ଅଦୃଶ୍ୟ ମୁଦ୍ରା କ୍ରିପ୍ଟୋକରେନ୍ସି ପ୍ରତି ଏବେ ଆକର୍ଷଣ ବଢ଼ିବାରେ ଲାଗିଛି। ଚିଟ୍ଫଣ୍ଡ୍ ସଂସ୍ଥା ଭଳି ରାତି ରାତି ବଡ଼ଲୋକ ହେବା ନିଶାରେ ଏବେ ଅନେକେ ଏହି କାରବାରରେ ସମ୍ପୃକ୍ତ। ନିକଟରେ ଏକ ବଡ଼ଧରଣର ଠକେଇ ଧରାପଡ଼ିବା ଆଶ୍ବସ୍ତି ଆଣିଥିଲେ ବି ଏହାର ଆଗାମୀ ପ୍ରଭାବକୁ ନେଇ ତଥାପି ଆଶଙ୍କା ରହିଛି। ଏହାର ବିଭିନ୍ନ ଦିଗକୁ ନେଇ ଆଲୋଚନା କରିଛନ୍ତି ପ୍ରଭାତ ପଟ୍ଟନାୟକ ଓ ଶୁଭକାନ୍ତ ପଢ଼ିହାରୀ
କ୍ରିପ୍ଟୋକରେନ୍ସି ସହିତ ଯୋଡ଼ି ହୋଇଯାଇଛି ଅପରାଧ। କେଉଁଠି କ୍ରିପ୍ଟୋକରେନ୍ସି ବିନିଯୋଗ ନାଁରେ ତ ଆଉ କେଉଁଠି କ୍ରିପ୍ଟୋକରେନ୍ସି ନାଁରେ ପୁଞ୍ଜି ବିନିଯୋଗ ଲୋଭ ଦେଖାଇ ଠକେଇ ଚାଲିଛି। ଏହି ଅଦୃଶ୍ୟ କାରବାରରେ ଲିପ୍ତ ରହୁଛନ୍ତି ଦୁର୍ନୀତି ଓ କଳାଧନ ଠୁଳ କରୁଥିବା ବ୍ୟକ୍ତିମାନେ, ଯେଉଁମାନେ ଧରାପଡ଼ିବା ପରେ ସେମାନଙ୍କ ଅପରାଧ ସାମ୍ରାଜ୍ୟ ଲୋକଲୋଚନକୁ ଆସୁଛି। ନିକଟରେ ସେହିଭଳି ଏକ ଅପରାଧ ସାମ୍ନାକୁ ଆସିଛି। ସାରା ଦେଶରୁ ପ୍ରାୟ ହଜାରେ କୋଟି ଟଙ୍କାର ଠକେଇ ମାମଲାରେ ସମ୍ପୃକ୍ତ ଥିବା ଏସ୍ଟିଏ (ସୋଲାର୍ ଟେକ୍ନୋ ଆଲିଆନ୍ସ)ର ଭାରତ ମୁଖ୍ୟ ଗୁରୁତେଜ ସିଂ ସିଦ୍ଧୁ ଏବଂ ଓଡ଼ିଶା ମୁଖ୍ୟ ନିରୋଦ ଦାସ ଇଓଡବ୍ଲ୍ୟୁ (ଅର୍ଥନୈତକି ଅପରାଧ ଶାଖା) ହାତରେ ଧରାପଡ଼ିଛନ୍ତି। ଏହି ସଂସ୍ଥାର ମୁଖ୍ୟ ହେଉଛନ୍ତି ଡେଭିଡ୍ ଗେଜ, ଯିଏକି ହଙ୍ଗେରିର ଜଣେ ନାଗରିକ। ଡେଭିଡ୍ ଏପର୍ଯ୍ୟନ୍ତ ଧରାପଡ଼ି ନ ଥିବାବେଳେ ଏହି ସଂସ୍ଥାର ଚେର କେଉଁ ପର୍ଯ୍ୟନ୍ତ ଲମ୍ବିଛି ତାହାର ଏକ ସ୍ପଷ୍ଟ ଚିତ୍ର ମିଳିବାରେ ଲାଗିଛି। ଜଣାପଡ଼ିଛି ଯେ ଏହି ସଂସ୍ଥା ‘ଏସ୍ଟିଏ’ ନାଁରେ ଚଳାଯାଉଥିବା କାରବାରରେ ସାରାଦେଶରୁ ପ୍ରାୟ ୨ ଲକ୍ଷ ସଦସ୍ୟ ରହିଛନ୍ତି। ଓଡ଼ିଶାରେ ଏହି ସଂଖ୍ୟା ୧୦ ହଜାରରୁ ଅଧିକ।
କ୍ରିପ୍ଟୋକରେନ୍ସି କାରବାରକୁ ନେଇ ଓଡ଼ିଶାରେ ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ (ଆରଡବ୍ଲ୍ୟୁଏସ୍ଏସ୍) ଭୁବନେଶ୍ବର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାଶଙ୍କ ନିକଟରୁ ଚଢ଼ଉ ସମୟରେ ପ୍ରାୟ ୮୮ଟି କ୍ରିପ୍ଟୋ ୱାଲେଟ୍ ମିଳିଥିଲା। ତାଙ୍କ ପତ୍ନୀଙ୍କ ନାଁରେ କ୍ରିପ୍ଟୋକରେନ୍ସିରେ ୬ କୋଟି ଟଙ୍କା ବିନିଯୋଗ ହୋଇଥିବା