ଓଡ଼ିଶାରେ କରୋନା ଲଢ଼େଇ ଜାରି ରହିଛି। ଏ ପର୍ଯ୍ୟନ୍ତ ରାଜ୍ୟରେ ଗଞ୍ଜାମ ଓ ଖୋର୍ଧା ଜିଲ୍ଲା ସଂକ୍ରମଣ ହଟସ୍ପଟ୍‌ ପାଲଟିଛନ୍ତି। ଦୁଇ ଜିଲ୍ଲାରୁ ଏ ପର୍ଯ୍ୟନ୍ତ ରାଜ୍ୟର ସମୁଦାୟ ସଂକ୍ରମଣର ୨୪ ପ୍ରତିଶତ ରୋଗୀ ଚିହ୍ନଟ ହୋଇଛନ୍ତି। ଖୋର୍ଧାରେ ଯଦିଓ ପ୍ରଥମ କରୋନା ମାମଲା ସାମ୍ନାକୁ ଆସିଥିଲା, ହେଲେ ଦେଶବ୍ୟାପୀ ଲକ୍‌ଡାଉନ୍ ଆରମ୍ଭ ହେବାପରେ ଲକ୍ଷାଧିକ ସଂଖ୍ୟାରେ ପ୍ରବାସୀ ଓଡ଼ିଶା ଫେରିଥିଲେ। ଏଥିରେ ଗଞ୍ଜାମ ଜିଲ୍ଲାକୁ ବହୁ ସଂଖ୍ୟାରେ ପ୍ରବାସୀଙ୍କ ଆଗମନ ହୋଇଥିଲା। ଏହାର କିଛିଦିନ ପରେ ରାଜ୍ୟର କରୋନା ଚିତ୍ର ସଂପୂର୍ଣ୍ଣ ବଦଳି ଯାଇଥିଲା। ରାଜ୍ୟର ପ୍ରଥମ ହଟସ୍ପଟ୍‌ ଜିଲ୍ଲା ପାଲଟିଥିଲା ଗଞ୍ଜାମ। ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ଜିଲ୍ଲାରେ। ଟାୟାର ୧/୨ ସହର ନ ହେବା ସତ୍ବେ ଗଞ୍ଜାମ ଦେଶର ଅନ୍ୟ ସହରମାନଙ୍କଠାରୁ ଅଧିକ ରୋଗୀ ଚିହ୍ନଟ ହେବା ଏକ ଚିନ୍ତାର ବିଷୟ ପାଲଟିଥିଲା। ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଥିଲା ଜିଲ୍ଲାରେ। ଚାହୁଁଚାହୁଁ ଜିଲ୍ଲାରେ ସଂକ୍ରମଣ ୨୦ ହଜାର ଟପିଥିଲା। ‌ହେଲେ ପରବର୍ତୀ ସମୟରେ ସଂକ୍ରମଣ ଖସିଥିଲା ଗଞ୍ଜାମରୁ। ଗଞ୍ଜାମରେ ସଂକ୍ରମଣ କମିଲା ବେଳକୁ ଭୁବନେଶ୍ବର ପାଲଟି ଯାଇଥିଲା ହଟସ୍ପଟ୍‌। ପୁଳା ପୁଳା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ରାଜଧାନୀରେ। ଏପରିକି ଖୋର୍ଧା ଜିଲ୍ଲାରେ ଗୋଟିଏ ଦିନରେ ସଂକ୍ରମଣ ୧ହଜାର ନିକଟବର୍ତୀ ହୋଇଯାଇଥିଲା। ସେପ୍ଟେମ୍ବର ଓ ଅକ୍ଟୋବର ମାସରେ କରୋନା ସଂକ୍ରମଣରେ ଥରିଥିଲା ଭୁବନେଶ୍ବର। ତେବେ ଅକ୍ଟୋବର ଶେଷ ଆଡ଼କୁ ସଂକ୍ରମଣରେ ହ୍ରାସ ଦେଖିବାକୁ ମିଳିଥିଲା। ଭୁବନେଶ୍ବର ଓ ଖୋର୍ଧା ଗ୍ରାମାଞ୍ଚଳରେ ସଂକ୍ରମଣ କମିଥିଲେ ହେଁ, ମୃତ୍ୟୁ ସଂଖ୍ୟା ଜାରି ରହିଛି। ଏକଦା ରାଜ୍ୟର ସର୍ବାଧିକ ମୃତ୍ୟୁ ଥିବା ଗଞ୍ଜାମକୁ ମଧ୍ୟ ଖୋର୍ଧା ଟପିଯାଇଛି।

