 ଆଧୁନିକ ଚିକିତ୍ସାରେ ବର୍ତ୍ତମାନ କ୍ରିଟିକାଲ୍‌ କେୟାର୍‌ ବା ଇଣ୍ଟେନ୍‌ସିଭ୍ କେୟାର୍‌ର ଗୁରୁତ୍ବ ବୃଦ୍ଧି ପାଉଛି। ଏହାର କାରଣ କ’ଣ? 
ଏବେ ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ କ୍ରିଟିକାଲ୍‌ କେୟାର୍‌ ୟୁନିଟ୍‌ ରଖାଯାଉଛି। ସାଧାରଣ ଭାବେ ଜଣେ ଗୁରୁତର ‌ରୋଗୀଙ୍କୁ ୨୪ ଘଣ୍ଟିଆ ପର୍ଯ୍ୟବେକ୍ଷଣ ଓ ତ୍ବରିତ ଚିକିତ୍ସା ଯୋଗାଇ ଦେବା ଲାଗି କ୍ରିଟିକାଲ୍‌ କେୟାର ୟୁନିଟ୍‌ ବା ଇଣ୍ଟେନ୍‌ସିଭ୍ କେୟାର ୟୁନିଟ୍‌ (ଆଇସିୟୁ)ର ସୃଷ୍ଟି। ଏଥିସହ ଆଇସିୟୁରେ ଲାଇଫ୍‌ ସପୋର୍ଟ ସିଷ୍ଟମ୍ ମଧ୍ୟ ଉପଲବ୍ଧ ଥାଏ। ରୋଗୀଙ୍କର କୌଣସି ଅଙ୍ଗ ଯଦି ଠିକ୍‌ ଭାବେ କାର୍ଯ୍ୟ କରିବା ବନ୍ଦ କରିଦିଏ, ତେବେ ତାଙ୍କୁ ଲାଇଫ୍‌ ସପୋର୍ଟ ସିଷ୍ଟମ୍‌ରେ ରଖି ଚିକିତ୍ସା କରାଯାଏ। 

Advertisment

 କେଉଁ ଧରଣର ରୋଗୀଙ୍କୁ ଆଇସିୟୁରେ ରଖି ଚିକିତ୍ସା କରିବା ଜରୁରି ହୋଇଥାଏ? 
ହୃଦ୍‌ଘାତ୍‌ କିମ୍ବା ମସ୍ତିଷ୍କଘାତର ଶିକାର ହୋଇଥିବା ‌ରୋଗୀ, ହୃତ୍‌ପିଣ୍ଡ, ଫୁସ୍‌ଫୁସ୍‌, ଯକୃତ, ବୃକ୍‌କ ଆଦି ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଅଚଳ ହୋଇଥିବା ରୋଗୀଙ୍କୁ ଆଇସିୟୁ ଚିକିତ୍ସା ଦରକାର। ଏହା ବାଦ୍‌ କୌଣସି ଦୁର୍ଘଟଣାର ଶିକାର ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲେ ଅଥବା ନିଃଶ୍ବାସପ୍ରଶ୍ବାସ ବ୍ୟାହତ ହେଉଥିବା ରୋଗୀଙ୍କୁ ତୁରନ୍ତ କ୍ରିଟିକାଲ୍‌ କେୟାର୍‌ ଚିକିତ୍ସା ଦରକାର। ଜୀବନ ପ୍ରତି ବିପଦ ଥିବା ଯେକୌଣସି ରୋଗୀଙ୍କୁ ଆଇସିୟୁରେ ରଖି ଚିକିତ୍ସା କରିବା ଫଳପ୍ରଦ ହୋଇଥାଏ। 

