ଅନାଥ ଝିଅକୁ ଜୀବନ ସାଥୀ ରୂପେ ବାଛି ଉଦାହରଣ ସୃଷ୍ଟି କଲେ ଜଗନ୍ନାଥ

କଟକ: ଅନାଥ ଝିଅକୁ ସାଥି କଲେ ଜଗନ୍ନାଥ । କନ୍ୟାପିତା ନଥାଇ ବି ହୋଇଛି ବାହାଘର । ଅନାଥ ଆଶ୍ରମରେ ବଢିଥିବା ଜଣେ ଝିଅକୁ ବାହା ହୋଇଛନ୍ତି ଯୁବକ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏମିତି ଏକ ନିଆରା ବାହାଘର ହୋଇଛି କଟକ ରାଣୀହାଟ ସ୍ଥିତ ଯଶୋଦା ସଦନରେ ।

ଗୋତ୍ର ନାହିଁ କି ଜାତକ ବି ପଡିନି । ତଥାପି ହୋଇଛି ବାହାଘର । ଅଗ୍ନିକୁ ସାକ୍ଷୀ ରଖି ଏମିତି ଏକ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବରକନ୍ୟା । ପିଲାବେଳୁ ଅନାଥ ଆଶ୍ରମରେ ବଢିଥିବା ଅନ୍ନପୂର୍ଣ୍ଣାଙ୍କୁ ସାତ ଜନ୍ମ ପାଇଁ ସାଥୀ କରିଛନ୍ତି ଜଗତସିଂହପୁର ଜିଲ୍ଲା ଚାନ୍ଦପୁର ଗାଁର ଜଗନ୍ନାଥ ପଣ୍ଡା । ନିଜ ଜନ୍ମକଲା ଝିଅ ନହୋଇ ମଧ୍ୟ ଏହି ବାହାଘରରେ କନ୍ୟାଦାନ କରି ବାହାଘର କରିଛନ୍ତି ନିଜେ ଆଶ୍ରମର ସମ୍ପାଦକ । ନିରାଡମ୍ବର ନୁହେଁ ବରଂ ବହୁ ଆଡମ୍ବର ସହକାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ହୋଇଛି ବାହାଘର । ଏଥିରେ ବହୁ ବଦାନ୍ୟ ବ୍ୟକ୍ତିଙ୍କ ସହ ଆଶ୍ରମର ସବୁ ପିଲା ଏବଂ ସଦସ୍ୟ ସାମିଲ ହୋଇଥିଲେ । ଆଶ୍ରମକୁ ଦାନ ଆକାରରେ ଆସୁଥିବା ଟଙ୍କାରେ ସାଜସଜ୍ଜାଠାରୁ ଆରମ୍ଭ କରି ଭୋଜି ଏବଂ ଯୌତୁକରେ ସବୁ ଆସବାବପତ୍ର ମଧ୍ୟ ଦିଆହୋଇଛି । ଜଣେ ଅନାଥ ଝିଅର ବାପା ହୋଇ କନ୍ୟାଦାନ କରିଥିବାରୁ ବହୁତ ଖୁସି ବୋଲି କହିଛନ୍ତି ଆଶ୍ରମର ସମ୍ପାଦକ ଇନ୍ଦ୍ରମଣି ମଲ୍ଲିକ ।

ଅନ୍ନପୂର୍ଣ୍ଣା ୪ ବର୍ଷ ହୋଇଥିବା ବେଳେ ୧୯୯୯ ମସିହା ମହାବାତ୍ୟାରେ ବେଘର ହୋଇ ଯାଇଥିଲେ । ଏହି ସମୟରେ ଜଣେ ଡାକ୍ତର ତାଙ୍କୁ ଆଣି ଏହି ଆଶ୍ରମରେ ଛାଡି ଦେଇଥିଲେ । ସେହି ଦିନଠୁ ଆଶ୍ରମରେ ଥିବା ୪୮ ଜଣ ପିଲାଙ୍କ ସହିତ ସେ ଛୋଟରୁ ବଡ଼ ହୋଇଛନ୍ତି । ଏବେ ଅନ୍ନପୂର୍ଣ୍ଣାଙ୍କୁ ୨୧ ବର୍ଷ ବୟସରେ ଜଣେ ମନ୍ଦିର ପୂଜକଙ୍କ ପ୍ରସ୍ତାବରେ ବାହାଘର କରାଇଛନ୍ତି ଆଶ୍ରମର ସମ୍ପାଦକ । ଜଗନ୍ନାଥ ପାରାଦୀପ ପରିବହନ କମ୍ପାନୀରେ ସୁପରଭାଇଜର ଭାବେ କାର୍ଯ୍ୟ କରଥିବା ବେଳେ ଅନ୍ନପୂର୍ଣ୍ଣା ଯୁକ୍ତତିନିରେ ପାଠ ପଢୁଛନ୍ତି । ତେବେ ଜଣେ ଅନାଥ ଝିଅକୁ ବାହା ହୋଇ ଜଗନ୍ନାଥ ନିଜ ଖୁସି ବ୍ୟକ୍ତ କରିଛନ୍ତି । ସେପଟେ ଅନ୍ନପୂର୍ଣ୍ଣା ମଧ୍ୟ ଆଶ୍ରମର ସମସ୍ତ ସଦସ୍ୟଙ୍କୁ ନିଜ ବାପାମାଆ ସଦୃଶ୍ୟ ସମ୍ବୋଧନ କରି ଆଶ୍ରମକୁ ଛାଡିଯିବାର ଦୁଃଖ ବଖାଣିଛନ୍ତି ।ଯେଉଁଠି ଜଣେ ବାପା ଝିଅକୁ ବୋଝ ଭାବି ବାହା ଦେବାକୁ ଅସମର୍ଥ ହେଉଥିବା ବେଳେ ଆଶ୍ରମର ଜଣେ ଅନାଥ ଝିଅକୁ ବାହା ଦେଇ ସମାଜକୁ ନୂତନ ଦିଗଦର୍ଶନ ଦେଇଛି ଯଶୋଦା ସଦନ ।

ସମ୍ବନ୍ଧିତ ଖବର