ସମୟ ବଦଳିଛି। ବ୍ୟସ୍ତବହୁଳ ଜୀବନରେ ସବୁ କାମକୁ ସୁରୁଖୁରୁରେ କରିବା ପାଇଁ ଟେକ୍ନୋଲୋଜିର ସହାୟତା ନେଉଛି ମଣିଷ। ହାତ ପାହାନ୍ତାରେ ମୋବାଇଲ୍ ସୁଇଚ୍ ଟିପି ଚୁଟ୍କିରେ ବହୁ କାମ କରିପାରୁଛି। ଏହି ଟେକ୍ନୋଲୋଜି ମଣିଷର ଜୀବନକୁ ଯେତିକି ସହଜ କରିଛି ସେତିକି ବିପଦ ମୁହଁକୁ ଠେଲି ଦେବାକୁ ବସିଛି। ଟେକ୍ନୋଲୋଜିକୁ ବ୍ୟବହାର କରି ଅପରାଧୀମାନେ ତାଙ୍କ ଅପରାଧର ତରିକା ବି ବଦଳିଗଲାଣି। ସାଇବର୍ ଅପରାଧ ଏବେ ଦିନକୁ ଦିନ ଏତେ ଭୟଙ୍କର ଧାରଣ କଲାଣି ଯେ ସବୁ ବର୍ଗର ଲୋକ ଏହା କବଳରେ ପଡ଼ିଗଲେଣି। ଚିନ୍ତାର ବିଷୟ ହେଲା ଯେ ସାଇବର୍ ଅପରାଧୀମାନଙ୍କୁ ଧରିବାରେ ପୁଲିସ୍ ଆଖିଦୃଶିଆ ସଫଳତା ପାଇପାରୁନି। ଏଥି ପାଇଁ ଏ ପର୍ଯ୍ୟନ୍ତ ପୁଲିସ୍ ବ୍ୟବସ୍ଥା ଦୃଢ଼ ହୋଇ ନାହିଁ। ଆଉ ଏହାର ସୁଯୋଗ ନେଇ ସାଇବର୍ ଅପରାଧୀମାନେ ବେଧଡ଼କ ଭାବେ ତାଙ୍କ କାରବାର ଜାରି ରଖିଛନ୍ତି।
/sambad/media/post_attachments/wp-content/uploads/2021/01/honeytrap-main.jpg)
ନାଇଜେରୀୟଙ୍କ ‘ହନିଟ୍ରାପ୍’ ନାଟକ
କଟକ : ଓଡ଼ିଶାରେ ପ୍ରଥମ ଥର ୨୦୧୮ ବର୍ଷରେ ଭୁବନେଶ୍ବରର ଝାରପଡ଼ା ଜେଲ୍ର ସବ୍-ଜେଲର୍ ଏମ୍. ବିଶ୍ବାଳଙ୍କୁ ଟାର୍ଗେଟ କରାଯାଇଥିଲା। ଏକ ମାଟ୍ରିମୋନି େଵବ୍ସାଇଟ୍ରେ ସମ୍ପର୍କ ଯୋଡ଼ି ଦୁଇ ନାଇଜେରିଆନ୍ ଜାନୁଆରି ୩୦ ରେ ୧୦ ଲକ୍ଷ ୪୯ ହଜାର ୧୦ ଟଙ୍କା ଠକି ନେଇଥିଲେ। ଏହି କାରବାରରେ ଜୁନ ୩ ତାରିଖରେ ଦୁଇ ନାଇଜେରିଆନ୍ ଜୋଵଜୋ ଆଲେକ୍ସ, ଏରିକୁମେକୁ ଗିରଫ କରିଥିଲା କ୍ରାଇମ୍ବ୍ରାଞ୍ଚ।
