କାଶ୍ମୀରର ବାଘୁଆଶୀତରେ ଆଣ୍ଠିଏ ବହଳର ତୁଷାର ଆବୃତ ଦୁର୍ଗମ ପଥରେ ଚାଲି ଚାଲି ଘରକୁ ଘର ବୁଲି ଚିଠି ବାଣ୍ଟନ୍ତି ସେ। ଦିନେ ଅଧେ ନୁହେଁ, ଦୀର୍ଘ ୩୦ ବର୍ଷ ଧରି ୫୫ ବର୍ଷୀୟା ଡାକବାଲୀ ଉଲ୍‌ଫତ୍‌ ବାନୋ ଦୈନିକ ୨୦/୨୫ଟି ପାର୍ସଲ୍‌ ଓ ଚିଠି ଲୋକଙ୍କ ପାଖେ ପହଞ୍ଚାଉଛନ୍ତି। ସେ ହିଁ ବାହାର ଦୁନିଆ ସହିତ ତାଙ୍କ ଗାଁ’ର ଏକମାତ୍ର ଯୋଗସୂତ୍ର ରକ୍ଷାକାରିଣୀ କହିଲେ ଅତ୍ୟୁକ୍ତି ହେବନାହିଁ। ଦକ୍ଷିଣ କାଶ୍ମୀର ଅନ୍ତର୍ଗତ ଶୋପିଆଁ ଜିଲ୍ଲାର ନିଭୃତ ମଫସଲରେ ଅବସ୍ଥିତ ହୀରପୋରା ଗାଁ। ପ୍ରତିବର୍ଷ ସେ ଗାଁ’ରେ ପ୍ରବଳ ଜାଡ଼ ପଡ଼େ। ନଭେମ୍ବରରୁ ଆରମ୍ଭ କରି ମାର୍ଚ ମାସ ପର୍ଯ୍ୟନ୍ତ ସେ ଗାଁ’ର ତାପମାତ୍ରା ଖସିଆସେ ବିଯୁକ୍ତ ୧୫ ଡିଗ୍ରି ସେଲ୍‌ସିଅସ୍‌କୁ। ଭୂଇଁ ଉପରେ ୫/୬ ଫୁଟ୍‌ ବହଳ ତୁଷାର ପଡ଼ି ରାସ୍ତା ଅବରୋଧ ହେଉଥିବାରୁ ଯାତାୟାତ ଏକପ୍ରକାର ଅସମ୍ଭବ ହୋଇଯାଏ।

Advertisment

ଶୀତ ଯୋଗୁଁ ସେ ଗାଁ’ର ମୁଖ୍ୟ ଜୀବିକା କୃଷି ଓ ଦିନମଜୁରି ବି ବନ୍ଦ ହୋଇଯାଏ। ସଞ୍ଚିଥିବା ଖାଦ୍ୟପଦାର୍ଥ ଉପରେ ଭରସାକରି ଗ୍ରାମବାସୀ ଚଳନ୍ତି। ଥଣ୍ଡାର ଆତିଶଯ୍ୟ ହେତୁ ପାଣି ପାଇପ୍‌ ଅବରୋଧ ହୋଇ ଜଳସଙ୍କଟ ଉତ୍କଟ ହୁଏ। ଦୈନନ୍ଦିନ କାରବାର ଲାଗି ଲୋକେ ଝରଣାରୁ ପାଣି ଆଣନ୍ତି ନତୁବା ବରଫ ତରଳାଇ ପାଣି କରନ୍ତି। ଏଭଳି ପ୍ରତିକୂଳ ପରିସ୍ଥିତିକୁ ଖାତିର ନ କରି ୫୫ ବର୍ଷୀୟା ଉଲ୍‌ଫତ୍‌ ବାନୋ କିନ୍ତୁ ପ୍ରତିଦିନ ଚିଠି ଓ ପାର୍ସଲ୍‌ ବାଣ୍ଟିବା ପାଇଁ ବାହାରି