ଜଣାପଡ଼ିଥିଲା। ସେହିଭଳି, ସେୟାର୍ ମାର୍କେଟ୍ରେ ଟଙ୍କା ଲଗାଇବ ବୋଲି କହି ମଧ୍ୟପ୍ରଦେଶର ଯୁବକ ଓମ୍ପ୍ରକାଶ ଭରାବତ୍ ୧୩ ଜଣଙ୍କଠାରୁ ପ୍ରାୟ ୨ କୋଟି ୪୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିଲେ। ଓମ୍ପ୍ରକାଶଙ୍କୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିବା ପରେ ସେ ଠକେଇ ଟଙ୍କାକୁ କ୍ରିପ୍ଟୋକରେନ୍ସିରେ ଲଗାଇଥିବା ଜଣାପଡ଼ିଥିଲା। ଏଥିସହିତ, କଟକର ଦୁଇ ଜଣ ଆଇଟି ଇଞ୍ଜିନିୟର ଅଧିକ ଲାଭ ପାଇବା ଆଶାରେ କ୍ରିପ୍ଟୋକରେନ୍ସିରେ ୪୫ ଲକ୍ଷ ଟଙ୍କା ବିନିଯୋଗ କରି ଠକେଇର ଶିକାର ହୋଇଥିଲେ।
କ୍ରିପ୍ଟୋ ମାୟାଜାଲ ସହିତ ଓଡ଼ିଶାର ଏହିଭଳି ସମ୍ପୃକ୍ତି ଭିତରେ ଏହାର ବିଷମତା ଓ ନକାରାତ୍ମକ ପ୍ରଭାବ ଉପରେ ଏବେ ସମସ୍ତଙ୍କର ଦୃଷ୍ଟି। ଏହି କାରବାର କେବଳ ଓଡ଼ିଶାରେ କାହିଁକି, ବରଂ ସାରା ଦେଶର ବିଭିନ୍ନ ପ୍ରାନ୍ତରକୁ ସ୍ପର୍ଶ କରିସାରିଛି। ନେପାଳ, ଦୁବାଇ, କାନାଡ଼ା ଓ ହଙ୍ଗେରିକୁ ଲମ୍ବିଛି ଏହି ଠକେଇର ଚେର। କହିବାରେ ଦ୍ବିଧାନାହିଁ ଯେ, ଏହି ଅପରାଧିକ କାର୍ଯ୍ୟର ଅଂଶବିଶେଷ ପାଲଟିଛି ଆମ ରାଜ୍ୟ ଓଡ଼ିଶା।
କ୍ରିପ୍ଟୋ ନାଁରେ କିଭଳି ଠକେଇ ହେଉଛି?
l ବିଟ୍କଏନ୍ ନିବେଶ ସ୍କିମ୍
l ଚିଟ୍ଫଣ୍ଡ୍ ଭଳି ଲୋଭନୀୟ ପ୍ରତିଶ୍ରୁତି
l ଅପରିଚିତ ନୂଆ କ୍ରିପ୍ଟୋ କଏନ୍
l ଡେଟିଂ ଆପ୍
l ଇ-ମେଲ୍, ଏସ୍ଏସ୍ଏମ୍ ଜରିଆରେ ଫିସିଂ
l ମ୍ୟାନ୍ ଇନ୍ ଦି ମିଡିଲ୍ ଆଟାକ୍
l ସୋସିଆଲ୍ ମିଡିଆରେ ମିଛ ପ୍ରତିଶ୍ରୁତି
l ନକଲି କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ୍
l ନିଯୁକ୍ତି ଲୋଭ
l ଆଖିପିଛୁଳାକେ ଋଣ ଲୋଭ
ପ୍ରଶ୍ନଉଠେ, କେମିତି ଚାଲିଛି କ୍ରିପ୍ଟୋକରେନ୍ସିର ବେଆଇନ କାରବାର? ଅତ୍ୟନ୍ତ ନିବିଡ଼ ଭାବେ ଦେଖିଲେ, ଚିଟ୍ଫଣ୍ଡ୍ ସଂସ୍ଥା ସହିତ ଏହି କାରବାରର ଅନେକମାତ୍ରାରେ ସଦୃଶତା ରହିଛି। ଏହାର କାର୍ପଟ୍ଦାର ସାଜିଥିବା ଠକ ସଂସ୍ଥାମାନେ ସଦସ୍ୟ ସଂଖ୍ୟା ବଢ଼ାଇବା ପାଇଁ ନାମୀଦାମୀ ହୋଟେଲ୍ରେ ସଭା କରୁଛନ୍ତି। ଭଲ ଖାଦ୍ୟପେୟର ପରଷା ସହିତ ମୂଲ୍ୟବାନ ଉପହାର ମାଧ୍ୟମରେ ଯୁବକମାନଙ୍କୁ ଆକୃଷ୍ଟ କରୁଛନ୍ତି।
