ଗ୍ରାହକଙ୍କ ପାଇଁ ଗାଡ଼ି ସୋ’ରୁମ କର୍ମଚାରୀଙ୍କ ବହିଲା ଝାଳ

ନୂଆଦିଲ୍ଲୀ: ସାଧାରଣ ଭାବେ ଯଦି କୌଣସି ଗ୍ରାହକ ଗାଡ଼ି କିଣିବାକୁ ଯାଆନ୍ତି ତେବେ ସୋ’ରୁମର ସମସ୍ତ କର୍ମଚାରୀ ଖୁସି ହୋଇଯାଇଥାଆନ୍ତି। ତେବେ ସମୟସମୟରେ ଗ୍ରାହକଙ୍କ ଖୁସି ପାଇଁ ଗାଡ଼ି ସୋ’ରୁମ କର୍ମଚାରୀଙ୍କୁ ଅସୁବିଧାର ସାମ୍ନା କରିବାକୁ ପଡ଼ିଥାଏ। ତାମିଲନାଡୁରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ ଗ୍ରାହକ ନିଜର ପସନ୍ଦର ଗାଡ଼ି କିଣିବା ପାଇଁ ସୋ’ରୁମରେ ଯାଇ ପହଞ୍ଚି ଯାଇଥିଲେ। ଉକ୍ତ ଗ୍ରାହକଙ୍କ ପାଇଁ ଗାଡ଼ି ସୋ’ରୁମ କର୍ମଚାରୀଙ୍କ ଝାଳ ବୋହିଯାଇଥିଲା। କାରଣ ଗ୍ରାହକ ୨.୬ଲକ୍ଷ ଟଙ୍କାର ବାଇକ କିଣିବା ପାଇଁ ଏକ ବସ୍ତାରେ ଟଙ୍କିକିଆ କଏନ ଭରି ଆଣିଥିଲେ।

ତାମିଲନାଡୁର ସଲେମ ସହରର ଏହି ଘଟଣା ଅମ୍ମାପେଟସ୍ଥିତ ଗାନ୍ଧି ମଇଦାନ ଅଞ୍ଚଳରେ ରହୁଥିବା ଯୁବକ ଭୁପତିଙ୍କ ସହିତ ଯୋଡ଼ା ହୋଇଛି। ଭୁପତି ବଜାଜ ଡୋମିନାର ୪୦୦ସିସି ବାଇକ କିଣିଥିଲେ। ଏହି ବାଇକ କିଣିବା ପାଇଁ ସେ ଟଙ୍କାଟେ ଟଙ୍କାଟେ ସଞ୍ଚୟ କରି ରଖିଥିଲେ। ସେ ଦେଖିଥିବା ସ୍ବପ୍ନର ବାଇକ ମୂଲ୍ୟ ଯେତିକି ସେତିକି ଟଙ୍କା ସଞ୍ଚୟ କରିଦେବା ପରେ ସାଙ୍ଗକୁ ଧରି ଭୁପତି ଗାଡ଼ି ସୋ’ରୁମରେ ପହଞ୍ଚି ଯାଇଥିଲେ। ତେବେ ସୋ’ରୁମ ମ୍ୟାନେଜର ମହାବିକ୍ରାନ୍ତ କହିଛନ୍ତି, ଭୁପତି ଗାଡ଼ି କିଣିବା ପାଇଁ ଆଣିଥିବା କଏନ ତାଙ୍କ କର୍ମଚାରୀଙ୍କୁ ଗଣିବା ପାଇଁ ୧୦ଘଣ୍ଟାରୁ ଅଧିକ ସମୟ ଲାଗିଥିଲା।

ଭୁପତି ଏକ ଘରୋଇ କମ୍ପାନିରେ କମ୍ପ୍ୟୁଟର ଅପରେଟରର ଭାବେ କାମ କରିଥାଆନ୍ତି। ଏଥିସହିତ ସେ ନିଜ ୟୁଟୁବ ଚ୍ୟାନେଲ ପାଇଁ ଭିଡିଓ ବି ତିଆରି କରିଥାଆନ୍ତି। ଭୁପତି କହନ୍ତି, ‘ତିନିବର୍ଷ ପୂର୍ବେ ବଜାଜ ଡୋମିନାର ୪୦୦ସିସି ବାଇକ ପସନ୍ଦ ଆସିଥିଲା। ସେତେବେଳେ ଏହା ମୂଲ୍ୟ ୨ଲକ୍ଷ ଟଙ୍କା ଥିଲା। ସେହି ସମୟରେ ତାଙ୍କ ପାଖରେ ଏତେଗୁଡ଼ିଏ ଟଙ୍କା ନଥିଲା। ସେ ନିଜର ଏହି ସ୍ବପ୍ନକୁ ପୂରା କରିବା ପାଇଁ ସେବେଠାରୁ ଟଙ୍କା ସଞ୍ଚୟ କରିବା ଆରମ୍ଭ କରି ଦେଇଥିଲେ।’

ସମ୍ବନ୍ଧିତ ଖବର