ଭୁବନେଶ୍ବର ପୂର୍ବ ତଟ ରେଳ ବିଭାଗରେ କାର୍ଯ୍ୟରତ ଜଣେ ବରିଷ୍ଠ ଅଧିକାରୀଙ୍କୁ ୨୦୧୮ ଏପ୍ରିଲ ୫ ତାରିଖରେ ଜଣେ ଇ˚ଲଣ୍ତର ଯୁବତୀ ଫସାଇ ୪ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିଲେ। ଏହି ଘଟଣାରେ ସଂପୃକ୍ତ ନାଇଜେରିଆନ୍ ଫେରାର ଅଛି।
୨୦୧୮ ମେ ମାସରେ ଭୁବନେଶ୍ବରର ବ୍ୟବସାୟୀ କିଶୋର ସାହୁଙ୍କୁ ଫେସ୍ବୁକ୍ରେ କ୍ଲାରା ଆଲବର୍ଟ ନାମକ ଜଣେ ଇ˚ଲଣ୍ତ ମହିଳା ହନିଟ୍ରାପ୍ କରିଥିଲେ। ବନ୍ଧୁତା ଯୋଡ଼ି ୩ ଲକ୍ଷ ଟଙ୍କା ଠକି ନେଇଥିଲା। କ୍ଲାରା ନିଜକୁ ଜଣେ କନ୍ଷ୍ଟ୍ରକ୍ସନ କମ୍ପାନିର ନିର୍ଦ୍ଦେଶିକା ପରିଚୟରେ ଠକିଥିବା ମେ ୪ ତାରିଖରେ କ୍ରାଇମ୍ବ୍ରାଞ୍ଚରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସଂପୃକ୍ତ ନାଇଜେରିଆନ୍ଙ୍କ ପତ୍ତା ମିଳିନଥିଲା।
ଭୁବନେଶ୍ବର ବଡ଼ଗଡ଼ ଥାନା ଚିନ୍ତାମଣିଶ୍ବରରେ ହୋଟେଲ୍ ମ୍ୟାନେଜମେଣ୍ଟ ଛାତ୍ର ଭବାନୀ ଶଙ୍କର ତ୍ରିପାଠୀ ୨୦୧୮ ଜୁନ୍ ୧୮ ତାରିଖରେ ଆମେରିକାର ‘ପ୍ରିନ୍ସେସ୍ କ୍ରୁଇସ୍ ନାମକ ଏକ ଜାହାଜ କମ୍ପାନିରେ ରୋଷେୟା ଚାକିରି ପାଇଁ ଆବେଦନ କରିଥିଲେ। ଜୁଲାଇ ୧ ତାରିଖରେ ତାଙ୍କ ନିକଟରୁ ମୋଟ ଦେଢ଼ ଲକ୍ଷ ଟଙ୍କା ଠକି ନେଇଥିଲେ। ଜୁଲାଇ ୬ ତାରିଖରେ କ୍ରାଇମ୍ବ୍ରାଞ୍ଚରେ ଅଭିଯୋଗ ପରେ ନାଇଜେରିଆନ୍ ଫେରାର ଥିଲେ।
ପୁରୀ ଜିଲ୍ଲାର ଜଣେ ମହିଳା ଆଇନସେବା ପ୍ରାଧିକରଣ କର୍ମଚାରୀଙ୍କୁ ୨୦୧୮ ଜାନୁଆରିରେ ଫେସ୍ବୁକ୍ରେ ଫ୍ରେଣ୍ତ ରିକ୍ୟୁଏଷ୍ଟ ପଠାଇ ବନ୍ଧୁତା ଯୋଡ଼ିଥିଲେ ନାଇଜେରିଆନ୍। ଗିଫ୍ଟ ପଠାଇବା କହି ୪୧ ଲକ୍ଷ ଟଙ୍କା ଲୁଟିବା ଘଟଣାରେ ଜଣେ ନାଇଜେରିଆନ୍ ନୌବୁଏଜ ଚୁକୌଦ୍ଦି ଭିନ୍ସେଟ୍ ଏବ˚ ଭାରତୀୟ ପିୟୁଷ ଆର୍ଯ୍ୟକୁ ୨୦୧୮ ଡିସେମ୍ବର ୧୭ ତାରିଖରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।
