‌‌‌କୋଭିଡ୍‌ ପ୍ରଶ୍ନୋତ୍ତର-୨

କରୋନାର ଦ୍ବିତୀୟ ଲହର ଏବେ ଭାରତରେ ଉଗ୍ରରୂପ ଧାରଣ କରିଥିବା ବେଳେ ସାଧାରଣ ଲୋକଙ୍କ ମନରେ ଏହାକୁ ନେଇ ଏବେ ବି ଅନେକଗୁଡ଼ିଏ ଦ୍ବନ୍ଦ୍ବ, ଶଙ୍କା ଜାରି ରହିଛି। ତାହାକୁ ଦୂର କରିବା ପାଇଁ ଏମ୍‌ସର ପୂର୍ବତନ ଚିକିତ୍ସା ବିଶେଷଜ୍ଞମାନଙ୍କୁ ନେଇ ଗଠିତ ‘ଏମ୍‌ସ୨ହେଲ୍‌ଥ ପ୍ରାଇଭେଟ୍‌ ଲିମିଟେଡ୍‌’ ପକ୍ଷରୁ ଏକ ପ୍ରଶ୍ନୋତ୍ତର ପ୍ରସ୍ତୁତ କରାଯାଇଛି। ଏହାକୁ ଲେଖିଛନ୍ତି, ସଂସ୍ଥାର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଡା. ଜି.ଏସ୍‌ ଜୟା।

୧୧. ଶରୀରରେ ଏମିତି କି’ ଲକ୍ଷଣ ଦେଖାଦେଲେ, ଜଣେ ଏହାକୁ ଗୁରୁତ୍ବର ସହ ନେଇ କୋଭିଡ୍‌ ପରୀକ୍ଷା କରାଇବ?
ଉତ୍ତର: ସେମିତି ନିର୍ଦ୍ଦିଷ୍ଟ ଭାବେ ତ କୌଣସି ଗୋଟିଏ ଲକ୍ଷଣ କହିହେବ ନାହିଁ। କିନ୍ତୁ ସାଧାରଣ କିମ୍ବା ଅସାଧାରଣ ଲକ୍ଷଣଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏ କିମ୍ବା ଏକାଧିକ ଦେଖାଦେଲେ, ଏହାକୁ ଗୁରୁତ୍ବର ସହ ନେବାକୁ ପଡ଼ିବ। ଜଣେ ଆକ୍ରାନ୍ତଙ୍କ ଶରୀରରେ ଲକ୍ଷଣଗୁଡ଼ିକ ଏକାସଙ୍ଗେ କିମ୍ବା ଗୋଟିଏ ପରେ ଗୋଟିଏ ମଧ୍ୟ ଦେଖାଦେଇପାରେ।

୧୨. ମୋ ପତ୍ନୀ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋ ନିକଟରେ କୌଣସି ଲକ୍ଷଣ ନାହିଁ। ମୁଁ ନିଜର ପରୀକ୍ଷା କରାଇନେବା ଉଚିତ?
ଉତ୍ତର: ଏମିତି ପରିସ୍ଥିତି ଉପୁଜିଲେ, ପ୍ରଥମେ ନିଜକୁ ସଂଗରୋଧ କରନ୍ତୁ। କୌଣସି ଲକ୍ଷଣ ଦେଖାଯିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ସାଧାରଣ କିମ୍ବା ଅସାଧାରଣ ଲକ୍ଷଣ ଶରୀରରେ ଦେଖାଦେବାର ୩ରୁ ୫ଦିନ ପରେ ନିଜର କୋଭିଡ୍‌ ପରୀକ୍ଷା କରାନ୍ତୁ।

ପରିବାରରେ ଆପଣଙ୍କ ସ୍ତ୍ରୀଙ୍କ ବ୍ୟତୀତ ଯଦି ଅନ୍ୟ କେହି ନାହାନ୍ତି ଓ ଆପଣଙ୍କୁ ହିଁ ତାଙ୍କ ସେବା ଶୁଶ୍ରୂଷା କରିବାକୁ ପଡ଼ୁଛି, ସେ କ୍ଷେତ୍ରରେ କୌଣସି ଲକ୍ଷଣ ବିକଶିତ ହେବା ପର୍ଯ୍ୟନ୍ତ ଅପେକ୍ଷା ନ କରି ନିଜର କୋଭିଡ୍‌ ପରୀକ୍ଷା କରାଇ ନିଅନ୍ତୁ। ଯଦି ଆପଣଙ୍କର ବି ରିପୋର୍ଟ ପଜିଟିଭ୍‌ ବାହାରିଲା, ତେବେ ଦୁହେଁ ଗୋଟିଏ ରୁମ୍‌ରେ ଚଳପ୍ରଚଳ କରିବାରେ କିଛି ଅସୁବିଧା ନାହିଁ। ସେ କ୍ଷେତ୍ରରେ ସାମାଜିକ ଦୂରତା ଅବଲମ୍ବନ କରିବାର ଆବଶ୍ୟକତା ନାହିଁ। କିନ୍ତୁ ଉଭୟ ମାସ୍କ ପିନ୍ଧିଲେ ଭଲ।

୧୩. ମୋ ନାକରୁ ପାଣି ଗଳୁଛି ଓ ମୋତେ ଜ୍ବର ହୋଇଛି। ମୁଁ କୋଭିଡ୍‌ ପରୀକ୍ଷା କରିବି କି?
ଉତ୍ତର: ହଁ, ପ୍ରଥମେ ନିଜକୁ ଅଲଗା କର। ତିନି ଦିନ ଅପେକ୍ଷା କରିବା ପରେ କୋଭିଡ୍‌ ପରୀକ୍ଷା କରାଇନିଅ।

୧୪. ମୋତେ ଆଜି ଜ୍ବର ହୋଇଛି। ଏହା କରୋନା ହୋଇପାରେ। ମୁଁ କେବେ ଆର୍‌ଟି-ପିସିଆର୍‌ ପରୀକ୍ଷା କରାଇବି? ତୁରନ୍ତ ନା କିଛି ଦିନ ପରେ?
ଉତ୍ତର: ପ୍ରଥମେ ନିଜକୁ ଅଲଗା କର। ତିନିଦିନ ଅପେକ୍ଷା କର ଏବଂ ତା’ପରେ ପରୀକ୍ଷା କରାଅ।

୧୫. ଯଦି ଆର୍‌ଟି-ପିସିଆର୍‌ ରିପୋର୍ଟ ପଜିଟିଭ୍‌ ଆସେ, ମୁଁ କୋଭିଡ୍‌ରେ ସଂକ୍ରମିତ ବୋଲି ପୂରା ନିଶ୍ଚିତ ହୋଇଯିବି?
ଉତ୍ତର: ରିପୋର୍ଟକୁ ସନ୍ଦେହ କରନ୍ତୁ ନାହିଁ। ଯଦି ଆର୍‌ଟି-ପିସିଆର୍‌ ରିପୋର୍ଟ ପଜିଟିଭ୍‌ ଆସେ, ତେବେ ଆପଣ କୋଭିଡ୍‌ ଆକ୍ରାନ୍ତ ବୋଲି ନିଶ୍ଚିତ ହୋଇଯାଆନ୍ତୁ ଓ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ସତର୍କତା ଓ ପଦକ୍ଷେପ ଗ୍ରହଣ କରନ୍ତୁ।

୧୬. ଆର୍‌ଟି-ପିସିଆର୍‌ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ବି ମୁଁ କୋଭିଡ୍‌ରେ ପୀଡ଼ିତ ଥାଇପାରେ କି?
ଉତ୍ତର: ହଁ ଆପଣ ହୋଇପାରନ୍ତି। ଯଦି ଖୁବ୍‌ଶୀଘ୍ର କିମ୍ବା ଡେରିରେ ଆପଣଙ୍କ ପରୀକ୍ଷା ହୋଇଥିବ କିମ୍ବା ନମୁନା (ନାକ କିମ୍ବା ଗଳାରୁ ସ୍ବାବ୍‌) ଠିକ୍‌ ଭାବେ ସଂଗୃହୀତ ହୋଇନଥିବ।

୧୭. ଆର୍‌ଟି-ପିସିଆର୍‌ ପରୀକ୍ଷା ରିପୋର୍ଟ ମୋର ନେଭେଟିଭ୍‌ ଆସିଛି। କିନ୍ତୁ ଏବେ ମୋ ଦେହ‌ରେ ଜ୍ବର ଅଛି। ମୁଁ ଆଉଥରେ ଆର୍‌ଟି-ପିସିଆର୍‌ ପରୀକ୍ଷା କରାଇବି କି?
ଉତ୍ତର: ହଁ, ଆଉଥରେ କରାଇନେବା ଉଚିତ। ପ୍ରଥମ ଲକ୍ଷଣ ଦେଖାଦେବାର ୩ରୁ ୫ ଦିନ ପରେ କିମ୍ବା ନେଗେଟିଭ୍‌ ରିପୋର୍ଟ ପାଇବାର ପରଦିନ; ଯେଉଁଟା ବି ବିଳମ୍ବରେ ପଡ଼ିବ।