ଯାଆନ୍ତି। ଦେହରେ ଫେରାନ୍‌, ମଥାରେ ପଶମ ଟୋପି ଓ ସ୍କାର୍ଫ ଖଣ୍ଡେ ବେଢ଼ାଇ ନିଷ୍ଠା ସହକାରେ ସେ ତୁଷାର ଆବୃତ ପଥରେ ଅଗ୍ରସର ହୁଅନ୍ତି। ସେ କହନ୍ତି, ‘‘୩୦ ବର୍ଷରୁ ଅଧିକ କାଳ ହେବ ମୁଁ ଡାକବାଲୀ ଚାକିରି କରୁଛି। ୩/୪ ଫୁଟ୍‌ ବହଳର ତୁଷାର ପଡ଼ି ତାପମାତ୍ରା ଅତି ତଳକୁ ଖସି ଆସିଥିବା ଘୋର ଶୀତରେ ବି ମତେ ଚିଠି ବାଣ୍ଟିବାକୁ ପଡ଼େ। ବରଫ ଜମା ହୋଇଯାଉଥିବାରୁ କେତେକ ଘର ବାହାର ଦୁନିଆଠାରୁ ବିଚ୍ଛିନ୍ନ ହୋଇଯାଏ। ଏଭଳି ପରିସ୍ଥିତିରେ ବି ମତେ ଅନେକ ବାଟ ଚାଲି ଚାଲି ସେ ଘରଗୁଡ଼ିକରେ ପହଞ୍ଚିବାକୁ ପଡ଼େ।’’

ମାସିକ ୨୨ ହଜାର ଟଙ୍କା ବେତନରେ ହୀରପୋରା ଡାକଘରେ ଚାକିରି କରନ୍ତି ଉଲ୍‌ଫତ୍‌। ଜିଲ୍ଲା ଡାକଘରୁ ଚିଠିପତ୍ର ସଂଗ୍ରହ କରି ଗ୍ରାମବାସୀଙ୍କୁ ବାଣ୍ଟିବା ଭାର ଥାଏ ଉଲ୍‌ଫତ୍‌ଙ୍କ ଉପରେ। ସେ କହନ୍ତି, ‘‘ଓଜନିଆ ପାର୍ସଲ୍‌ ସମେତ ଦୈନିକ ମତେ ୨୦ରୁ ୨୫ଟି ଚିଠି ବାଣ୍ଟିବାକୁ ପଡ଼େ। ଏସବୁ ମୋ ବୟସର ଲୋକ ପାଇଁ ଖୁବ୍‌ କଷ୍ଟସାଧ୍ୟ । କେବେ କେମିତି ପୁଅ ମତେ ଗାଡ଼ିରେ ବସାଇ ବିଭିନ୍ନ ସ୍ଥାନକୁ ନେଇଯାଏ। କର୍ତ୍ତବ୍ୟନିଷ୍ଠା ଏବଂ ମୋ ଉପରେ ନିର୍ଭରଶୀଳ ଲୋକଙ୍କ ହସଟିକକ ମୋତେ ନିତିଦିନ କର୍ତ୍ତବ୍ୟ କରିବାକୁ ପ୍ରେରିତ କରେ। କଷ୍ଟ ପଡୁ ପଛେ, ମୋ ଯୋଗୁଁ ଶିକ୍ଷାର୍ଥୀମାନେ ଉପକୃତ ହେଉଛନ୍ତି ଆଉ ଘରପରିବାର ବାହାର ଦୁନିଆ ସହିତ ଯୋଗାଯୋଗ ବି ରଖିପାରୁଛନ୍ତି।’’

