‌‌‌କୋଭିଡ୍‌ ପ୍ରଶ୍ନୋତ୍ତର-୪

କରୋନାର ଦ୍ବିତୀୟ ଲହର ଏବେ ଭାରତରେ ଉଗ୍ରରୂପ ଧାରଣ କରିଥିବା ବେଳେ ସାଧାରଣ ଲୋକଙ୍କ ମନରେ ଏହାକୁ ନେଇ ଏବେ ବି ଅନେକଗୁଡ଼ିଏ ଦ୍ବନ୍ଦ୍ବ, ଶଙ୍କା ଜାରି ରହିଛି। ତାହାକୁ ଦୂର କରିବା ପାଇଁ ଏମ୍‌ସର ପୂର୍ବତନ ଚିକିତ୍ସା ବିଶେଷଜ୍ଞମାନଙ୍କୁ ନେଇ ଗଠିତ ‘ଏମ୍‌ସ୨ହେଲ୍‌ଥ ପ୍ରାଇଭେଟ୍‌ ଲିମିଟେଡ୍‌’ ପକ୍ଷରୁ ଏକ ପ୍ରଶ୍ନୋତ୍ତର ପ୍ରସ୍ତୁତ କରାଯାଇଛି। ଏହାକୁ ଲେଖିଛନ୍ତି, ସଂସ୍ଥାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡା. ଜି.ଏସ୍‌ ଜୟା।

୩୧. ମୋର ସଂଗରୋଧ ଅବଧି ପୂରା ହେବା ପରେ ମଧ୍ୟ ମୁଁ ମାସ୍କ ବ୍ୟବହାର ଜାରି ରଖିବା ଆବଶ୍ୟକ କି?
ଉତ୍ତର: ନା, ଯଦି ତୁମେ ତୁମ ଘର ଭିତରେ ରୁହ
ହଁ, ଯଦି ଆପଣ ଘରୁ ବାହାରକୁ ଯାଆନ୍ତି
ହଁ, ଯଦି ଆପଣଙ୍କ ଘରକୁ ପିତାମାତା, ଭାଇଭଉଣୀ, ବନ୍ଧୁବାନ୍ଧବ ବୁଲିବାକୁ ଆସୁଛନ୍ତି।

୩୨. ସଂଗରୋଧ ଅବଧି ଶେଷ ହେବା ପୂର୍ବରୁ ମୁଁ ଆଉଥରେ ଆର୍‌ଟି-ପିସିଆର୍‌ ପରୀକ୍ଷା କରାଇବି କି?
ଉତ୍ତର: ନା। ଯଦି ଆପଣଙ୍କ ନିଯୁକ୍ତିଦାତା, ବିମାନ କିମ୍ବା ଟ୍ରେନ୍‌ରେ ଗମନାଗମନ, ଆପଣ ରହୁଥିବା ସୋସାଇଟି ଆପଣଙ୍କ ‘ନେ‌ଗେଟିଭ୍‌’ ରିପୋର୍ଟ ଆବଶ୍ୟକ କରୁଛନ୍ତି, ତେବେ ଆପଣ କରାଇପାରନ୍ତି। ନଚେତ୍‌ ପରୀକ୍ଷା କରିବାର ଆବଶ୍ୟକତା ନାହିଁ। ଅଧିକନ୍ତୁ, ଆପଣ ରହୁଥିବା ସ୍ଥାନରେ ପ୍ରଶାସନ କିମ୍ବା ସରକାରଙ୍କ ଦ୍ବାରା ପ୍ରଦତ୍ତ ଏ ସଂପର୍କିତ ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

୩୩. କୋଭିଡ୍‌ ଭିନ୍ନ ଅଲଗା ଅସୁସ୍ଥତା ପାଇଁ ମୁଁ ନିୟମିତ ଖାଉଥିବା (କିଛି କିମ୍ବା ସମସ୍ତ) ଔଷଧ ବନ୍ଦ ଦେବା ଉଚିତ କି? ଯଦି ହଁ, କେତେ ଦିନ ପାଇଁ?
ଉତ୍ତର: ସଂକ୍ରମିତ ଅବସ୍ଥାରେ ଏମିତି କିଛି ଔଷଧ ରହିଛି, ଯାହାକୁ ଖାଇବା କିମ୍ବା ନ ଖାଇବା ଦ୍ବାରା ଆପଣଙ୍କ ବିପଦ ବଢ଼ିପାରେ। ତେଣୁ ଡାକ୍ତରଙ୍କ ସହ ଏ ବିଷୟରେ ତେଣୁ ଡାକ୍ତରଙ୍କ ସହ ଏ ବିଷୟରେ ପରାମର୍ଶ କରନ୍ତୁ।

