ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଥିବା ‘ଇସାରା’ ରେସ୍ତୋରାଁରେ ଗରାଖ ସାଙ୍କେତିକ ଭାଷାରେ ଭୋଜନ ବରାଦ ଦିଅନ୍ତି ଏବଂ ସେସବୁ ନିର୍ବିଘ୍ନରେ ପରିବେଷଣ କରାଯାଏ। ରେସ୍ତୋରାଁର ପରିଚାଳକ ମୁକୁନ୍ଦ ମଗର ଶ୍ରବଣ-ବାଧିତ କର୍ମଚାରୀ ଓ ଗ୍ରାହକଙ୍କ ମଧ୍ୟରେ ଦ୍ବିଭାଷୀ କାର୍ଯ୍ୟ ସମ୍ପାଦନ କରନ୍ତି। ସେ ଅଚିରେ ଗ୍ରାହକଙ୍କ ପ୍ରଶ୍ନର ଉତ୍ତର କର୍ମଚାରୀମାନଙ୍କ ଆଗରେ ଠାରଦ୍ବାରା ଅନୁବାଦ କରିଦିଅନ୍ତି। ୨୦୨୪ ବଡ଼ଦିନ ବେଳୁ ମଗର ସେ ରେସ୍ତୋରାଁ ଟିମ୍ର ଅଂଶବିଶେଷ ହୋଇଯାଇଛନ୍ତି। ବଡ଼ଦିନକାଳୀନ ଗହଳିଜନିତ ବ୍ୟସ୍ତତା ସମୟରେ ତାଙ୍କୁ ଚଟାପଟ୍ ସାଙ୍କେତିକ ଭାଷା ଠଉରାଇବାକୁ ପଡ଼େ। ସେ କହନ୍ତି, ‘‘ବିଶେଷ ତାଲିମ ଗ୍ରହଣ କରିବାଲାଗି ସମୟ ନ ଥିଲା, ‘ୟୁଟ୍ୟୁବ୍ ଭିଡିଓ’ରୁ ମୁଁ ସାଙ୍କେତିକ ଭାଷା ପ୍ରୟୋଗ ଶିଖିଲି। ତାହା ପୁଣି ଏଇ ଚାକିରି ନିମନ୍ତେ ଆବଶ୍ୟକ ‘ଭାରତୀୟ ସାଙ୍କେତିକ ଭାଷା’ ବର୍ଣ୍ଣମାଳା। ତେଣେ, ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ ବି ଆକଳନ କରିଛି ଯେ ପ୍ରାୟ ୬.୩ କୋଟି ଭାରତୀୟ ଶ୍ରବଣ-ବାଧିତ। ‘ନ୍ୟାସ୍ନାଲ୍ ଆସୋସିଏସନ୍ ଅଫ୍ ଦି ଡିଫ୍’ ଭଳି ଅନ୍ୟାନ୍ୟ ସୂତ୍ର ମତରେ ଶ୍ରବଣ-ବାଧିତଙ୍କ ସଂଖ୍ୟା ୧.୮ କୋଟି। ୨୦୧୧ ଜନଗଣନା ରିପୋର୍ଟ ଦର୍ଶାଏ ଯେ ଶ୍ରବଣ-ବାଧିତଙ୍କ ସଂଖ୍ୟା ୫୦ ଲକ୍ଷ। ବିଭିନ୍ନ ପ୍ରତିଷ୍ଠାନମାନଙ୍କ ହିସାବକିତାବରେ ତାରତମ୍ୟ ଥିଲେ ବି ଗୋଟିଏ କଥା ସ୍ପଷ୍ଟ ଯେ ଶ୍ରବଣ-ବାଧିତଙ୍କ ସଂଖ୍ୟା ବେଶ୍ ଅଧିକ।
ଏ ସଂପ୍ରଦାୟଙ୍କୁ ଏକସୂତ୍ରେ ଗୁନ୍ଥିରଖିଛି ଭାରତୀୟ ସାଙ୍କେତିକ ଭାଷା। ହିନ୍ଦୀ, ଇଂରାଜୀ ଆଦି କଥିତ ଭାଷା ଭଳି ଏହାର ବି ଭାଷାଗତ ଢାଞ୍ଚା ରହିଛି। ଭାରତ ଭଳି ବିଶ୍ବର ଅନ୍ୟାନ୍ୟ ରାଷ୍ଟ୍ରରେ ବି ସେମାନଙ୍କ ନିଜସ୍ବ ଶୈଳୀ ବା ଢାଞ୍ଚାରେ ସାଙ୍କେତିକ ଭାଷା ରହିଛି। ତେବେ ଭାରତରେ ‘ଆମେରିକୀୟ ସାଙ୍କେତିକ ଭାଷା’ ପ୍ରୟୋଗ ବାଧ୍ୟତାମୂଳକ କରାଯିବାରୁ ଚଳିତ ବର୍ଷ ସୁପ୍ରିମ୍କୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା। ୨୦୨୫ ଅକ୍ଟୋବର ସୁଦ୍ଧା ବିଚାର କରାଯାଇ ନ ଥିବା ଉକ୍ତ ଜନସ୍ବାର୍ଥ ମାମଲା ଦାଏର କରିଥିଲେ ଶ୍ରବଣ-ବାଧିତମାନଙ୍କ ନିମନ୍ତେ ନିଉଜ୍ ପୋର୍ଟାଲ୍ ଚଳାଉଥିବା ଅମନ୍ ଆଜାଦ୍। ସେ ଯୁକ୍ତି ବାଢ଼ନ୍ତି ଯେ ‘ଆମେରିକୀୟ ସାଙ୍କେତିକ ଭାଷା’ ଅଧ୍ୟୟନ ଦ୍ବାରା ବୈଶ୍ବିକସ୍ତରରେ ଉତ୍ତମ କର୍ମସଂସ୍ଥାନ ସୁଯୋଗ ସୃଷ୍ଟି କରାଯାଇପାରିବ। ତା’ଛଡ଼ା ଭାରତରେ ଥିବା ଶ୍ରବଣ-ବାଧିତ ଶିକ୍ଷାର୍ଥୀଙ୍କ ନିମନ୍ତେ ଭଲ ଶିକ୍ଷାଗତ ସମ୍ବଳ ମିଳିପାରିବ। କିନ୍ତୁ, ଏ ଜନସ୍ବାର୍ଥ ମାମଲାକୁ ଡିଫ୍ କମ୍ୟୁନିଟି ବା ବଧିର ସମାଜ ତୀବ୍ର ବିରୋଧ କରିଛି। ସେମାନଙ୍କର ହୃଦ୍ବୋଧ ହେଉଛି ଯେ ଭାରତୀୟ ସ୍କୁଲ୍ମାନଙ୍କରେ ଆମେରିକୀୟ ସାଙ୍କେତିକ ଭାଷା ବ୍ୟବହାର ବାଧ୍ୟତାମୂଳକ କରାଗଲେ ତାହା ଭାରତୀୟ ସାଙ୍କେତିକ ଭାଷାର ଅସ୍ତିତ୍ବ, ତା’ର ସଂସ୍କୃତି ଓ ପରିଚୟ ନିଶ୍ଚିହ୍ନ କରିଦେବ। ଭାରତର ସାଂସ୍କୃତିକ ବିବିଧତା ଓ ଭାଷାଗତ ପରିଦୃଶ୍ୟତା ପରିବେଶରେ ଭାରତୀୟ ସାଙ୍କେତିକ ଭାଷା ଆପଣାଛାଏଁ କ୍ରମୋନ୍ନତି କରିଛି। ଏହା ଭାରତର ଐତିହ୍ୟ, ମୂଲ୍ୟବୋଧ ଓ ସାମାଜିକ ମୂଲ୍ୟବୋଧର ପ୍ରତିଫଳନ ବୋଲି ‘ଆଇଏସ୍ଏଚ୍ ନିଉଜ୍’, ‘ଆଇଏସ୍ଏଚ୍ କିଡ୍ସ୍’ ଓ ‘ଆଏସ୍ଏଚ୍ ଶିକ୍ଷା’ ଚଳାଉଥିବା ଇଣ୍ଡିଆନ୍ ସାଇନିଙ୍ଗ୍ ହ୍ୟାଣ୍ଡ୍ର ସିଇଓ ଅକିଲ୍ ଚିନୟ କହନ୍ତି।
