ଓଡ଼ିଆ ପ୍ରଫେସରଙ୍କ ତତ୍ତ୍ୱାବଧାନରେ ଉତ୍ତର ପ୍ରଦେଶରେ ବିକଶିତ ହେଲା ଆଡଭାନ୍ସ ଭାଇରୋଲଜି ଲ୍ୟାବ୍, ଦୈନିକ ହେବ ୫୦୦ ନମୁନା ପରୀକ୍ଷା

ନୂଆଦିଲ୍ଲୀ: କରୋନା ଯାଞ୍ଚ ପାଇଁ ଲକ୍ଷ୍ନୗସ୍ଥିତ ନ୍ୟାସନାଲ୍‌ ବଟାନିକାଲ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ (ଏନ୍‌ବିଆର୍‌ଆଇ)ର ନିର୍ଦ୍ଦେଶକ ତଥା ଓଡ଼ିଆ ପ୍ରଫେସର ସରୋଜକାନ୍ତ ବାରିକଙ୍କ ତତ୍ତ୍ୱାବଧାନରେ ବିକଶିତ ହୋଇଛି ଆଡଭାନ୍ସ ଭାଇରୋଲଜି ଲାବୋରୋଟୋରି । ଆସନ୍ତାକାଲିଠାରୁ ଲକ୍ଷ୍ନୗରେ ଏହି ଲ୍ୟାବରେ କରୋନା ଭାଇରସ ନମୁନା ପରୀକ୍ଷା ଆରମ୍ଭ କରାଯିବ । ଅର୍ଥାତ ସଂଗୃହୀତ ୧୦୦ଟି ନମୂନାର ଯାଞ୍ଚ କରାଯିବ ବୋଲି ‘ସମ୍ବାଦ’ ସହିତ ଏକ ବିଶେଷ କଥାବାର୍ତ୍ତାରେ ଏହି ସୂଚନା ଦେଇଛନ୍ତି ଏନ୍‌ବିଆରଆଇର ନିର୍ଦ୍ଦେଶକ ପ୍ରଫେସର ସରୋଜ କାନ୍ତ ବାରିକ।

ପ୍ରଥମଦିନରେ ୧୦୦ଟି ନମୁନା ଓ  ପରଦିନଠାରୁ ୫୦୦ ନମୁନା ଦୈନଦିନ ପରୀକ୍ଷା କରାଯିବାର ଲକ୍ଷ୍ୟ ନିର୍ଦ୍ଧାରିତ କରାଯାଇଥିବାର ପ୍ରଫେସର ବାରିକ କହିଛନ୍ତି। ଆଇସିଏମ୍‌ଆର, ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଗାଇଡଲାଇନ୍ସ ଅନୁସାରେ ଏନ୍‌ବିଆରଆଇରେ ପ୍ରଥମଥର ପାଇଁ ଉତ୍ତରପ୍ରଦେଶରେ ଏହି ଆଡଭାନ୍ସଡ଼ ଭାଇରୋଲଜି ଲ୍ୟାବ୍ ବିକଶିତ କରାଯାଇଥିବାର ଅବଗତ କରାଇଛନ୍ତି ପ୍ରଫେସର ବାରିକ।

ଉତ୍ତରପ୍ରଦେଶରେ କରୋନା ଭାଇରସ୍‌ ପରୀକ୍ଷା ସଂଖ୍ୟା ଅତ୍ୟନ୍ତ କମ୍‌ ଥିବାରୁ ଏଭଳି ଏକ ପ୍ରୟୋଗଶାଳା ପ୍ରତିଷ୍ଠା କରାଯିବାକୁ ନେଇ ନିଷ୍ପତ୍ତି  ନିଆଯାଇଥିଲା। ପ୍ରଫେସର ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ନିର୍ଦ୍ଦେଶନାରେ ଗବେଷକ ଓ ବୈଜ୍ଞାନିକମାନଙ୍କର ଏକ ଟିମ୍‌ ପାଖାପାଖି ୪୩ଦିନରେ ପ୍ରୟୋଗଶାଳା ସ୍ଥାପନ କରିବାରେ ସଫଳ ହୋଇପାରିଥିଲେ। ଏନ୍‌ବିଆରଆଇରେ ପ୍ଲାଣ୍ଟ ଭାଇରସ୍‌ ଉପରେ ଗବେଷଣା କରାଯାଇଥିବା ବେଳେ ହ୍ୟୁମାନ୍‌ ପାଥୋଜେନିକ୍‌ ଭାଇରସ୍‌ ଉପରେ ପରୀକ୍ଷା ଓ ଗବେଷଣା ପାଇଁ କୌଣସି ବ୍ୟବସ୍ଥା ନଥିଲା। ଏଥିପାଇଁ ଲକ୍ଷ୍ମୌର ପ୍ରତିଷ୍ଠିତ କିଙ୍ଗ୍‌ ଜର୍ଜ ମେଡିକାଲ ବିଶ୍ୱବିଦ୍ୟାଳୟ ସହିତ ଏନ୍‌ବିଆରଆଇର ବୁଝାମଣା ସ୍ୱାକ୍ଷରିତ ହୋଇଥିଲା। ତଦଅନୁସାରେ କିଙ୍ଗ ଜର୍ଜ ମେଡିକାଲ ବିଶ୍ୱବିଦ୍ୟାଳୟ ଏନ୍‌ବିଆରଆଇର ବୈଜ୍ଞାନିକମାନଙ୍କୁ ହ୍ୟୁାମନ ପାଥୋଜେନ୍‌ ଭାଇରସ୍‌ ପରୀକ୍ଷା କରିବା ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କଲେ, ଯାହା ଦ୍ୱାରା କରୋନା ଭାଇରସ୍‌ର ନମୁନା ପରୀକ୍ଷା ପାଇଁ ଏନ୍‌ବିଆରଆଇରେ ଆଡଭାନ୍ସ ଲ୍ୟାବ୍ ସ୍ଥାପନ ହୋଇପାରିଲା ବୋଲି ପ୍ରଫେସର ବାରିକ ସୂଚନା ଦେଇଛନ୍ତି।

ଏନ୍‌ବିଆରଆଇର ଆଡଭାନ୍ସଡ ଭାଇରୋଲଜି ଲ୍ୟାବରେ ଯାହା ନମୁନା ପରୀକ୍ଷଣ କରାଯିବ ତାହା କେବଳ ଉତ୍ତରପ୍ରଦେଶରେ ହିଁ ସୀମିତ ରହିବ ବୋଲି ପ୍ରଫେସର ବାରିକ ସୂଚନା ଦେଇଥିଲେ। ଉଲ୍ଲେଖଯୋଗ୍ୟ, ପ୍ରଫେସର ସରୋଜକାନ୍ତ ବାରିକ ପ୍ଲାଣ୍ଟ ସାଇନ୍ସ ଗବେଷଣାରେ ଗତ ତିରିଶ ବର୍ଷରୁ ଦେଶବିଦେଶରେ ଖ୍ୟାତି ଅର୍ଜ କରିଥିବା ବେଳେ କରୋନା ଭାଇରସ୍‌ ପରୀକ୍ଷଣ ନେଇ ତାଙ୍କର ତତ୍ତ୍ୱାବଧାନରେ ବିକଶିତ ହୋଇଥିବା ପ୍ରୟୋଗଶାଳା ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର