ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜାଲୌନ ଜିଲ୍ଲାରେ ଓରାଇ ପୁଲିସ ଏନକାଉଣ୍ଟରରେ ଗତବର୍ଷ ଜଣେ ଅପରାଧୀର ଜୀବନ ଯାଇଥିଲା। ଏହାପରେ ମୃତ ଅପରାଧୀର ପିଲାଙ୍କ ଦାୟିତ୍ବ ନିଜ କାନ୍ଧକୁ ନେଇଥିଲା ପୁଲିସ । ନିକଟରେ ସମସ୍ତ ରୀତିନୀତି ଅନୁଯାୟୀ ମୃତ ଅପରାଧି ଝିଅର ବିବାହ କରାଇଛି ପୁଲିସ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାଯୋଗ୍ୟ, ୨୦୨୩ ମଇ ୧୦ ତାରିଖରେ ହାଇୱେ ପୁଲିସ ଥାନାରେ ନିୟୋଜିତ ଥିବା କନଷ୍ଟେବଳ ଭେଦଜିତ ସିଂହଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟା ମାମଲାରେ ଦୁଇଜଣ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ଏ ଦୁଇଜଣ ହେଲେ ରମେଶ ରାୟକବାର ଓ କଲ୍ଲୁ ଅହିରବାର। ଚଖମା ଦେଇ ଦୁଇ ହତ୍ୟାକାରୀ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଏନକାଉଣ୍ଟରରେ ରମେଶ ଓ କଲ୍ଲୁଙ୍କ ଜୀବନ ଚାଲି ଯାଇଥିଲା।
ଏହି ଏନକାଉଣ୍ଟର ପରେ ପୁଲିସକୁ ଉଚ୍ଚଅଧିକାରୀଙ୍କ ଠାରୁ ଖବର ମିଳିଥିଲା କି ହତ୍ୟାକାରୀ ରମେଶର ମୃତ୍ୟୁ ପରେ ତାର ଘରେ ଆଉ କେହି ରୋଜଗାରିଆ ନାହାଆନ୍ତି। ତେଣୁ ରମେଶର ଦୁଇଝିଅ ଓ ଜଣେ ପୁଅ ଅନାଥ ହୋଇଯାଇଛନ୍ତି। ଏହାପରେ ପୁଲିସ ମୃତ ହତ୍ୟାକାରୀର ପିଲାଙ୍କ ଦାୟିତ୍ବ ନିଜ କାନ୍ଧକୁ ନେଇଥିଲା।
ନିକଟରେ ପୁଲିସ ଅଭିଯୁକ୍ତର ବଡ଼ ଝିଅ ଶିବନୀଙ୍କ ବିବାହ ରୀତିନୀତି ଅନୁଯାୟୀ ସମ୍ପର୍ଣ୍ଣ କରି ଶାଶୁଘରକୁ ପଠାଇ ଦେଇଛି। ପୁଲିସର ଏଭଳି କାମ ପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି।