କୋଭିଡ-୧୯: ଦ୍ବନ୍ଦ୍ବ ଓ ସମାଧାନର ପ୍ରୟାସ

ପ୍ରତିଦିନ ହଜାର ହଜାର ଲୋକ ସଂକ୍ରମିତ ହେଉଥିଲେ ହେଁ କୋଭିଡ-୧୯କୁ ନେଇ ଲୋକଙ୍କ ଦ୍ବନ୍ଦର ଅବସାନ ଘଟିନାହିଁ। ଏହାର ସଂକ୍ରମଣ, ଲକ୍ଷଣ ଓ ଚିକିତ୍ସା ଆଦିକୁ ନେଇ ନାନା କଥା ଶୁଣା ଯାଉଛି ସାଧାରଣରେ। ପ୍ରତିଦିନ ନୂଆ ନୂଆ ପ୍ରସଙ୍ଗ ମଧ୍ୟ ଉଦ୍‌ଘାଟିତ ହେଉଛି। ଏ ଦ୍ବନ୍ଦ୍ବର ସମୟ। ଅନେକ ପ୍ରଶ୍ନର ସମାଧାନ ଡାକ୍ତର ଓ ‌ଗବେଷକମାନେ ମଧ୍ୟ ଏପର୍ଯ୍ୟନ୍ତ କରି ନାହାନ୍ତି। ତେବେ କୋଭିଡ୍-୧୯ ସଂପର୍କରେ କିଛି ମୂଳ ପ୍ରଶ୍ନର ସମାଧାନ ପାଇଁ ଆସନ୍ତୁ ଚେଷ୍ଟା କରିବା।

କୋଭିଡ୧୯ର ସାଧାରଣ ଲକ୍ଷଣ
ଜ୍ବର କାଶ, ଥଣ୍ଡା ଲାଗିବା, ପେଶୀ ପୀଡ଼ା, ମୁଣ୍ଡବିନ୍ଧା, ଗଳାରେ ଦରଜ, ସ୍ବାଦ ଓ ଆଘ୍ରାଣ ଶକ୍ତି ହ୍ରାସ, ନାକ ଜାମ୍ ବା ନାକରୁ ପାଣି ବାହାରିବା, ବାନ୍ତି, ତରଳ ଝାଡ଼ା, ନିଶ୍ବାସ ପ୍ରଶ୍ବାସରେ କଷ୍ଟ

କୋଭିଡ-୧୯ ମୁକାବିଲାର ୪ଟି ସ୍ତର
ସ୍ତର ୧: ଟେଷ୍ଟ
କରୋନାର ଗୋଟିଏ ବା ଅଧିକ ଲକ୍ଷଣ ଦେଖିଲେ ତୁରନ୍ତ ନିଜର ପରୀକ୍ଷା କରାଇ ନିଅନ୍ତୁ ଓ ସଙ୍ଗରୋଧରେ ରୁହନ୍ତୁ।

ଆର୍‌ଟିପିସିଆର୍
ଆର୍‌ଟିପିସିଆର୍‌ ହେଉଛି କରୋନା ଟେଷ୍ଟ୍‌ର ‘ଗୋଲ୍‌ଡ ଷ୍ଟାଣ୍ଡାର୍ଡ’। ଏଥିରେ ତ୍ରୁଟିର ଆଶଙ୍କା ଖୁବ୍ କମ୍। ଏହି ସୁବିଧା ଯଦି ଉପଲବ୍ଧ ଅଛି, ନିଶ୍ଚୟ କରାନ୍ତୁ।

ସିଟି ସ୍କାନ୍
ଯଦି ଆର୍‌ଟିପିସିଆର୍ ସୁବାଧା ନାହିଁ, ତେବେ ସିଟି ସ୍କାନ୍ କରା ଯାଇପାରେ। ତେବେ ସମାନ୍ୟ କୋଭିଡ୍-୧୯ର ପ୍ରାଥମିକ ସ୍ଥିତିରେ ସିଟି ସ୍କାନ୍ ରୋଗୀର ମଙ୍ଗଳ ଅପେକ୍ଷା ଅଧିକ ହାନୀ କରେ ବୋଲି ଏମ୍‌ସ ମତ ଦେଇ ସାରିଛି।

