‌‌‌କୋଭିଡ୍‌ ପ୍ରଶ୍ନୋତ୍ତର-୩

କରୋନାର ଦ୍ବିତୀୟ ଲହର ଏବେ ଭାରତରେ ଉଗ୍ରରୂପ ଧାରଣ କରିଥିବା ବେଳେ ସାଧାରଣ ଲୋକଙ୍କ ମନରେ ଏହାକୁ ନେଇ ଏବେ ବି ଅନେକଗୁଡ଼ିଏ ଦ୍ବନ୍ଦ୍ବ, ଶଙ୍କା ଜାରି ରହିଛି। ତାହାକୁ ଦୂର କରିବା ପାଇଁ ଏମ୍‌ସର ପୂର୍ବତନ ଚିକିତ୍ସା ବିଶେଷଜ୍ଞମାନଙ୍କୁ ନେଇ ଗଠିତ ‘ଏମ୍‌ସ୨ହେଲ୍‌ଥ ପ୍ରାଇଭେଟ୍‌ ଲିମିଟେଡ୍‌’ ପକ୍ଷରୁ ଏକ ପ୍ରଶ୍ନୋତ୍ତର ପ୍ରସ୍ତୁତ କରାଯାଇଛି। ଏହାକୁ ଲେଖିଛନ୍ତି, ସଂସ୍ଥାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡା. ଜି.ଏସ୍‌ ଜୟା।

୨୩. ୬ ମାସ ତଳେ କରୋନାରେ ସଂକ୍ରମିତ ହୋଇ ମୁଁ ଭଲ ହୋଇଥିଲି। ଏବେ ମୋ ଦେହରେ କରୋନାର ଗୋଟିଏ ଲକ୍ଷଣ ଦେଖାଯାଉଛି। ମୁଁ ପୁଣିଥରେ ସଂକ୍ରମିତ ହୋଇପାରେ କି?
ଉତ୍ତର: ସାଂପ୍ରତିକ ପରିସ୍ଥିତିରେ ଆପଣ ମହାମାରୀ କୋଭିଡ୍‌‌ରେ ପୁନର୍ବାର ଆକ୍ରାନ୍ତ ହୋଇପାରନ୍ତି। ଭୂତାଣୁ ପୁରୁଣା କିମ୍ବା ନୂଆ ଷ୍ଟ୍ରେନ୍‌ର ମଧ୍ୟ ହୋଇପାରେ, ସେଥିରେ କିଛି ଯା’ଆସ ନାହିଁ। ଗତଥର ସଂକ୍ରମିତ ହେବାର ଦୁଇରୁ ତିନି ମାସ ପରେ ଯଦି ଆପଣଙ୍କ ମଧ୍ୟରେ କୋଭିଡ୍‌ର କୌଣସି ଲକ୍ଷଣ ଦେଖାଦେଉଛି, ପରୀକ୍ଷା ନ କରାଇବା ପର୍ଯ୍ୟନ୍ତ, ଆପଣ ସଂକ୍ରମିତ ବୋଲି ଭାବିନେବା ଉଚିତ।

୨୪. ୨ ସପ୍ତାହ ତଳେ ମୁଁ କୋଭିଡ୍‌‌ରେ ଆକ୍ରାନ୍ତ ହୋଇଥିଲି। ଯଦିଓ ସବୁ କିଛି ଠିକ୍‌ ଅଛି, ଏବେ ସାମାନ୍ୟ କାଶ ଓ ଦେହରେ ସାମାନ୍ୟ ଜ୍ବର ରହିଛି। ବର୍ତ୍ତମାନ ମୁଁ କ’ଣ କରିବି?
ଉତ୍ତର: ଏହା ସମ୍ଭବ ଯେ, ଆପଣ କୋଭିଡ୍‌ରେ ଆକ୍ରାନ୍ତ ଥିବା ସମୟରେ ଭୂତାଣୁ ଆପଣଙ୍କ ଫୁସ୍‌ଫୁସ୍‌କୁ ଅତ୍ୟନ୍ତ ଦୁର୍ବଳ କରିଥାଇପାରେ। ଏହାଦ୍ବାରା ଆପଣଙ୍କ ଫୁସ୍‌ଫୁସ୍‌ରେ ଦ୍ବିତୀୟଥର ପାଇଁ ବ୍ୟାକ୍ଟେରିଆ ଜନିତ ସଂକ୍ରମଣ ହୋଇଥାଇପାରେ। ତେଣୁ ଡାକ୍ତରଙ୍କ ସହ ପରାମର୍ଶ କରି କିଛି ରକ୍ତ ପରୀକ୍ଷା କରାଇବା ସହ ଆଣ୍ଟିବାୟୋଟିକ୍‌ ଖାଆନ୍ତୁ।

