ବ୍ରିଟେନ୍ର ଏଲିଜାବେଥ୍ ନାମକ ଏକ କଣ୍ଢେଇକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହି କଣ୍ଢେଇଟି ଏକ ହଣ୍ଟେଡ୍ ଡଲ୍ ହୋଇଥିବା ନେଇ ଏହାର ମାଲିକ ଲି ଷ୍ଟିର୍ ଦାବି କରିଛନ୍ତି। ସାଉଥ୍ ୟାର୍କସାୟର୍ସ୍ଥିତ ରଦରହମଠାରେ ରହୁଥିବା ପାରାନର୍ମାଲ୍ ଇନ୍ଭେଷ୍ଟିଗେଟର୍ ୩୭ ବର୍ଷର ଲି ଷ୍ଟିର୍ ଇ-କମର୍ସ ପ୍ଲାଟ୍ଫର୍ମ ‘ଇ-ବେ’ରୁ ୮୬୬ ପାଉଣ୍ଡ(ପ୍ରାୟ ୯୫ ହଜାର ଟଙ୍କା) ମୂଲ୍ୟରେ ଏହି କଣ୍ଢେଇକୁ କିଣିଥିଲେ। ରଦରହମରେ ଷ୍ଟିର୍ଙ୍କର ଏକ ମ୍ୟୁଜିୟମ୍ ରହିଛି, ଯେଉଁଠାରେ ସେ ବିଭିନ୍ନ ହଣ୍ଟେଡ୍ ବସ୍ତୁର ପ୍ରଦର୍ଶନୀ ଆୟୋଜନ କରିଥା’ନ୍ତି। ଷ୍ଟିର୍ ଏଲିଜାବେଥ୍କୁ କିଣି ନିଜ ମ୍ୟୁଜିୟମ୍ରେ ରଖିଥିଲେ। ଷ୍ଟିର୍ କହିଛନ୍ତି, ଏଲିଜାବେଥ୍ ଏକ ସାଧାରଣ କଣ୍ଢେଇ ପରି ଦେଖାଯାଉଥିଲେ ମଧ୍ୟ ଏହା ଏକ ଅଭିଶପ୍ତ କଣ୍ଢେଇ। ଏକଦା ସେ ମ୍ୟୁଜିୟମ୍ରେ ଏଲିଜାବେଥ୍ ନିକଟରେ ଉପସ୍ଥିତ ଥିବାବେଳେ ତାଙ୍କ ବେକ ଓ ପିଠିରେ କେହି ଆମ୍ପୁଡ଼ିବା ପରି ମନେ କରିଥିଲେ।
ଘରେ ଯାଇ ଦେଖିବାପରେ ସେ ନିଜ ପେଟରେ ଆଘାତ ଚିହ୍ନ ଥିବା ଦେଖିବାକୁ ପାଇଥିଲେ। କେବଳ ସେ ନୁହନ୍ତି ସଂଗ୍ରହାଳୟକୁ ଆସୁଥିବା ଅନ୍ୟ ପୁରୁଷମାନେ ମଧ୍ୟ ସମାନ ଅନୁଭବ କରିଥିବା ଷ୍ଟିର୍ କହିଛନ୍ତି। ବର୍ତ୍ତମାନସୁଦ୍ଧା ଉକ୍ତ ହଣ୍ଟେଡ୍ ଡଲ୍ ତାଙ୍କୁ ମିଶାଇ ୧୭ ଜଣ ପୁରୁଷଙ୍କୁ ଶାରୀରିକ ଭାବେ ଆଘାତ ଦେଇଛି। ତେବେ ଏହାବ୍ୟତୀତ ଏଲିଜାବେଥ୍ ଉକ୍ତ ସଂଗ୍ରହାଳୟ ମଧ୍ୟରେ ବିଭିନ୍ନ ବସ୍ତୁକୁ ଏପଟସେପଟ କରି ଏଣେତେଣେ ଫୋପାଡ଼ିବା, ଫାୟାର୍ ଆଲାର୍ମକୁ ବଜାଇବା ଆଦି ଅନେକ କାର୍ଯ୍ୟକଳାପ କରିଥାଏ ବୋଲି ଷ୍ଟିର କହିଛନ୍ତି। ଧୋକାର ସମ୍ମୁଖୀନ ହୋଇଥିବା କୌଣସି ନବବିବାହିତା ମହିଳାଙ୍କ ଆତ୍ମା ଏଲିଜାବେଥ୍ ମଧ୍ୟରେ ରହିଥିବା ନେଇ ଷ୍ଟିର୍ ଅନୁମାନ କରିଛନ୍ତି। ବୋଧହୁଏ ସମ୍ପୃକ୍ତା ମହିଳା କୌଣସି ପୁରୁଷଙ୍କ ଦ୍ୱାରା ଅତ୍ୟାଚାରିତ ହୋଇଛନ୍ତି। ସେଥିପାଇଁ ଉକ୍ତ ହଣ୍ଟେଡ୍ ଡଲ୍ କେବଳ ବିବାହିତ ପୁରୁଷମାନଙ୍କୁ ଟାର୍ଗେଟ୍ କରି ଆକ୍ରମଣ କରୁଥିବା ଷ୍ଟିର୍ କହିଛନ୍ତି।