କାଳ କୋଠରୀର କଳା ସତ : ଜେଲର ଚାରିକାନ୍ଥରେ ବନ୍ଦୀ ମହିଳା ଅପରାଧୀଙ୍କ କାହାଣୀ

ସୁଶ୍ରୀ: ଫୋକସ୍‌

ପୁରୁଷ ଅପରାଧୀଙ୍କ ଭଳି ମହିଳାଟିଏ ମଧ୍ୟ କ୍ରୂର ଓ ହିଂସ୍ର ହୋଇପାରେ। କିନ୍ତୁ ରାଜ୍ୟ ତମାମ ସବୁ ଜେଲରେ ଗରିବ ଅନୁସୂଚିତ ଜାତି ଏବଂ ଜନଜାତି ମହିଳା ବନ୍ଦିନୀଙ୍କ ସଂଖ୍ୟା ଅଧିକ। ଯେଉଁମାନଙ୍କ ପାଖରେ ମାମଲା ପରିଚାଳନା ପାଇଁ ସମ୍ବଳ କି ପିନ୍ଧିବା ପାଇଁ ଭଲ ଲୁଗାଟିଏ ନାହିଁ। ସେମାନଙ୍କୁ ଅପରାଧ କ୍ଷେତ୍ରକୁ ଆଣିଥିବା ପ୍ରଭାବଶାଳୀ ବ୍ୟକ୍ତି କିନ୍ତୁ ବାହାରେ ସ୍ବାଭାବିକ ଜୀବନ ବିତାଉଥାଆନ୍ତି। ବନ୍ଦିନୀଙ୍କୁ ନେଇ ଗାର୍ଗୀ ଶତପଥୀଙ୍କ ସ୍ବତନ୍ତ୍ର ପ୍ରସ୍ତୁତି…

ସେ ପିନ୍ଧେ ଲୁଙ୍ଗି ସହିତ ଗଞ୍ଜି। ପାଟିରେ ସବୁବେଳେ ଖଇନି କିମ୍ବା ଗୁଟ୍‌ଖା। ଗୋଟିଏ ସମୟରେ ନୟାଗଡ଼-ପୁରୀରେ ସୃଷ୍ଟି କରିଥିଲା ଆତଙ୍କ। ହତ୍ୟା, ଅପହରଣ, ଲୁଟ୍‌, ଛିନ୍‌ତାଇ ଯେମିତି ତା’ ପାଇଁ ସାଧାରଣ କଥା। ଏକଦା ପୁରୀ ଜେଲରେ ଦୀର୍ଘଦିନ ଧରି ସଜା କାଟିଥିବା ନୟାଗଡ଼ର ଯଶୋଦା ପ୍ରଧାନ ସାଧାରଣ ମହିଳା ଅପରାଧୀ ନୁହନ୍ତି, ଗ୍ୟାଙ୍ଗ୍ ଲିଡର। ନିଜ ଅଧୀନରେ ତା’ ଭଳି ହିଂସ୍ର ଅପରାଧୀଙ୍କୁ ରଖି ଅପରାଧ ସାମ୍ରାଜ୍ୟ ବିସ୍ତାର କରିଥିଲା।

କଲେଜରେ ପଢୁଥିବାବେଳେ ସ୍ବପ୍ନା(ଛଦ୍ନ ନାମ) ହୃଦୟରେ ଥିଲା ସ୍ନେହ ଏବଂ ଅଜସ୍ର ଭଲପାଇବା।ହଷ୍ଟେଲରେ ଏକାଠି ରହୁଥିବା ନିଶା (ଛଦ୍ମ ନାମ) ସହିତ ସମଲିଙ୍ଗୀ ସମ୍ପର୍କ ସ୍ଥାପନ ହୋଇଥିଲା। ଅଚାନକ ଦିନେ ପରିବାର ନିଶାଙ୍କ ବାହାଘର ଠିକ୍ କରିଦେଲେ। ଏଥିରେ ସ୍ବପ୍ନା ଏତେ ହିଂସ୍ର ହୋଇ ପଡ଼ିଥିଲା ଯେ ପ୍ରାଣଠାରୁ ଅଧିକ ଭଲ ପାଉଥିବା ସାଙ୍ଗକୁ ପଥରରେ ଛେଚି ମାରି ଦେଇଥିଲା। ପୁଲିସ ଯେତେବେଳେ ସେହି ମହିଳା ହଷ୍ଟେଲର କକ୍ଷକୁ ପଶିଲା, ଏତେ ରକ୍ତ ଦେଖି ବିଶ୍ବାସ କରିପାରିନଥିଲା ଯେ ଜଣେ ଛାତ୍ରୀ ଏଭଳି କାଣ୍ଡ ଭିଆଇ ପାରନ୍ତି।

ସେହିଭଳି ଗତବର୍ଷ ସେକ୍ସ ସ୍କାଣ୍ଡାଲ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲକୁ ଆସିଥିବା ଅର୍ଚ୍ଚନା ନାଗ ରାଜ୍ୟ ପାଇଁ ସର୍ବାଧିକ ଚର୍ଚିତ ନାଁ। କଳାହାଣ୍ଡିରୁ ଭୁବନେଶ୍ବର ଆସି ସେ ଏଭଳି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବେ ଏବଂ ପ୍ରରୋଚନାରେ ପଡ଼ି କାର୍ଯ୍ୟ କରିଥିବେ ଯାହା କେହି କଳ୍ପନା ମଧ୍ୟ କରି ନ ଥିବେ। ବର୍ତ୍ତମାନ କେବଳ ଅର୍ଚନା ଓ ତାଙ୍କ ସ୍ବାମୀ ଜେଲରେ ଅଛନ୍ତି।

ଅସହାୟ ମହିଳାଙ୍କୁ ପରିସ୍ଥିତି ପହଞ୍ଚାଇ ଦେଲା ଜେଲ

ଝାରସୁଗୁଡ଼ା ଜିଲ୍ଲା କୁଲାବିରାର ସୁକୁନ କିଷାନଙ୍କ ପୁଅଙ୍କୁ ଯେତେବେଳେ ମାତ୍ର ୧୦ବର୍ଷ ଅଚାନକ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା। ନିଜର କହିଲେ ତାଙ୍କର କେହି ନ ଥିଲେ, ସେତେବେଳେ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା ନିଜର ସୁରକ୍ଷା ସହିତ ପୁଅକୁ ଭଲ ମଣିଷ କରି ଗଢିତୋଳିବା। ଏଥିପାଇଁ ମଜୁରି ଲାଗିବା ସହିତ କଠିନ ପରିଶ୍ରମ କରୁଥିଲେ। ଏଣେ ଗାଁର କିଛି ବ୍ୟକ୍ତି ଏବଂ ସମ୍ପର୍କୀୟଙ୍କ ଖରାପ ନଜର ସୁକୁନଙ୍କ ଶରୀର ଓ ତାଙ୍କ ଜମି ଉପରେ ପଡ଼ିଥିଲା। ହଠାତ୍ ଗୋଟିଏ ଦିନ ଜଣେ ବ୍ୟକ୍ତିର ମୃତଶରୀର ସୁକୁନଙ୍କ ଘର ପାଖରେ ପୁଲିସ ଉଦ୍ଧାର କରିଥିଲା। ସୁକୁନ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରି ପୁଲିସ ଗିରଫ କରିଥିଲା। ତାଙ୍କ ମାମଲା ପରିଚାଳନା କରିବାରେ କେହି ସହଯୋଗ କରି ନ ଥିଲେ। ଶେଷରେ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ସମ୍ବଲପୁର ମହିଳା ଜେଲକୁ ପଠାଇ ଦେଇଥିଲା। ଦୀର୍ଘ ବର୍ଷର ସଜା କାଟି ସୁକୁନ ଯେତେବେଳେ ମୁକୁଳିଲେ ତାଙ୍କ ଜମି ହଡ଼ପ ହୋଇ ସାରିଥିଲା।