ବିପଜ୍ଜନକ ପରିସ୍ଥିତି ସତ୍ତ୍ବେ କର୍ତ୍ତବ୍ୟ ପ୍ରତି ଉଲ୍‌ଫତ୍‌ ପ୍ରତିଶ୍ରୁତିବଦ୍ଧ। ମେଟ୍ରିକ୍‌ ପାସ୍‌ କରିଥିବା ଉଲ୍‌ଫତ୍‌ ଗାଡ଼ି ଚାଳନା ଶିଖିନାହାନ୍ତି। ଦିନେଅଧେ ପରିବାର ଲୋକଙ୍କ ଗାଡ଼ିରେ ବସି ସେ ଚିଠିପତ୍ର ବାଣ୍ଟିବାକୁ ଯାଆନ୍ତି; ନଚେତ୍‌ ଚାଲି ଚାଲି ଚିଠିପତ୍ର ବାଣ୍ଟନ୍ତି। ସେ କହନ୍ତି, ‘‘ଦୈନିକ କିଲୋମିଟର୍‌ କିଲୋମିଟର୍‌ ବାଟ ଚାଲିବା ଯୋଗୁଁ ତାଙ୍କ ଶରୀର କାର୍ଯ୍ୟକ୍ଷମ ରହୁଛି। ଅସୁବିଧା ତ ହେଉଛି, କିନ୍ତୁ କର୍ତ୍ତବ୍ୟର ଡାଡ଼ନ ସେ ସବୁକୁ ପ୍ରତିହତ କରିଦେଉଛି।’’ ସେ ଅଞ୍ଚଳର ପୂର୍ବତନ ଡାକବାଲା ତଥା ତାଙ୍କ ସ୍ବାମୀ ମହମ୍ମଦ୍‌ ଶାଫି ଶାହା ଉଲ୍‌ଫତ୍‌ଙ୍କ କର୍ତ୍ତବ୍ୟପରାୟଣତାରେ ଖୁସିହୋଇ କହନ୍ତି, ‘‘ଟୋକାମାନେ ବି ତିନିଚାରି ଫୁଟ୍‌ ବହଳ ତୁଷାରରେ ଚାଲିପାରୁ ନାହାନ୍ତି, କିନ୍ତୁ ସେ କୌଣସିମତେ ଚାଲିପାରୁଛି। ସେ ଲମ୍ବା ବୁଟ୍‌ ପିନ୍ଧେ ଓ ବେଳେ ବେଳେ ଗୋଟାଏ ହାତରେ ଛତା ଏବଂ ଆର ହାତରେ ଚିଠିପତ୍ର ଆଦି ଧରି କାମକୁ ପଳାଏ। ଥରେ ଥରେ ପ୍ରବଳ ତୁଷାରପାତ ଓ ବୃଷ୍ଟିପାତ ପରିସ୍ଥିତିକୁ ଆହୁରି ବିଗାଡ଼ିଦିଏ, କିନ୍ତୁ ସେ ପାଗରେ ବି ସେ ଚିଠିପତ୍ର ବାଣ୍ଟିବାକୁ ଭୁଲେନାହିଁ। ହୀରପୋରା ନିକଟରେ ବନ୍ୟପ୍ରାଣୀ ଅଭୟାରଣ୍ୟଟିଏ ଅଛି। ଶୀତଦିନରେ ପାର୍ବତ୍ୟ ଅଞ୍ଚଳରେ ଖାଦ୍ୟ ସଙ୍କଟ ପଡୁଥିବାରୁ କଲରାପତ୍ରିଆ ଓ ଭାଲୁ ଆଦି ହିଂସ୍ରଜନ୍ତୁ ଗାଁଗଣ୍ଡା ଭିତରକୁ ଚାଲିଆସନ୍ତି। ସୌଭାଗ୍ୟକୁ ସେ କୌଣସି ବନ୍ୟଜନ୍ତୁ ହାବୁଡ଼ରେ ପଡ଼ିନାହିଁ। କିନ୍ତୁ, ଏକଥା ଭାବି ଆମେ ଚିନ୍ତାଗ୍ରସ୍ତ ହୋଇପଡୁ।’’