ଇତି ଊଣେଇଶ (ସଂସ୍କୃତି ଓ ପର୍ଯ୍ୟଟନ) : ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ମହୋତ୍ସବ ମାନ୍ୟତା

ସମୃଦ୍ଧ ନୌବାଣିଜ୍ୟର ପ୍ରତୀକ ସ୍ବରୂପ ପ୍ରତିବର୍ଷ କଟକ ମହାନଦୀ କୂଳରେ ଅନୁଷ୍ଠିତ ହେଉଥିବା ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ମହୋତ୍ସବ ମାନ୍ୟତା ମିଳିଛି। ଫଳରେ ଏଥର ପ୍ରତିବର୍ଷ ମେଳା ପାଇଁ ସରକାର ବିଭିନ୍ନ ବିଭାଗରୁ ୯୦ ଲକ୍ଷ ଟଙ୍କା ପ୍ରଦାନ କରିବେ। ଏଥିସହ ବାଲିଯାତ୍ରାକୁ ଜାତୀୟ ସାମୁଦ୍ରିକ ଐତିହ୍ୟ ପର୍ବର ମାନ୍ୟତା ଦେବା ନେଇ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ୍‌ଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୧୭ଟି ଆକର୍ଷଣୀୟ ପର୍ଯ୍ୟଟସ୍ଥଳୀରେ ରହିଲାନି ଓଡ଼ିଶା
କେନ୍ଦ୍ର ସରକାର ୧୭ଟି ପର୍ଯ୍ୟଟନସ୍ଥଳକୁ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇ ଏହାକୁ ବିଶ୍ବସ୍ତରୀୟ କରିବାକୁ ବଜେଟ୍ ଘୋଷଣା କରିଥିବା ବେଳେ ଏହି ତାଲିକାରେ ଓଡ଼ିଶାର ଗୋଟେ ବି ପର୍ଯ୍ୟଟନସ୍ଥଳ ସ୍ଥାନ ପାଇନଥିବାରୁ ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଉଭୟ ବିଜେଡି ଓ କଂଗ୍ରେସ ସଭ୍ୟମାନେ ଏନେଇ ବିଧାନସଭାର ଭୀଷଣ ଉଦ୍‌ବେଗ ପ୍ରକାଶ କରିଥିଲେ।

en.wikipedia.org

ଏକାମ୍ର କ୍ଷେତ୍ରରେ ୯ ପ୍ରକଳ୍ପ
ଶ୍ରୀକ୍ଷେତ୍ର ଭଳି ଶ୍ରୀ ଲିଙ୍ଗରାଜ ମନ୍ଦିର ଅଞ୍ଚଳର ବିକାଶ ପାଇଁ ମଧ୍ୟ ୬୬ ଏକର ପରିବ୍ୟାପ୍ତ ମନ୍ଦିର ଅଞ୍ଚଳରେ ‘ଏକାମ୍ର କ୍ଷେତ୍ର ଯୋଜନା’ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ଯୋଜନା ମଧ୍ୟରେ ୯ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ସୁଦୃଶ୍ୟ ପ୍ରବେଶପଥ, ବିନ୍ଦୁସାଗର, ପୁନରୁଦ୍ଧାର, ଅତ୍ୟାଧୁନିକ ପାର୍କିଂ, କେଦାରଗୌରୀ ଓ ମୁକ୍ତେଶ୍ବର ପରିସରର ବିକାଶ, ଇ-ଅଟୋ କାର୍ଯ୍ୟକ୍ରମ ସମେତ ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ ପାଇଁ ସରକାର ଗୁରୁତ୍ବାରୋପ କରିଛନ୍ତି। ଏଥିପାଇଁ ୭୦୦ କୋଟି ଟଙ୍କାର ବଜେଟ୍ ଘୋଷଣା କରାଯିବା ନେଇ ଆଶା ରଖାଯାଇଛି।

Navyamedia

‘ଓଡ଼ିଶା ରସଗୋଲା’କୁ ଜିଆଇ ମାନ୍ୟତା
୨୯ ଜୁଲା‌ଇ ୨୦୧୯ରେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ପ୍ରଦାନ କରାଯାଇଛି। ଚେନ୍ନାଇସ୍ଥିତ ଜିଓଗ୍ରାଫିକାଲ ଇଣ୍ଡିକେସନ୍‌ସ ରେଜିଷ୍ଟ୍ରି ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଓଡ଼ିଶାରେ ରସଗୋଲା ଲଢେଇରେ ଯବନିକା ପଡ଼ିଥିଲା। ଏହି ବିଜ୍ଞପ୍ତି ଭାରତ ସରକାରଙ୍କ ଜିଆଇ ଜର୍ଣ୍ଣାଲ ନଂ-୧୧୬ରେ ପ୍ରକାଶ ପାଇଛି। ‘ରସଗୋଲା’ର ଭୌଗୋଳିକ ଉତ୍ପତ୍ତି ଓଡ଼ିଶାରେ ହୋଇଥିବା ନେଇ ଏହି ମାନ୍ୟତା ଦିଆଯାଇଛି।

ମୁଦୁଲି ଗାଡ଼ିଆ ପ୍ରଥମ ଇକୋ-ଭିଲେଜ୍
ନୟାଗଡ଼ ଜିଲ୍ଲାର ମୁଦୁଲିଗାଡ଼ିଆ ଗ୍ରାମ ରାଜ୍ୟର ପ୍ରଥମ ଇକୋ-ଭିଲେଜ୍‌ର ମାନ୍ୟତା ପାଇଛି। ମହାନଦୀ ପଠାରେ ସାତକୋଶିଆ ଗଣ୍ଡ ନିକଟରେ ଥିବା ଏହି ଗ୍ରାମ ପ୍ରାକୃତିକ ପରିବେଶକୁ ସଂରକ୍ଷଣ କରିବା ସହ ବ୍ୟବସାୟରେ ଉଦାହରଣ ସୃଷ୍ଟି କରିପାରିଛି। ୨୦୧୫ ମସିହାରେ ଗାଁ ନିକଟ ସାଉଥ୍‌ ବଡ଼ମୂଳ ନୟାଗଡ଼ ବନ୍ୟାପ୍ରାଣୀ ବିଭାଗ ଦ୍ବାରା ସାତକୋଶିଆ ସ୍ୟାଣ୍ଡ୍‌ ରିସର୍ଟ ନାମରେ ପରିବେଶ ପର୍ଯ୍ୟଟନ କେନ୍ଦ୍ର ନିର୍ମାଣ କରାଯାଇଥିଲା। ଗତବର୍ଷ ଏହି ପର୍ଯ୍ୟଟନ କେନ୍ଦ୍ରରୁ ୧କୋଟି ୩୦ଲକ୍ଷ ଟଙ୍କା ରାଜସ୍ବ ଆଦାୟ ହେବା ସହ ଏହା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଏଠାରେ ଏବେ ୧୯ଟି ଟେଣ୍ଟ୍‌ ରହିଥିବା ବେଳେ ନଭେମ୍ବରରୁ ମାର୍ଚ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ଖୋଲାରୁହେ।

ଓଡ଼ିଆରେ ଶାସନ
୮୭୮ ଦିନର ଐତିହାସିକ ଭାଷା ଆନ୍ଦୋଳନର ଫଳଶ୍ରୁତି ସ୍ବରୂପ ତୁରନ୍ତ ନିୟମାବଳୀ ପ୍ରଣୟନ କରି ଓଡ଼ିଆରେ ଶାସନ ବା ସେବା ପ୍ରଦାନ କରିବା ନେଇ ହୋଇଥିବା ଦାବି କାର୍ଯ୍ୟକାରୀ ହେବାକୁ ଯାଉଛି। କ୍ୟାବିନେଟ ବୈଠକରେ ନିୟମାବଳୀ ପ୍ରଣୟନ ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଥିଲା ସେଥିରେ ଅଗଷ୍ଟ ୧୩ରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୋହର ମାରିଛନ୍ତି। ସରକାର ଏହାକୁ ଗେଜେଟ୍‌ରେ ପ୍ରକାଶ କରିଛନ୍ତି। ରାଜ୍ୟରେ ଓଡ଼ିଆରେ ସମସ୍ତ ନଥିପତ୍ର ପ୍ରଚଳନ ପାଇଁ ନିୟମାବଳୀ ପ୍ରଣୟନ ହୋଇଛି। ଏଥିପାଇଁ ସରକାରୀ ବାବୁମାନଙ୍କୁ ବି ଓଡ଼ିଆରେ ପ୍ରଶିକ୍ଷଣ ଦିଆଯାଇଥିଲା।

ସମ୍ବନ୍ଧିତ ଖବର