୩୪. କୋଭିଡ୍‌ରୁ ମୁକ୍ତ ହେବା ପରେ ମସ୍ତିଷ୍କ, ଫୁସଫୁସ୍‌ କିମ୍ବା ହୃତ୍‌ପିଣ୍ଡ ଜନିତ ପରବର୍ତ୍ତୀ ସମସ୍ୟାରୁ ବର୍ତ୍ତିବା ପାଇଁ ଡାକ୍ତରଙ୍କୁ ପଚାରି କିମ୍ବା ନିଜେ ବ୍ଲଡ୍‌ ଥିନର୍‌ (ରକ୍ତ ପତଳା) ଔଷଧ ନେବା ଜରୁରୀ କି?
ଉତ୍ତର: କଦାପି ଏମିତି କରନ୍ତୁ ନାହିଁ। ‘ବ୍ଲଡ୍‌ ଥିନର୍‌’ ଔଷଧ ସବୁବେଳେ ଡାକ୍ତରଙ୍କ ପରାମର୍ଶ‌‌ରେ ହିଁ ନେବା ଆବଶ୍ୟକ। ବିନା କାରଣରେ ଓ ଭୁଲ୍‌ ମାତ୍ରାରେ ‘ବ୍ଲଡ୍‌ଥିନର୍‌’ ନେଲେ ସାଂଘାତିକ ସ୍ବାସ୍ଥ୍ୟ ସମସ୍ୟା ଉପୁଜିପାରେ। ଏହାଦ୍ବାରା ଲୋକଙ୍କ ମୃତ୍ୟୁ ମଧ୍ୟ ହୋଇପାରେ।

୩୫. ମୁଁ ଏବେଏବେ କୋଭିଡ୍‌ରୁ ସୁସ୍ଥ ହୋଇଛି। ଟିକା ଏବେ ନେବି ନା କିଛି ଦିନ ପରେ ନେବି? କୋଭିଡ୍‌ ଟିକା ନେବା ପାଇଁ ମୁଁ ମୋର କୌଣସି ମେଡିକାଲ ପରୀକ୍ଷା କରାଇବି କି?
ଉତ୍ତର: ଏନେଇ ଖୁବ୍‌ଶୀଘ୍ର ଭାରତ ସରକାରଙ୍କ ନିର୍ଦ୍ଦେଶାବଳୀ ଆସିପାରେ। ଆମ ପରାମର୍ଶ ଅନୁଯାୟୀ, କୋଭିଡ୍‌ରୁ ସଂପୂର୍ଣ୍ଣ ମୁକ୍ତ ହେବାର ୩ମାସ ପରେ ଟିକା ନେଲେ ଭଲ।

ଟିକା ନେବା ପୂର୍ବରୁ ଦେହରେ କରୋନା ଜନିତ କୌଣସି ସାଧାରଣ ବା ଅସାଧାରଣ ଲକ୍ଷଣ ନଥିଲେ ‘ଆର୍‌ଟି-ପିସିଆର୍‌’ କିମ୍ବା ଅନ୍ୟ କୌଣସି ପରୀକ୍ଷା କରାଇବାର ଆବଶ୍ୟକତା ନାହିଁ।

ଆପଣଙ୍କ ଶରୀରରେ ଅଧିକ ପରିମାଣର ଆଣ୍ଟିବଡ଼ି ଅଛି କି ନାହିଁ, ତାହା ଉପରେ ଧ୍ୟାନ ନ ଦେଇ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଟିକାକରଣର ସମୟ ସ୍ଥିର କରନ୍ତୁ।

