ଜଳବାୟୁ ପରିବର୍ତ୍ତନ ବିପଦର ମୁକାବିଲା କରିବା ଓ ଜଳବାୟୁ ନ୍ୟାୟ ଉପରେ ଭାରତୀୟ ଉପମହାଦେଶର କୋଟିକୋଟି ଲୋକଙ୍କ ବଞ୍ଚିବା, ମୁଖ୍ୟତଃ ମହିଳା ଓ ଶିଶୁଙ୍କ ଜୀବନ ନିର୍ଭର କରେ। ଏହାକୁ ବିକଶିତ ଦେଶମାନେ ଭୁଲିଯିବା ଠିକ୍ ନୁହେଁ। ବର୍ଷ ପରେ ବର୍ଷ ବିତିଯାଉଛି ଏବଂ ଗୋଟିଏ ପରେ ଗୋଟିଏ ସିଓପି ସମ୍ମିଳନୀ ଶେଷ ହେଉଛି। କିନ୍ତୁ ବିକାଶଶୀଳ ଦେଶର ଆଶା ପୂରଣ ସଫଳ ହେଉନାହିଁ। ବିଶ୍ୱ ତାପମାତ୍ରା ବୃଦ୍ଧି ଓ ଜଳବାୟୁ ପରିବର୍ତ୍ତନ ବିପଦର ମୁକାବିଲା କିପରି କରାଯିବ ତଥା ଏଥିପାଇଁ ଆବଶ୍ୟକ ଅର୍ଥ କିପରି ମିଳିବ ସେ ବିଷୟରେ ଆଲୋଚନା ନକରି ଆମେ କ’ଣ କରିବାର ଆବଶ୍ୟକତା ଅଛି ସେ ବିଷୟରେ ଖାଲି ଆଲୋଚନା କରୁଛୁ। ସେଥିପାଇଁ ଏଭଳି ସମ୍ମିଳନୀ ବାସ୍ତବ ଲକ୍ଷ୍ୟ ହାସଲରୁ ଦୂରରେ ରହିଯାଉଛି ବୋଲି ସିଓପି ୨୯ରେ ଭାରତୀୟ ପ୍ରତିନିଧିମଣ୍ଡଳର ଉପନେତା ତଥା କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ସଚିବ ଲୀନା ନନ୍ଦନ କହିଛନ୍ତି।
ଲୀନା ନନ୍ଦନ କହନ୍ତି, “ସିଓପି ୨୯ ସମ୍ମିଳନୀର ତ୍ରୟୋମାସିକ ପୂର୍ଣ୍ଣ ପରିଷଦ ବୈଠକରେ ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ଓ ପ୍ରଶମନ ଆଲୋଚନା ପାଇଁ ନୂତନ ଚିଠା ପ୍ରସ୍ତୁତ ହୋଇଥିଲା। ସାମୂହିକ ପରିମାଣ ଆଧାରିତ ଲକ୍ଷ୍ୟ(ନ୍ୟୁ କଲେକ୍ଟିଭ୍ କ୍ୱାଣ୍ଟିଫାଇଡ୍ ଗୋଲ୍ ‘ଏନ୍.ସି.କ୍ୟୁ.ଜି’) ମାଧ୍ୟମର ସାମର୍ଥ୍ୟ ଉପରେ ସ୍ପଷ୍ଟ ଧ୍ୟାନ ଦେଇ ପ୍ରଶମନ କାର୍ଯ୍ୟକ୍ରମ ପରିଚାଳନା କରିବାକୁ ନିଷ୍ପତ୍ତି ହେଲା। ଏହି ନୂତନ ‘ଏନ୍.ସି.କ୍ୟୁ.ଜି’ ପ୍ରଶମନ କାର୍ଯ୍ୟକ୍ରମର ରୂପାୟନ ଅନୁରୂପ ମାଧ୍ୟମ ବିନା ସଫଳ ହେବନାହିଁ। ପ୍ରଶମନ ଦିଗରେ ଏକ ସମସ୍ୟାଜନକ ପରିବର୍ତ୍ତନ ସର୍ବତ୍ର ଦେଖିବାକୁ ମିଳିଥାଏ। ତେଣୁ ଏହା ଗ୍ରହଣୀୟ ନୁହେଁ। ତୃଣମୂଳ ସ୍ତରରେ ଏହାକୁ ବାସ୍ତବ ରୂପ ଦେବା ପାଇଁ ଆର୍ଥିକ ସହାୟତା ବିନା ପ୍ରଶମନ ଅଭିଳାଷ ଅର୍ଥହୀନ ବୋଲି ସ୍ପଷ୍ଟ ପ୍ରତୀୟମାନ ହୁଏ।” ‘ଏନ.ସି.କ୍ୟୁ.