ଧ୍ୟାନ ଦେବାର କଥା ହେଲା, କୋଭିଡ୍‌ରୁ ମୁକ୍ତ ହେବା ପରେ ମଧ୍ୟ କିଛି ରୋଗୀଙ୍କ ମଧ୍ୟରେ କିଛି ସପ୍ତାହ କିମ୍ବା କିଛି ମାସ ପାଇଁ ସାମାନ୍ୟ ଜ୍ବର ଏବଂ ଅନ୍ୟାନ୍ୟ କିଛି ସାଧାରଣ ଲକ୍ଷଣ ଦେଖାଦେଇପାରେ। ତେଣୁ ଅବହେଳା ନ କରି ଡାକ୍ତରଙ୍କ ସହ ପରାମର୍ଶ ଜରୁରୀ।

୨୫. ଗତ ୩ ଦିନ ହେଲା ମୁଁ କୋଭିଡ୍‌‌ରେ ଆକ୍ରାନ୍ତ ହୋଇଛି। ଦେହରେ ଜ୍ବର ଓ କାଶ ହେଉଛି। ମୁଁ କୌଣସି ଔଷଧ ଖାଇବା ଆବଶ୍ୟକ କି?
ଉତ୍ତର: ସାମାନ୍ୟ ଜ୍ବର ଓ କାଶ (ଯାହା କଷ୍ଟଦାୟକ ନୁହେଁ), କିଛି କରନ୍ତୁ ନାହିଁ କିମ୍ବା ସରଳ ଘରୋଇ ଉପଚାର କରିବାକୁ ଚେଷ୍ଟା କରନ୍ତୁ। କିନ୍ତୁ ଜ୍ବର ୧୦୧ ଡିଗ୍ରି ଅତିକ୍ରମ କଲେ, ପାରାସିଟାମଲ୍‌ ବଟିକା (୫୦୦ରୁ ୬୫୦ମିଗ୍ରା) ଦିନକୁ ଥରେ ଖାଇପାରନ୍ତି। ଏହାବ୍ୟତୀତ ଅନ୍ୟ କୌଣସି ମେଡିସିନ୍‌ ଖାଇବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। କାରଣ ସାଧାରଣ ଔଷଧଗୁଡ଼ିକର ମଧ୍ୟ ଯକୃତ ଓ କିଡ୍‌ନି ଉପରେ ସାଂଘାତିକ କୁ-ପ୍ରଭାବ ରହିଛି।

୨୬. ମୁଁ କୋଭିଡ୍‌ ପଜିଟିଭ୍‌। ମୋର ପ୍ରବଳ ମୁଣ୍ଡବିନ୍ଧା ସାଙ୍ଗକୁ ଖାଇବାରେ କଷ୍ଟ ଏବଂ କ୍ରମାଗତ ବାନ୍ତି ହେଉଛି। କ’ଣ କରିବି?
ଉତ୍ତର: ଦେହରେ ଜ୍ବର ନଥାଇ ଏପରି ସମସ୍ୟା ଦେଖାଦେଲେ ସତର୍କ ହୋଇଯାଆନ୍ତୁ। ଭୂତାଣୁ ଯୋଗୁଁ ଆପଣଙ୍କ ମସ୍ତିଷ୍କ ଗୁରୁତର ଅସୁସ୍ଥ ହେବାର ଏହା ସଂକେତ ହୋଇପାରେ। ତେଣୁ ଆପଣଙ୍କୁ ନିକଟସ୍ଥ କୋଭିଡ୍‌ ହସ୍ପିଟାଲକୁ ଯିବାକୁ ପଡ଼ିପାରେ। ଏହି ସମୟରେ ନିଜକୁ ଯଥାସମ୍ଭବ ଶାନ୍ତ ରଖନ୍ତୁ, ନଚେତ୍‌ ଚିନ୍ତା ଆପଣଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଅଧିକ ବିଗାଡ଼ି ଦେଇପାରେ। ଫୋନ୍‌ କିମ୍ବା ଭିଡିଓ-କଲ୍‌ ଯୋଗେ ଡାକ୍ତରଙ୍କ ପରାମର୍ଶ କରନ୍ତୁ।

