ଗୌହାଟୀସ୍ଥିତ ‘ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି’ (ଆଇଆଇଟି)ର ଗବେଷକମାନେ ଗୋଟାଏ ଅଭିନବ ନାନୋସେନ୍‌ସର୍‌ ବିକଶିତ କରିଛନ୍ତି। କ୍ଷଣିକରେ ଏହି କ୍ଷୁଦ୍ରକାୟ ସେନ୍‌ସର୍‌ ଜଳରେ ଥିବା ପାରଦ ଓ ଟେଟ୍ରାସାଇକ୍ଲିନ୍‌ ଆଣ୍ଟିବାୟୋଟିକ୍‌ ଚିହ୍ନଟ କରିପାରୁଛି। ରସାୟନଶାସ୍ତ୍ର ବିଭାଗର ପ୍ରଫେସର୍‌ ଲାଲ୍‌ମୋହନ କୁଣ୍ଡୁଙ୍କ ନେତୃତ୍ବରେ ସମାହିତ ଉକ୍ତ ଗବେଷଣାରେ ତାଙ୍କ ଛାତ୍ରୀ ପଲ୍ଲବୀ ପାଲ୍‌ ଓ ଅନୁକ୍ଷା ଚକ୍ରବର୍ତ୍ତୀ ମଧ୍ୟ ଏହି ପ୍ରକଳ୍ପରେ ସାମିଲ ଥିଲେ। ଗବେଷଣା ନିମନ୍ତେ ସେମାନେ ଅତିବାଇଗଣୀ ଆଲୋକରେ ଉଜ୍ଜ୍ବଳ ଦିଶୁଥିବା ଦୁଗ୍ଧ ପୁଷ୍ଟିସାର ଏବଂ ଥାଇମିନ୍‌ଭିତ୍ତିକ ଅଙ୍ଗାରକ କଣିକା ଉପଯୋଗ କରିଥିଲେ।

Advertisment

ଦ୍ରୁତ ନଗରୀକରଣ, ଶିଳ୍ପାୟନ ଓ ମାତ୍ରାଧିକ ଔଷଧ ପ୍ରସ୍ତୁତି ଉପାଦାନର ବ୍ୟବହାର ହେତୁ ବିଶ୍ବବ୍ୟାପୀ ଜଳ ପ୍ରଦୂଷଣ ବୃଦ୍ଧି ପାଇ ମାନବିକ ସ୍ବାସ୍ଥ୍ୟ ଓ ପରିସଂସ୍ଥାନ ନିମନ୍ତେ ସାଙ୍ଘାତିକ ବିପଦ ସୃଷ୍ଟିକରୁଛି।
ଶ୍ବାସକ୍ରିୟା ସଂକ୍ରମଣ ନିବାରଣ ନିମନ୍ତେ ବ୍ୟବହୃତ ଟେଟ୍ରାସାଇକ୍ଲିନ୍‌ ଭଳି ଆଣ୍ଟିବା‌େୟାଟିକ୍‌ ସବୁ ଠିକ୍‌ ଭାବେ ନଷ୍ଟ ନ କରାଗଲେ ଆଣ୍ଟିବା‌ୟୋଟିକ୍‌ ନିରୋଧୀ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ଅସୁବିଧା ସୃଷ୍ଟିକରାଏ। ଅତି ସାମାନ୍ୟ ପରିମାଣର ହେଲେ ବି ପାରଦ କର୍କଟରୋଗ, ସ୍ନାୟବିକ ବିଭ୍ରାଟ ଓ ହୃଦ୍‌ରୋଗ କରାଇପାରେ। ଏସବୁ ପ୍ରଦୂଷକ ତୁରନ୍ତ ଚିହ୍ନଟ କରିବା ଜନସ୍ବାସ୍ଥ୍ୟ ଓ ଜଳ ନିରାପତ୍ତା ନିମନ୍ତେ ଅପରିହାର୍ଯ୍ୟ।