କ୍ରିପ୍ଟୋକରେନ୍ସି କାରବାରରେ ପିରାମିଡ୍ ଢାଞ୍ଚାରେ ଚେନ୍ ଭଳି ସଦସ୍ୟ ତିଆରି କରାଯାଉଛି। ଯେଉଁମାନେ ଚେନ୍ର ଉପରେ ଥାଆନ୍ତି ସେମାନଙ୍କୁ ଯଥେଷ୍ଟ ଲାଭ ମିଳୁଥିବା କୁହାଯାଉଛି। ମୋଟା ଅଙ୍କର ଦାମୀ ଗାଡ଼ି ସହିତ ସୁନା, ହୀରା, ନୀଳା, ମୋତି, ମାଣିକ ଭଳି ରତ୍ନ ପଥର ବି ଦିଆଯାଉଛି। ଏପରିକି, ବିଦେଶ ଭ୍ରମଣର ବି ପ୍ରଲୋଭନ ଯଚାଯାଉଛି। ଏହିଭଳି କାରବାରରେ ସମ୍ପୃକ୍ତ କେତେଜଣ ନିମ୍ନମଧ୍ୟବିତ୍ତ ବ୍ୟକ୍ତି ରାତାରାତି କୋଟିପତି ପାଲଟୁଥିବାର ବି ଦୃଷ୍ଟାନ୍ତ ରହିଛି। ଯାହାକି ଏହି ଠକ ସଂସ୍ଥାମାନଙ୍କର ବଡ଼ ସମ୍ବଳ ପାଲଟିଯାଉଛି। ସେହିମାନଙ୍କୁ ସାମ୍ନାକୁ ଆଣି ଅନ୍ୟମାନଙ୍କୁ ପ୍ରଲୋଭିତ କରିବା ସେମାନଙ୍କ ପକ୍ଷେ ସହଜ ହେଉଛି। ଫଳରେ, ଯେଉଁମାନେ ରାତାରାତି ଧନୀ ବା କୋଟିପତି ହେବାର ସ୍ବପ୍ନ ଦେଖୁଛନ୍ତି, ସେମାନେ ସହଜରେ ଏହି ମାୟାଜାଲରେ ପଡ଼ିଯାଉଛନ୍ତି ଏବଂ କାରବାରରେ ସମ୍ପୃକ୍ତ ହୋଇଯାଉଛନ୍ତି।
/sambad/media/post_attachments/wp-content/uploads/2022/01/cryptoc.jpeg)
କ୍ରିପ୍ଟୋର କାରବାର ସମ୍ପର୍କରେ ଜାଣିବା ପାଇଁ ରୁଚି ରଖିଥିବା ଜଣେ ବ୍ୟକ୍ତିବିେଶଷଙ୍କ ମତରେ, ‘କ୍ରିପ୍ଟୋକରେନ୍ସି ଜରିଆରେ ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତମାନେ କେମିତି ନିଜ ଜୀବନକୁ ବଦଳାଇ ପାରିବେ ଓ ରାତାରାତି ଧନୀ ହୋଇପାରିବେ ସେ ସ୍ବପ୍ନ ତାଙ୍କୁ ଦେଖାଯାଏ। ଏଥିପାଇଁ ସ୍ବତନ୍ତ୍ର ବକ୍ତାମାନଙ୍କୁ ଅଣାଯାଇଥାଏ। ମନରେ ଏମିତି ସ୍ବପ୍ନ ଭରି ଦିଆଯାଏ ଯେ ଯାହାଫଳରେ ସଭାକୁ ଆସିଥିବା ଅନେକେ ଆଉ ଖସି ଯାଇପାରନ୍ତି ନାହିଁ। ଅସରନ୍ତି ରଙ୍ଗିନ ସ୍ବପ୍ନରେ ଉବୁଟୁବୁ ହୋଇ ସେହି ମାୟାଜାଲରେ ସହଜରେ ଧରାପଡ଼ିଯାଆନ୍ତି। ତଦନ୍ତ ସମୟରେ ଇଓଡବ୍ଲ୍ୟୁ (ଅର୍ଥନୈତିକ ଅପରାଧ ଶାଖା) ମଧ୍ୟ ସେମିତି ଏକ ତଥ୍ୟ ପାଇଛି। ଏଭଳି ସଭାକୁ ଯାଉଥିବା ଶହେ ଜଣଙ୍କ ଭିତରୁ ପ୍ରାୟ ୭୦ ଜଣ ସଦସ୍ୟତା ଗ୍ରହଣ କରିଥିବା ଏହି ତଥ୍ୟରୁ ଜଣାପଡ଼ିଛି।
ଆହୁରିମଧ୍ୟ ଜଣାପଡ଼ିଛି ଯେ, ସଂସ୍ଥାର ଆଗଧାଡ଼ିର ସଦସ୍ୟଙ୍କୁ ନେଇ ରାଜ୍ୟ ବାହାରର ନାମୀଦାମୀ ହୋଟେଲ୍ରେ ଯେଉଁ ସଭାମାନ ଅାୟୋଜନ କରାଯାଉଛି, ସେଥିରେ ବଲିଉଡ୍ ତାରକା, ସେଲିବ୍ରିଟିମାନେ ଯୋଗ ଦେଉଛନ୍ତି। ସେମାନଙ୍କ ହାତରେ ସଦସ୍ୟମାନଙ୍କୁ ଉପହାର ଦିଆଯାଉଛି ଏବଂ ସେମାନଙ୍କ ସହ ଫଟୋ ଉଠାଇବା ପାଇଁ ବି ସୁଯୋଗ ଦିଆଯାଉଛି। ପ୍ରଲୋଭନ ସହିତ ଏହି ଆକର୍ଷଣ ହିଁ କ୍ରିପ୍ଟୋ କାରବାର ଆଡ଼କୁ ଢଳି ପଡ଼ିବାେର ସହାୟକ ହେଉଛି।