ଡାକ୍ତରଙ୍କ ପରାମର୍ଶରେ ଡାକ୍ତରଖାନା ଯିବାକୁ ପଡ଼ିଲେ, ପ୍ରଚୁର ପାଣି ପିଅନ୍ତୁ। ବେଳେବେଳେ ଶରୀରରେ ଜଳୀୟ ଅଂଶର ବୃଦ୍ଧି ବାନ୍ତି, ମୁଣ୍ଡବିନ୍ଧାକୁ ଲାଘବ କରିବାରେ ସହାୟକ ହୋଇଥାଏ। ସେହିପରି ବେ‌େଳବେଳେ ଅତ୍ୟଧିକ ଚିନ୍ତା ଯୋଗୁଁ ଭୟଙ୍କର ମୁଣ୍ଡବିନ୍ଧା ହୋଇଥାଏ। ସେପରି ସ୍ଥଳେ ହାତରେ ମାସାଜ୍‌ ଦ୍ବାରା ମୁଣ୍ଡବିନ୍ଧା ଭଲ ହୋଇପାରେ। ଆପଣ ପାରାସିଟାମଲ୍‌ର ଗୋଟିଏ ଟାବଲେଟ୍‌ କିମ୍ବା ଡାକ୍ତରଙ୍କ ପରାମର୍ଶରେ ଗୋଟିଏ ପେରିନୋର୍ମ କିମ୍ବା ଓଣ୍ଡେମ୍‌ ବଟିକା ଖାଇପାରନ୍ତି।

୨୭. ମୁଁ କୋଭିଡ୍‌-୧୯ ପଜିଟିଭ୍‌। ମୋତେ କେତେଦିନ ସଂଗରୋଧରେ ରହିବାକୁ ପଡ଼ିବ?
ଉତ୍ତର: ଆପଣ ରହୁଥିବା ରାଜ୍ୟର ସାଂପ୍ରତିକ ନିର୍ଦ୍ଦେଶାବଳୀ ମାନନ୍ତୁ। ନଚେତ୍‌ କୋଭିଡ୍‌ ଲକ୍ଷଣ ଆରମ୍ଭର ୧୭ଦିନ ଅଥବା ଯେଉଁଦିନଠାରୁ ଆପଣଙ୍କ ଜ୍ବର ଛାଡ଼ିଛି (ବିନା ଔଷଧ ଖାଇ), ତା’ର ୧୦ ଦିନ ପରେ। ଏହା ପରେ ବି ଯଦି ମନ‌ରେ ଦ୍ବନ୍ଦ୍ବ ରହୁଛି, ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

୨୮. ମୁଁ କୋଭିଡ୍‌ ପଜିଟିଭ୍‌। ସଂଗରୋଧରେ ରୁମ୍‌ରେ ଥିବା ବେଳେ ମାସ୍କ ପିନ୍ଧିବା ଆବଶ୍ୟକ କି?
ଉତ୍ତର: ନା, ରୁମ୍‌ରେ ଏକୁଟିଆ ଥିଲେ କିମ୍ବା କେହି ତୁମ ରୁମ୍‌କୁ ଯା’ଆସ କରୁନାହାନ୍ତି। ତେବେ ତୁମର ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ। କିନ୍ତୁ କୋଭିଡ୍‌ ଲକ୍ଷଣ ନଥିବା ବ୍ୟକ୍ତିଙ୍କ ସହ ଯଦି ତୁମେ ଗୋଟିଏ ରୁମ୍‌ରେ ରୁହ, ତେବେ ମାସ୍କ ପିନ୍ଧିବା ନିହାତି ଆବଶ୍ୟକ।

୨୯. ମୁଁ ଜଣେ ୨ ବର୍ଷ ଛୁଆର ମା’ ଓ ମୁଁ କୋଭିଡ୍‌ ଆକ୍ରାନ୍ତ। ମୋ ସାଥୀରେ ମୋ ଛୁଆ ରହିପାରିବ ନା ଅଲଗା ରହିବା ଜରୁରୀ।
ଉତ୍ତର: ସମ୍ଭବ ହେଲେ, ଶିଶୁକୁ ଅଲଗା ରଖାଯିବା ଉଚିତ। ଏକାଠି ରହିଲେ, ଉଭୟ ମା’ ଓ ଶିଶୁ ଦୁଇଟି ଲେଖାଏଁ ମାସ୍କ ପିନ୍ଧିବା ଜରୁରୀ। ଯଥାସମ୍ଭବ ମା’ ଓ ଶିଶୁ ସାମାଜିକ ଦୂରତା ଅବଲମ୍ବନ କରିବା ଉଚିତ। ଘରର ଝରକାଗୁଡ଼ିକୁ ଖୋଲା ରଖନ୍ତୁ।

୩୦. ଯଦି ଗୋଟିଏ ପରିବାରର ଦୁଇ କିମ୍ବା ଅଧିକ ସଦସ୍ୟ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥା’ନ୍ତି, ସେମାନେ ଗୋଟିଏ କୋଠରିରେ ରହିପାରିବେ କି?
ଉତ୍ତର: ହଁ, ରହିପାରିବେ। (କ୍ରମଶଃ…)

ସମ୍ବନ୍ଧିତ ଖବର