‘ୱାର୍ଲଡ୍ ଫେଡେରେସନ୍ ଅଫ୍ ଦି ଡିଫ୍’ଠାରୁ ସମର୍ଥନ ପାଇ ଏହାକୁ ବିରୋଧ କରୁଥିବା ଅଗ୍ରଣୀ ପ୍ରତିଷ୍ଠାନଗୁଡ଼ିକ ହେଲେ ‘ଅଲ୍ ଇଣ୍ଡିଆ ଫେଡେରେସନ୍ ଅଫ୍ ଦି ଡିଫ୍’ ଓ ‘ନ୍ୟାସ୍ନାଲ୍ ଆସୋସିଏନ୍ ଅଫ୍ ଦି ଡିଫ୍’। ଭାରତୀୟ ସାଙ୍କେତିକ ଭାଷା ଅନ୍ୟାନ୍ୟ ସାଙ୍କେତିକ ଭାଷାଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏହାର ବ୍ୟାକରଣ, ଆଞ୍ଚଳିକ ଉପଭାଷା ଓ ଅଭିବ୍ୟକ୍ତିଗତ ଇସାରା ଭାରତୀୟ ସଂସ୍କୃତି ସହିତ ବି ଜଡ଼ିତ। ଚିନୟ ବୁଝାଇ କହନ୍ତି, ‘‘ଭାରତୀୟ ସାଙ୍କେତିକ ଭାଷା ହେଉଛି ଗୋଟାଏ ସୁନ୍ଦର ବାଚକ ଭାଷା, େଯଉଁଥିରେ ରହିଛି ଭାରତୀୟ ଇତିହାସ ଓ ସଂସ୍କୃତିର ମର୍ମ। ଏହାର ଅଧିକାଂଶ ସଙ୍କେତ ପାରମ୍ପରିକ ଭାରତୀୟ ପ୍ରଥାରୁ ବିବର୍ତ୍ତିତ ହୋଇଛି। ଦୃଷ୍ଟାନ୍ତ ସ୍ବରୂପ, ‘ପୁରୁଷ’ଙ୍କର ସଙ୍କେତ ହେଉଛି କାଳ୍ପନିକ ନିଶମୋଡ଼ା ଯାହା ଭାରତୀୟ ପୌରୁଷର ସଙ୍କେତ। ସେହିପରି ‘ନାରୀ’ଙ୍କ ନିମନ୍ତେ ସଙ୍କେତ ହେଉଛି ନାସିକା ଯାହା ପୁରୁଣାକାଳିଆ ବସଣୀ ବା ଗୁଣାର ସଙ୍କେତ। ତେଣୁ, ଏ ସବୁ ସଙ୍କେତ ବିଶ୍ବର ଅନ୍ୟ କୌଣସି ସାଙ୍କେତିକ ଭାଷା ଅଭିଧାନରେ ନ ରହିବା ସ୍ବାଭାବିକ।’’
ଅଧିକନ୍ତୁ, ଦ୍ବିଭାଷୀମାନେ ଗୋଟିଏ ହସ୍ତ ବ୍ୟବହାର କରି ଆମେରିକୀୟ ସାଙ୍କେତିକ ଭାଷା ବୁଝାଇଥାଆନ୍ତି, କିନ୍ତୁ ଭାରତୀୟ ସାଙ୍କେତିକ ଭାଷା ବୁଝାଇବାକୁ ଦୁଇହାତ ଲାେଗ। ‘ଇଣ୍ଡିଆନ୍ ସାଇନ୍ ଲାଙ୍ଗୁଇଜ୍ ରିସର୍ଚ ଆଣ୍ଡ୍ ଟ୍ରେନିଙ୍ଗ୍ ସେଣ୍ଟର୍’ରେ ପଞ୍ଜୀକୃତ ଅନ୍ୟତମ ଭାରତୀୟ ସାଙ୍କେତିକ ଭାଷା ଦ୍ବିଭାଷୀ ତାଜୀନ୍ ଶେଖ୍ କହନ୍ତି, ‘‘କଥିତ ଓ ଶ୍ରବଣ-ବାଧିତ ଭାଷାଗୁଡ଼ିକରେ ବ୍ୟାକରଣ ଭିନ୍ନ। ତେଣୁକରି ଅନେକଙ୍କ ମତରେ ଏହାର ମୂଳଦୁଆ ଦୁର୍ବଳ। ପରବର୍ତ୍ତୀ ସମୟରେ ସଠିକ୍ ଲିଖିତ ବ୍ୟାକରଣ ଦ୍ବାରା ସେସବୁ ଆହରଣ କରିହୁଏ। ଭାରତରେ ‘ଆମେରିକୀୟ ସାଙ୍କେତିକ ଭାଷା’ ବ୍ୟବହୃତ ହୁଏନାହିଁ, ତେଣୁ ତାହାକୁ ବାଧ୍ୟତାମୂଳକ କରାଯିବ କାହିଁକି?’’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/16/dgdadgzcv-2025-11-16-00-52-27.jpg)