 ସାଧାରଣ ଚିକିତ୍ସା ଓ ଆଇସିୟୁ ଚିକିତ୍ସା ମଧ୍ୟରେ କି ପାର୍ଥକ୍ୟ ରହିଥାଏ?
ଆଇସିୟୁରେ ଅନେକ ଅତ୍ୟାଧୁନିକ ଯନ୍ତ୍ରପାତି ଥାଏ। କୃତ୍ରିମ ଭାବେ ଶ୍ବାସକ୍ରିୟା ଚଳାଇ ରଖିବା ଲାଗି ଭେଣ୍ଟିଲେଟର୍‌ ବ୍ୟବସ୍ଥା ଥାଏ। ସେହିପରି ଏକ୍‌ମୋ (କୃତ୍ରିମ ଫୁସ୍‌ଫୁସ୍‌), ଡିଫିବ୍ରିଲେଟର୍, ସିଆର୍‌ଆର୍‌ଟି ଭଳି ଅତ୍ୟାଧୁନିକ ଯନ୍ତ୍ରପାତି ସାହାଯ୍ୟରେ ଚିକିତ୍ସା କରାଯାଏ। ଜଣେ ରୋଗୀଙ୍କର ଶରୀରର ସମସ୍ତ ଅଙ୍ଗର କାର୍ଯ୍ୟଦକ୍ଷତା ପରିମାପକ ବ୍ୟବସ୍ଥା ମଧ୍ୟ ଆଇସିୟୁରେ ଥାଏ। ତଦନୁଯାୟୀ ଚିକିତ୍ସା କରାଯାଏ। ଡାକ୍ତର ରୋଗୀ ପାଖରେ ୨୪ ଘଣ୍ଟା ଉପସ୍ଥିତ ଥାଆନ୍ତି। ରକ୍ତଚାପ ନିୟନ୍ତ୍ରଣ, ହୃତ୍‌ପିଣ୍ଡ ଓ ଫୁସ୍‌ଫୁସ୍‌ କାର୍ଯ୍ୟକାରିତା ନିୟନ୍ତ୍ରଣ, ଶରୀରର ଅମ୍ଳଜାନ ସ୍ତର ନିୟନ୍ତ୍ରଣ, କିଡ୍‌ନୀ ଡାଏଲିସିସ୍ ଓ ଅନ୍ୟ ଅଙ୍ଗସମୂହର କାର୍ଯ୍ୟକାରିତା ଅନୁଧ୍ୟାନ ମଧ୍ୟ ହୋଇଥାଏ। ଏସବୁ ସାଧାରଣ ୱାର୍ଡରେ ଉପଲବ୍ଧ ହୋଇ ନଥାଏ। 

 ଏହାଦ୍ବାରା ରୋଗୀ କିପରି ଲାଭବାନ୍‌ ହେଉଛନ୍ତି? 
ଆଗରୁ ଆଇସିୟୁ ବ୍ୟବସ୍ଥା ନଥିବା ବେଳେ ଗୁରୁତର ରୋଗୀଟିଏ ପ୍ରକୃଷ୍ଟ ଚିକିତ୍ସା ଅଭାବରୁ ସୁସ୍ଥ ହୋଇ ଫେରିବା ଆଶା କମ୍ ରହୁଥିଲା। ଏବେ କିନ୍ତୁ ଗୁରୁତର ରୋଗୀ ସୁସ୍ଥ ହୋଇ ଫେରିବା ସଂଖ୍ୟା ବଢ଼ିଛି। ପୁଣି କିଡ୍‌ନୀ କିମ୍ବା ଲିଭର୍‌ ବିଫଳ ହୋଇଥିବା ରୋଗୀଙ୍କ ଅଙ୍ଗ ପ୍ରତିରୋପଣ ପରେ ଆଇସିୟୁରେ ତାଙ୍କୁ ଅତ୍ୟୁଚ୍ଚ ଯତ୍ନରେ ରଖାଯାଇ ସୁସ୍ଥ କରି ଛଡ଼ାଯାଉଛି। ଅପେକ୍ଷାକୃତ ବ୍ୟୟବହୁଳ ହୋଇଥିଲେ ହେଁ ଗୁରୁତର ରୋଗୀଙ୍କୁ ଆଧୁନିକ ଚିକିତ୍ସାର ସୁଫଳ ମିଳିପାରୁଛି। 

 କୋଭିଡ୍‌ କାଳରେ କ୍ରିଟିକାଲ୍‌ କେୟାର ବିଭାଗର ଗୁରୁତ୍ବ ରାତାରାତି ବୃଦ୍ଧି ପାଇଥିଲା କାହିଁକି? 
କୋଭିଡ୍‌ ସମୟରେ ଶରୀରରେ ଅମ୍ଳଜାନ ସ୍ତର ଖସୁଥିବା ରୋଗୀ ବହୁସଂଖ୍ୟାରେ କ୍ରିଟିକାଲ୍‌ କେୟାର ଆବଶ୍ୟକ କରୁଥିଲେ। ପୁଣି ଅନ୍ୟ ରୋଗ ଥିବା ବ୍ୟକ୍ତି ରୋଗ ପ୍ରତିଷେଧକ ଶକ୍ତି ହ୍ରାସ ହେତୁ ଗୁରୁତର ହୋଇଯାଉଥିଲେ। ସେଇ ସମୟରେ ଫୁସ୍‌ଫୁସ୍‌ ଫାଇବ୍ରୋସିସ୍‌ ଏକ ବଡ଼ ଚାଲେଞ୍ଜ ଥିଲା। ସେମାନଙ୍କୁ ଇନ୍‌ଟେନ୍‌ସିଭ୍‌ କେୟାରରେ ରଖାଯାଇ ସୁସ୍ଥ କରାଯାଇଥିଲା। ବହୁ ରୋଗୀ ଆସନ୍ନ ମୃତ୍ୟୁମୁଖରୁ ଫେରି ସୁସ୍ଥ ଜୀବନଯାପନ କରୁଛନ୍ତି।