ନୂଆଦିଲ୍ଲୀ:  ସମଗ୍ର ବିଶ୍ୱ ଏବେ କରୋନାଭାଇରସ୍‌ ମହାମାରୀ ଯୋଗୁଁ ଭୟାନକ ସ୍ବାସ୍ଥ୍ୟ ସଙ୍କଟ ଦେଇ ଗତି କରୁଛି। କରୋନାଭୂତାଣୁ ଠାବ ହେବାର ୭ ମାସ ପରେ ବି ଏହାର ମୁକାବିଲା ପାଇଁ କୌଣସି ପ୍ରମାଣଯୋଗ୍ୟ ଫଳପ୍ରଦ ଉପାୟ ବାହାରି ପାରିନାହିଁ। ଭାଇରସ୍‌ ନିୟନ୍ତ୍ରଣ ପାଇଁ ସବୁ ଦେଶ ଯୁଦ୍ଧସ୍ତରରେ ପ୍ରୟାସ ଜାରି ରଖିଛନ୍ତି। ଏଭଳି ସ୍ଥିତିରେ କେରାନାଭାଇରସ୍‌କୁ ହରାଇବା ପାଇଁ କେବଳ ଟିକା ହିଁ ଏହାର ରାମବାଣ ହେବ ବୋଲି କୁହାଯାଉଛି। ବିଶ୍ବବାସୀ ଟିକା ପାଇଁ ବ୍ୟାକୁଳ ଭାବେ ପ୍ରତୀକ୍ଷା କରିଛନ୍ତି। ତେବେ ଆଜି ପର୍ଯ୍ୟନ୍ତ କୌଣସି କରୋନା ଟିକାର ନୈଦାନିକ ପରୀକ୍ଷଣ ସଂପୂର୍ଣ୍ଣ ହୋଇନାହିଁ। ତେବେ ଏଭଳି ଟିକା ବିକଶିତ କରିବା ପାଇଁ ଅହରହ ପ୍ରୟାସ ଜାରି ରହିଛି ।

Advertisment

ଗତ ଫେବ୍ରୁଆରିରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଥିଲା ୧୮ ମାସ ମଧ୍ୟରେ କରୋନାର ମୁକାବିଲା ପାଇଁ ଟିକା ଉପଲବ୍ଧ ହେବ। ମହମାରୀ ଦିନକୁ ଦିନ ଉଗ୍ର ରୂପ ନେଉଥିବାରୁ ଟିକା ପ୍ରସ୍ତୁତି କାର୍ଯ୍ୟ ମଧ୍ୟ ଯୁଦ୍ଧସ୍ତରରେ ଚାଲିଛି। ବିଶ୍ବବ୍ୟାପୀ ପ୍ରାୟ ୮ ଶହ କୋଟି ଡଲାର ଏଥିରେ ନିବେଶ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଜଣାପଡ଼ିଛି। କେତେକ ସଂସ୍ଥା ଦାବି କରିଛନ୍ତି ଯେ ୨୦୨୧ ଆରମ୍ଭରେ ଏହି ଟିକା ଉପଲବ୍ଧ କରାଯିବାକୁ ଲକ୍ଷ୍ୟ ରହିଛି। ଅନ୍ୟପକ୍ଷରେ ସଂକ୍ରମଣ ରୋକିବା ପାଇଁ ବିଶ୍ବର କେତେକ ଜଣାଶୁଣା ଫାର୍ମାକମ୍ପାନି ଚଳିତ ବର୍ଷ ଶେଷ ସୁଦ୍ଧା ହିଁ ଟିକା ଆସିପାରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଭାରତ ମଧ୍ୟ କୋଭିଡ୍‌ ଟିକା ପ୍ରସ୍ତୁତ କରିବା ପାଇଁ ବ୍ୟାପକ ପ୍ରୟାସ ଜାରି ରଖିଛି ଏବଂ ଟିକାର ମାନବ ପରୀକ୍ଷଣ ପର୍ଯ୍ୟାୟ ଜାରି ରହିଛି।