ଏହି ସେନ୍‌ସର୍‌ ସବୁ ଯେମିତି କ୍ଷୁଦ୍ର ସେମାନଙ୍କର କାର୍ଯ୍ୟ ପରିସର ବି ସେତିକି କ୍ଷୁଦ୍ର। ଅତିବାଇଗଣୀ ଆଲୋକ ପଡ଼ିଲେ ଝଲସି ଉଠୁଥିବା ଅଙ୍ଗାରକ କଣିକା ବ୍ୟବହାର କରି ଏହି ନାନୋସେନ୍‌ସର୍‌ କାର୍ଯ୍ୟକରେ। ଯଦି ଜଳରେ ପାରଦ ଅଥବା ଟେଟ୍ରାସାଇକ୍ଲିନ୍‌ ଆଣ୍ଟିବା‌େୟାଟିକ୍‌ ମହଜୁଦ ଥିବ ତେବେ ଉଜ୍ଜ୍ବଳ ଅଙ୍ଗାରକ କଣିକା ମଳିନ ଦିଶିବ। ଏଥିରୁ ତୁରନ୍ତ ଆଭାସ ମିଳିଯିବ ଯେ ସେ ଜଳ ସଂକ୍ରମିତ।
ପ୍ରଫେସର୍‌ କୁଣ୍ଡୁ କହିଛନ୍ତି, ‘‘ଖାଲି ଜଳରେ ନୁହେଁ, ଜୈବିକ ତରଳ ପଦାର୍ଥରେ ପାରଦ ଓ ଆଣ୍ଟିବା‌େୟାଟିକ୍‌ ଭଳି ପ୍ରଦୂଷଣକାରୀ ଉପାଦାନ ଚିହ୍ନଟ କରିବା ଗୁରୁତ୍ବପୂର୍ଣ୍ଣ। କର୍କଟରୋଗ କରାଇବାରେ ପାରଦ ଅତି ତତ୍ପର। ମାତ୍ରାଧିକ ଆଣ୍ଟିବା‌େୟାଟିକ୍‌ ବି ପ୍ରତିକୂଳ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟିକରେ। ଏହି ସେନ୍‌ସର୍‌ ତରଳ ପଦାର୍ଥରେ ଥିବା ଅତି ସାମାନ୍ୟ ପରିମାଣର ପାରଦ ଓ ଆଣ୍ଟିବା‌େୟାଟିକ୍‌ ମଧ୍ୟ ଚିହ୍ନଟ କରିପାରିବ। ବେଶ୍‌ କିଛିଦିନ ହେଲାଣି ଆମେ ଏହି ଅଙ୍ଗାରକ କଣିକା ଉପରେ ପରୀକ୍ଷାନିରୀକ୍ଷା ଚଳାଇଆସୁଛୁ। ଏହି ପ୍ରକଳ୍ପ ନିମନ୍ତେ ସ୍ବଳ୍ପ ମୂଲ୍ୟବିଶିଷ୍ଟ ଏବଂ ପ୍ରାଣୀଜ ଦୁଗ୍ଧ ପୁଷ୍ଟିସାର ଓ ଥାଇମିନ୍‌ରୁ ରାସାୟନିକ ପ୍ରକ୍ରିୟାରେ ମୋର ରିସର୍ଚ୍ଚ ସ୍କୋଲାର୍‌ ପଲ୍ଲବୀ ଓ ସ୍ନାତକୋତ୍ତର ଛାତ୍ରୀ ଅନୁକ୍ଷା ଅଙ୍ଗାରକ କଣିକା ପ୍ରସ୍ତୁତ କରିଛନ୍ତି।’’

