ମହାମାରୀ କୋଭିଡ୍‌-୧୯ ସମଗ୍ର ବିଶ୍ବକୁ ଅଭୂତପୂର୍ବ ଭାବେ ବଦଳାଇଦେଇଛି। ଏହା ଆମମାନଙ୍କର ଅଧ୍ୟୟନ, କାର୍ଯ୍ୟଶୈଳୀ ଓ ପୋଷାକ ପରିପାଟୀରେ କଳ୍ପନାତୀତ ପରିବର୍ତ୍ତନ ଆଣିଛି। ଜୁମ୍‌ ମାଧ୍ୟମରେ ଅଫିସର ବୈଠକ କାର୍ଯ୍ୟ ସାଧିତ ହେବା ପରେ କର୍ମଚାରୀମାନେ ସାର୍ଟ ଓ ବ୍ଲେଜର ପରିବର୍ତ୍ତେ ପାଇଜାମା ଓ ହୁଡିଜ୍‌କୁ ବେଶ୍‌ ଆପଣେଇ ନେଇଛନ୍ତି। ଲୋକମାନେ ସ୍ମାର୍ଟ ଦିଶିବା ଅପେକ୍ଷା ଆରାମଦାୟକତାକୁ ପ୍ରାଧାନ୍ୟ ଦେଉଛନ୍ତି। ଏହି କ୍ରମରେ ଲୋକପ୍ରିୟ ହୋଇଥିବା ଏକ ପରିଧାନ ହେଉଛି କ୍ରକ୍‌ସ ଜୋତା।

Advertisment

ଚାକିରିଆମାନେ ସ୍ମାର୍ଟ ଦିଶିବାକୁ ପିନ୍ଧୁଥିବା ଜୋତା ବଦଳରେ ଏବେ ଆରାମଦାୟକ କ୍ରକ୍‌ସ ଜୋତାକୁ ଗ୍ରହଣ କରିଛନ୍ତି। ଜୋତା ଅପେକ୍ଷା ଏହା ଶସ୍ତା ଏବଂ ପିନ୍ଧିବା ମଧ୍ୟ ସହଜ ଓ ଆରାମଦାୟକ। ତେଣୁ ମହାମାରୀ କଟକଣା ହଟିଯିବା ପରେ ମଧ୍ୟ ଜୋତା ବଦଳରେ କ୍ରକ୍‌ସ ଚପଲ ପିନ୍ଧି ଲୋକେ କର୍ମସ୍ଥଳୀକୁ ଯିବା ଆରମ୍ଭ କରିଥିଲେ। ତେଣୁ ‘କ୍ରକ୍‌ସ’ର ସଫଳତା ପଛର ମୁଖ୍ୟ କାରଣ କୋଭିଡ୍ ମହାମାରୀ ବୋଲି କମ୍ପାନିର ସିଇଓ ଆଣ୍ଡ୍ର୍ୟୁ ରିଜ୍‌ ପ୍ରକାଶ କରିଛନ୍ତି। ମହାମାରୀ ପରେ ମଧ୍ୟ କ୍ରକ୍‌ସ ଫ୍ୟାସନ୍‌ ଓ ଆରାମଦାୟକ ପରିଧାନର ଏକ ଲୋକପ୍ରିୟ ବ୍ରାଣ୍ଡ ରୂପେ ତିଷ୍ଠି ରହିପାରିଛି।