ସେମାନଙ୍କର ଅପରାଧମୂଳକ କାରବାରର ଏବେ ବଡ଼ ମାଧ୍ୟମ ପାଲଟିଛି ସୋସିଆଲ୍ ମିଡିଆ। ଠକେଇ ସଂସ୍ଥାଗୁଡ଼ିକ ଫେସ୍ବୁକ୍, ଇନ୍ଷ୍ଟାଗ୍ରାମ୍, ମେସେଞ୍ଜର, ୟୁ-ଟ୍ୟୁବ୍ରେ ଭିଡିଓ, ଫଟୋ, ମେସେଜ୍ ପଠାଇ ସେମାନଙ୍କ ପ୍ରଚାର କରୁଛନ୍ତି। ରାତାରାତି ଲକ୍ଷପତି ହେବାର ସ୍ବପ୍ନ ଦେଖାଉଛନ୍ତି। ସୋସିଆଲ୍ ମିଡିଆରେ ଯୋଡ଼ି ହେଉଥିବା ବ୍ୟକ୍ତିମାନେ ଏହି ଭିଡିଓ ଦେଖିବା ପରେ ସେମାନଙ୍କ ମଧ୍ୟରୁ ଅନେକ ଆକୃଷ୍ଟ ହୋଇଯାଆନ୍ତି। ଚାଇନାର ସାଇବର ଅପରାଧୀମାନେ ସୋସିଆଲ୍ ମିଡିଆରେ ଭାରତର ଜଣାଶୁଣା ସେଲିବ୍ରିଟି ଅମିତାଭ ବଚ୍ଚନ, ମୁକେଶ ଅମ୍ବାନୀ, ରତନ ଟାଟା, ସଚ୍ଚିନ ତେନ୍ଦୁଲକର, ପ୍ରଖ୍ୟାତ ୟୁଟ୍ୟୁବରଙ୍କ ଫଟୋକୁ ବ୍ୟବହାର କରି ଭାରତରୁ ଠକେଇ କରୁଛନ୍ତି। ନିର୍ଦ୍ଦିଷ୍ଟ ସଂସ୍ଥା ପାଇଁ ଏମାନେ ବ୍ରାଣ୍ଡ୍ ଆମ୍ବାସାଡର ବୋଲି କହି ଠକେଇ କରୁଥିବା ଏବେ ନଜରକୁ ଆସିଛି।
ଏସ୍ଟିଏ (ସୋଲାର୍ ଟେକ୍ନୋ ଆଲିଆନ୍ସ)ର ଭାରତ ମୁଖ୍ୟ ଗୁରୁତେଜ ସିଂ ସିଦ୍ଧୁ ଏବଂ ଓଡ଼ିଶା ମୁଖ୍ୟ ନିରୋଦ ଦାସ ଧରାପଡ଼ିବା ପଛରେ ଥିଲା ଏହିଭଳି ଏକ କାର୍ଯ୍ୟକ୍ରମର ଆୟୋଜନ। ନିକଟରେ ଗୋଆସ୍ଥିତ ଏକ ପଞ୍ଚତାରକା ହୋଟେଲ୍ରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ, ଯେଉଁଥିରେ ଯୋଗ ଦେଇଥିଲେ ବଲିଉଡ୍ ଅଭିନେତା ଗୋବିନ୍ଦା। ଭାରତ ମୁଖ୍ୟ ଗୁରୁତେଜ ସିଂ ସିଦ୍ଧୁଙ୍କ ଦ୍ବାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମୁଖ୍ୟ ନିରୋଦ ଦାସଙ୍କ ସମେତ ରାଜ୍ୟରୁ ୨୦ରୁ ଅଧିକ ଆଗଧାଡ଼ିର ସଦସ୍ୟ ସାମିଲ୍ ହୋଇଥିଲେ। ସେଠାରୁ ଫେରିବା ପରେ ନିରୋଦଙ୍କୁ ଗିରଫ କରିଥିଲା ଇଓଡବ୍ଲ୍ୟୁ। ସେହି କାର୍ଯ୍ୟକ୍ରମରୁ ଫେରାର୍ ହୋଇଯାଇଥିବା ଗୁରୁତେଜ ରାଜସ୍ଥାନର ଏକ ହୋଟେଲ୍ରେ ଆତ୍ମଗୋପନ କରିଥିବା ବେଳେ ଇଓଡବ୍ଲ୍ୟୁ ହାତରେ ଧରାପଡ଼ିଥିଲେ।
ତେବେ, ଏହିଭଳି ଏକ ବଡ଼ଧରଣର ଠକସଂସ୍ଥା ଧରାପଡ଼ିଥିଲେ ମଧ୍ୟ କ୍ରିପ୍ଟୋକରେନ୍ସିକୁ ନେଇ ଏବେ ବି ସମସ୍ତେ ଅନ୍ଧାରରେ ରହିଛନ୍ତି। ଯେଉଁଥିପାଇଁ ଏହାର ବିଭିନ୍ନ ଦିଗକୁ ନେଇ ଆଲୋଚନା ହେବାର ଆବଶ୍ୟକତା ରହିଛି।
କ୍ରିପ୍ଟୋକରେନ୍ସି କ’ଣ?
