ମହାଭାରତ, ରାମାୟଣ ଏବଂ ମହାକବି କାଳିଦାସକୃତ ରଘୁବଂଶ, ମେଘଦୂତ ଆଦି ଗ୍ରନ୍ଥରେ କ୍ରୌଞ୍ଚ ପର୍ବତର ଉଲ୍ଲେଖ ମିଳେ। ହିମବାନଙ୍କର ପୁତ୍ର କ୍ରୌଞ୍ଚଙ୍କ ନାମାନୁସାରେ ଏହି ପର୍ବତ ନାମିତ। ଏହା ନିଜର ସୌନ୍ଦର୍ଯ୍ୟ ନିମିତ୍ତ ବିଖ୍ୟାତ। ସମୁଦ୍ର ପତ୍ତନର ୩୦୮୦ ମିଟର ଉଚ୍ଚରେ, ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲାର କୈଳାସ ମାନସରୋବର ନିକଟରେ ଏହି ପର୍ବତ ଅବସ୍ଥିତ। କୁହାଯାଏ, ଏହାକୁ ଆରୋହଣ କଲେ ହିମାଳୟର ଅଶି ପ୍ରତିଶତ ଶୃଙ୍ଗ ଅବଲୋକନ କରିହୁଏ।

Advertisment

ପୁରାଣର ବର୍ଣ୍ଣନା ଅନୁଯାୟୀ, ନିଜ ଅସ୍ତ୍ରବିଦ୍ୟାର ପରିଚୟ ଦେବାକୁ ଯାଇ ମହର୍ଷି ପର୍ଶୁରାମ ଏହି ପର୍ବତକୁ ଶରସଂଧାନ କରିଥିଲେ। ଫଳରେ ଏହା ମଧ୍ୟରେ ଏକ ରନ୍ଧ୍ର ସୃଷ୍ଟି ହୋଇଥିଲା। ଏହି ରନ୍ଧ୍ର ମଧ୍ୟ ଦେଇ ଦକ୍ଷିଣାଗତ ହଂସ, କରଣ୍ଡକ, କ୍ରୌଞ୍ଚ ଆଦି ପକ୍ଷୀମାନେ ମାନସରୋବର ଯାତ୍ରା କରିଥାନ୍ତି। ବ୍ୟାସ, ବାଲ୍ମୀକି, କାଳିଦାସଙ୍କର ବର୍ଣ୍ଣିତ ଏହି ଅପରୂପା ପର୍ବତରେ ଉତ୍ତର ଭାରତର ଏକମାତ୍ର କାର୍ତ୍ତିକେଶ୍ୱର ସ୍ୱାମୀ ମନ୍ଦିର ଅବସ୍ଥିତ। ଏହା ସଂପର୍କରେ କୁହାଯାଇଛି, ଏକଦା ଶିବପାର୍ବତୀ ସେମାନଙ୍କର ଦୁଇ ପୁତ୍ରଙ୍କୁ ଡାକି ସେମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା କରାଇଲେ। କହିଲେ, ଦୁହିଁଙ୍କ ଭିତରୁ ଯେ ପ୍ରଥମେ ବିଶ୍ୱବ୍ରହ୍ମାଣ୍ଡ ପରିକ୍ରମା କରିଆସିବ, ସେ ଦେବତାମାନଙ୍କ ମଧ୍ୟରେ ଅଗ୍ରପୂଜ୍ୟ ହେବ। ଏହା ଜାଣି କାର୍ତ୍ତିକେୟ ତାଙ୍କ ମୟୂର ବାହନରେ ଚଢ଼ି ବ୍ରହ୍ମାଣ୍ଡ ପରିକ୍ରମା କରିବାକୁ ବାହାରିଲେ। କିନ୍ତୁ ବୁଦ୍ଧିମାନ ଗଣେଶ ଗଙ୍ଗାରେ ସ୍ନାନ କରି ମହାଦେବ ଏବଂ ପାର୍ବତୀଙ୍କର ପରିକ୍ରମା କରି କହିଲେ, “ସଂସାର କହେ, ମାତା ପୃଥିବୀ ଅପେକ୍ଷା ବଡ଼ ଓ ପିତା ଆକାଶଠାରୁ ବୃହତ୍ତର। ଅତଏବ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ ହିଁ ମାତାପିତା। ସେମାନଙ୍କର ପରିକ୍ରମା ହିଁ ବ୍ରହ୍ମାଣ୍ଡ ପରିକ୍ରମା। ମହାଦେବ ଏଥିରେ ସନ୍ତୁଷ୍ଟ ହେଲେ ଏବଂ ଗଣେଶ ଦେବତାମାନଙ୍କର ଅଗ୍ରପୂଜ୍ୟ ହେଲେ।’’

କାର୍ତ୍ତିକ ଫେରିଆସି ଏହା ଜାଣିଲେ। ଦୁଃଖିତ ହୋଇ ପିତାମାତାଙ୍କୁ ପରିତ୍ୟାଗ କରି ସେ କ୍ରୌଞ୍ଚ ପର୍ବତକୁ ଯାଇ ସେଠାରେ ତପସ୍ୟା କଲେ। କାର୍ତ୍ତିକ ଦେବସେନାପତି। ତେଣୁ ସମସ୍ତ ଦେବତା କାର୍ତ୍ତିକଙ୍କର ଶରଣରେ ଆସି କ୍ରୌଞ୍ଚ ପର୍ବତରେ ପହଞ୍ଚିଲା ବେଳକୁ କାର୍ତ୍ତିକେୟ ସେଠାରୁ ଚାଲିଯାଇଥିଲେ। ତଥାପି ସେହି ପର୍ବତ କାର୍ତ୍ତିକେୟଙ୍କର ତପସ୍ୟାଭୂମି ହୋଇଥିବାରୁ, ସେଠାରେ ତାଙ୍କର ଏକ ମନ୍ଦିର ରହିଛି। ପ୍ରତିବର୍ଷ ଦେବ ଦୀପାବଳି ଦିନ ସାଧୁସନ୍ଥମାନେ ସେଠାରେ ଉପସ୍ଥିତ ହୋଇ ଆଠ ଦକ୍ଷିଣାବର୍ତ୍ତ ଶଙ୍ଖରେ କାର୍ତ୍ତିକେଶ୍ୱର ସ୍ୱାମୀଙ୍କର ଜଳାଭିଷେକ କରିଥାନ୍ତି। ପାର୍ବତୀଙ୍କର ଅନୁରୋଧରେ ଶିବ ସେଠାରେ ମଲ୍ଲିକାର୍ଜୁନ ଜ୍ୟୋତିର୍ଲିଙ୍ଗ ଭାବରେ ଅବସ୍ଥାନ କରିଛନ୍ତି।

-ଡକ୍ଟର ତୁଳସୀ ଓଝା