ପୁଲଓ୍ଵାମା: ଜମ୍ମୁ-କାଶ୍ମୀରର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ସାରା ଦେଶବାସୀଙ୍କ ହୃଦୟରେ ଉଭୟ ଦୁଃଖ ଏବଂ କ୍ରୋଧ ଭରିଦେଇଛି। ଘଟଣାଟି ଘଟିବାର ଏବେ ୧୦ ଦିନ ବିତିଗଲାଣି ସତ ହେଲେ ସେହି କାଳ ଦିନକୁ ଭୁଲି ପାରୁନାହାଁନ୍ତି ସହିଦଙ୍କ ପରିବାର ଏବଂ ଦେଶବାସୀ। ୧୪ ଫେବୃଆରୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ବୀର ଯବାନ ସହିଦ ହୋଇଥିବା ବେଳେ ଅନେକ ଯବାନ ଆହତ ହୋଇ ଏବେ ବି ଚିକିତ୍ସିତ ହେଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେହି ସହିଦ ବୀର ଯବାନମାନଙ୍କ ମଧ୍ୟରେ ସାମିଲ ଥିଲେ ରାଜସ୍ଥାନର ରୋହିତାଶ ଲାମ୍ବା। ବହୁତ ଗରିବ ପରିବାରରେ ବଢଥିବା ରୋହିତାଶଙ୍କୁ ସିଆରପିଏଫର ବର୍ଦ୍ଦି ପିନ୍ଧିବା ପାଇଁ କଠିନ ପରିଶ୍ରମ କରିବାକୁ ପଡିଥିଲା। ରୋହିତାଶଙ୍କ ବାପା କୁହନ୍ତି କି ମନରେଗାରେ ମାଟି କାମ କରି ସେ ତାଙ୍କ ପୁଅକୁ ପାଠପଢିବା ପାଇଁ ଟଙ୍କା ପଠାଉଥିଲେ। ଯଦି ସରକାର ଏହି ଆକ୍ରମଣର ପ୍ରତିଶୋଧ ନ ନିଅନ୍ତି ତେବେ ସରକାରଙ୍କ ଉପରେ ତାଙ୍କର ଭରସା ଉଡ଼ିଯିବ ବୋଲି ରୋହିତାଶଙ୍କ ବାପା କହିଛନ୍ତି।
ରାଜସ୍ଥାନର ବୀର ଯବାନ ରୋହିତାଶ ଲାମ୍ବାଙ୍କ ଘରେ ଏବେ ଲୋକଙ୍କ ଗହଣୀ ଲାଗିଛି। ରୋହିତାଶ ଅମର ରହେ ବୋଲି ସ୍ଲୋଗାନ ଚାଲିଛି। ହେଲେ ଭେଣ୍ଡିଆ ପୁଅକୁ ହରାଇଥିବା ବାପାକୁ ବୁଝାଇବାକୁ କାହାରି ବି ସାହସ ହେଉନି। ପୁଅର ମୃତ୍ୟୁକୁ ନେଇ ସେ ବହୁତ ଭାଙ୍ଗି ପଡିଛନ୍ତି। ଏକୁଟିଆ ବସି ମନେ ମନେ ପୁଅ କଥା ଭାବି ବାହୁନି ବାହୁନି କାନ୍ଦୁଛନ୍ତି ।
ବାବୁଲାଲ ବହୁ ଗରିବୀରେ ନିଜର ରୋହିତାଶଙ୍କୁ ପାଠ ପଢାଇ ଯୋଗ୍ୟ କରିଥିଲେ। ସବୁ ବାପାମାଆଙ୍କ ଭଳି ତାଙ୍କର ବି ସ୍ୱପ୍ନ ଥିଲା କି ବୁଢା ବୟସରେ ସେ ଯେତେବେଳେ ଥକି ଯିବେ ଆଉ କାମ କରିପାରିବେ ନାହିଁ , ଏହି ସମୟରେ ତାଙ୍କ ପୁଅ ତାଙ୍କ ସାହାରା ବନିବ। ହେଲେ ତାଙ୍କର ସବୁ ସ୍ୱପ୍ନ କେବଳ ସ୍ୱପ୍ନରେ ହିଁ ରହିଗଲା। ବଂଚି ଥାଉ ଥାଉ ଭେଣ୍ଡିଆ ପୁଅର ମର ଶରୀର ଦେଖିବାକୁ ପଡିଛି। ବାବୁଲାଲ କହିଛନ୍ତି କି, ରୋହିତାଶକୁ ପାଠପଢିବାକୁ ବହୁତ ଭଲ ଲାଗୁଥିଲା। ତେଣୁ ତାଙ୍କର ପାଠପଢାରେ ଯେଭଳି ଅର୍ଥ ବାଧକ ନସାଜୁ ସେଥିପାଇଁ ସେ ଦିନରାତି ଏକକାର କରି ମୁଲ ଲାଗୁଥିଲେ। ବାବୁଲାଲ କୁହନ୍ତି କି, ମୁଁ ପୁଅକୁ ବାରମ୍ବାର ବୁଝାଉଥିଲି କି, ଅନ୍ୟ କୌଣସି କାମ କର ବୋଲି , ହେଲେ ତାର ଖାଲି ଗୋଟିଏ ଜିଦ୍ ଥିଲା କି, ମୁଁ ସେନାରେ ଭର୍ତ୍ତି ହେବି ଆଉ ଦେଶ ପାଇଁ କାମ କରିବି। ରୋହିତାଶଙ୍କ ଆଜି ଦେଶ ପାଇଁ ପ୍ରାଣବଳି ଦେଇଛନ୍ତି। ଆଉ ତାଙ୍କର ଏହି ବଳିଦାନ ବ୍ୟର୍ଥ ଯିବନି ହେଲେ ବାବୁଲାଲଙ୍କୁ ବୁଝାଇବ କିଏ। କାରଣ ପୁଅର ମୃତ୍ୟୁକୁ ଭୁଲିପାରୁନାହାଁନ୍ତି ବାବୁଲାଲ। ପୁଅକୁ ଝୁରି ଝୁରି ତାଙ୍କ ଆଖିରୁ ଲୁହ ସରୁ ନାହିଁ।