ବର୍ତ୍ତମାନ ସମୟରେ ଅନ୍ଲାଇନ୍ ଜଗତରେ ପ୍ରଚଳିତ ହେଉଥିବା ଏକପ୍ରକାର ମୁଦ୍ରା ହେଉଛି କ୍ରିପ୍ଟୋକରେନ୍ସି। କିଣାବିକା ଲାଗି ଟଙ୍କାର ଭୂମିକା ଯାହା କ୍ରିପ୍ଟୋକରେନ୍ସି ସେହି କାମ କରିପାରୁଛି। ଟଙ୍କା ଓ କ୍ରିପ୍ଟୋ ମଧ୍ୟରେ ଥିବା ବଡ଼ ଅନ୍ତର ହେଉଛି ଟଙ୍କା ବା ନୋଟ୍କୁ ଆମେ ପ୍ରତ୍ୟକ୍ଷ ଭାବେ ସ୍ପର୍ଶ କରିପାରୁଛେ। କିନ୍ତୁ କ୍ରିପ୍ଟୋକୁ ସ୍ପର୍ଶ କରିହେବ ନାହଁ। ତାହାର କୌଣସି ଭୌତିକ ଅସ୍ତିତ୍ବ ନାହିଁ। କମ୍ପ୍ୟୁଟର ଜରିଆରେ ସୃଷ୍ଟି କରାଯାଇଥିବା ଏକ କୋଡ୍ ଭାବେ କ୍ରିପ୍ଟୋର କାରବାର ହେଉଛି। ବର୍ତ୍ତମାନ ଦୁନିଆର ସବୁଠୁ ଲୋକପ୍ରିୟ ଓ ମୂଲ୍ୟବାନ କ୍ରିପ୍ଟୋ ହେଉଛି ବିଟ୍କଏନ୍। ଏହା ପଛକୁ ରହିଛି ଏଥେରିୟମ୍। ଶ୍ରେଷ୍ଠ ୧୦ ପ୍ରକାର କ୍ରିପ୍ଟୋ ମଧ୍ୟରେ ପୋଲ୍କାଡଟ୍, ଲାଇଟ୍କଏନ୍, ଡୋଜ୍କଏନ୍ର ନାମ ମଧ୍ୟ ରହିଛି। ଏବେ ବିଶ୍ବର ପ୍ରାୟ ସବୁ ଦେଶରେ କ୍ରିପ୍ଟୋ ପ୍ରଚଳନ ରହିଛି।
ସେଥିରେ କ’ଣ ବିପଦ ରହିଛି?
କାଗଜ ମୁଦ୍ରାର ବିକଳ୍ପ ଭାବେ କ୍ରିପ୍ଟୋର ଆବିର୍ଭାବ ହୋଇଥିଲା। କିନ୍ତୁ କିଛି ସମୟ ଭିତରେ ତାହାକୁ ଏକ ନିବେଶ ବିକଳ୍ପ ଭାବେ ଉପସ୍ଥାପନ କରାଗଲା। କିଣାବିକା ଲାଗି ତାହା ଯେତିିକି ବ୍ୟବହାର ହେଉନାହିଁ, ସେଥିରେ ନିବେଶ କଲେ ରାତାରାତି ଧନୀ ହୋଇଯିବାର ଲୋଭନୀୟ ପ୍ରତିଶ୍ରୁତିକୁ ଅଧିକ ପ୍ରସାର କରାଯାଉଛି। କ୍ରିପ୍ଟୋକୁ ଭଲ ଭାବେ ନ ବୁଝି କେବଳ ଅଧିକ ଲାଭ ପାଇବା ଆଶାରେ ନିବେଶ କରୁଥିବା ଲୋକମାନେ ବିପୁଳ କ୍ଷତି ମଧ୍ୟ ସହୁଛନ୍ତି। ଏହାପଛର ଏକ ବଡ଼ କାରଣ ହେଉଛି ସଚେତନତାର ଅଭାବ। ଯେକୌଣସି ପ୍ରକାର କ୍ରିପ୍ଟୋରେ ନିବେଶ କରିବା ପୂର୍ବରୁ ପ୍ରଥମେ ତାହା କ’ଣ ଓ କେଉଁ କାମରେ ତାହା ଲାଗିବ? ତାହା କେତେ ବିଶ୍ବସନୀୟ ଓ ଦୀର୍ଘସ୍ଥାୟୀ ତାହା ପ୍ରଥମେ ପରଖିବାକୁ ପଡ଼ିବ। ଯଦି ବହୁଳ ଭାବେ ତାହା ନିଜ ଚିହ୍ନାପରିଚିତ ଲୋକ, ଆଖାପାଖ ଦୋକାନ ବଜାର କିମ୍ବା ଅନ୍ଲାଇନ୍ କିଣାବିକାରେ ବ୍ୟବହାର ହେଉନାହିଁ ତେବେ ଜାଣିବାକୁ ହେବ ଯେ ସେହି କ୍ରିପ୍ଟୋ ବିଶେଷ ଉପଯୋଗୀ ନୁହେଁ। ସେଥିରେ ନିବେଶ କରିବା କିମ୍ବା ତାହାକୁ ଟଙ୍କା ଭଳି ସମ୍ପତ୍ତି ଭାବି ସାଇତି ରଖିବାରେ ନିଶ୍ଚିତ ରୂପେ ବିପଦ ଯୋଡ଼ିହୋଇ ରହିବ। କୌଣସି ପରିସ୍ଥିତିରେ ତାହାର ମୂଲ୍ୟ କମିଗଲେ ନିବେଶ ରାଶି ବୁଡ଼ିବା ଏକପ୍ରକାର ନିଶ୍ଚିତ।
କାହିଁକି ରିଜର୍ଭ ବ୍ୟାଙ୍କ୍ ବିରୋଧ କରୁଛି?
ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କ୍ରିପ୍ଟୋକୁ ଘୋର ବିରୋଧ କରୁଛନ୍ତି। ତାହା ଆଦୌ ବିଶ୍ବାସଯୋଗ୍ୟ ନୁହେଁ ଓ ସେଥିରେ ନିବେଶ ବିପଦପୂର୍ଣ୍ଣ ବୋଲି ବିଭିନ୍ନ ମଞ୍ଚରେ ସେ ବାରମ୍ବାର ଲୋକମାନଙ୍କୁ ସତର୍କ କରୁଛନ୍ତି। ଭାରତ ଭଳି ବିଶ୍ବର ପ୍ରାୟ ସବୁ ଦେଶରେ ମୁଦ୍ରା କାରବାର ଲାଗି ଏକ ସଂସ୍ଥା ସ୍ବତନ୍ତ୍ର ଭାବେ କାର୍ଯ୍ୟ କରୁଛି। ଭାରତରେ ରିଜର୍ଭ ବ୍ୟାଙ୍କ୍ ସେହି ଦାୟିତ୍ବ ତୁଲାଉଛି। ଦେଶ ପାଇଁ କେତେ ଟଙ୍କା ଦରକାର, ବଜାରରେ କେତେ ମୁଦ୍ରା ପ୍ରଚଳନରେ ରହିଛି? କେଉଁ ବାଟରେ ତାହା ଖର୍ଚ୍ଚ ହେଉଛି? ସବୁ କିଛିର ହିସାବ ରିଜର୍ଭ ବ୍ୟାଙ୍କ୍ ପାଖରେ ରହୁଛି। ଅର୍ଥାତ୍ ଟଙ୍କା କାରବାରକୁ ନିୟନ୍ତ୍ରଣରେ ରଖିବା ଲାଗି ଏକ ବ୍ୟବସ୍ଥା କାର୍ଯ୍ୟ କରୁଛି।
କିନ୍ତୁ, କ୍ରିପ୍ଟୋକରେନ୍ସି କ୍ଷେତ୍ରରେ ସେଭଳି କୌଣସି ବ୍ୟବସ୍ଥା ନାହିଁ। ଅନ୍ଲାଇନ୍ ଦୁନିଆରେ ଅବାଧରେ ତାହାର କାରବାର ହେଉଛି। ଯେହେତୁ ତାହା ଉପରେ କାହାର ନିୟନ୍ତ୍ରଣ ନାହିଁ, ତେଣୁ ବେଆଇନ କାରବାର, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା, ଡ୍ରଗ୍ସ କାରବାରରେ ତାହା ବ୍ୟାପକ ଭାବେ ବ୍ୟବହାର ହେବ ବୋଲି ଆଶଙ୍କା କରାଯାଉଛି। ସେଭଳି କାରବାରର ଯେହେତୁ କୌଣସିି ଆଇନଗତ ରେକର୍ଡ ରହୁନାହିଁ, ତେଣୁ ତାହା ଉପରେ ଟିକସ ଲଗାଇବା ସମ୍ଭବ ହେଉନାହିଁ।
କ’ଣ ବିପଦ ରହିଛି?
କାରବାରରେ ରିଜର୍ଭ ବ୍ୟାଙ୍କ୍ ଭଳି ଏକ ସଂସ୍ଥାର ଅଭାବ ରହିଥିବାରୁ କ୍ରିପ୍ଟୋ ବଜାରରେ ସଦାସର୍ବଦା ଅସ୍ଥିରତା ଲାଗି ରହୁଛି। ଏହା କୌଣସି ଲୋକଙ୍କୁ ଗୋଟିଏ କ୍ଷଣରେ କୋଟିପତିରୁ କାଙ୍ଗାଳ କରିପାରିବ। ବିଶେଷଜ୍ଞମାନଙ୍କ ମତରେ କ୍ରିପ୍ଟୋ ହେଉଛି ଏକ ମୁଦ୍ରା ଯାହା କାଗଜ ନୁହେଁ, ଡିଜିଟାଲ୍ ଦୁନିଆରେ ପ୍ରଚଳନ ହେଉଛି। ତେଣୁ ମୁଦ୍ରା ଜରିଆରେ ଯେଉଁ କାମ ହୋଇପାରିବ, କ୍ରିପ୍ଟୋର କାର୍ଯ୍ୟ ସେହି ପର୍ଯ୍ୟନ୍ତ ସୀମିତ।
ସେମାନେ ଏହା ସ୍ପଷ୍ଟ କରିଛନ୍ତି ଯେ ଯେଉଁ ସ୍ଥାନରେ ଯେଉଁ ମୁଦ୍ରା ପ୍ରଚଳନରେ ରହିଛି କେବଳ ତାହାର ମୂଲ୍ୟ ରହିଥାଏ। ଆଇନଗତ ଭାବେ ପ୍ରଚଳନରେ ନ ଥିବା ମୁଦ୍ରାର କୌଣସିି ମୂଲ୍ୟ ନାହିଁ କହିଲେ ଭୁଲ୍ ହେବନାହିଁ। ତେଣୁ ଭାରତରେ ଯେଉଁ କ୍ରିପ୍ଟୋ ପ୍ରଚଳନରେ ରହିଛି ଓ ତାହା ଯଦି ବିଶ୍ବାସଯୋଗ୍ୟ ତେବେ ତାହାକୁ ବ୍ୟବହାର କରିହେବ। ସେଥିରେ ବିପଦ ରହିଛି ନା ନାହିଁ ତାହାର ବାରମ୍ବାର ପରୀକ୍ଷା କରିବାକୁ ହେବ। ଏକକାଳୀନ ନିଜର ବିପୁଳ ସମ୍ପତ୍ତିକୁ କ୍ରିପ୍ଟୋରେ ବ୍ୟବହାର ନ କରି ଅଳ୍ପ ପରିମାଣରେ ତାହା ବ୍ୟବହାର ହେବା ଦରକାର। ଭଲ ଭାବେ ତାହାକୁ ବୁଝିବା ପରେ ଆଗକୁ ବଢ଼ିଲେ ବିପଦ ମାତ୍ରା କମ୍ ହୋଇପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି।
କିଭଳି କାରବାର ହେଉଛି?