ଜି’ ପ୍ରଶମନ କାର୍ଯ୍ୟକ୍ରମ ବିକାଶଶୀଳ ରାଷ୍ଟ୍ରମାନଙ୍କ ପାଇଁ ସେମାନଙ୍କର ଉଚ୍ଚାଭିଳାଷୀ ଜାତୀୟସ୍ତରର ନିର୍ଦ୍ଧାରିତ ଯୋଗଦାନ ପ୍ରସ୍ତୁତ ଓ କାର୍ଯ୍ୟକାରୀ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସାମର୍ଥ୍ୟ ଭାବେ ଅର୍ଥକୁ ପ୍ରତିଫଳିତ କରିବା ଆବଶ୍ୟକ। ଏଥିପାଇଁ ଆମେ ୧.୩ ଟ୍ରିଲିଅନ୍ ଡଲାରର ସଂଗ୍ରହ ଲକ୍ଷ୍ୟ ଦାବି କରୁଛୁ, ଯେଉଁଥିରେ ଅତି କମ୍ରେ ୬୦୦ ବିଲିୟନ୍ ଡଲାର ଅନୁଦାନ ସମ୍ବଳ ରହିଛି। ବିକାଶଶୀଳ ଦେଶଗୁଡ଼ିକରେ ଜଳବାୟୁ କାର୍ଯ୍ୟକ୍ରମ ପରିଚାଳନା ବିକଶିତ ଦେଶ ଦ୍ୱାରା ପରିଚାଳିତ ହେବା ଆବଶ୍ୟକ। ଆମର ସତତ ବିକାଶ ଯୋଜନା ଭଳି ଜାତୀୟ ପ୍ରାଥମିକତା, ସ୍ଥାୟୀ ବିକାଶ ଲକ୍ଷ୍ୟ, ମହିଳା ସଶକ୍ତୀକରଣ ଓ ଶିଶୁ ବିକାଶ ସହିତ ସ୍ୱାସ୍ଥ୍ୟ ଓ ଶିକ୍ଷାର ପ୍ରଗତି ତଥା ଦାରିଦ୍ର୍ୟ ଦୂରୀକରଣର ମୂଳପୋଛ ହେବା ଦରକାର। ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଜନିତ ବିପଦରୁ ସୁରକ୍ଷା ପାଇଁ ଉପରୋକ୍ତ କାର୍ଯ୍ୟକ୍ରମ ପରିଚାଳନା ବିକାଶଶୀଳ ଦେଶ ପାଇଁ ନିତାନ୍ତ ଆବଶ୍ୟକ ଅଟେ। ବିକଶିତ ଦେଶ ଅତୀତରେ କରିଥିବା ଭୁଲ୍ର ଫଳ ଆମେ ଆଜି ମୁଣ୍ଡାଇଛୁ, ତେଣୁ ଯାହାବି ଆବଶ୍ୟକ ଆର୍ଥିକ ସହାୟତା ସେମାନେ ଅକୁଣ୍ଠିତ ଭାବେ ଯୋଗାଇବା ଜରୁରି। ସେମାନଙ୍କ ପାପର ଫଳ ଆମେ କାହିଁକି ଭୋଗିବୁ”, ବୋଲି ଲୀନା ନନ୍ଦନ ପ୍ରଶ୍ନ କରନ୍ତି।
ବିକାଶଶୀଳ ଦେଶଗୁଡ଼ିକରେ ଜଳବାୟୁ କାର୍ଯ୍ୟକ୍ରମ ପରିଚାଳନା ବିକଶିତ ଦେଶ ଦ୍ୱାରା ପରିଚାଳିତ ହେବା ଉଚିତ। ଆମର ସତତ ବିକାଶ ଯୋଜନା ଭଳି ଜାତୀୟ ପ୍ରାଥମିକତା, ସ୍ଥାୟୀ ବିକାଶ ଲକ୍ଷ୍ୟ, ମହିଳା ସଶକ୍ତୀକରଣ ଓ ଶିଶୁ ବିକାଶ ସହ ସ୍ୱାସ୍ଥ୍ୟ ଓ ଶିକ୍ଷାର ପ୍ରଗତି ତଥା ଦାରିଦ୍ର୍ୟ ଦୂରୀକରଣ ମୂଳପୋଛ ହେବା ଦରକାର।