publive-image Technology Networks

ଭାରତରେ ପ୍ରାରମ୍ଭିକ ସଫଳତା
ଗତ ୧୫ ତାରିଖରୁ ଭାରତୀୟ ଭେଷଜ କମ୍ପାନି ଭାରତ ବାୟୋଟେକ୍‌ ଇଣ୍ଟରନାସନାଲ୍‌ ଲି. ଦ୍ବାରା ପ୍ରସ୍ତୁତ ଦେଶର ପ୍ରଥମ କୋଭିଡ୍‌ ଟିକା କୋଭାକ୍ସିନ୍‌ର ପ୍ରଥମ ପର୍ଯ୍ୟାୟ ମାନବୀୟ ପରୀକ୍ଷଣ ଆରମ୍ଭ ହୋଇଥିବା ବେଳେ ଏଥିରେ ଦେଶର ମୋଟ ୧୨ଟି ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ରରେ ୩୭୫ ଜଣ ସ୍ବେଚ୍ଛାସେବୀଙ୍କୁ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ପ୍ରଥମରୁ ଏହାର ସଫଳତା ବେଶ ବାରି ହୋଇଥିବା କମ୍ପାନି କହିଛି। ତେବେ ଏହି ଟିକାର ବିଶେଷତ୍ବ ହେଲା, ପୁଣେ ସ୍ଥିତ ଜାତୀୟ ଭୂତାଣୁ ବିଜ୍ଞାନ ପ୍ରତିଷ୍ଠାନ ଦ୍ବାରା କରୋନାଭୂତାଣୁର ମୃତ ନମୁନାରୁ ହିଁ ଏହାର ମୁଖ୍ୟ ଉପାଦାନକୁ ଉଦ୍ଧୃତ କରାଯାଇଛି। ସେହିପରି ଭାରତ ବାୟୋଟେକ୍‌ ଏହାର ହାଇଦ୍ରାବାଦ ସ୍ଥିତ ଜିନୋମ୍‌ ଭ୍ୟାଲି କାରଖାନାରେ ଉକ୍ତ ନିଷ୍କ୍ରିୟ ଟିକାର ବାହକ ବାହାର କରିଥିଲା। ଏହା ଏକ ମୃତ ଭୂତାଣୁ ଉପରେ ପର୍ଯ୍ୟବସିତ ହୋଇଥିବାରୁ ମନୁଷ୍ୟ ଶରୀରରେ ଏହାର ପ୍ରୟୋଗ କରାଗଲେ କୌଣସି ପ୍ରକାର ଅଧିକ ସଂକ୍ରମଣର ଆଶଙ୍କା ନାହିଁ। ଅପରପକ୍ଷେ, ଏହା ରୋଗପ୍ରତିରୋଧ ପ୍ରଣାଳୀରେ ସାମିଲ ହୋଇ ଶରୀରର ରୋଗପ୍ରତିରୋଧ କ୍ଷମତାକୁ ବଢ଼ାଇବାରେ ସହାୟକ ହୋଇଥାଏ।

ପ୍ରସ୍ତୁତିରେ ଚ୍ୟାଲେଂଜ ୨୪ ଥର ରୂପ ବଦଳାଇଛି ଭାଇରସ୍‌
କରୋନା ଭାଇରସ୍‌ ଟିକା ପ୍ରସ୍ତୁତି କ୍ଷେତ୍ରରେ ଚ୍ୟାଲେଂଜ୍‌ ମଧ୍ୟ କିଛି କମ୍‌ ନୁହେଁ। କେଉଁ ଦେଶରେ ଏହି ଭାଇରସ୍‌ ଦୁର୍ବଳ ତ’ ଆଉ କେଉଁଠି ଅତି ଘାତକ। ଏହି ଭାଇରସ୍‌ର ଲକ୍ଷଣ ମଧ୍ୟ ଅତି ବିଚିତ୍ର ପ୍ରକାରର। ପ୍ରାୟ ୨୪ ଥର କରୋନା ଭାଇରସ୍‌ ତା’ର ରୂପ ବଦଳାଇ ସାରିଲାଣି। ଏଥିପାଇଁ ଟିକା ପ୍ରସ୍ତୁତି ‌କ୍ଷେତ୍ରରେ ଜଟିଳତା ମଧ୍ୟ ବଢ଼ିଯାଇଛି। ତେବେ ଏହାର ମ୍ୟୁଟେସନ ଏବେ ଥମିବା ଆରମ୍ଭ କରିଥିବା ଏବଂ ଅନେକ ରାଷ୍ଟ୍ରରେ ଏହାର ଦୁର୍ବଳ ରୂପକୁ ଅନୁଧ୍ୟାନ କରାଯିବା ପରେ ଟିକା ପ୍ରସ୍ତୁତି କାର୍ଯ୍ୟ ତ୍ବରାନ୍ବିତ ହୋଇଛି।