ଆମେରିକାରେ କୁକୁର ପାଳିବା ଓ ତାକୁ ଚଲାବୁଲା କରାଇବା ଏକ ସ୍ବାଭାବିକ କାମ। ଏହି କାର୍ଯ୍ୟ ପାଇଁ କାହାକୁ ନିଯୁକ୍ତି ଦେବା ମଧ୍ୟ ସେଠାରେ ଏକ ସାଧାରଣ କଥା। ବିଶେଷ କରି ଯେତେବେଳେ ଗୃହକର୍ତ୍ତା ଓ କର୍ତ୍ତ୍ରୀ ବାହାରକୁ ଯାଇଥା’ନ୍ତି, ସେତେବେଳେ ସେମାନଙ୍କ ପୋଷା କୁକୁରର ଯତ୍ନ ନେବା ପାଇଁ ସେମାନେ ଜଣେ ଦକ୍ଷ ସେବାକାରୀ ଖୋଜିଥାନ୍ତି। ତେବେ ୟୁନାଇଟେଡ୍ କିଙ୍ଗଡମ୍ରେ ରହୁଥିବା ଏକ ପ୍ରବାସୀ ଆମେରିକୀୟ କୋଟିପତି ପରିବାର ସେମାନଙ୍କ କୁକୁରର ଯତ୍ନକାରୀଙ୍କୁ ବର୍ଷକୁ କୋଟିଏ ଟଙ୍କା ଦରମା ଦେବାକୁ ପ୍ରସ୍ତୁତ ଅଛନ୍ତି। ସଂପୃକ୍ତ ପରିବାର ବାର୍ଷିକ ୧,୨୭,୨୨୭ ଡଲାର ବା ପ୍ରାୟ କୋଟିଏ ଟଙ୍କାରୁ ଅଧିକ ଦରମାରେ ଜଣେ ଶ୍ବାନପାଳକ ନିଯୁକ୍ତି ପାଇଁ ଦେଇଥିବା ବିଜ୍ଞାପନ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ନିଯୁକ୍ତି ପାଇବା ପାଇଁ ଆଶାୟୀ ଜଣକ ସେମାନଙ୍କ କୁକୁରର ସର୍ବାଙ୍ଗୀନ କଲ୍ୟାଣ, ସ୍ବାସ୍ଥ୍ୟ ଓ ନିରାପତ୍ତା ନିଶ୍ଚିତ କରାଇବା ଦରକାର। ଏପରି ଚାକିରିକୁ ଅନେକ ଲୋକ ଅବାସ୍ତବ ମନେ କରୁଥିବା ବେଳେ କିଛି ଲୋକ ଉକ୍ତ ବିଜ୍ଞାପନରେ ରୋଚକ ଟିପ୍ପଣୀମାନ ଦେଇଛନ୍ତି। କେହି କେହି ଏହାକୁ ସେମାନଙ୍କର ଅବସରକାଳୀନ ଚାକିରି ବୋଲି କହୁଥିବା ବେଳେ ଆଉ କିଏ ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ଜାଣିବାକୁ ଚାହିଁଛନ୍ତି। ତଥାପି ଏଭଳି ଲୋଭନୀୟ ନିଯୁକ୍ତି ପାଇବା ପାଇଁ ୨,୦୦୦ରୁ ଅଧିକ ଆଶାୟୀ ଆବେଦନ କରିସାରିଲେଣି।