ମୋବାଇଲ୍‌କୁ ଆସୁଥିବା ଏପରି ଲିଙ୍କ୍‌ ପ୍ରତି ସତର୍କ ରୁହନ୍ତୁ, ନହେଲେ ନିମିଷକେ ଆପଣଙ୍କ ଆକାଉଣ୍ଟରୁ ଗାଏବ୍‌ ହୋଇଯିବ ଟଙ୍କା!

ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଇବାରେ ଲାଗିଛି। କୌଣସି ନା କୌଣସିଠାରେ ଅନେକଙ୍କୁ ଏଭଳି ଠକାମିର ଶୀକାର ହେବାକୁ ପଡୁଛି। ଏହା ଏବେ ଚିନ୍ତାର କାରଣ ପାଲଟିଥିବା ବେଳେ ଏବେ ମୋବାଇଲରୁ ମୋବାଇଲ୍‌କୁ ଘୁରି ବୁଲୁଛି ରହସ୍ୟମୟୀ ଲିଙ୍କ୍‌। ଯାହାକୁ କ୍ଲିକ୍‌ କରିବା ମାତ୍ରେ ବ୍ୟବହାରକାରୀଙ୍କ ଆକାଉଣ୍ଟରୁ ଗାଏବ୍‌ ହୋଇଯାଉଛି ଟଙ୍କା। ଆପଣଙ୍କ ମୋବାଇଲ୍‌କୁ ଆସୁଥିବା ଏପରି ଲିଙ୍କ୍‌ ପ୍ରତି ସାବଧାନ ରୁହନ୍ତୁ। ନହେଲେ ଆପଣ ଏପରି ଠକାମିର ଶିକାର ହୋଇପାରନ୍ତି।

ଉଦାହରଣ ସ୍ୱରୂପ, ଯଦି ଆଗକୁ ଆପଣ ଆପଣଙ୍କର ୨୫ତମ ବିବାହ ବାର୍ଷିକୀ ପାଳନ କରିବାକୁ ଯାଉଛନ୍ତି, ତେବେ ଆମ ଏୟାରଲାଇନ୍‌ସ କମ୍ପାନୀ ତରଫରୁ ଆପଣଙ୍କୁ ମାଗଣାରେ ଯେକୌଣସି ସ୍ଥାନକୁ ବୁଲିବାକୁ ଯିବା ପାଇଁ ଦୁଇଟି ଟିକେଟ୍‌ ମିଳିବ। ଆପଣଙ୍କୁ କେବଳ ତଳେ ଦିଆଯାଇଥିବା ଲିଙ୍କରେ କ୍ଲିକ୍‌ କରି ଆପଣଙ୍କ ବାୟୋଡାଟା ଦେବାକୁ ପଡିବ। ଯାହାଦ୍ୱାରା ଆପଣ ଏହାର ଲାଭ ଉଠାଇପାରିବେ। ୪୮ ଘଣ୍ଟାରେ ଟିକେଟ୍‌ ଆପଣଙ୍କ ପାଖରେ ପହଞ୍ଚିଯିବ। ଯଦି ଆପଣଙ୍କ ଫୋନକୁ ଏଭଳି କିଛି ସନ୍ଦେଶ ଆସୁଛି ତେବେ ବୋକାମୀ ଛାଡି ସତର୍କ ହୋଇଯାଆନ୍ତୁ । ଆପଣ ସାଇବର ଅପରାଧିଙ୍କ ଆଖି ଆଗକୁ ଚାଲି ଆସିଛନ୍ତି ଏବଂ ତିଳେମାତ୍ର ବୋକାମୀ କଲେ ଆପଣଙ୍କ ସମ୍ପୁର୍ଣ୍ଣ ଡାଟା ସାଇବର କ୍ରିମିନାଲଙ୍କ ପାଖକୁ ଚାଲିଯିବ ।

ଏହା ସାଇବର କ୍ରିମିନାଲଙ୍କ ନୂଆ ଯୋଜନା ଯେଉଁଥିରେ ଲୋକମାନେ ଅତି ସହଜରେ ଫସିପାରିବେ। ଆପଣ ଯେମିତି ଲିଙ୍କ୍‌ ଉପରେ କ୍ଲିକ୍‌ କରିବେ ଆପଣଙ୍କ ସମ୍ପୁର୍ଣ୍ଣ ଡାଟା ସାଇବର କ୍ରିମିନାଲଙ୍କ ପାଖକୁ ଟ୍ରାନ୍‌ସଫର ହୋଇଯିବ। ସାଇବର ଅପରାଧିଙ୍କୁ ଯଦି ଆପଣଙ୍କ ବ୍ୟାଙ୍କ ଖାତାର ତଥ୍ୟ ମିଳିଗଲା ତେବେ କଥା ସରିଲା। ଆପଣଙ୍କୁ କାଙ୍ଗାଳ ହେବାରୁ କେହି ରକ୍ଷା କରି ପାରିବେ ନାହିଁ।

ସାଇବର ଫରେନ୍‌ସିକ୍‌ ଏକ୍ସପର୍ଟ ଦନିସ୍‌ ଖାନଙ୍କ କହିବାନୁସାରେ ଗ୍ରୀଷ୍ମ ଛୁଟିରେ ଲୋକଙ୍କୁ ଏଭଳି ଭ୍ରାନ୍ତ ଅଫର ଦେଇ ଜାଲ୍‌ ଲିଙ୍କ୍‌ ପ୍ରସ୍ତୁତ କରି ସାଇବର ଅପରାଧି ଲୋକଙ୍କୁ ଭୁଆ ବୁଲାଉଛନ୍ତି । ଏଭଳି ଏକ ଅଫର ଜେଟ୍‌ ଏୟାରବେଜ୍‌ କମ୍ପାନୀ ନାଁରେ ମଧ୍ୟ ରହିଛି । କମ୍ପାନୀ ତରଫରୁ ଲୋକଙ୍କୁ ଏଥିପାଇଁ ସତର୍କ କରାଯାଇଛି । ଏଭଳି ଲିଙ୍କକୁ ଜାଲ ବୋଲି ମଧ୍ୟ କୁହାଯାଇଛି। ଟ୍ଵିଟର, ହ୍ଵାଟସଆପ୍‌, ଫେସବୁକ୍‌ ଏବଂ ଇ-ମେଲ୍‌ ଜରିଆରେ ଏଭଳି ମେସେଜ୍‌ ପ୍ରେରଣ କରାଯାଉଛି । ପ୍ରଥମରୁ ଚାକିରୀର ଲୋଭ ଦେଖାଇ,ବିବାହ ପ୍ରସ୍ତାବର ଲୋଭ ଦେଖାଇ ଏବଂ ଲଟରୀ ବାହାରିବାର ଲୋଭ ଦେଖାଇ ଏଭଳି କାମକୁ ଆଗକୁ ନେଉଥିବାବେଳେ ଏବେ ଏଭଳି ମାଗଣା ଟିକେଟ୍‌ ମିଳିବାକୁ ନେଇ ଆଉ ଏକ ଗୁଜବ ଲିଙ୍କ୍‌ ଘୁରିବୁଲୁଛି।

ସମ୍ବନ୍ଧିତ ଖବର