୨୦୧୯ ଅଗଷ୍ଟ ୧୫ ତାରିଖରେ ଭୁବନେଶ୍ବରର ଜଣେ ଯୁବକଙ୍କ ଫେସବୁକକୁ ଟୋନିଆ ଵିଲିୟମସ୍ ନାମରେ ଜଣେ ଯୁବତୀ ଫ୍ରେଣ୍ତ ରିକ୍ୟୁଏଷ୍ଟ ପଠାଇଥିଲେ। ନିଜକୁ ଲଣ୍ତନର ବୋଲି ପରିଚୟ ଦେଇଥିଲେ। ପରସ୍ପର ବନ୍ଧୁତା ଯୋଡ଼ିବା ପରେ ଲଣ୍ତନରେ ସୁନା ମୂଲ୍ୟ ୧୦ ଗ୍ରାମକୁ ପ୍ରାୟ ୯୦ ହଜାର(ଭାରତୀୟ ମୁଦ୍ରା) ଟଙ୍କା ଥିବା ବେଳେ ଓଡ଼ିଶାରେ ପ୍ରାୟ ୪୦ ହଜାର ଥିବାରୁ ଓଡ଼ିଶା ସୁନା କିଣିବାକୁ କଥା ହୋଇଥିଲା। ସୁନା କିଣିବା ସହିତ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲାଇବା ବାବଦ ଦୈନିକ ୧ ଲକ୍ଷ ଟଙ୍କା ହିସାବରେ ୧୦ ଲକ୍ଷ ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ସେହି ମାସ ୨୭ ତାରିଖରେ ଦିଲ୍ଲୀ ବିମାନବନ୍ଦରର କଷ୍ଟମ ଅଫିସର ପରିଚୟରେ ଜଣେ ମହିଳା ସମ୍ପୃକ୍ତ ଯୁବକଙ୍କୁ ଫୋନ୍ କରି ଟୋନିଆଙ୍କ ୫ କୋଟି ଟଙ୍କା ଜବତ ହୋଇଥିବା କହିଥିଲେ। ଟଙ୍କା ରିଲିଜ୍ କରିବାକୁ ହେଲେ ୩ ଲକ୍ଷ ଟଙ୍କା ପଠାଇବାକୁ କହିବାରୁ ଯୁବକ ଜଣକ ଟଙ୍କା ପଠାଇ ଫସିବା ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚରେ ଅଭିଯୋଗ ହୋଇଥିଲା।
/sambad/media/post_attachments/wp-content/uploads/2021/01/mp_honey_trap_case.jpg)
ଭଡ଼ାରେ ଉତ୍ତରପୂର୍ବ ରାଜ୍ୟ ଯୁବତୀଙ୍କ ବ୍ୟାଙ୍କ୍ ଆକାଉଣ୍ଟ