ରାପିଡ୍ ଆଣ୍ଟିଜେନ୍
ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ସମୟ ଓ ଖର୍ଚ୍ଚ ଦୃଷ୍ଟିରୁ ଭଲ ହୋଇପାରେ, କିନ୍ତୁ ସବୁ କ୍ଷେତ୍ରରେ ଏହାର କାର୍ଯ୍ୟକାରିତା ଉପରେ ବିଶ୍ବାସ କରି ହେବନାହିଁ। କିଛି କ୍ଷେତ୍ରରେ ରାପିଡ୍ ଆଣ୍ଟିଜେନ୍‌ ଟେଷ୍ଟର ଫଳାଫଳକୁ ଆର୍‌ଟିପିସିଆର୍‌ ଟେଷ୍ଟ ଦ୍ବାରା ପୁଣି ଯାଞ୍ଚ କରାଇନେବା ଆବଶ୍ୟକ ହୋଇପାରେ।

ଯଦି ଆର୍‌ଟିପିସିଆର୍‌ ଟେଷ୍ଟରେ ଆପଣଙ୍କର ନେଗେଟିଭ୍ ହେଲା?
ଲକ୍ଷଣ ଥାଇ ଆର୍‌ଟିପିସିଆର୍‌ ଟେଷ୍ଟରେ ନେଗେଟିଭ୍ ବାହାରିଲେ, ଆପଣ ପୂରା ସୁରକ୍ଷିତ ବୋଲି ଭାବି ନିଅନ୍ତୁନାହିଁ। ଲକ୍ଷଣର କାରଣ ଥିବ। ଡାକ୍ତରଙ୍କ ପରାମର୍ଶକ୍ରମେ ଅନ୍ୟ କିଛି ଟେଷ୍ଟ କରନ୍ତୁ। ନିଜକୁ ପୂର୍ବଭଳି ସଙ୍ଗରୋଧରେ ରଖନ୍ତୁ।

ସ୍ତର-୨: ନିଜ ଘରେ ସାମାନ୍ୟସ୍ତରର କୋଭିଡ୍‌ ଚିକିତ୍ସା
ଯଦି ଆପଣଙ୍କ ପାଖରେ କରୋନାର ସାମାନ୍ୟ କିଛି ଲକ୍ଷଣ ଦେଖା ଯାଉଛି ଓ ବିଶେଷ ଯନ୍ତ୍ରଣା ନାହିଁ, ତେବେ ହସ୍ପିଟାଲ ନଯ‌ାଇ ତାହାକୁ ଆପଣ ନିଜ ଘରେ ଚିକିତ୍ସା କରିପାରିବେ।

ନିଜର ଚିକିତ୍ସା ପାଇଁ ନିଜ ହାତ ପାଖରେ ଏଇ ୩ଟି ଉପକରଣ ରଖନ୍ତୁ
୧. ଥର୍ମୋମିଟର
୨. ଆକ୍ସିମିଟର
୩. ବ୍ଲଡପ୍ରେସର ମାପ ଯନ୍ତ୍ର (ସମ୍ଭବ ହେଲେ)
୪. ବ୍ଲଡ୍ ଗ୍ଲୁକୋଜ୍ ମାପ ଯନ୍ତ୍ର (ମଧୁମେହରେ ପୀଡ଼ିତଙ୍କ ପାଇଁ)
ନିଜର ସ୍ବସ୍ଥ୍ୟାବସ୍ଥା ଟିପି ରଖିବାପାଇଁ ଦୁଇଟି ଚାର୍ଟ ତିଆରି କରନ୍ତୁ।

