 ଫରେନ୍‌ସିକ୍‌ ମେଡିସିନ୍‌ ବିଭାଗର ମୁଖ୍ୟ କାମ କ’ଣ?
ଫରେନ୍‌ସିକ୍‌ ମେଡିସିନ୍‌ ମୁଖ୍ୟତଃ ସେହିମାନଙ୍କର ପରୀକ୍ଷା ଓ ମୂଲ୍ୟାଙ୍କନ ସହ ସମ୍ପୃକ୍ତ, ଯେଉଁମାନଙ୍କର ବାହ୍ୟ ପ୍ରଭାବ ଯେପରିକି ଆଘାତ, ବିଷକ୍ରିୟା ଦ୍ବାରା ମୃତ୍ୟୁ ହୋଇଥିବା ଦାବି କରାଯାଏ। ଏହା ସେହି ଅଭିଯୁକ୍ତମାନଙ୍କର ପରୀକ୍ଷା ମଧ୍ୟ କରେ ଯେଉଁମାନେ ଅନ୍ୟ ଜଣକୁ ଆହତ କରିଥିବା ପୁଲିସ ସନ୍ଦେହ କରିଥାଏ। 

Advertisment

  ଫରେନ୍‌ସିକ୍‌ ଚିକିତ୍ସା ବିଜ୍ଞାନ କାହିଁକି ଜରୁରି?
ଅପରାଧ ତଦନ୍ତ, ବୈଧାନିକ ପ୍ରକ୍ରିୟା, ଜନସ୍ବାସ୍ଥ୍ୟ, ବୀମା ଦାବି ଓ ମାନବାଧିକାର ଆଦି ପାଇଁ ଫରେନ୍‌ସିକ୍‌ ଚିକିତ୍ସା ବିଜ୍ଞାନ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଏହା ମୃତ୍ୟୁର କାରଣ ଓ ପ୍ରକାର ନିର୍ଣ୍ଣୟ କରିବାରେ ସାହାଯ୍ୟ କରେ। ଏହା ଅପରାଧର ସାକ୍ଷ୍ୟ ପ୍ରଦାନ ସହ ଅପରାଧୀ ଚିହ୍ନଟ କରିଥାଏ। ଏହାଦ୍ବାରା ମହାମାରୀ ବା କୌଣସି ଶିଳ୍ପର ପ୍ରଦୂଷଣ ଯୋଗୁଁ ହୋଇଥିବା ମୃତ୍ୟୁ ରହସ୍ୟକୁ ଉନ୍ମୋଚନ କରାଯାଇପାରେ, ଯାହା ଜନସ୍ବାସ୍ଥ୍ୟ ମାମଲା ବା ସୁରକ୍ଷା ନିୟମାବଳୀ କ୍ଷେତ୍ରରେ ଉପଯୋଗୀ ହୁଏ। ଏହା ମୃତ୍ୟୁର ସଠିକ୍‌ କାରଣ ଠାବ କରି ବୀମା ଦାବି ସମ୍ବନ୍ଧୀୟ ବିବାଦ ସମାଧାନରେ ସାହାଯ୍ୟ କରେ। ଏଥି ସହିତ ମାନବାଧିକାର ଉଲ୍ଲଂଘନ ଓ ଯୁଦ୍ଧ ଅପରାଧର ତଦନ୍ତରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରି ପୀଡ଼ିତଙ୍କୁ ନ୍ୟାୟ ସୁନିଶ୍ଚିତ କରେ। 

 ଏହି ବିଭାଗ ଆଉ କେଉଁ କେଉଁ ଦିଗରେ ତଦନ୍ତ ଓ ପରୀକ୍ଷଣ କରେ? 
ଫରେନ୍‌ସିକ୍‌ ପାଥୋଲୋଜି ଅଟୋପ୍‌ସି, ଟକ୍ସିକୋଲୋଜି ଓ ହିଷ୍ଟୋଲୋଜି ଆଦି ତିନିଟି ଶାଖାରେ ବିଭକ୍ତ। ପାଥୋଲୋଜିଷ୍ଟ୍‌ମାନେ ମୃତ୍ୟୁର କାରଣ, ପଦ୍ଧତି ଓ ଯନ୍ତ୍ରଣା ନିର୍ଣ୍ଣୟ କରିବାକୁ ମୃତଦେହ ପରୀକ୍ଷା କରନ୍ତି। ସେମାନେ ଶରୀର ସଂରଚନା ଯାଞ୍ଚ କରନ୍ତି ଏବଂ ରୋଗ ବା ଆଘାତର ଚିହ୍ନ ଦେଖନ୍ତି। ଟକ୍ସିକୋଲୋଜିରେ ରକ୍ତ, ମୂତ୍ର ଓ ଶରୀରର ଅନ୍ୟାନ୍ୟ ତରଳ ପଦାର୍ଥରେ ଔଷଧ, ମଦ୍ୟପାନ, ବିଷ ଓ ଅନ୍ୟ ବିଷାକ୍ତ ପଦାର୍ଥର ମିଶ୍ରଣ ଦେଖାଯାଏ। ହିଷ୍ଟୋଲୋଜିରେ ତନ୍ତୁ ନମୁନାକୁ ମାଇକ୍ରୋସ୍କୋପରେ ଯାଞ୍ଚ କରାଯାଏ। ଏହା ରୋଗ ସଂକ୍ରମଣ, ଆଘାତର ପ୍ରଭାବ ବୁଝିବାକୁ ସାହାଯ୍ୟ କରେ। 