ପ୍ରେମିକଙ୍କ ପ୍ରରୋଚନାରେ ଅପରାଧୀ

କେନ୍ଦ୍ରାପଡ଼ାର ଗରିବ ପରିବାରର ଝିଅ ସ୍ବାତୀ (ଛଦ୍ମନାମ) ଛୋଟ ବେଳୁ ମେଧାବୀ। ମାଟ୍ରିକରେ ବ୍ଲକ୍‌ ଟପ୍ପର ହୋଇଥିଲେ। ପାଠରେ ଝିଅ ପଛରେ ରହି ନ ଯାଉ ସେଥିପାଇଁ ବାପା ସବୁ ପ୍ରକାର ଚେଷ୍ଟା କରନ୍ତି। କିନ୍ତୁ କଲେଜ ରାସ୍ତାରେ ଛିଡ଼ା ହେଉଥିବା ରୋଡ୍‌ ରୋମିଓର ପ୍ରେମରେ ପଡ଼ିଗଲେ। ବିଭିନ୍ନ ସମୟରେ ସେ ଯୁବକଟି ସ୍ବାତୀକୁ ମୂଲ୍ୟବାନ ସାମଗ୍ରୀ ଉପହାର ଦିଏ। ବାପା ଏହାକୁ ନେଇ ତାଗିଦ କରିବାରୁ ସ୍ବାତୀ ସେହି ଯୁବକ ସହିତ ସହରକୁ ଚାଲିଆସି ସ୍ବାମୀ-ସ୍ତ୍ରୀ ଭଳି ରହିବାକୁ ଲାଗିଲା। ଏହି ସମୟରେ ଜଣାପଡ଼ିଲା ଯେଉଁ ପ୍ରେମିକ ଭରସାରେ ସ୍ବାତୀ ଚାଲି ଆସିଥିଲା ସେ ଥିଲା ପେସାଦାର ଅପରାଧୀ। ସେ ସ୍ବାତୀକୁ ମଧ୍ୟ ସେହି ଗ୍ୟାଙ୍ଗରେ ସାମିଲ କରିଦେଲା। ଫେସ୍‌ବୁକ ଜରିଆରେ ଫୋନ ନମ୍ବର ନେଇ ସ୍ବାତୀ ଯେକୌଣସି ବ୍ୟକ୍ତିଙ୍କ ସହିତ ସମ୍ପର୍କ ବଢାଏ। ଭିଡିଓ କଲ କରି ନିଛାଟିଆ ରାସ୍ତାକୁ ଡାକି ଆଣେ, ଯେଉଁଠି ପୂର୍ବରୁ ଛକି ରହିଥିବା ଲୁଟେରା ଗ୍ୟାଙ୍ଗ ତାକୁ ଲୁଟି ନିଅନ୍ତି।

ପ୍ରଲୋଭନ କିମ୍ବା ଆବେଗରେ ପଡ଼ି ଅପରାଧୀ ହୁଅନ୍ତୁ ନାହିଁ

ରାଜଧାନୀସ୍ଥିତ ଝାରପଡ଼ା ଜେଲରେ ସମୁଦାୟ ୧୨୩୧ ଅନ୍ତେବାସୀଙ୍କ ମଧ୍ୟରୁ ୪୯ ଜଣେ ହେଲେ ବିଚାରାଧୀନ ମହିଳା କଏଦୀ। ମହିଳା ପାଇଁ ସ୍ବତନ୍ତ୍ର ସେଲ ବ୍ୟବସ୍ଥା ରହିଛି। ସେକ୍ସ ସ୍କାଣ୍ଡାଲ, ଏନ୍‌ଡିପିଏସ୍‌, ଚୋରି, ଠକେଇ, ଘରୋଇ ହିଂସା ମାମଲାରେ ସର୍ବାଧିକ ମହିଳା ଗିରଫ ହୋଇଛନ୍ତି। ପୂର୍ବ ଭଳି ଯୌତୁକ ନିର୍ଯାତନା ଜନିତ ଗିରଫଦାରି ହେଉ ନାହିଁ। କଏଦୀଙ୍କ ମଧ୍ୟରୁ କିଛିଟା ଅଭ୍ୟାସଗତ ଅପରାଧୀ ଥିଲେ ମଧ୍ୟ ଅନେକ ସାମୟିକ ପ୍ରଲୋଭନ କିମ୍ବା ପ୍ରରୋଚନାରେ ପଡ଼ି ଜଘନ୍ୟ ଅପରାଧ କରନ୍ତି। ଅନେକ କଏଦୀ ଅଛନ୍ତି ଯାହାଙ୍କୁ ପରିବାର ଭେଟିବାକୁ ଆସନ୍ତି ନାହିଁ। ଆର୍ଥିକ କାରଣରୁ ଓକିଲ ନିଯୁକ୍ତ କରିପାରନ୍ତି ନାହିଁ। ସରକାର ସେମାନଙ୍କ ପାଇଁ ଲିଗାଲ ଏଡ୍‌ର ବ୍ୟବସ୍ଥା କରିଛି।

-ସନ୍ତୋଷିନୀ ଦାଶ, ଜେଲର, ଝାରପଡ଼ା ଜେଲ

ସମ୍ବନ୍ଧିତ ଖବର