ସ୍ତର- ୩: ଆବଶ୍ୟକ ହେଲେ ହସ୍ପିଟାଲକୁ ତୁରନ୍ତ ଯାଆନ୍ତୁ
ଠିକ୍ ସମୟରେ ହସ୍ପିଟାଲରେ ବେଡ୍‌ ପାଇଗଲେ
୧. ଠିକ୍ ଚିକିତ୍ସା ହୋଇ ପାରିବ, ୨. ସ୍ଥିତି ଆଉ ଅଧିକ ଖରାପ ହେବନାହିଁ, ୩. ଅଧିକ ସମୟ ହସ୍ପିଟାଲରେ ରହିବାକୁ ପଡ଼ିବ ନାହିଁ, ୪. ଆବଶ୍ୟକ କରୁଥିବା ଅନ୍ୟ ରୋଗୀମାନେ ବେଡ୍ ପାଇବେ

ସ୍ତର-୪: ଟିକା ନିଅନ୍ତୁ
୧- ପରୀକ୍ଷା ଓ ସଂଗରୋଧ, ୨- ନିଜଘରେ ସାମାନ୍ୟ କୋଭିଡ୍‌ର ଚିକିତ୍ସା, ୩- ଆବଶ୍ୟକ ପଡ଼ିଲେ ତୁରନ୍ତ ହସ୍ପିଟାଲ ଯିବା ପରେ ୪- ଚତୁର୍ଥ କାମ ହେଉଛି ଟିକା।

ନିଜର ପାଳି ଆସିଲେ ଟିକା ନିଶ୍ଚୟ ନିଅନ୍ତୁ। ଟିକା ବିଷୟରେ କିଛି ସାଧାରଣ ଦ୍ବନ୍ଦ୍ବର ସମାଧାନ:

୧. ପ୍ରଶ୍ନ: ମୁଁ କୋଭିଡ-୧୯ ଆକ୍ରାନ୍ତ ହୋଇଥିଲେ, ମୁଁ କେବେ ଟିକା ନେବା ଉଚିତ?
ଉତ୍ତର: ରୋଗରୁ ମୁକ୍ତି ପାଇବାର ଅତିକମ୍‌ରେ ୨୮ ଦିନ ପରେ ଟିକା ନେବାଲାଗି ପରାମର୍ଶ ଦିଆ ଯାଉଛି।

୨. ପ୍ରଶ୍ନ: ପଥମ ଡୋଜ୍ ଟିକା ନେବାପରେ ମୁଁ କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିଲି। ୨୮ ଦିନ ପରେ ମୁଁ ଆଉଥରେ ପ୍ରଥମ ଡୋଜ୍‌ ନେବା ଉଚିତ କି?
ଉତ୍ତର: ନା, ପ୍ରଥମ ଡୋଜ୍ ଟିକା ଆଉଥରେ ନେବା ଦରକାର ନାହିଁ। ରୋଗର ଉପଶମ ହେବାର ୩୦ ଦିନପରେ କୋଭାକ୍ସିନ ଓ ୬୦ ଦିନପରେ କୋଭିସିଲ୍‌ଡ ଟିକା ନିଆ ଯାଇପାରେ।

୩. ପ୍ରଶ୍ନ: ପ୍ରଥମ ଡୋଜ୍ ଟିକା ନେବାପରେ ମୁଁ ଆକ୍ରନ୍ତ ହୋଇଥିଲି। ଟିକା କାରଣରୁ ତାହା ଘଟିଥିଲା କି?
ଉତ୍ତର: ନା, ଟିକା ଆପଣଙ୍କଠାରେ ରୋଗ ସୃଷ୍ଟି କରିବାର କୌଣସି କାରଣ ନାହିଁ।

୪. ପ୍ରଶ୍ନ: ଟିକା ନେବାପରେ ଲୋକଙ୍କର ଜ୍ବର ହେଉଛି। ଏହା ସ୍ବାଭାବିକ କି?
ଉତ୍ତର: ଟିକା ନେବାପରେ ଜ୍ବର ବା ଦେହପୀଡ଼ା ସ୍ବାଭାବିକ କଥା। ଏଥିରେ ବ୍ୟସ୍ତ ହେବାର କିଛି ନାହିଁ। ଟିକା ନେବାର ପ୍ରଥମ ୨୪-୪୮ ଘଣ୍ଟା ଭିତରେ ଜ୍ବର ବା ଦେହପୀଡ଼ା ହେଲେ ପାରାସିଟାମଲ୍ ଉଚିତ ମାତ୍ରାରେ ନେଇ ପାରନ୍ତି।

