁ ପସନ୍ଦ ଆସେନି । ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଟିକିଲି ପାଇଁ ଝଗଡା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।