ସେ ପୁଣି କହିଛନ୍ତି, ‘‘ଏ ସେନ୍‌ସର୍‌ ଜୈବିକ ବ୍ୟବସ୍ଥାରେ ବି ଉପଯୋଗ କରାଯାଇପାରିବ। ଆକାର ଅତି ସୂକ୍ଷ୍ମ ଏବଂ ସହଜାତ ଔଜ୍ଜ୍ୱଲ୍ୟ ଥିବାରୁ ଆମେ ଏହି ଅଙ୍ଗାରକ କଣିକା ଚୟନ କରିଛୁ। ଏହାଦ୍ବାରା ପ୍ରଦୂଷକ ଚିହ୍ନଟ ପ୍ରକ୍ରିୟା ବେଶ୍‌ କ୍ଷିପ୍ର ହୋଇପାରୁଛି।’’ ପରୀକ୍ଷାଗାର ସ୍ତରରେ ଥିବା ଏହି ସେନ୍‌ସର୍‌ ୧୦ ସେକେଣ୍ଡ୍‌ରୁ କମ୍‌ ସମୟ ଭିତ‌ରେ ଜଳରେ ଥିବା ପ୍ରଦୂଷଣକାରୀ ଉପାଦାନ ଚିହ୍ନଟ କରିପାରୁଛି। ଏହା ୫.୩ ନାନୋମୋଲାର୍‌ ଆକୃତିର ପାରଦ ଏବଂ ୧୦ରୁ ୧୩ ନାନୋମୋଲାର୍‌ ଆକୃତିବିଶିଷ୍ଟ ଟେଟ୍ରାସାଇକ୍ଲିନ୍‌ ଚିହ୍ନଟ କରିପାରୁଛି। ଏହି ଦୁଇଟିଯାକ ଉପାଦାନର ଉପରୋକ୍ତ ଆକୃତି ସବୁକୁ ‘ଯୁକ୍ତରାଷ୍ଟ୍ର ଆମେରିକା ପାରିବେଶୀୟ ସୁରକ୍ଷା ଏଜେନ୍‌ସି’ ସୁରକ୍ଷା ମାନକଠାରୁ ନିମ୍ନତର ବୋଲି ଘୋଷଣା କରିଛି।

ଟ୍ୟାପ୍‌ ପାଣି, ନଦୀପାଣି, ଦୁଗ୍ଧ, ପରିସ୍ରା ଓ ‌ସିରମ୍‌ ନମୁନାରେ ଏହି ସେନ୍‌ସର୍‌ ପରୀକ୍ଷା କରାଯାଇ ବିଭିନ୍ନ ପରିବେଶରେ ସଠିକ୍‌ ଫଳାଫଳ ହାସଲ କରାଯାଇଛି। ପରୀକ୍ଷା ଆହୁରି ସରଳ କରିବା ନିମନ୍ତେ ଗବେଷକମାନେ ସେନ୍‌ସର୍‌ ଉପରେ ପରସ୍ତେ ସାଦା କାଗଜ ଗୁଡ଼ାଇ ଦେଇଥିଲେ। ଅତିବାଇଗଣୀ ଆଲୋକ ବିଚ୍ଛୁରଣ କରୁଥିବା ଲ୍ୟାମ୍ପ୍‌ ଜଳାଇ ସେମାନେ କ୍ଷେତ୍ରବିଶେଷରେ ତରଳ ପଦାର୍ଥରେ ଥିବା ପ୍ରଦୂଷଣକାରୀ ଉପାଦାନ ଚିହ୍ନଟ କରିଥିଲେ। ସେମାନଙ୍କ ପରୀକ୍ଷା ଫଳାଫଳ ‘ଦି ଜର୍ଣ୍ଣାଲ୍‌ ମାଇକ୍ରୋକିମିଆ ଆକ୍ଟା’ରେ ପ୍ରକାଶିତ ହୋଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ, ସେନ୍‌ସର୍‌ଟିର ମୂଲ୍ୟ ସ୍ବଳ୍ପ, ତା’ର ପରୀକ୍ଷଣ ଫଳାଫଳ ସଠିକ୍‌ ଓ ଜୈବାନୁକୂଳ। ଜଳ ପରୀକ୍ଷଣ ବ୍ୟତୀତ ଆଗାମୀ ଦିନରେ ଏହି ସେନ୍‌ସର୍‌ ଡାକ୍ତରୀ ଚିକିତ୍ସା କ୍ଷେତ୍ରରେ ବି ଉପଯୋଗ କରିବାର ସାମର୍ଥ୍ୟ ରଖିଛି।