୨୦୨୦ ଭଳି ଚଳିତବର୍ଷକୁ ମଧ୍ୟ ଉଡ଼ାଇ ନେଇଥିଲା କରୋନା। ମାର୍ଚ ଶେଷ ବେଳକୁ ଆରମ୍ଭ ହୋଇଥିବା କରୋନାର ଦ୍ବିତୀୟ ଲହର ସବୁକିଛି ଓଲଟପାଲଟ କରି ଦେଇଥିଲା। ସବୁ ଆକଳନ ଏକପ୍ରକାର ଫେଲ୍ ମାରିଥିଲା। ପ୍ରାୟ ୬ମାସ ଓଡ଼ିଶାବାସୀଙ୍କୁ କଲବଲ କରିଥିଲା ଭୂତାଣୁ। ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ନେଇଥିବା ଲକ୍ଡାଉନ୍, ସଟ୍ଡାଉନ୍ ଭଳି ପଦକ୍ଷେପ ଫେଲ୍ ମାରିଥିଲା। ନମୁନା ପରୀକ୍ଷା କରିବା ପାଇଁ ହସ୍ପିଟାଲରେ ଧାଡ଼ି ଲମ୍ବିଥିଲା। ରାଜ୍ୟ ସରକାର ରାଜ୍ୟବ୍ୟାପୀ କୋଭିଡ ହସ୍ପିଟାଲ ପ୍ରତିଷ୍ଠା କରିଥିଲେ ମଧ୍ୟ ରୋଗୀଙ୍କ ସଂଖ୍ୟା ଏତେ ଅଧିକ ଥିଲା ଯେ ଶଯ୍ୟାର ଅଭାବ ପଡ଼ଥିଲା। କରୋନାକୁ ନେଇ ଚାରିଆଡ଼େ ବିକଳ ଚିତ୍ର ସାମ୍ନାକୁ ଆସିଥିଲା। ଶ୍ମଶାନରୁ ନିଆଁ ଲିଭି ନ ଥିଲା। ଏହି ସମୟରେ କରୋନା ଟିକାକରଣ ରାଜ୍ୟ ପାଇଁ କିଛିଟା ଆଶ୍ବସ୍ତି ଆଣିଥିଲା। ଏସବୁ ସତ୍ତ୍ବେ କରୋନା ରାଜ୍ୟରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଦୁର୍ବଳ ବୋଲି ଧରା ପକାଇ ଦେଇଥିଲା। ଏହାସହ କରୋନା ବି ସ୍ବାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବାକୁ ସୁଯୋଗ ଦେଇଥିଲା। ରାଜ୍ୟରେ ଏକ୍ମୋ ମେସିନ୍ ଆସିଥିବା ବେଳେ ରାଜ୍ୟବ୍ୟାପୀ କରୋନା ପରୀକ୍ଷା ପାଇଁ ଆର୍ଟି-ପିସିସିଆର୍ ଲ୍ୟାବ୍ ପ୍ରତିଷ୍ଠା ହୋଇଥିଲା। ଅକ୍ଟୋବର ମାସ ବେଳକୁ ରାଜ୍ୟରେ ସଂକ୍ରମଣ ଥମି ଯାଇଥିବା ବେଳେ ଧୀରେ ଧୀରେ ଜନଜୀବନ ସ୍ବାଭାବିକ ଆଡ଼କୁ ଗତି କରିଥିଲା। ହେଲେ ବର୍ଷ ଶେଷ ବେଳକୁ କରୋନାର ନୂଆ ପ୍ରଜାତି ଓମିକ୍ରନ୍ ପୁଣିଥରେ ରାଜ୍ୟ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି...