୨୦୧୮ରୁ ସମ୍ପୂର୍ଣ୍ଣ ନୂଆ ଧରଣର ସାଇବର୍ ଅପରାଧ ଆରମ୍ଭ କରିଥିବା ନାଇଜେରିଆନ୍ ଗ୍ୟାଙ୍ଗ୍ ଓଡ଼ିଶାର ଫେସବୁକ ବନ୍ଧୁଙ୍କୁ ପାର୍ସଲ ପଠାଇବା ଆଳରେ ୧୦ କୋଟି ଟଙ୍କାରୁ ଅଧିକ ଲୁଟି ନେଲେଣି। ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟ କ୍ରାଇମ୍ବ୍ରାଞ୍ଚରେ ପଞ୍ଜିକୃତ ମାମଲା ସ˚ଖ୍ୟା ୬ ହୋଇଥିବା ବେଳେ ଆହୁରି ଅନେକ ବ୍ୟକ୍ତି ଲୋକ ଲଜ୍ଜା ଭୟରେ ଅଭିଯୋଗ କରୁନଥିବା କୁହାଯାଉଛି। ନାଇଜେରିଆନ୍ମାନେ ଭାରତକୁ ପର୍ଯ୍ୟଟକ ଭିସାରେ ଦିଲ୍ଲୀ ଆସିଲା ପରେ ନିଜ ଦେଶକୁ ଆଉ ଫେରୁନାହାନ୍ତି। ଏମାନେ ମୁଖ୍ୟତଃ ଦିଲ୍ଲୀର କୁତବ ନଗର, ତିଲକ୍ ନଗର ଥାନା ଅନ୍ତର୍ଗତ ମହାବୀର ନଗର, ବସନ୍ତ ବିହାର, ଉତ୍ତମ ନଗର ଥାନା ଅନ୍ତର୍ଗତ ମୋହନ ଗାର୍ଡେନ୍, ସାହାଦରର ପୂର୍ବ ବାବରପୁରରେ ୧ ହଜାରରୁ ଅଧିକ ନାଇଜେରିଆ ନାଗରିକ ଘର କରି ରହିଥିବା କ୍ରାଇମବ୍ରାଞ୍ଚର ଜଣେ ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି। ଦିଲ୍ଲୀରେ ରହୁଥିବା ବେଳେ ହନିଟ୍ରାପ୍ କେଳେଙ୍କାରୀରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଯଥା ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ତ୍ରିପୁରା, ସିକିମ୍, ମିଜୋରାମ୍ ରାଜ୍ୟର ଯୁବତୀଙ୍କୁ ବ୍ୟବହାର କରାଯାଉଛି। ଏହି ରାଜ୍ୟର ଯୁବତୀଙ୍କ ସହ ସଂପର୍କ ଯୋଡି ଦିଲ୍ଲୀରେ ନିଜ ପାଖରେ ରଖି ଓଡ଼ିଶାର ଯୁବକଙ୍କ ସହିତ ସୋସିଆଲ୍ ମିଡିଆରେ ବନ୍ଧୁତା ଯୋଡ଼ିବାକୁ କୁହାଯାଉଛି। ହନିଟ୍ରାପ୍ କରି ଯେଉଁ ଅର୍ଥ ଆସୁଛି ସମ୍ପୃକ୍ତ ଯୁବତୀଙ୍କ ବ୍ୟାଙ୍କ ଆକାଉଣ୍ଟଗୁଡ଼ିରେ ହିଁ କାରବାର ହେଉଛି। ପ୍ରତି କାରବାରରେ ୧୫ରୁ ୨୦ ହଜାର ଟଙ୍କା ଜଣେ ଯୁବତୀ ରୋଜଗାର କରୁଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଳିଛି।
କେମିତି ଫେରିବ ଟଙ୍କା?
