ଯୁଦ୍ଧରେ ଭାଗ ନ ନେବା ପାଇଁ ଧନୀ ଅଳସୁଆଙ୍କୁ ଦେବାକୁ ପଡୁଥିଲା ଟିକସ

ବ୍ରିଟେନ: ଯେଭଳି ଯୁଦ୍ଧ ଲଢ଼ିବାକୁ ନ ପଡେ, ସେଥିପାଇଁ ଦେବାକୁ ପଡୁଥିଲା ଟିକସ | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ଏଭଳି ଏକ ଅଜବଗଜବ ଟିକସ ବ୍ୟବସ୍ଥା ଦିନେ ବ୍ରିଟେନରେ ପ୍ରଚଳିତ ଥିଲା | ଦ୍ୱାଦଶ ଶତାବ୍ଦୀରେ ଏଭଳି ବ୍ୟବସ୍ଥା କରାଯାଇଥିବାବେଳେ ଯେଉଁ ଧନୀକ ଶ୍ରେଣୀର ଲୋକମାନେ ଯୁଦ୍ଧକୁ ଭୟ କରୁଥିଲେ, ସେମାନେ ଟିକସ ବା କର ଦେଇ ଯୁଦ୍ଧରୁ ଦୂରେଇ ରହିବାର ବିକଳ୍ପ ଥିଲା | ଯୁଦ୍ଧରେ ଯେଭଳି ଭାଗ ନେଇ ବିକଳାଙ୍ଗ ନ ହେବେ ସେଥିପାଇଁ କିଛି ବ୍ୟକ୍ତି ଏଭଳି ଟିକସ ଦେଉଥିଲେ | ରାଜା ହେନେରୀ ପ୍ରଥମ (୧୧୦୦–୧୧୩୫)ଙ୍କ ପାଖରୁ ନେଇ ରାଜା ଷ୍ଟିଫେନ୍ (୧୧୩୫–୧୧୫୪) ଙ୍କ ସମୟରେ ଏହି ଟିକସ ଜାରି କରାଯାଇଥିଲା | ସେତେବେଳେ ଦେଶ ଦେଶ ମଧ୍ୟରେ ଯୁଦ୍ଧ ଏକ ସାଧାରଣ କଥା ଥିଲା |

ଯେକୌଣସି ଦେଶ ଅନ୍ୟ ଦେଶ ଉପରେ ଆକ୍ରମଣ କରି ଏହାକୁ ଦଖଲ କରୁଥିଲେ | ଆଉ ସେତେବେଳେ ସେନାବାହିନୀରେ ବହୁ ସଂଖ୍ୟାରେ ଯୁବକ ସେନାରେ ଯୋଗଦେବା ଆବଶ୍ୟକ ଥିଲା। କିନ୍ତୁ ଧନୀ ଯୁବକମାନଙ୍କୁ ମଧ୍ୟ ଏହାର ସମାଧାନ ମିଳିଥିଲା | ସେଥିପାଇଁ ଧନୀ ଯୁବକମାନେ ରାଜାଙ୍କୁ ଯୁଦ୍ଧରେ ଭାଗ ନ ନେବା ପାଇଁ କର ଦେଉଥିଲେ | କୌତୁହଳର ବିଷୟ ହେଉଛି ଏହି ଟିକସ କେବଳ ଯୁଦ୍ଧ ସମୟରେ ନୁହେଁ ବରଂ ସାଧାରଣ ଦିନରେ ମଧ୍ୟ ଦେବାକୁ ପଡୁଥିଲା। ଯାହାଫଳରେ ଧନୀ ଯୁବକଙ୍କ ବଦଳରେ ଅନ୍ୟ କେହି ସେନାରେ ନିଯୁକ୍ତ ହୋଇ ତାଲିମପ୍ରାପ୍ତ ହୋଇପାରିବେ | ବ୍ରିଟେନ ପରେ ଅନ୍ୟ ଦେଶମାନେ ମଧ୍ୟ ଏହାକୁ ଆପଣେଇଥିଲେ । ଏହି ଟ୍ୟାକ୍ସ ଫ୍ରାନ୍ସ ଏବଂ ଜର୍ମାନୀ ମଧ୍ୟ ଲାଗୁ କରିଥିଲେ । ରାଜସ୍ୱ ବୃଦ୍ଧି ପାଇଁ ଏହି ଟ୍ୟାକ୍ସ ବ୍ୟବହୃତ ହୋଇଥିଲା | ତେବେ ଚତୁର୍ଦ୍ଦଶ ଶତାବ୍ଦୀରେ ଏହି ଟିକସ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା।

ସମ୍ବନ୍ଧିତ ଖବର