ପଶ୍ଚିମରୁ ସଂକ୍ରମଣ ନିଆଁ
ଚଳିତବର୍ଷ ପହିଲାରୁ ରାଜ୍ୟରେ କରୋନା ସଂକ୍ରମଣ ବେଶ୍ ନିୟନ୍ତ୍ରଣରେ ଥିଲା। ଫେବ୍ରୁଆରି ଓ ମାର୍ଚ ବେଳକୁ ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେବାକୁ ଲାଗିଲା। ଆଶା କରାଯାଉଥିଲା ଆଉ କିଛିମାସ ଭିତରେ ସବୁକିଛି କୋଭିଡ ପୂର୍ବର ସ୍ଥିତିକୁ ଫେରି ଆସିବ। ହେଲେ ଏପ୍ରିଲରୁ ଆରମ୍ଭ ହେଲା କରୋନାର ଘାତକ ଦ୍ବିତୀୟ ଲହର। ଚାହୁଁ ଚାହୁଁ ସବୁକିଛି ଓଲଟି ଯାଇଥିଲା। ପ୍ରଥମେ ପଶ୍ଚିମ ଓଡ଼ିଶାର ଜିଲ୍ଲାମାନଙ୍କରେ ସଂକ୍ରମଣ ନିଆଁ ଭଳି ବ୍ୟାପିବାକୁ ଆରମ୍ଭ କରିଥିଲା। ପରେ ସାରା ଓଡ଼ିଶାକୁ ସଂକ୍ରମଣ ନିଆଁ ଡେଇଁଥିଲା। ବାଧ୍ୟ ହୋଇ ରାଜ୍ୟ ସରକାର ମେ’ମାସ ପ୍ରଥମ ସପ୍ତାହରୁ ପୁଣିଥରେ ଲକ୍ଡାଉନ୍ ଘୋଷଣା କରିଥିଲେ। ତଥାପି ସଂକ୍ରମଣ ନିୟନ୍ତ୍ରଣକୁ ଆସିଲା ନାହିଁ। ରାଜ୍ୟ ସରକାର ଦୈନିକ ଯେତିକି ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେବା ଅନୁମାନ କରି ହସ୍ପିଟାଲ ଶଯ୍ୟା ପ୍ରସ୍ତୁତ କରିଥିଲେ ତାହା ଅଣ୍ଟି ନ ଥିଲା। ଘରେ ଘରେ ସଂକ୍ରମଣ ସାଙ୍ଗକୁ ମୃତ୍ୟୁର ତାଣ୍ଡବ ଆରମ୍ଭ ହୋଇ ଯାଇଥିଲା। ଶ୍ମଶାନରୁ ନିଆଁ ଲିଭି ନ ଥିଲା। ପ୍ରଥମ ଲହରରେ ଦୈନିକ ସାଢ଼େ ୩ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଦ୍ବିତୀୟ ଲହରରେ ଏହା ୧୪ହଜାର ଛୁଇଁଥିଲା। ରାଜ୍ୟବ୍ୟାପୀ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଅକ୍ଟୋବର ମାସରେ ଦୈନିକ ସଂକ୍ରମଣ ୫ଶହ ତଳକୁ ଖସିବା ସହିତ ସାମାନ୍ୟ ଆଶ୍ବସ୍ତି ମିଳିଥିଲା।
ଛଟପଟ ହୋଇ ଚାଲିଗଲା ନବବଧୂର ଜୀବନ
ଦ୍ବିତୀୟ ଲହରରେ ରାଜଧାନୀରେ ଶଯ୍ୟା ପାଇଁ ଜଣେ ନବବଧୂ ଛଟପଟ ହୋଇ ପ୍ରାଣ ହରାଇବା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ଅଳ୍ପ କିଛିଦନ ପୂର୍ବରୁ ବିବାହ କରିଥିବା ଜଣେ ନବବଧୂ କରୋନାରେ ଆକ୍ରାନ୍ତ ହେବା ପରେ ଚିକିତ୍ସିତ ହେବାକୁ ହସ୍ପିଟାଲରେ ଶଯ୍ୟା ଖୋଜିଥିଲେ। ସରକାରୀ କିମ୍ବା ଘରୋଇ ହସ୍ପିଟାଲରେ ତାଙ୍କୁ ଶଯ୍ୟା ମିଳି ନ ଥିଲା। ଏକାଧିକ ହସ୍ପିଟାଲରେ ଶଯ୍ୟା ନ ପାଇ ଶେଷରେ ଆମ୍ବୁଲାନ୍ସରେ ପ୍ରାଣ ହରାଇଥିଲେ। ଏ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କରୋନାର ମୁକାବିଲା ପାଇଁ ସରକାର ଯେଉଁ ବାହାସ୍ଫୋଟ ମାରିଥିଲେ ତାହା ପଦାରେ ପଡ଼ିଥିଲା। ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଯାଇ ସ୍ବାସ୍ଥ୍ୟ ବିଭାଗ ତଦନ୍ତ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନ ଥିଲା।
/sambad/media/post_attachments/wp-content/uploads/2021/09/dead-f.jpg)
ସରକାରୀ ଘୋଷଣାରେ ୬୫୭୨ ମୃତ୍ୟୁ