୧. ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ତିଆ ୨୦୧୭ ଜୁଲାଇ ୬ ତାରିଖରେ ଜାରି କରିଥିବା ନୂଆ ନିୟମାବଳୀ ଅନୁଯାୟୀ, ଯଦି ଅନୈତିକ ଉପାୟରେ ସାଇବର ଅପରାଧୀଙ୍କ ଟଙ୍କା ଠକେଇର ଜଣେ ଗ୍ରାହକ ଶିକାର ହୋଇଛନ୍ତି, ତେବେ ଏ ସମ୍ପର୍କରେ ନିଜର ଆକାଉଣ୍ଟ ଥିବା ବ୍ୟାଙ୍କରେ ତିନି ଦିନି ମଧ୍ୟରେ ଲିଖିତ ଆକାରରେ ଅଭିଯୋଗ କରିବେ।
୨. ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ତିଆ(ଆରବିଆଇ)ର ନିୟମାବଳୀ ଅନୁଯାୟୀ, ଯଦି ଆପଣ ୧୬ ଟିକିଆ ଏଟିଏମ୍ କାର୍ଡ ନମ୍ବର, କାର୍ଡର ସମୟ ଅବଧି, କାର୍ଡ ପଛରେ ଥିବା ୩ ଟିକିଆ ସିଭିଭି ନମ୍ବର, ଫୋନ୍କୁ ଆସିଥିବା ୬ ଟିକିଆ ଓଟିପି ସାଇବର ଠକଙ୍କୁ ନିଜଆଡ଼ୁ ଦେଇନଥିବେ, ତେବେ ଗ୍ରାହକ ସମସ୍ତ ଟଙ୍କା ଫେରି ପାଇବେ।
୩. ୨୦୧୯ ଜୁନ ୨୪ ତାରିଖରେ ରିଜର୍ଭ ବ୍ୟାଙ୍କର ନୂଆ ନିୟମ ଅନୁଯାୟୀ, ଗ୍ରାହକ ଏଭଳି ଟଙ୍କା ଠକେଇ ସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ତିଆର ‘କମ୍ପ୍ଲେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ(ସିଏମ୍ସି) ପୋର୍ଟାଲ୍ http://cms.rbi.org.in/cms/indexpage.aspx କୁ ଯାଇ ଅନ୍ଲାଇନ୍ ମାଧ୍ୟମରେ ଅଭିଯୋଗ ପଞ୍ଜିକରଣ କରିପାରିବେ।
/sambad/media/post_attachments/wp-content/uploads/2021/01/cyber-crime-5.jpg)
ଦଣ୍ଡ ହାର୍ କମୁଛି କାହିଁକି?
ଅନଲାଇନରେ ‘ଟେକ୍ସଟ୍ ମି ଭଳି ମୋବାଇଲ୍ ଆପ୍ଲିକେସନ୍ ମାଗଣାରେ ୧୯୫ଟି ରାଷ୍ଟ୍ରର ନମ୍ବର ଅନଲାଇନରେ ଯୋଗାଇ ଦେଉଛି। ଏହି ଆପ୍ ଜେନେରେଟ୍ କରୁଥିବା ମୋବାଇଲ୍ ନମ୍ବରଗୁ଼ଡ଼ିକ କୌଣସି ସର୍ଭିସ ପ୍ରୋଭାଇଡର୍ଙ୍କ ଦ୍ବାରା ନିୟନ୍ତ୍ରିତ ହେଉ ନାହିଁ। ତେଣୁ ସାଇବର୍ ଅପରାଧରେ ବ୍ୟବହୃତ ଉକ୍ତ ନମ୍ବରଗୁଡ଼ିକ ଟ୍ରାକ୍ କରିବା କ୍ରାଇମବ୍ରାଞ୍ଚ ପାଇଁ କଷ୍ଟକର ହେଉଛି। ଜାଲି ବ୍ୟାଙ୍କ୍ ଆକାଉଣ୍ଟ ଓ ଅନଲାଇନରେ ମିଳୁଥିବା ମୋବାଇଲ୍ ନମ୍ବର ମାଧ୍ୟମରେ ସାଇବର ଅପରାଧ ଘଟୁଥିବାରୁ ପୁଲିସ ଗିରଫ କରୁଥିବା ସାଇବର ଅପରାଧୀଙ୍କୁ ଦୋଷୀ ସାବ୍ୟସ୍ତ କରିବା ଏତେଟା ସହଜ ହେଉନାହିଁ। ଯଦି ବି ସେମାନଙ୍କୁ କୌଣସି ଲିଙ୍କରେ ପୁଲିସ ଗିରଫ କରୁଛି, କୋର୍ଟରେ ମାମଲାର ବିଚାର ସମୟରେ ସିଧାସଳଖ ପ୍ରମାଣ ଉପସ୍ଥାପନ କରିବା ସମ୍ଭବପର ହେଉନଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।