ଥିବୀର ଧନୀ ସେଲିବ୍ରିଟିମାନଙ୍କ ବ୍ୟକ୍ତିଗତ ଜେଟ୍‌ରୁ ଉତ୍ସର୍ଜିତ ପ୍ରଦୂଷଣର ମାତ୍ରା ଉପରେ ବିଭିନ୍ନ ପରିବେଶ ସଂଗଠନ ନଜର ରଖିଆସୁଛନ୍ତି। ଏଭଳି ପ୍ରଦୂଷଣ ସୃଷ୍ଟିରେ ବର୍ତ୍ତମାନ ଶୀର୍ଷ ସ୍ଥାନରେ ଅଛନ୍ତି ଲୋକପ୍ରିୟ ଆମେରିକୀୟ ସଂଗୀତଜ୍ଞ ଟେଲର୍‌ ସ୍ବିଫ୍‌ଟ। ବିଭିନ୍ନ ଦେଶରେ ଆୟୋଜିତ ସଂଗୀତ ଉତ୍ସବରେ ଯୋଗ ଦେବା ପାଇଁ ଟେଲର୍‌ ବ୍ୟକ୍ତିଗତ ଉଡ଼ାଜାହାଜ ବ୍ୟବହାର କରନ୍ତି। କେବଳ ୨୦୨୨ ମସିହାରେ ତାଙ୍କ ବ୍ୟକ୍ତିଗତ ଜେଟ୍‌ ଉଡ଼ାଣରୁ ୮,୩୦୦ ଟନ୍ ଅଙ୍ଗାରକାମ୍ଳ ଉତ୍ପନ୍ନ ହୋଇଥିଲା ବୋଲି ଅନୁମାନ କରାଯାଏ। ପୃଥିବୀର ଜଣେ ବ୍ୟକ୍ତି ବର୍ଷକୁ ଏହାର ୧୮୦୦ ଭାଗରୁ ଭାଗେ ପ୍ରଦୂଷଣ ସୃଷ୍ଟି କରିଥାଏ। ବିମାନସେବା ପୃଥିବୀର ଅଙ୍ଗାର ଉତ୍ସର୍ଜନର ମାତ୍ର ୨.୫% ଭାଗ ହୋଇଥିଲେ ହେଁ ପୃଥିବୀର ମାତ୍ର ୧% ଜନସଂଖ୍ୟା ଏହି ଉତ୍ସର୍ଜନର ଅର୍ଦ୍ଧେକ ପାଇଁ ଦାୟୀ। ଟେଲର୍‌ଙ୍କ ପରି ସେଲିବ୍ରିଟି ବ୍ୟବହାର କରୁଥିବା ବ୍ୟକ୍ତିଗତ ଜେଟ୍‌ ଦ୍ବାରା ସାଧାରଣ ବିମାନ ତୁଳନାରେ ଯାତ୍ରୀ ପିଛା ଅଙ୍ଗାର ଉତ୍ସର୍ଜନ ୧୪ ଗୁଣ ଅଧିକ ହୋଇଥାଏ। ତାଙ୍କ ବ୍ୟକ୍ତିଗତ ଜେଟ୍‌ ବ୍ୟବହାରକୁ ନେଇ ପ୍ରବଳ ସମାଲୋଚନା ହେବା ପରେ ତାଙ୍କ ପ୍ରତିନିଧିମାନେ ପ୍ରକାଶ କରିଛନ୍ତି ଯେ ସେ ଯେତିକି ଅଙ୍ଗାରକାମ୍ଳ ପ୍ରଦୂଷଣ ସୃଷ୍ଟି କରିଛନ୍ତି ତାହାର ଦୁଇଗୁଣ ପ୍ରଦୂଷଣ ହ୍ରାସକାରୀ ପ୍ରକଳ୍ପରେ ଅର୍ଥ ବିନିଯୋଗ କରିଛନ୍ତି।

Advertisment

ଟେଲର୍‌ଙ୍କ ପରି ସେଲିବ୍ରିଟିମାନେ ବ୍ୟବହାର କରୁଥିବା ବ୍ୟକ୍ତିଗତ ଜେଟ୍‌ ଦ୍ବାରା ସାଧାରଣ ବିମାନ ତୁଳନାରେ ଯାତ୍ରୀ ପିଛା ଅଙ୍ଗାର ଉତ୍ସର୍ଜନ ୧୪ ଗୁଣ ଅଧିକ ହୋଇଥାଏ

ତେବେ ଏଭଳି ପ୍ରଦୂଷଣ ହ୍ରାସକାରୀ କାର୍ଯ୍ୟକଳାପ ବାସ୍ତବରେ ବିମାନ ଉଡ଼ାଣର ପ୍ରଦୂଷଣକୁ ଅକାମୀ କରିନଥାଏ। ତେଣୁ ଟେଲର୍‌ଙ୍କ ପରି ସେଲିବ୍ରିଟି ବ୍ୟକ୍ତିଗତ ଜେଟ୍‌ର ଯଥାସମ୍ଭବ କମ୍ ବ୍ୟବହାର କରିବା ଉଚିତ ବୋଲି ପରିବେଶ କର୍ମୀମାନେ ଦାବି କରିଆସୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବ୍ୟକ୍ତିଗତ ଜେଟ୍‌ରୁ କାର୍ବନ ଉତ୍ସର୍ଜନର ମାତ୍ରା ପ୍ରତି ବର୍ଷ ବୃଦ୍ଧି ପାଇବାରେ ଲାଗିଛି। ଅତ୍ୟନ୍ତ ବିତ୍ତଶାଳୀ ଲୋକମାନେ ପ୍ରଚୁର ପ୍ରଦୂଷଣ ସୃଷ୍ଟି କରୁଥିବା ବେଳେ ପୃଥିବୀର ସବୁଠାରୁ ଦରିଦ୍ର ରାଷ୍ଟ୍ରର ଲୋକମାନେ ତାହାର କୁପ୍ରଭାବ ଭୋଗୁଛନ୍ତି। ତେଣୁ ଏଭଳି ଅନ୍ୟାୟକୁ ବନ୍ଦ କରିବା ଲାଗି ‘ଗ୍ରିନ୍‌ପିସ୍‌’ ଭଳି ଅନୁଷ୍ଠାନ ବ୍ୟକ୍ତିଗତ ବିମାନ ଉଡ଼ାଣ ଉପରେ ନିଷେଧାଦେଶ ଜାରି କରିବା ପାଇଁ ଆହ୍ବାନ କରିଛି।