ଲୀନା ନନ୍ଦନ ନିଜର ଯୁକ୍ତି ଆଧାରରେ ଦର୍ଶାଇଛନ୍ତି, ‘ଏନ.ସି.କ୍ୟୁ.ଜି’ ନୂତନ ଚିଠାରେ ଉଲ୍ଲେଖ କରାଯାଇଥିବା ଜଳବାୟୁ ପ୍ରଶମନ ନିୟମାବଳୀକୁ ଭାରତ ପ୍ରତ୍ୟାଖ୍ୟାନ କରୁଛି। ୨୦୩୦ ରୁ ୨୦୫୦ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ପ୍ରଶମନଜନିତ କାର୍ଯ୍ୟକ୍ରମ ଦ୍ୱାରା ବିକଶିତ ଦେଶ ସମୂହ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ଉପରେ ଦାୟିତ୍ୱ ନ୍ୟସ୍ତ କରି ନିଜେ ଖସି ଯିବାକୁ ଚାହୁଛନ୍ତି। ଅନୁଲଗ୍ନକ-୧ (ଆନେକ୍ସର-୧)ର ଐତିହାସିକ ଅଙ୍ଗାରକ ନିର୍ଗମନକୁ ଅଣଦେଖା କରିବା ଦ୍ୱାରା ଜଳବାୟୁ ପରିବର୍ତ୍ତନ ନିୟନ୍ତ୍ରଣ ନେତୃତ୍ୱ ଉପରେ ସଙ୍କଟ ସୃଷ୍ଟି ହେବ। ଅନୁଲଗ୍ନକ-୧ ପକ୍ଷଭୁକ୍ତ ଦେଶମାନେ ସେମାନଙ୍କର ଦାୟିତ୍ୱ ନିର୍ବାହ କରିବା ଆବଶ୍ୟକ। ସେମାନଙ୍କର ଅଙ୍ଗାରକ ନିର୍ଗମନ କ୍ରମାଗତ ଭାବେ ବୃଦ୍ଧି ପାଉଛି ଏବଂ ସେମାନେ ୨୦୨୦ ପୂର୍ବର ପ୍ରଶମନ ବ୍ୟବଧାନ ପ୍ରତିଶ୍ରୁତିକୁ ଏପର୍ଯ୍ୟନ୍ତ ପୂରଣ ଓ ପାଳନ କରିବାରେ ବିଫଳ ହୋଇଛନ୍ତି। ତେଣୁ ‘ଏନ.ସି.କ୍ୟୁ.ଜି’ ନୂତନ ଚିଠାର ସହଭାଗୀ ବୁଝାମଣା ସୂତ୍ର ଆମପାଇଁ ଗ୍ରହଣୀୟ ନୁହେଁ”। ଲୀନା ନନ୍ଦନ କହିଛନ୍ତି, “ଏଭଳି ପରିପ୍ରେକ୍ଷୀରେ ସହଭାଗୀ ବୁଝାମଣା ସୂତ୍ରକୁ ପୁନଃ ବ୍ୟାଖ୍ୟା କରିବା ଉଚିତ। ବିକାଶଶୀଳ ଦେଶମାନଙ୍କ ପାଇଁ ଜଳବାୟୁ ପ୍ରଶମନ ଯୋଜନା କାର୍ଯ୍ୟକାରିତା ମାଧ୍ୟମ ସୁନିଶ୍ଚିତ କରିବାରେ ବିକଶିତ ଦେଶମାନେ ନେତୃତ୍ୱ ନେବା ସହିତ ବିଶ୍ୱସ୍ତରରେ ବ୍ୟାପକ ଭାବେ ନୂତନ ପରିବର୍ତ୍ତନ ଆରମ୍ଭ ହେବା ଉଚିତ। ବିକଶିତ ଦେଶଗୁଡ଼ିକର ନିଷ୍କ୍ରିୟତା ଦ୍ୱାରା ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ଘରୋଇ ଜଳବାୟୁ ପରିବର୍ତ୍ତନ କାର୍ଯ୍ୟକ୍ରମ ରୂପାୟନ ସଫଳ ହୋଇପାରିବ ନାହିଁ। ଯଦି ଆମେ ଏକ ଅର୍ଥପୂର୍ଣ୍ଣ ଫଳାଫଳ ହାସଲ କରିବାରେ ବିଫଳ ହେଉ, ତେବେ ଆମେ ଜଳବାୟୁ ପରିବର୍ତ୍ତନ ବିପଦ ବିରୋଧରେ ଲଢ଼େଇରେ ନିଶ୍ଚିତ ବିଫଳ ହେବୁ। ଏହାଦ୍ୱାରା ଭାରତର କୋଟି କୋଟି ମହିଳା ଓ ଶିଶୁ ବିକାଶ ଯୋଜନାର ଲକ୍ଷ୍ୟ ପୂରଣ ଅସମ୍ଭବ ହୋଇଯିବ ଏବଂ ଜଳବାୟୁ ପରିବର୍ତ୍ତନ ବିପଦ ସେମାନଙ୍କ ବର୍ତ୍ତମାନ ଓ ଭବିଷ୍ୟତକୁ ଲହୁଲୁହାଣ କରିଦେବ। ଯାହାର ମୁକାବିଲା କରିବାରେ ସିଓପି ଭଳି ସମ୍ମିଳନୀ ଓ ବିଶ୍ୱ ନେତୃତ୍ୱ ସଫଳ ହୋଇପାରିବେ ନାହିଁ।”