୩୬. କୋଭିଡ୍‌ରୁ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଜଣେ ବ୍ୟକ୍ତି ଭିଟାମିନ୍‌ ଡି-୩, ଜିଙ୍କ୍‌, ଆଇରନ୍‌ ଏବଂ ଭିଟାମିନ୍‌ ବି ଓ ସି ଭଳି ବଟିକା ଖାଇବା ବନ୍ଦ କରିଦେବା ଉଚିତ କି?
ଉତ୍ତର: ପ୍ରତ୍ୟେକ ମଣିଷର ଶରୀର ଅନ୍ୟଠାରୁ ଭିନ୍ନ। ତେଣୁ ଉପ‌ରୋକ୍ତ ବଟିକା ସବୁ ଖାଇବା ବନ୍ଦ କରିବା ପୂର୍ବରୁ ଦୟା କରି ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଆପଣଙ୍କ ସ୍ବାସ୍ଥ୍ୟାବସ୍ଥା, ରକ୍ତ ପରୀକ୍ଷାର ଫଳାଫଳ ଓ ଅନ୍ୟାନ୍ୟ ସ୍ବାସ୍ଥ୍ୟ ପ୍ରସଙ୍ଗକୁ ବିଚାରକୁ ନେଇ ଡାକ୍ତର ତାହା ସ୍ଥିର କରିବେ।

୩୭. ଯଦିଓ ମୋର ମଧୁମେହ ନଥିଲା, କୋଭିଡ୍‌ ଚିକିତ୍ସା ସମୟରେ ମୋ ରକ୍ତରେ ଶର୍କରା ସ୍ତର ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇଥିଲା। ଏବେ ମୁଁ କୋଭିଡ୍‌ରୁ ସଂପୂର୍ଣ୍ଣ ସୁସ୍ଥ। ମୁଁ ମୋ ରକ୍ତଶର୍କରା ସ୍ତରକୁ ନିୟମିତ ଭାବେ ତଦାରଖ କରିବି କି?
ଉତ୍ତର: ଏହି ପ୍ରସଙ୍ଗକୁ ନେଇ ଅତ୍ୟଧିକ ଚିନ୍ତା କିମ୍ବା ଖାମଖିଆଲି ହୁଅନ୍ତୁ ନାହିଁ। ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
କୋଭିଡ୍‌ ଆକ୍ରାନ୍ତ ରୋଗୀଙ୍କୁ ଆବଶ୍ୟକସ୍ଥଳେ ଷ୍ଟେରୋଏଡ୍‌ (ଡେକ୍ସାମେଥାସୋନ, ମିଥାଇଲ-ପ୍ରିଡନିସୋନ, ମିଥାଇଲ ପ୍ରେଡନିସୋଲୋନ) ଦ୍ବାରା ଚିକିତ୍ସା କରାଯାଇଥାଏ। ଏହାଦ୍ବାରା ସାମୟିକ ସମୟ ପାଇଁ ଆପଣଙ୍କ ରକ୍ତରେ ଶର୍କରା ସ୍ତର ବୃଦ୍ଧି ପାଇଥାଏ। ଏହି ମେଡିସିନ୍‌ ବନ୍ଦ କରିଦିଆଯିବା ପରେ ପୁଣି ଶର୍କରାସ୍ତର ସ୍ବାଭାବିକ ହୋଇଯାଇଥାଏ।

ଯଦି ତାହା ନ ହୁଏ, ତେବେ ଆପଣଙ୍କ ରକ୍ତର ଶର୍କରା ସ୍ତର ଉପରେ ନଜର ରଖିବାକୁ ପଡ଼ିବ। ଆପଣଙ୍କ ପରିବାରରେ ପିତାମାତା ବା ଭାଇ/ଭଉଣୀ କେହି ମଧୁମେହରେ ପୀଡ଼ିତ, ତେବେ ଆପଣଙ୍କୁ ମଧ୍ୟ ହେବାର ସମ୍ଭାବନା ରହିଛି। କିଛି ଲୋକଙ୍କ କ୍ଷେତ୍ରରେ ଏପରି ଦେଖାଯାଏ ଯେ କୋଭିଡ୍‌ ଚିକିତ୍ସା ବେଳେ ଉପରୋକ୍ତ ଷ୍ଟେରୋଏଡ୍‌ଯୁକ୍ତ ଔଷଧ ଯୋଗୁଁ ଅଗ୍ନାଶୟ (ପାନକ୍ରିୟାଜ୍‌) ଶରୀରର ଆବଶ୍ୟକତା ମୁତାବକ ଇନ୍‌ସୁଲିନ୍‌ ତିଆରି କରିବାରେ ଅସମର୍ଥ ହୋଇଥାଏ।

ସମ୍ବନ୍ଧିତ ଖବର