କ୍ରିପ୍ଟୋକରେନ୍ସି କାରବାର ଲାଗି ସ୍ବତନ୍ତ୍ର କ୍ରିପ୍ଟୋ ଏକ୍ସଚେଞ୍ଜ୍ ରହିଛି। ସେହି ଏକ୍ସଚେଞ୍ଜ୍ ଜରିଆରେ କ୍ରିପ୍ଟୋର କିଣାବିକା କାରବାର ହେଉଛି। ଲୋକମାନେ ଫୋନ୍ପେ, ଗୁଗୁଲ୍ ପେ’କୁ ଯେଭଳି ବ୍ୟବହାର କରୁଛନ୍ତି, କ୍ରିପ୍ଟୋ ଏକ୍ସଚେଞ୍ଜ୍ଗୁଡ଼ିକ ସେହିଭଳି ଏକ ମୋବାଇଲ୍ ଆପ୍। କ୍ରିପ୍ଟୋ କ୍ଷେତ୍ରରେ ଏତିକି ଫରକ ହେଉଛି, ଫୋନ୍ପେ ଜରିଆରେ ହେଉଥିବା କାରବାର ସେଥିରେ ଯୋଡ଼ି ହୋଇଥିବା ବ୍ୟାଙ୍କ୍ ଖାତା ଜରିଅାରେ ହେଉଛି। କ୍ରିପ୍ଟୋରେ ସେଭଳି କୌଣସି ବ୍ୟବସ୍ଥା ନାହିଁ। କଏନ୍ବେସ୍, ବିନାନ୍ସ ଭଳି କ୍ରିପ୍ଟୋ ଏକ୍ସଚେଞ୍ଜ୍ ବିଶ୍ବବ୍ୟାପୀ ଲୋକପ୍ରିୟତା ହାସଲ କରିଛନ୍ତି।
ନିୟନ୍ତ୍ରଣ କରିବାର ଉପାୟ?
ଅସ୍ଥିର କ୍ରିପ୍ଟୋ ବଜାରକୁ ନିୟନ୍ତ୍ରଣକୁ ଆଣିବା ଏବଂ ସାଧାରଣ ଲୋକଙ୍କ ଅର୍ଥହାନିରୁ ବଞ୍ଚାଇବା ଲାଗି ବିଶ୍ବର ବିଭିନ୍ନ ଦେଶ କ୍ରିପ୍ଟୋକରେନ୍ସିକୁ ନେଇ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବା ଉପରେ ବିଚାର କରୁଛନ୍ତି। କିନ୍ତୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ସମେତ ବିଶ୍ବର ପ୍ରାୟ ସବୁ କେନ୍ଦ୍ରୀୟ ବ୍ୟାଙ୍କ୍ର ଗୋଟିଏ ମତ ହେଉଛି, ଯେହେତୁ କ୍ରିପ୍ଟୋ ଡିଜିଟାଲ୍ ଦୁନିଆରେ ବିଶ୍ବବ୍ୟାପୀ ପ୍ରଚଳିତ ହେଉଛି, ତେଣୁ ତାହାର ମୁକାବିଲା ଲାଗି ବିଶ୍ବ୍ବବ୍ୟାପୀ ଗୋଟିଏ ପ୍ରକାର ନୀତି ପ୍ରଚଳନ ହେଲେ ତାହାକୁ ନିୟନ୍ତ୍ରଣ କରାଯାଇପାରିବ। କୌଣସି ନିର୍ଦ୍ଦିଷ୍ଟ ଦେଶ ବା କ୍ଷେତ୍ର ଅନୁସାରେ ନିୟମ ପ୍ରସ୍ତୁତ କଲେ ତାହା ବିଶେଷ ପ୍ରଭାବଶାଳୀ ସାବ୍ୟସ୍ତ ହେବ ନାହିଁ। ଜି-୨୦ ବୈଠକରେ କ୍ରିପ୍ଟୋକରେନ୍ସିକୁ ନେଇ ଏକ ବ୍ୟାପକ ନିୟମ ପ୍ରସ୍ତୁତ କରିବା ଲାଗି ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି।
କ୍ରିପ୍ଟୋର ବିକଳ୍ପ ଡିଜିଟାଲ୍ ମୁଦ୍ରା
