ଏହି ମନ୍ଦିରରେ ସୂର୍ଯ୍ୟାସ୍ତ ପରେ ରହିଲେ ମଣିଷ ପାଲଟି ଯାଆନ୍ତି ପଥର! ଜାଣନ୍ତୁ କେଉଁ ଅଭିଶାପର ଏହି ପରିଣାମ

ଜୟପୁର: ପ୍ରତ୍ୟେକ ମନ୍ଦିର ପଛରେ କିଛି ନା କିଛି ଲୋକକଥା କିମ୍ବା କାହାଣୀ ରହିଛି। କେଉଁଠି ଆଶୀର୍ବାଦ, କେଉଁଠି ଅଭିଶାପ ତ ପୁଣି କେଉଁଠି ରହିଛି ଚମତ୍କାରୀ କଥା। ସେହିପରି ଏକ ମନ୍ଦିର ହେଉଛି ରାଜସ୍ଥାନସ୍ଥିତ ବର୍ମର ଜିଲ୍ଳାର କିରଡୁ ମନ୍ଦିର। ଜିଲ୍ଲାରୁ ୩୫ କିଲୋମିଟର ଦୂରରେ ଥିବା ଥର୍‌ ମରୁଭୂମି ନିକଟରେ ଏହି ମନ୍ଦିର ଅବସ୍ଥିତ। ଏହାକୁ ଏକାଦଶରୁ ଦ୍ୱାଦଶ ଶତାବ୍ଧୀ ମଧ୍ୟରେ ନିର୍ମାଣ କରାଯାଇଥିଲା। ଏହି ମନ୍ଦିରର ନାଁ ପୂର୍ବରୁ କିରାଡକୋଟ ଥିଲା। ଗୋଟାଏ ସ୍ଥାନରେ ୫ଟି ମନ୍ଦିର ରହିଛି। ସେଠାରେ ସୂର୍ଯ୍ୟାସ୍ତ ପରେ କେହି ବି ବ୍ୟକ୍ତି ରହିବା ପାଇଁ ସାହସ କରିନଥାନ୍ତି। ଏହା ପଛରେ ରହିଛି ଏକ ଅଭିଶାପ। ଲୋକମାନଙ୍କ ବିଶ୍ୱାସ ରହିଛି ଯେ ସଂଧ୍ୟା ପରେ ଏଠାରେ ରହିଲେ ମଣିଷ ପଥର ପାଲଟି ଯାଆନ୍ତି।

ଇତିହାସ କହେ ଷଷ୍ଠ ଶତାବ୍ଧୀରେ କିରାଡୁ ସାମ୍ରାଜ୍ୟକୁ ଶାସନ କରୁଥିଲେ ରାଜପୁତମାନେ। ସେଠାକାର ଲୋକେ ଭଗବାନ ଶିବଙ୍କ ଆରାଧନା କରିଥାନ୍ତି। ଦ୍ୱାଦଶ ଶତାବ୍ଧୀ ବେଳକୁ କିରାଡୁକୁ ଶାସନ କଲେ ରାଜା ସମସର୍‌। ବିଶ୍ୱାସ କରାଯାଏ ଯେ ଏହି ରାଜାଙ୍କ ଶାସନ କାଳ ମଧ୍ୟରେ ଆକ୍ରମଣକାରୀ ଆକ୍ରମଣ କରି କିରାଡୁକୁ କ୍ଷତି ପହଞ୍ଚାଇବା ପାଇଁ ଉଦ୍ୟମ କଲେ। ରାଜା ଭୟଭୀତ ହୋଇଗଲେ। ସେ ଯାଇ ପାହାଡ଼ ପାଦଦେଶରେ ତପସ୍ୟା କରୁଥିବା ଜଣେ ଋଷିଙ୍କୁ ସବୁ କଥା କହି ଶରଣ ପଶିଲେ। ଋଷି ପରାମର୍ଶ ଦେବାରୁ ରାଜା ତାଙ୍କ ସାମ୍ରାଜ୍ୟକୁ ସୁରକ୍ଷା ଯୋଗାଇ ପାରିଲେ। ମାତ୍ର କିଛି ଦିନ ପରେ ରାଜା ଋଷିଙ୍କୁ ପୂରାପୂରି ଭାବେ ଭୁଲିଗଲେ।

ଦିନେ ଋଷି ସେଠାକୁ ଆସିଲେ। ସେଠାରେ ଜଣେ କୁମ୍ଭାର ପତ୍ନୀ ବ୍ୟତୀତ କେହି ବି ହେଲେ ତାଙ୍କର ଆଦର ସତ୍କାର କରିଲେ ନାହିଁ। ସେ ରାଗି ଯାଇ ଅଭିଶାପ ଦେଲେ ଯେ ‘ଯେଉଁ ସ୍ଥାନରେ ମାନବିକତା ନାହିଁ, ସେଠାରେ ମଣିଷ ପଥର ହୋଇ ରହିବା ଭଲ।’ ଏପରି କହିବା ପରେ ସେ କେବଳ ସେହି ଜଣେ ସ୍ତ୍ରୀ ଲୋକଙ୍କୁ ଛାଡ଼ିବା ପରେ ସମଗ୍ର ସାମ୍ରାଜ୍ୟ ସହ ସମସ୍ତଙ୍କୁ ପଥର କରି ଦେଇଥିଲେ ବୋଲି କିମ୍ବଦନ୍ତୀ ରହିଛି।

ଅଭିଶାପ ଦେବା ପରେ ଋଷି ଉକ୍ତ ମହିଳାଙ୍କୁ ସଂଧ୍ୟା ପୂର୍ବରୁ ସେହି ସ୍ଥାନ ଛାଡ଼ିବାକୁ କହିଲେ। ଯିବା ବେଳେ ପଛକୁ ଫେରି ନଚାହିଁବା ପାଇଁ ମଧ୍ୟ ସେ ମହିଳାଙ୍କୁ କହିଥିଲେ। ମହିଳା ସେଦିନ କଥା ମାନି ପଳାଇଲେ ବି ତାଙ୍କ ମନରେ ଏକ ଉତ୍ସୁକତା ସୃଷ୍ଟି ହୋଇଥିଲା। ବାସ୍ତବରେ ଅଭିଶାପ କାର୍ଯ୍ୟ କରୁଛି କି ନାହିଁ ପରଖିବା ପାଇଁ ସେ ଥରେ ସେହି ମନ୍ଦିର ଭିତରୁ ସଂଧ୍ୟା ପରେ ପ୍ରବେଶ କଲେ। କୁହାଯାଏ ଯେ ସେ ବି କୁଆଡ଼େ ସେଠାରେ ପଥର ମୂର୍ତ୍ତି ହୋଇ ରହି ଯାଇଥିଲେ।

ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଅନେକ ଗବେଷକ ଆଗ୍ରହ ପ୍ରକାଶ କରିଥିଲେ ବି ସଂଧ୍ୟା ପରେ କିରାଡୁର ସେହି ୫ ମନ୍ଦିର ଭିତରକୁ କେହି ପ୍ରବେଶ କରିବାକୁ ସାହାସ କରନ୍ତି ନାହିଁ।

ସମ୍ବନ୍ଧିତ ଖବର