୧୮. ଆର୍‌ଟି-ପିସିଆର୍‌ ପରୀକ୍ଷା ରିପୋର୍ଟ ପାଇବା ପାଇଁ ଅପେକ୍ଷାକୃତ ବେଶି ସମୟ ଲାଗିଥାଏ। ମୁଁ ଏହା ବଦଳରେ ରାପିଡ୍‌-ଆଣ୍ଟିଜେନ୍‌ ପରୀକ୍ଷା କରାଇପାରିବି କି?
ଉତ୍ତର: କରାଇବାରେ କିଛି ଅସୁବିଧା ନାହିଁ। କିନ୍ତୁ ଧ୍ୟାନ ଦେବା ଉଚିତ ଯେ ଯଦି ରାପିଡ୍‌-ଆଣ୍ଟିଜେନ୍‌ ରିପୋର୍ଟ ‘ପଜିଟିଭ୍‌’ ଆସୁଛି, ତେବେ ଆଉ ଆର୍‌ଟି-ପିସିଆର୍‌ ପରୀକ୍ଷାର ଆବଶ୍ୟକତା ନାହିଁ। କିନ୍ତୁ ରିପୋର୍ଟ ‘ନେ‌ଗେଟିଭ୍‌’ ଆସିଲେ, ଯଥାଶୀଘ୍ର ଆର୍‌ଟି-ପିସିଆର୍‌ ପରୀକ୍ଷା କରାଇବାକୁ ପଡ଼ିବ।

୧୯. ଯଦି ‘ସିପିଏନ୍‌ଏଏଟି’ ପରୀକ୍ଷାରେ କୋଭିଡ୍‌ ପଜିଟିଭ୍‌ ଆସିଛି, ମୋତେ ଆଉ ଆର୍‌ଟି-ପିସିଆର୍‌ ପରୀକ୍ଷା କରାଇବା ଦରକାର?
ଉତ୍ତର: ନା, ଆବଶ୍ୟକତା ନାହିଁ।

୨୦. ମୋ ‘ଆର୍‌ଟି-ପିସିଆର୍‌’ ରିପୋର୍ଟରେ ‘ଡିଟେକ୍ଟେଡ୍‌’ ଉଲ୍ଲେଖ ଅଛି। ଏହାର ଅର୍ଥ ମୁଁ ସଂକ୍ରମିତ କି? ଯଦି ମୁଁ ସଂକ୍ରମିତ, ଲକ୍ଷଣ ନଥାଇ ମଧ୍ୟ ମୋ ଘରର ସଦସ୍ୟମାନଙ୍କ ଆର୍‌ଟି-ପିସିଆର୍‌ ପରୀକ୍ଷା କରାଇବି କି?
ଉତ୍ତର: ରିପୋର୍ଟରେ ‘ଡିଟେକ୍ଟେଡ୍‌’ ଲେଖା ହେବାର ଅର୍ଥ ଆପଣ କରୋନା ସଂକ୍ରମିତ। ତେବେ ପରିବାରର ଅନ୍ୟ ସଦସ୍ୟମାନେ ସେମାନଙ୍କ ଦେହରେ ଲକ୍ଷଣ ଦେଖାଦେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ପ୍ରଥମ ଲକ୍ଷଣ ଦେଖାଦେବାର ୩ରୁ ୫ ଦିନ ମଧ୍ୟରେ ପରୀକ୍ଷା କରାଇ‌ନେବା ଉଚିତ। ପ୍ରଥମ ଲକ୍ଷଣ ଜ୍ବର ହୋଇପାରେ କିମ୍ବା ଅନ୍ୟ କିଛି ବି ହୋଇପାରେ।

୨୧. ମୁଁ କୋଭିଡ୍‌ ସଂକ୍ରମିତ। ମୋ ପତ୍ନୀ ଦେହରେ ଜ୍ବର (୯୯ଡିଗ୍ରି) ରହିଛି। ସେ କରୋନା ପରୀକ୍ଷା କରାଇବା ଉଚିତ କି?
ଉତ୍ତର: ହଁ ଶୀଘ୍ର କରାଇନେବା ଉଚିତ।

