ଅହମଦାବାଦ: ନିଜ ପରିବାର ଇଚ୍ଛା ବିରୋଧରେ ଯାଇ ଅନ୍ୟ ଜଣେ ଫାର୍ମାସିଷ୍ଟ୍ଙ୍କୁ ବିବାହ କରିଥିବା ଜଣେ ୨୬ ବର୍ଷୀୟ ଫାର୍ମାସିଷ୍ଟ୍ ବିବାହ କରିବାର ବର୍ଷକ ମଧ୍ୟରେ ପରିବାର ଚାପରେ ପଡ଼ି ତାଙ୍କୁ ଛାଡ଼ପତ୍ର ଦେଇ ପୁଣି ଥରେ ତାଙ୍କୁ ବାହା ହୋଇଥିଲେ। ଏବେ ତାଙ୍କର ଦୁର୍ବ୍ୟବହାର ଯୋଗୁଁ ଆଉ ତାଙ୍କର ସ୍ତ୍ରୀ ହୋଇ ନ ରହିବାକୁ ସେ ଗୁଜୁରାଟ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି।
ଘଟଣାଟି ଘଟିଥିଲା ଏମିତି।
ଅହମଦାବାଦରେ ବାସ କରୁଥିବା ସେ ଯୁବତୀ ନିଜ ସ୍କୁଲ୍ବେଳର ବୟଫ୍ରେଣ୍ଡ୍ଙ୍କୁ ନଭେମ୍ବର ୨୦୧୬ରେ ବିବାହ କରିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ତାଙ୍କ ବୟଫ୍ରେଣ୍ଡ୍ ମଧ୍ୟ ଜଣେ ଫାର୍ମାସିଷ୍ଟ୍। ଅବଶ୍ୟ ଏ ବିବାହରେ ଯୁବତୀଙ୍କ ପରିବାର ସମ୍ମତି ଦେଇ ନ ଥିବାରୁ ସେମାନେ ଗୋପନ ବିବାହ କରିଥିଲେ। ଦରିପୁରସ୍ଥିତ ରେଜିଷ୍ଟ୍ରାର୍ ଅଫ୍ ମ୍ୟାରେଜେସ୍ଙ୍କ ଠାରେ ସେ ଦମ୍ପତି ସେମାନଙ୍କର ବିବାହ ପଞ୍ଜିକରଣ କରାଇଥିଲେ। ଯୁବତୀଙ୍କ ପରିବାର ଏ ବିବାହ ସମ୍ପର୍କରେ ଜାଣିବା ପରେ ଏ ବର୍ଷ ଜୁନ୍ ମାସରେ ତାଙ୍କୁ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେବା ଲାଗି ବାଧ୍ୟ କରିଥିଲେ। ଶେଷରେ ପରିବାରର ଜିଦ୍ ଆଗରେ ମୁଣ୍ଡ ନୁଅାଁଇ ଯୁବତୀଜଣକ ନିଜ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଥିଲେ।
କିନ୍ତୁ, ଏହି ଛାଡ଼ପତ୍ର ଜନିତ ବିଚ୍ଛେଦ ଦୀର୍ଘସ୍ଥାୟୀ ହେଲା ନାହିଁ। ପୁଣି ପୂର୍ବପରି ପ୍ରେମିକ ପ୍ରେମିକା ପରସ୍ପରକୁ ଭେଟି ଚାଲିଲେ। କିଛି ଦିନ ପରେ ସେମାନେ ଗଲା ଅଗଷ୍ଟ ମାସରେ ଏକତ୍ର ପଳାଇ ଯାଇ ପୁଣି ବିବାହ କଲେ। ଦ୍ୱିତୀୟ ଥର ଲାଗି ସେମାନେ ଅଗଷ୍ଟ ୧୪, ୨୦୧୭ରେ ସେମାନଙ୍କ ବିବାହ ପଞ୍ଜିକରଣ କରାଇଲେ। ସବୁ ସୁରୁଖୁରୁରେ ସମ୍ପନ୍ନ ହେଲା ପରି ଜଣା ପଡ଼ିଲା।
ଝିଅଘର ମଧ୍ୟ ଏ କଥା ଜାଣି କୌଣସି ନକାରାତ୍ମକ ପ୍ରତିକ୍ରିୟା ପ୍ରକାଶ କଲେ ନାହିଁ। ଏଥର ସେ ଦମ୍ପତିଙ୍କ ଉପରେ ଛାଡ଼ପତ୍ର ଦେବା ପାଇଁ ଚାପ ନ ପକାଇ ଯୁବତୀର ବାପା ସେପ୍ଟେମ୍ବର ୨୧ ତାରିଖ ଦିନ ତାଙ୍କୁ ନିଜ ଘରକୁ ନିମନ୍ତ୍ରଣ କଲେ।
ସେ ନିଜ ଝିଅକୁ କହିଲେ କି, ପରିବାରର ସଦସ୍ୟମାନେ ତାଙ୍କ ସମ୍ପର୍କକୁ ଏବଂ ବିବାହକୁ ସ୍ୱୀକୃତି ଦେଇଛନ୍ତି।
ସେ ଯାହାହେଉ, ସେ ଦମ୍ପତି ଯୁବତୀଙ୍କ ବାପଘରକୁ ଯିବାରୁ ପରିବାରର ସଦସ୍ୟମାନେ ପୁଣି ଝିଅ ଉପରେ ଚାପ ପକାଇଲେ ପୁଣି ଥରେ ଛାଡ଼ପତ୍ର ଦେବା ନିମନ୍ତେ। ଝିଅକୁ ସେମାନଙ୍କ ମୂଳ ଗାଁ’କୁ ନେଇ ଯିବାକୁ ଯୋଜନା କରିଥିଲେ।
ଝିଅର ସ୍ୱାମୀ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କଲାରୁ ସେମାନେ ତାଙ୍କୁ ବାଡ଼ିଆ ପିଟା କରି ଏକ କୋଠରିରେ ବନ୍ଦୀ କରି ରଖି ଥିଲେ। ତାଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଛଡ଼େଇ ନିଆଗଲା। ଶଶୁର ଘର ଲୋକେ ସେମାନଙ୍କ ଗାଁ’କୁ ଚାଲିଯିବା ପରେ, କେତେକ ପଡ଼ୋଶୀ ଦୁଆର ଭାଙ୍ଗି ଝିଅର ସ୍ୱାମୀଙ୍କୁ ଉଦ୍ଧାର କରିଥିଲେ।
ପରେ ସେହିଦିନ ସେ ବ୍ୟକ୍ତିଜଣକ ଚଣ୍ଡଖେଦା ଥାନାକୁ ଯାଇ ଏକ ଏଫ୍ଆଇଆର୍ ଦାଏର୍ କରିଥିଲେ। କିନ୍ତୁ, ତାଙ୍କୁ ସଫଳତା ମିଳି ନ ଥିଲା। ସେ ସେପ୍ଟେମ୍ବର ୨୮ ତାରିଖ ଦିନ ଏକ ହେବିୟସ୍ କର୍ପସ୍ ପିଟିସନ୍ ଦାଖଲ କରିବାରୁ ସେ ଯୁବତୀଙ୍କୁ ଅଦାଲତରେ ହାଜର କରାଇବାକୁ ଉଚ୍ଚ ନ୍ୟାୟାଳୟ ପୁଲିସକୁ ଆଦେଶ ଦେଇଛନ୍ତି।