Advertisment

publive-image Image Courtesy of The Hindu

ପ୍ଲାଜମାଠାରୁ ଫାଭିପିରାଭିର ପର୍ଯ୍ୟନ୍ତ
ସାର୍ସ-କୋଭ-୨ ବା କୋଭିଡ-୧୯ ପାଇଁ ନିର୍ଦ୍ଦିଷ୍ଟ ଭାବେ କୌଣସି ଔଷଧ ଏ ପର୍ଯ୍ୟନ୍ତ ବାହାରି ନାହିଁ। କେବଳ ଲକ୍ଷଣକୁ ନେଇ ରୋଗୀମାନଙ୍କ ଚିକିତ୍ସା କରାଯାଉଛି। ରୋଗୀଙ୍କ ଶରୀରରେ ଭାଇରାଲ ଲୋଡ୍‌ କମାଇବା ଲାଗି ଫାଭିପିରାଭିର ଦିଆଯାଉଛି। ସ୍ବଳ୍ପରୁ ମଧ୍ୟମ ରୋଗୀମାନଙ୍କ ପାଇଁ ଏହା ଉଦ୍ଦିଷ୍ଟ ରହିଛି। ପୂର୍ବରୁ ଏହା କେବଳ କୋଭିଡ ହସ୍ପିଟାଲ ପାଇଁ ଅନୁମତି ଥିବା ବେଳେ ପରବର୍ତୀ ସମୟରେ ରାଜ୍ୟର ୧୨ଶହଟି ‌ଔଷଧ କେନ୍ଦ୍ରରେ ଫାଭିପିରାଭିର ଉପଲବ୍ଧ ହେଉଛି। ଏହାସହ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରୋଗୀମାନଙ୍କ ପାଇଁ ରେମଡେସିଭିର ଓ ଡେକ୍ସାମେଥାସନ୍ ଚିକିତ୍ସା ପାଇଁ ଅନୁମତି ଦିଆଯାଇଛି। ଅପରପକ୍ଷରେ ଗୁରୁତର ରୋଗୀମାନଙ୍କ ପାଇଁ ପ୍ଲାଜମା ଥେରାପି ରାଜ୍ୟରେ ଚାଲୁ ରହିଛି। ଯଦିଓ ପ୍ଲାଜମା ଥେରାପି ଫଳପ୍ରଦ ହେଉ ନଥିବା ନିକଟରେ ଆଇସିଏମ୍‌ଆର ପକ୍ଷରୁ ଘୋଷଣା କରାଯାଇଛି। ମାତ୍ର ଲିଖିତ ଭାବେ ଏ ସଂପର୍କରେ ରାଜ୍ୟ ସରକାରଙ୍କୁ କୌଣସି ସୂଚନା ଦିଆଯାଇ ନ ଥିବାରୁ ସ୍ବାସ୍ଥ୍ୟ ବିଭାଗ ଏହାକୁ ଜାରି ରଖିଛି। ତେଣୁ କରୋନା ରୋଗୀଙ୍କ କ୍ଷେତ୍ରରେ ଏହା କେତେଦୂର ଫଳପ୍ରଦ ହେଉଛି ତାହା ବିବାଦରେ।

କେମିତି କରୋନାରୁ ନିଜକୁ ସୁରକ୍ଷିତ ରଖିବେ
ଆପଣଙ୍କୁ ଏବେ ସୁଦ୍ଧା କରୋନା ହୋଇନି ମାନେ ନୁହେଁ ଯେ, ଆଗକୁ ହେବନି। ଏହା ଯେପରି ବ୍ୟାପୁଛି, ପୁନଃ ସଂକ୍ରମଣ ହେଉଛି ସେଥିରେ ଯେକେହିବି କରୋନା ଆକ୍ରାନ୍ତ ହୋଇପାରନ୍ତି। ତେଣୁ କରୋନା ଯେପରି ଆପଣଙ୍କୁ ନହେବ ସେଥିପାଇଁ ନିଜ ସ୍ତରରେ କିଛି ସତର୍କତା ଅବଲମ୍ବନ କରିବାକୁ ହେବ।

ବାରମ୍ବାର ହାତ ଧୁଅନ୍ତୁ
ନିୟମିତ ଆଲକୋହଲ ଯୁକ୍ତ ହ୍ୟାଣ୍ଡ ରବ କିମ୍ବା ସାବୁନରେ ଅତି କମ୍‌ରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୁଅନ୍ତୁ।

ସାମାଜିକ ଦୂରତା ରଖନ୍ତୁ
କାଶ କିମ୍ବା ଛିଙ୍କୁଥିବା ବ୍ୟକ୍ତିଙ୍କ ଠାରୁ ଅତି କମ୍‌ରେ ୨ ମିଟର (୬ ଫୁଟ) ଦୂରତା ବଜାୟ ରଖନ୍ତୁ। ଯଦି ଆପଣ ଅତି ନିକଟତର ହେବେ ସଂକ୍ରମିତ ହେବାର ସମ୍ଭାବନା ରହିଛି।

ବାରମ୍ବାର ମୁହଁ ଛୁଅନ୍ତୁନି
ହାତ ଦ୍ବାରା ସଂକ୍ରମଣର ସମ୍ଭାବନା ଅଧିକ ରହିଛି। ହାତରୁ ଆଖି, ନାକ କିମ୍ବା ପାଟିକୁ ଭୂତାଣୁ ଯାଇପାରେ ଏବଂ ଆପଣ ଅସୁସ୍ଥ ହୋଇପାରନ୍ତି। ତେଣୁ ମୁହଁକୁ ବାରମ୍ବାର ଛୁଅନ୍ତୁନି।

ଛିଙ୍କିବା ସମୟରେ ଯତ୍ନବାନ ହୁଅନ୍ତୁ
କାଶିବା କିମ୍ବା ଛିଙ୍କିବା ସମୟରେ କହୁଣୀରେ ମୁହଁକୁ ଘୋଡାଇ ରଖନ୍ତୁ କିମ୍ବା ଟିସୁ ବ୍ୟବହାର କରନ୍ତୁ। ଏହାଦ୍ବାରା ଭୂତାଣୁ ଅନ୍ୟ ଜଣଙ୍କୁ ସହଜରେ ଆକ୍ରମଣ କରିବନି।

ମାସ୍କ ପିନ୍ଧିବା ଭୁଲନ୍ତୁ ନାହିଁ
ବାହାରକୁ ଗଲେ ସବୁବେଳେ ମାସ୍କ ପିନ୍ଧନ୍ତୁ। କେବଳ ମାସ୍କ ପିନ୍ଧିଦେଲେ ହେବନି, ଏହାକୁ ଠିକଣା ଭାବେ ପିନ୍ଧନ୍ତୁ। ଯେପରି ନାକ ଓ ପାଟି ସମ୍ପୂର୍ଣ୍ଣ ଘୋଡ଼େଇ ହୋଇ ରହିବ।