 କ୍ଲିନିକାଲ୍‌ ଫରେନ୍‌ସିକ୍‌ ବିଭାଗର କାମ କ’ଣ?
ଚିକିତ୍ସକମ‌ାନେ ଜୀବିତ ବ୍ୟକ୍ତିଙ୍କର ଆଘାତ ସମ୍ପର୍କରେ ନିରୀକ୍ଷଣ କରି ଦସ୍ତାବିଜ ତିଆରି କରନ୍ତି। ବିଶେଷ କରି ଆକ୍ରମଣ, ଘରୋଇ ହିଂସା ଓ ଶିଶୁ ନିର୍ଯାତନା ମାମଲାରେ ଆଇନଗତ ପ୍ରମାଣ ପାଇଁ ଆଘାତରୁ ଯଥେଷ୍ଟ ପ୍ରମାଣ ସଂଗ୍ରହ କରାଯାଇପାରେ।  ସେହିପରି ‌େଯୗନ ନିର୍ଯାତନା ମାମଲାରେ ମଧ୍ୟ ଶାରୀରିକ ପରୀକ୍ଷା ପରେ ଆଘାତ ରେକର୍ଡ କରାଯାଏ ଏବଂ ଉପଯୁକ୍ତ ଚିକିତ୍ସା ଯୋଗାଇ ଦିଆଯାଏ। ଫରେନ୍‌ସିକ୍‌ ଚିକିତ୍ସକମାନେ ଏକ ବିସ୍ତୃତ ଚିକିତ୍ସା ରିପୋର୍ଟ ପ୍ରସ୍ତୁତ କରନ୍ତି, ଯାହାକୁ ଅଦାଲତରେ ଏକ ବଡ଼ ସାକ୍ଷ୍ୟ ଭାବେ ଉପସ୍ଥାପିତ କରାଯାଏ।

 ଫରେନ୍‌ସିକ୍‌ ଲ୍ୟାବ୍‌ରେ ଦାନ୍ତ ଓ ଶରୀର ଖଣ୍ଡରୁ ବି ପୀଡ଼ିତଙ୍କୁ ଚିହ୍ନଟ କରିବା ସମ୍ଭବ କି?
ଦନ୍ତ ଡାକ୍ତରମାନେ ଅଚିହ୍ନା ମୃତଦେହମାନଙ୍କ ସହ ଦନ୍ତ ରେକର୍ଡ, ଏକ୍ସ-ରେ ଓ ଫଟୋଗୁଡ଼ିକର ସମ୍ମିଶ୍ରଣ କରି ପୀଡ଼ିତଙ୍କୁ ଚିହ୍ନିତ କରନ୍ତି। ଦୁର୍ଘଟଣାରେ ବିକୃତ ହୋଇଯାଇଥିବା ବ୍ୟକ୍ତିଙ୍କ ପରିଚୟ ଏଥିରୁ ହିଁ ଜଣାପଡ଼େ। ମୃତ ଶରୀରରେ ଦାନ୍ତର କାମୁଡ଼ା ଚିହ୍ନ ଥିଲେ ବି ସେଥିରୁ ଦାନ୍ତର ଢାଞ୍ଚା ଆଣି ଅଭିଯୁକ୍ତ ଅପରାଧ କରିଛି କି ନାହିଁ ଚିହ୍ନଟ କରାଯାଏ। ଫରେନ୍‌ସିକ୍‌ ଆନ୍ଥ୍ରୋପୋଲୋଜିଷ୍ଟମାନେ ମଣିଷର ଖଣ୍ଡ ଖଣ୍ଡ ଶରୀରରୁ ମୃତକଙ୍କ ବୟସ, ଲିଙ୍ଗ, ଆକୃତି ଓ ସେ କେଉଁ ରୋଗରେ ପୀଡ଼ିତ ଥିଲେ ତାହା ଜାଣିପାରନ୍ତି।