ଗତ ଶୁକ୍ରବାର ମେକ୍ସିକୋ ପୁଲିସର ଏକ ଅକଳ୍ପନୀୟ କାର୍ଯ୍ୟ ଇଣ୍ଟନେଟ୍‌ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ହାତରେ  ଛୁରୀ ଧରିଥିବା ଏକ ଭୟଙ୍କର କଣ୍ଢେଇକୁ ପୁଲିସ ଗିରଫ କରିଥିଲା। ତା’କୁ ନିଜ ଆୟତ୍ତରେ ରଖିବା ପାଇଁ ପୁଲିସ କେବଳ କଣ୍ଢେଇ ହାତରେ ହାତକଡ଼ି ପକାଇନଥିଲା, ବରଂ ଏଥି ସହିତ କ୍ୟାମେରା ଆଗରେ ତାହାର ଆତ୍ମସପର୍ମଣ ମୁଦ୍ରାର ଭିଡିଓ ଚିତ୍ର ମଧ୍ୟ ଉତ୍ତୋଳନ କରିଥିଲା। ତେବେ ଉକ୍ତ କଣ୍ଢେଇକୁ ଗିରଫ କରିବା ପଛରେ ଏକ ରୋଚକ କାରଣ ମଧ୍ୟ ପୁଲିସ ଦର୍ଶାଇଛି। ‘ଚକି’ ନାମକ କଣ୍ଢେଇଟି କାର୍ଲସ୍‌ ‘ଏନ୍‌’ ନାମକ ତାହାର ମାଲିକକୁ କୁକର୍ମରେ କୁଆଡ଼େ ସହଯୋଗ କରୁଥିଲା ବୋଲି ଅଭିଯୋଗ ହୋଇଥିଲା ଏବଂ ସେମାନଙ୍କୁ ଉତ୍ତର ମେକ୍ସିକୋର ଏକ ସହରରେ ଲୋକେ ଗୋଟିଏ ଘର ଭିତରେ ବନ୍ଦ କରି ରଖିଥିଲେ। ପାଗଳ ଭଳି ଦିଶୁଥିବା ଏହି କଣ୍ଢେଇକୁ ତାହାର ମାଲିକ ବ୍ୟବହାର କରି ଲୋକଙ୍କୁ ଭୟଭୀତ କରୁଥିଲା ଏବଂ ଟଙ୍କା ଆଦାୟ କରୁଥିଲା।

Advertisment

ସେମାନଙ୍କ ବିରୋଧରେ ‘ଶାନ୍ତି ଭଙ୍ଗ କରିବା ଓ ଅନ୍ୟମାନଙ୍କ ଅଖଣ୍ଡତାକୁ ବିପଦରେ ପକାଇବା’ ଭଳି ଅଭିଯୋଗ ହୋଇଥିଲା। ଗିରଫ ପରେ ଜଣେ ପୁଲିସ ଅଧିକାରୀ କଣ୍ଢେଇର ପୋଷାକରୁ ଉଦ୍ଧାର ହୋଇଥିବା ଛୁରୀକୁ ଧରି ହସୁଥିବାରୁ ସେ ତାଙ୍କ ଚାକିରିକୁ ଗମ୍ଭୀରତାର ସହ ନେଇନଥିବା ଦର୍ଶାଇ ତାଙ୍କୁ ଆନୁଷ୍ଠାନିକ ଭାବେ ତାଗିଦ କରାଯାଇଥିଲା। ତେବେ ଗିରଫ ପରେ ଅଭିଯୁକ୍ତ ମାଲିକ କାର୍ଲସ ‘ଏନ୍‌’ଙ୍କୁ ମୁକ୍ତ କରାଯାଇଥିବା ବେଳେ କଣ୍ଢେଇ ବାବଦରେ କିଛି ସ୍ପଷ୍ଟ ସୂଚନା ଜଣାପଡ଼ିନାହିଁ।

ଉଲ୍ଲେଖଯୋଗ୍ୟ, ୧୯୮୮ ମସିହାର ହଲିଉଡ୍‌ ଫିଲ୍ମ ‘ଚାଇଲ୍‌ଡସ ପ୍ଲେ’ରେ ଚାର୍ଲସ ଲି ‘ଚକି’ ରୟ ନାମକ ଚରିତ୍ର ପ୍ରମୁଖ ଭୂମିକା ନିର୍ବାହ କରିଥିଲା। ସେଥିରେ ‘ଚକି’କୁ ଜଣେ ନିଷ୍ଠୁର ହତ୍ୟାକାରୀ ଭାବେ ଚିତ୍ରଣ କରାଯାଇଛି, ଯିଏ ବନ୍ଧୁକ ଗୁଳିରେ ସାଂଘାତିକ ଭାବରେ ଆହତ ହୋଇ ନିଜ ଆତ୍ମାକୁ ଏକ ଭଲ କଣ୍ଢେଇ ଶରୀରକୁ ସ୍ଥାନାନ୍ତର କରିଛି ଏବଂ ମଣିଷ ଶରୀରକୁ ତାହାକୁ ସ୍ଥାନାନ୍ତର କରିବାକୁ ନିରବଚ୍ଛିନ୍ନ ଉଦ୍ୟମ ଜାରି ରଖିଛି। ଖାଲି ହଲିଉଡ୍‌ କାହିଁକି, ‘ଖିଲୋନା ବନା ଖଳନାୟକ’ ଓ ‘ପାପୀ ଗୁଡ଼ିଆ’ ପରି ହିନ୍ଦୀ ସିନେମାରେ ମଧ୍ୟ ‘ଚକି’ ଅନୁପ୍ରାଣିତ ରାକ୍ଷସ କଣ୍ଢେଇର କାହାଣୀ ଅତୀତରେ ଦେଖିବାକୁ ମିଳିଛି।