କରୋନାର ଦ୍ବିତୀୟ ଲହରରେ ବର୍ତମାନ ସୁଦ୍ଧା ରାଜ୍ୟରେ ୬୫୭୨ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ପ୍ରଥମ ଲହରରେ ସରକାର ୧୮୭୬ଜଣଙ୍କ କରୋନା ମୃତ୍ୟୁ ସଂପର୍କରେ ଘୋଷଣା କରିଥିଲେ। ଉଭୟ ଲହରକୁ ମିଶାଇଲେ ରାଜ୍ୟରେ ୮୪୪୮ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ତେବେ ଚଳିତବର୍ଷ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୨୦୨୦ ମସିହାରେ ରାଜ୍ୟରେ ପଞ୍ଜୀକୃତ ମୃତ୍ୟୁରେ ୨୦୧୯ ମସିହା ତୁଳନାରେ ୨୦ହଜାର ଅଧିକ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ଏତେ ସଂଖ୍ୟକ ମୃତ୍ୟୁ କେଉଁ କାରଣ ପାଇଁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ। ମାତ୍ର ମହାମାରୀ ସମୟରେ ରାଜ୍ୟରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁକୁ ନେଇ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ନକଲି କୋଭିଡ ପ୍ରମାଣ ପତ୍ର ର୍ୟାକେଟ୍ ପର୍ଦ୍ଦାଫାସ
ରାଜ୍ୟରେ ନକଲି କୋଭିଡ ପଜିଟିଭ୍ ରୢାକେଟ୍ର ‘ସମ୍ବାଦ’ପର୍ଦ୍ଦାଫାସ କରିବା ପରେ ରାଜ୍ୟବ୍ୟାପୀ ଚହଳ ସୃଷ୍ଟି ହୋଇଥିଲା। ‘ସମ୍ବାଦ’ ଏଭଳି ନକଲି ଆରଟି-ପିସିଆର ପଜିଟିଭ୍ ସାର୍ଟିଫିକେଟ୍ ପାଇଁ ଅନୁସଦ୍ଧାନ କରାଯାଇଥିଲା। କ୍ୟାପିଟାଲ ହସ୍ପିଟାଲରୁ ଅନୁସନ୍ଧାନ ଆରମ୍ଭ ହୋଇଥିବା ରାଜଧାନୀର ଏକ ଘରୋଇ ଲ୍ୟାବ୍ରେ ଦଲାଲକୁ ଠାବ କରାଯାଇଥିଲା। ନକଲି ପଜିଟିଭ୍ ଆରଟି-ପିସିଆର ରିପୋର୍ଟ ପାଇଁ ୧୨ଶହ ଟଙ୍କା ପଠାଇବା ପରେ ଦୁଇଦିନ ପରେ ରିପୋର୍ଟ ପହଞ୍ଚିଥିଲା। ନମୁନା ସଂଗ୍ରହ ହୋଇ ନ ଥିବା କିମ୍ବା ପଜିଟିଭ୍ରେ ଆକ୍ରାନ୍ତ ନ ହୋଇ ମଧ୍ୟ ଆରଟି-ପିସିଆର ରିପୋର୍ଟ ପଜିଟିଭ୍ ଆସିଥିଲା। ଏ ସଂପର୍କିତ ଖବର ପ୍ରକାଶ ପାଇବା ପରେ ସ୍ବାସ୍ଥ୍ୟ ବିଭାଗ ଓ ବିଏମ୍ସି ପକ୍ଷରୁ ତନାଘନା ହୋଇଥିଲା। ବେଶ୍ କିଛିଦିନ ପର୍ଯ୍ୟନ୍ତ ଏହାକୁ ନେଇ ହଇଚଇ ହେବା ପରେ ରହସ୍ୟଜନକ ଭାବେ ତଦନ୍ତ ବନ୍ଦ ହୋଇ ଯାଇଥିଲା।
/sambad/media/post_attachments/wp-content/uploads/2021/12/covid-aa-scaled.jpg)
୩ ମାସ ଯାଏ ଚାଲିଲା ଯାଞ୍ଚ ଅଭିଯାନ
କରୋନା ରୋଗୀଙ୍କୁ ଚିହ୍ନଟ କରିବା ଲାଗି ରାଜ୍ୟ ସରକାର ଏକ ଅଭିନବ ଅଭିଯାନ ଆରମ୍ଭ କରିଥିଲେ। ମେ’ ୨୪ ତାରିଖରୁ ଅଗଷ୍ଟ ୨୩ତାରିଖ ପର୍ଯ୍ୟନ୍ତ ଆଶା, ଅଙ୍ଗନବାଡ଼ି କର୍ମୀ ଘରକୁ ଘର ବୁଲି କରୋନା ଲକ୍ଷଣ ଥିବା ରୋଗୀଙ୍କୁ ଚିହ୍ନଟ କରି ପରୀକ୍ଷା ପାଇଁ କହିଥିଲେ। ଏହି ଅଭିଯାନର ଅନ୍ୟ ଏକ ବିଶେଷତ୍ବ ହେଉଛି କରୋନା ରୋଗୀଙ୍କ ବାଦ୍ ଅନ୍ୟ ଜଟିଳ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କୁ ମଧ୍ୟ ଏଥିରେ ଠାବ କରାଯାଇଥିଲା। ଏଥିରେ କର୍କଟ, ଡାଇରିଆ, ମଧୁମେହ, ମ୍ୟାଲେରିଆ, ଉଚ୍ଚ ରକ୍ତଚାପ, କୁଷ୍ଠ ସନ୍ଦିଗ୍ଧ ଚିହ୍ନଟ ହୋଇଥିଲେ। ଯାହାଫଳରେ ରାଜ୍ୟରେ ଚାଲିଥିବା ଜନସ୍ବାସ୍ଥ୍ୟ ଅଭିଯାନ ପାଇଁ ଏହା ବଳ ଯୋଗାଇଥିଲା।