୨୨. ମୋ ପୁଅର ଆର୍‌ଟି-ପିସିଆର୍‌ ପରୀକ୍ଷା ରିପୋର୍ଟ ‘ପଜିଟିଭ୍‌’। ପରିବାରର ଅନ୍ୟମାନେ ଯେପରି ସଂକ୍ରମିତ ନ ହେବେ, ସେଥିପାଇଁ କିଛି ମେଡିସିନ୍‌ ଖାଇବା ଆବଶ୍ୟକ କି?
ଉତ୍ତର: କରୋନା ସଂକ୍ରମଣକୁ ରୋକିବା ପାଇଁ କୌଣସି ଔଷଧ ନାହିଁ। କିନ୍ତୁ ଭୟଭୀତ ହୁଅନ୍ତୁ ନାହିଁ। ଅଣପରୀକ୍ଷିତ ମେଡିସିନ୍‌ ଅଥବା ଗରମ ପାଣି, ‘କାଢ଼ା’ ‘ନାକରେ ଗରମ ବାମ୍ଫ‌ନେବା’ ଭଳି ଘରୋଇ ଉପଚାର ବେଶି ମାତ୍ରାରେ କରନ୍ତୁ ନାହିଁ। ଭୟଭୀତ ହୋଇ ଅଯଥାରେ ଏଭଳି ଉପଚାର ଅଧିକ କଲେ, ତାହା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ।
ଯଦିଓ କିଛି ସ୍ବାସ୍ଥ୍ୟ ବିଶେଷଜ୍ଞ ସପ୍ତାହକୁ ଥରେ ଆଇଭର୍‌ମେକ୍ଟିନ୍‌-୧୨ମି.ଗ୍ରା ବଟିକା ଖାଇବାକୁ କୁହନ୍ତି, କିନ୍ତୁ ଆମେ (ଏମ୍‌ସ୨ହେଲ୍‌ଥ ପ୍ରାଇଭେଟ୍‌ ଲିମିଟେଡ୍‌) ଏପରି ଔଷଧକୁ ସୁପାରିଶ କରୁନାହୁଁ। ସେହିପରି ‘ଆଜିଥ୍ରୋମାଇସିନ୍‌’ ଭଳି ଅନ୍ୟ ଔଷଧ ମଧ୍ୟ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ପାର୍ଶ୍ବପ୍ରତିକ୍ରିୟା ସ୍ବରୂପ, ଏହା ଆପଣଙ୍କ ହୃଦ୍‌ସ୍ପନ୍ଦନ ଉପରେ ପ୍ରଭାବ ପକାଇପାରେ। ହୃଦ୍‌ସ୍ପନ୍ଦନ (ସ୍ବାଭାବିକ ମିନିଟ୍‌ ପ୍ରତି ୬୦ରୁ ୧୦୦ଥର)ରୁ କମ୍‌ କିମ୍ବା ଅଧିକ ହୋଇପାରେ।

‌ତେଣୁ ଔଷଧ ଖାଇବା ଉପରେ ବେଶି ଧ୍ୟାନ ନ ଦେଇ ସାମାଜିକ ଦୂରତା ରକ୍ଷା କରନ୍ତୁ। ଅନ୍ୟ ଯେଉଁମାନଙ୍କ ମଧ୍ୟରେ ଏକ କିମ୍ବା ଏକାଧିକ ଲକ୍ଷଣ ଦେଖାଯାଉଛି, ସେମାନଙ୍କୁ ଅନ୍ୟ ଏକ ରୁମ୍‌ରେ ସଂଗରୋଧରେ ରଖନ୍ତୁ। କିନ୍ତୁ ଯଦି ସେ ସୁବିଧା ନାହିଁ, ଅର୍ଥାତ୍‌ ଆପଣଙ୍କ ପାଖେ ପର୍ଯ୍ୟାପ୍ତ ରୁମ୍‌ ନାହିଁ, ତେବେ ସମସ୍ତେ ସବୁବେଳେ ଦୁଇଟି ମାସ୍କ ପିନ୍ଧନ୍ତୁ, ସମୟ ଅନ୍ତରାଳରେ ସାବୁନ୍‌ରେ ହାତ ଧୁଅନ୍ତୁ ଓ ସାନିଟାଇଜ୍‌ କରନ୍ତୁ। (କ୍ରମଶ…)

ସମ୍ବନ୍ଧିତ ଖବର