କ୍ରିପ୍ଟୋକୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇପଡ଼ିବା ପରେ କେନ୍ଦ୍ରୀୟ ବ୍ୟାଙ୍କ୍ଗୁଡ଼ିକ ଆଉ ଏକ ପନ୍ଥା ଆପଣାଇଛନ୍ତି। ତାହା ହେଉଛି ସେମାନେ ନିଜସ୍ବ ଡିଜିଟାଲ୍ ମୁଦ୍ରା ପ୍ରସ୍ତୁତ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ୍ ନିଜର ଇ-ରୁପିକୁ ପ୍ରଚଳନ କରିଛି। ତାହାକୁ ପାଇକାରୀ ଓ ଖୁଚୁରା ବଜାରରେ ପରୀକ୍ଷଣ କରାଯାଉଛି। ପରୀକ୍ଷଣ ସଫଳ ହେଲେ ଲୋକମାନେ ସେହି ମୁଦ୍ରାକୁ ବ୍ୟବହାର କରିପାରିବେ। ସୀମାପାର କାରବାରରେ ଶୁଳ୍କର ଯେଉଁ ବଡ଼ ପ୍ରତିବନ୍ଧକ ରହିଛି, ତାହାକୁ ଡିଜିଟାଲ୍ ମୁଦ୍ରା ସହଜରେ ଦୂର କରିପାରିବ। ସମଗ୍ର ବିଶ୍ବକୁ ଗୋଟିଏ ବଜାରରେ ପରିଣତ କରିପାରିବ। କିନ୍ତୁ ସେସବୁ କିଛି ବାସ୍ତବ ହେବାକୁ ହେଲେ ପ୍ରଥମ ଡିଜିଟାଲ୍ ମୁଦ୍ରା ଲୋକଙ୍କ ଦ୍ବାରା ଗ୍ରହଣୀୟ ହେବା ଦରକାର। ତାହା ଯେତେ ଅଧିକ ବ୍ୟବହାର ହେବ ଲୋକମାନଙ୍କ ମଧ୍ୟରେ ତାହାର ବିଶ୍ବାସ ସେତିକି ବଢ଼ିବ। ଆଶ୍ଚର୍ଯ୍ୟ କଥା ହେଉଛି ଏପର୍ଯ୍ୟନ୍ତ କେନ୍ଦ୍ରୀୟ ବ୍ୟାଙ୍କ୍ ଜାରି କରୁଥିବା ଡିଜିଟାଲ୍ ମୁଦ୍ରା ଆଶାତୀତ ସଫଳତା ପାଇପାରିନାହିଁ।
୩୦%ର ଚଢ଼ା ଟିକସ
କ୍ରିପ୍ଟୋକରେନ୍ସିରେ କାରବାରକୁ ନିରୁତ୍ସାହିତ କରିବା ଲାଗି କେନ୍ଦ୍ର ସରକାର ତାହା ଉପରେ ୩୦ ପ୍ରତିଶତର ଚଢ଼ା ପୁଞ୍ଜି ଲାଭ ଟିକସ ଲାଗୁ କରିଛନ୍ତି। ଆୟକର ରିଟର୍ଣ୍ଣ ପଇଠ ବେଳେ କ୍ରିପ୍ଟୋ ନିବେଶ ସମ୍ପର୍କରେ ସୂଚନା ଦେବାକୁ ଟିକସଦାତାମାନଙ୍କୁ କୁହାଯାଇଛି। କ୍ରିପ୍ଟୋରେ ଟିକସ ଲାଗୁ ହେବାପରେ ଭାରତର ପ୍ରମୁଖ କ୍ରିପ୍ଟୋ ଏକ୍ସଚେଞ୍ଜର ବ୍ୟବହାରକାରୀ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଛି। ଅନ୍ୟ ଏକ୍ସଚେଞ୍ଜ୍ଗୁଡ଼ିକ ମଧ୍ୟ ଲୋକପ୍ରିୟତା ହରାଉଛନ୍ତି। ଆମେରିକାର ଲୋକପ୍ରିୟ କ୍ରିପ୍ଟୋ ଏକ୍ସଚେଞ୍ଜ୍ ଏଫ୍ଟିଏକ୍ସ ହଠାତ୍ ଦେବାଳିଆ ହୋଇଯିବା ଏବଂ ତାହାର ପ୍ରତିଷ୍ଠାତା ସାମ୍ ବ୍ୟାଙ୍କ୍ମ୍ୟାନ୍ ଫ୍ରାଏଡ୍ଙ୍କୁ ଗିରଫ କରାଯିବା ପରେ କ୍ରିପ୍ଟୋ କେତେ ମାରାତ୍ମକ ହୋଇପାରିବେ ତାହାର ଏକ ବଡ଼ ଉଦାହରଣ ସାରା ଦୁନିଆ ଦେଖିଥିଲା। କୋଭିଡ୍ ମହାମାରୀ ସମୟରେ ଲୋକମାନେ କ୍ରିପ୍ଟୋ ପ୍ରତିି ଯେତିକି ଆକୃଷ୍ଟ ହୋଇଥିଲେ ପରବର୍ତ୍ତୀ ସମୟରେ ସେହି ଉତ୍ସାହ ବଜାୟ ରହି ନ ଥିଲା। ସେଥିପାଇଁ ଗତ ଦୁଇ ବର୍ଷ ହେଲାଣି ବିଟ୍କଏନ୍ ମୂଲ୍ୟ ବି ଲୋକଙ୍କୁ ବିଶେଷ ଆକର୍ଷିତ କରିପାରୁନାହିଁ।
ଏବେ କ୍ରିପ୍ଟୋକରେନ୍ସି ଭବିଷ୍ୟତ ରୂପରେଖକୁ ଦେଖିବା ବାକି ରହିଲା।