୫. ପ୍ରଶ୍ନ: ଟିକାର ଦୁଇଟି ଯାକ ଡୋଜ୍ ନେବାପରେ ମଧ୍ୟ ଲୋକେ କୋଭିଡ-୧୯ ଆକ୍ରାନ୍ତ ହେଉଥିବାର ଶୁଣୁଛି। ତା’ ଅର୍ଥ ଟିକା କାମ କରୁନାହିଁ ବୋଲି ବୁଝିବା କି?
ଉତ୍ତର: ନା, ଟିକା ଦ୍ବାରା ସଂକ୍ରମଣର ଆଶଙ୍କା ୬୦-୮୦ ପ୍ରତିଶତ କମି ଯାଉଛି। ଟିକା ସଂକ୍ରମଣର ମାତ୍ରା, ତା’ ଦ୍ବାରା ସୃଷ୍ଟି ହେଉଥିବା ଅନ୍ୟ ସ୍ବାସ୍ଥଗତ ଜଟିଳତା ଆଦିକୁ ଆଖିଦୃଶିଆ ଭାବେ କମାଇ ଦେଉଛି। ମୃତ୍ୟୁର ହାରକୁ ମଧ୍ୟ।

ସାମାନ୍ୟ ଲକ୍ଷଣ ପାଇଁ ଔଷଧ
ସାଧାରଣ ସମୟରେ ସେପରି ଲକ୍ଷଣ ଦେଖାଗଲେ ଆପଣ ସାଧାରଣତଃ ଯେଉଁ ଔଷଧ ଖାଆନ୍ତି (ବା ଗୁଗଲ୍‌ରେ ସର୍ଚ୍ଚକରି ଖାଆନ୍ତି), ସେସବୁରୁ ଦୂରରେ ରହନ୍ତୁ। ଡାକ୍ତରଙ୍କ ପରାମର୍ଶରେ ଔଷଧ ବିଷୟରେ ନିଷ୍ପତ୍ତି ନିଅନ୍ତୁ। ତେବେ ଏଭଳି ସ୍ଥିତିରେ ଯେଉଁସବୁ ଔଷଧ ଦିଆ ଯାଉଛି, ତା’ ଭିତରେ ରହୁଛି ୧. ପାରାସିଟାମଲ୍ ୬୫୦ ଏମ୍‌ଜି, ୨. ଭିଟାମିନ୍ ଡି, ୩. ଭିଟାମିନ୍ ସି ଆଦି। ତେବେ ଏ ବିଷୟରେ ଡାକ୍ତରଙ୍କ ପରାମର୍ଶ ନିଶ୍ଚୟ ନିଅନ୍ତୁ।

ତେବେ ସତର୍କ ହୁଅନ୍ତୁ
ଯଦି ଆପଣଙ୍କ ଲକ୍ଷଣ ସବୁ ବୃଦ୍ଧି ପାଏ ବା ଅଧିକ ସମୟ ଜାରିରହେ, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ତା’ବ୍ୟତୀତ ନିମ୍ନ ବିଷୟଗୁଡ଼ିକ ଉପରେ ନଜର ରଖନ୍ତୁ:
୧. ପ୍ରବଳ ଥକା ଲାଗିବା
୨. ୭୨ ଘଣ୍ଟାରୁ ଅଧିକ ସମୟ ଧରି ନିଶ୍ବାସ ପ୍ରଶ୍ବାସରେ ସମସ୍ୟା
୩. ରକ୍ତଚାପ ହଠାତ୍ କମିଯିବା
୪. ସୁଗର୍ ସ୍ତର ହଠାତ୍ ଖସିଯିବା

ଏସବୁ ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ଜଣାନ୍ତୁ ଓ ତାଙ୍କ ପରାମର୍ଶରେ ଅଗ୍ରଗତି କରନ୍ତୁ।

ସମ୍ବନ୍ଧିତ ଖବର